" ମହିଳାମାନଙ୍କ ବିରୋଧରେ ଅପରାଧ ଅକ୍ଷମଣୀୟ ଏବଂ ଅପରାଧୀଙ୍କୁ ଛଡ଼ାଯିବ ନାହିଁ'- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସ୍ୱାଧୀନତା ଦିବସ ଭାଷଣ ଠାରୁ ମନ୍ କୀ ବାତ୍ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ବାରମ୍ବାର ଏଭଳି ଘୋଷଣା କରିଆସୁଛନ୍ତି । କଲିକତାର ରାଧା ଗୋବିନ୍ଦ କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ କର୍ତ୍ତବ୍ୟରତ ଶିକ୍ଷାନବୀଶ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ସର୍ବୋଚ୍ଚ ନ୍ୟାୟାଳୟ ସମେତ ଦେଶର ଆତ୍ମାକୁ ଚହଲାଇ ଦେଇଛି ବୋଲି ସୁପ୍ରିମକୋର୍ଟ ଉଦ୍ବେଗର ସହ କହିଛନ୍ତି । ସ୍ୱାଧୀନ ଭାରତର ସ୍ୱରୂପ ଏଭଳି ଶୃଙ୍ଖଳିତ ଓ ସଂସ୍କୃତି ସଂପନ୍ନ ହେବ ଯେ, ରାତିଅଧରେ ବି ଜଣେ ଯୁବତୀ ନିରାପଦରେ ଫେରି ଆସିପାରିବ ବୋଲି ସ୍ୱାଧୀନତା ସଂଗ୍ରାମର ଘୋଷିତ ପ୍ରତିଶ୍ରୁତି ଥିଲା । ତେବେ ସ୍ୱାଧୀନତା ପ୍ରାପ୍ତିର ୭୮ବର୍ଷରେ ଏହା ପ୍ରତିପାଳିତ ହେଉନଥିବାରୁ ବଳାତ୍କାର ଓ ହତ୍ୟା ଘଟଣା ବଢ଼ି ଚାଲୁଛି ।
ଏବେ କଲିକତା ଘଟଣା ଘେନି ସାରା ଦେଶରେ ପ୍ରତିବାଦର ସ୍ୱର ଉଠୁଥିବା ବେଳେ ଓଡ଼ିଶାର ସର୍ବପୁରାତନ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ଦୁଇଜଣ ମହିଳା ରୋଗୀଙ୍କୁ ବଳାତ୍କାର ଅଭିଯୋଗରେ ଜଣେ ଡାକ୍ତର ଜେଲ ଯିବା ସହ ଚାକିରି ହରାଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ଏକ ଡାକ୍ତରଖାନାରେ ଜଣେ ମହିଳା ଫାର୍ମାସିଷ୍ଟଙ୍କ ପ୍ରତି ଅନୁରୂପ ଦୁର୍ବ୍ୟବହାର ପ୍ରଦର୍ଶନ କରି ଆଉ ଜଣେ ଡାକ୍ତର ବି ବନ୍ଧା ହୋଇ ଜେଲରେ ପଶିଛନ୍ତି । ଖବର ବାହାରିଛି ଯେ, ମଦ ପାଇଁ ଟଙ୍କା ନଦେବାରୁ ପୁଅ ମା'କୁ ପିଟି ହତ୍ୟା କରିଛି । ମଦ ନିଶାରେ ଚୁର୍ ହୋଇ ବାପା ଝିଅ ପ୍ରତି ବଳାତ୍କାର ଉଦ୍ୟମ କରି ଜେଲ୍ ଯିବା ଓ ସ୍ୱାମୀ ସ୍ତ୍ରୀକୁ ମାରିଦେବାର ନଜିର ବି ଆମ ରାଜ୍ୟରେ ରହିଛି ।
ସରକାରୀ ରିପୋର୍ଟ ମୁତାବକ ଘରେ ଓ ବାହାରେ ଅନ୍ୟୁନ ଦୁଇ-ତୃତୀୟାଂଶ ମହିଳା ଅସୁରକ୍ଷିତ । ଅନ୍ୟପକ୍ଷରେ ଶହ ଶହ ବର୍ଷ ଧରି ଆମ ଶାସ୍ତ୍ର ଶୁଣାଇ ଆସୁଛି ଯେ, ଯେଉଁଠି ନାରୀମାନେ ପୂଜା ପାଆନ୍ତି ସେଠି କୁଆଡ଼େ ଦେବତାମାନେ ରୁହନ୍ତି । ଆମ ଶାସ୍ତ୍ର ପୁରାଣରେ ବି ଲକ୍ଷ୍ମୀ, ପାର୍ବତୀ, ସରସ୍ୱତୀ, କାଳୀ, ଦୁର୍ଗା, ସୀତା, ସାବିତ୍ରୀ ଆଦିଙ୍କ ଉପାଖ୍ୟାନ ରହିଛି । