ପୁରୀ, ୧୧/୦୯ : ବୁଧବାର ରାଧା ଅଷ୍ଟମୀ । ଏହାକୁ ଧୁମ୍ଧାମ୍ରେ ପାଳନ କରିବା ନିମନ୍ତେ ପୁରୀ ସମୁଦ୍ରକୂଳରେ ରହିଥିବା ସାତଲହଡ଼ି ମଠରେ ବ୍ୟାପକ ଆୟୋଜନ । ହେଲେ ଏହି ମଠ ନିଜର ଅସ୍ତିତ୍ୱ ରକ୍ଷା ନିମନ୍ତେ ଏବେବି ସଂଗ୍ରାମ କରୁଛି । ମଠର ରକ୍ଷଣାବେକ୍ଷଣ ଓ ଜୀର୍ଣ୍ଣୋଦ୍ଧାର କାର୍ଯ୍ୟ ନିମନ୍ତେ ଦାୟିତ୍ୱ ନେଇଥିବା ଅତିବଡ଼ି ଜଗନ୍ନାଥ ଦାସ ସ୍ମୃତି ସଂରକ୍ଷଣ କମିଟି କିମ୍ବା ସରକାର ଦୃଷ୍ଟି ନଦେବା ବୁଦ୍ଧିଜୀବୀ ମହଲରେ ଉଦ୍ବେଗର କାରଣ ହୋଇଛି। ଓଡ଼ିଆ ଭାଗବତର ରଚୟତା ତଥା ପଞ୍ଚଶଖାଙ୍କ ମଧ୍ୟରେ ଅନ୍ୟତମ ଅତିବଡ଼ି ଜଗନ୍ନାଥ ଦାସଙ୍କ ଏହା ଶେଷ ସମୟର ତପୋଭୂମି ଭାବେ ବେଶ ଜଣାଶୁଣା । ଜଗନ୍ନାଥ ଦାସଙ୍କୁ ରାଧା ଅଙ୍ଗ ସମ୍ଭୁତା ବୋଲି ବିଶ୍ୱାସ କରାଯାଏ । ତତ୍କାଳୀନ ସାମାଜିକ ବ୍ୟବସ୍ଥାରେ ଶୃଙ୍ଖଳା ରକ୍ଷା ନିମନ୍ତେ ଲୋକଙ୍କୁ ଭକ୍ତିର ରସ ପ୍ରଦାନ କରି ଅନେକ ରଚନା ଭେଟି ଦେଇଥିଲେ ଅତିବଡ଼ି । ଭକ୍ତିର ପ୍ରଧାନତା ଦେଖି ଶ୍ରୀଚତନ୍ୟ ଜଗନ୍ନାଥ ଦାସଙ୍କୁ ଏହି ଅତିବଡ଼ି ଉପାଧି ଦେଇଥିଲେ ।
ତେବେ ଘଟଣାକ୍ରମେ ରାଣୀ ହଂସପୁର ବା ବଡ଼ ଓଡ଼ିଆ ମଠକୁ ସେ ପରିତ୍ୟାଗ କରି ସମୁଦ୍ରଠାରୁ ସାତଟି ଲହଡ଼ି ଜାଗା ମାଗି ସେ ତାଙ୍କ ଶେଷ ଜୀବନ ତପସ୍ୟାରେ ବିତାଇଥିଲେ । ଅତିବଡ଼ିଙ୍କ ଏହି ଶେଷ ତପୋଭୂମି ସାତଲହଡ଼ି ମଠ ନାମରେ ଏବେ ଖ୍ୟାତ । ଆଜକୁ ୪୫ ବର୍ଷ ପୂର୍ବେ ଜନୈକ ବାଳକୃଷ୍ଣ ଦାସ ଏହି ପୀଠକୁ ଆସି ଏଠାରେ ନିଜର ଶେଷ ଜୀବନ କଟାଇଥିଲେ । ସେ ସମୟରେ କମିଟିର ସିଦ୍ଧାନ୍ତ ଅନୁଯାୟୀ ସେ ମଠର ତତ୍ତ୍ୱାବଧାରକ ରୂପେ ରହି ଠାକୁରଙ୍କ ସେବା ପୂଜା ଓ ଭଗବତ ଧ୍ୟାନରେ ନିମଗ୍ନ ରହିଥିଲେ । ପ୍ରାୟ ୨ ଏକର ଜମି ଉପରେ ବର୍ତ୍ତମାନର ସାତଲହଡ଼ି ମଠ ରହିଛି । ମଠରେ ମାର୍ବଲ ପ୍ରସ୍ତରରେ ନିର୍ମିତ ଅତିବଡ଼ିଙ୍କ ମୂର୍ତ୍ତି ସମେତ ପତିତପାବନ, ରାଧାକୃଷ୍ଣ, ଶାଳଗ୍ରାମ ଓ ଭାଗବତ ବାସୁଦେବ ପୋଥି ପୂଜା ପାଉଛି । ମଠରେ ଦୈନଦିନ ରୀତିନୀତି ମୁତାବକ ପୂଜା ଅନୁଷ୍ଠିତ ହେଉଛି । ନିତ୍ୟ ଭାଗବତ ପାରାୟଣ ହେଉଛି । ମଠରେ ମୁଖ୍ୟତଃ ଦୁଇଟି ଉତ୍ସବ ପାଳିତ ହେଉଛି । ଏହା ଭିତରୁ ଗୋଟିଏ ଭାଦ୍ରବ ଶୁକ୍ଳ ଅଷ୍ଟମୀ ବା ରାଧା ଅଷ୍ଟମୀ । ଏହିଦିନ ଅତିବଡ଼ିଙ୍କ ଜନ୍ମୋତ୍ସବ । ଅନ୍ୟଟି ମାଘ ଶୁକ୍ଳ ସପ୍ତମୀ ବା ଅତିବଡ଼ିଙ୍କ ତିରୋଧାନ ଉତ୍ସବ । ଏହି ଦୁଇଟି ଉତ୍ସବରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ସ୍ମୃତି ରକ୍ଷା କମିଟି ପକ୍ଷରୁ ସାଂସ୍କୃତିକ ସମ୍ମିଳନୀ ଓ ଆଲୋଚନାଚକ୍ର ହେଉଛି ।
ପୂର୍ବରୁ ଏହି ମଠର ବିଜେସ୍ଥଳୀ ପ୍ରାୟ ୭ ଏକର ଜମିରେ ଥିଲା । ବିଧାନସଭାରେ ସାତଲହଡ଼ି ମଠ ପ୍ରସଙ୍ଗ ଉଠିବା ନେଇ ଜାଣିବା ପରେ ମାସକ ତଳେ ଜିଲ୍ଲା ପ୍ରଶାସନ ଚେଇଁ ଉଠିଥିଲା । ମଠର ସର୍ବାଙ୍ଗିନ ଉନ୍ନତି କରାଯିବ ଓ ଦଖଲ ଜମିକୁ ଫେରାଇ ଅଣାଯିବ ବୋଲି ଜିଲ୍ଲା ପ୍ରଶାସନର ଅଧିକାରୀମାନେ ସମୀକ୍ଷା ବୈଠକ କରି ସୂଚନା ଦେଇଥିଲେ । ଜିଲ୍ଲାପାଳ ଏହି କମିଟି ଅଧ୍ୟକ୍ଷ ଥିବା ବେଳେ ସମ୍ପାଦକ ରହିଛନ୍ତି ଜିଲ୍ଲା ସଂସ୍କୃତି ଅଧିକାରୀ । ମଠର ବିକାଶ କରିବା ନିମନ୍ତେ ୧୦ ବର୍ଷ ତଳେ ପଡ଼ିଥିବା ଭିତ୍ତିପ୍ରସ୍ତରର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ପୂରଣ ହୋଇପାରିଲା ନାହିଁ । ଏଠାରେ ଅତିବଡ଼ିଙ୍କ ଜୀବନ ଗାଥା ଓ ଓଡ଼ିଆ ଭାଗବତ ରଚନା ନିମନ୍ତେ ସେ କରିଥିବା ଉଦ୍ୟମକୁ ଏଠାରେ ପ୍ରତିମୂର୍ତ୍ତି ସ୍ଥାପନ କରି ଲୋକଲୋଚନକୁ ଆଣିବାକୁ ନିଷ୍ପତ୍ତି ହୋଇଥିଲା । ମଠର ଜୀର୍ଣ୍ଣୋଦ୍ଧାର ନିମନ୍ତେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗକୁ ଦାୟିତ୍ୱ ଦିଆଯାଇଥିଲା । କୋଟି କୋଟି ଟଙ୍କା ମଂଜୁର ହୋଇଥିଲା । ହେଲେ ସରକାରୀ ଏହି ଅନୁଦାନ ବାଟମାରଣା କରିନେଲେ ଅଧିକାରୀ, ଠିକାଦାର ଓ ଯନ୍ତ୍ରୀ । ପ୍ରକଳ୍ପକୁ ଅଧାରେ ଛାଡ଼ି ସମସ୍ତେ ପଳାଇଲେ ।
ଏନେଇ ମଠର ତତ୍ତ୍ୱାବଧାରକ ବ୍ରହ୍ମଚାରି ବାମଦେବ ନନ୍ଦ କହିଛନ୍ତି, ପ୍ରଶାସନ ମଠର ବିକାଶ ନିମନ୍ତେ ଦୃଷ୍ଟି ଦେଉନି । ନଚେତ ଏହି ପୁଣ୍ୟସ୍ଥଳ ଏଭଳି ଅବ୍ୟବସ୍ଥାରେ ନଥାଆନ୍ତା । ପ୍ରତିଦିନ ମଠକୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଆସୁଛନ୍ତି । ଯଥା ସମ୍ଭବ ସେମାନଙ୍କ ସେବା କରାଯାଉଛି । ରହିବା ନିମନ୍ତେ ଘର ଓ ଅନୁସଙ୍ଗିକ ବ୍ୟବସ୍ଥା ନଥିବାରୁ ଅଧିକ ସେବା ଦିଆଯାଇପାରୁନି । ସେପଟେ ବିଧାନସଭାରେ ମଠର ୭ ଏକର ଜମି ରହିଥିବା ବାବଦରେ ପ୍ରଶାସନ କ’ଣ ଅନୁସନ୍ଧାନ କରିଛି ଜଣାଇବାକୁ ଲିଖିତ ପ୍ରଶ୍ନ ଆସିଛି । ଉତ୍ତରରେ ଆଇନ ମନ୍ତ୍ରୀ ଜଣାଇଛନ୍ତି, ସତଲହଡ଼ି ମଠ ଅତିବଡ଼ିଙ୍କ ସମାଧୀ ପୀଠ । ଏହା ବଡ଼ ଓଡ଼ିଆ ମଠର ଏକ ଶାଖା ମଠ । ପୁରୀ ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ସ୍ମୃତି ରକ୍ଷା କମିଟି ଗଠନ ହୋଇଛି । ଏହି ମଠର ଜମି ପରିମାଣ ୨.୬୭୦ ଏକର । ମାତ୍ର ବର୍ତ୍ତମାନର ଜମିର ସ୍ଥିତି ସମ୍ପର୍କରେ ବିଭାଗ ପାଖରେ ସୂଚନା ନାହିଁ । ମଠ ଜମିର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଅନୁସନ୍ଧାନ କରି କେହି ଅସାଧୁ ଉପାୟରେ ଜମି ମାଡ଼ି ବସିଥିବାର ପ୍ରମାଣ ମିଳିଲେ ଉକ୍ତ ଜମିକୁ କମିଟି କିମ୍ବା ସମ୍ପୃକ୍ତ ଅନୁଷ୍ଠାନକୁ ଦେବୋତ୍ତର ଆଇନର ଧାରା ୨୫ ଅନୁଯାୟୀ ହସ୍ତାନ୍ତର କରିବାକୁ ପଦକ୍ଷେପ ନିଆଯିବ । ଏହା ଜଣାପଡ଼ିବା ପରେ ମଠ ପ୍ରକୃତ ସ୍ଥିତି ଯାଞ୍ଚ ଜୋରଦାର ହୋଇଛି । ମଠର ବାଇ-ଲ’ ଠିକ୍ ନଥିବା ଦର୍ଶାଇ ଏହାକୁ ଆବଶ୍ୟକ ପରିବର୍ତ୍ତନ କରିବାକୁ ଏହାର ତତ୍ତ୍ୱାବଧାରକ ଶ୍ରୀ ନନ୍ଦ ଦାବି କରିଛନ୍ତି ।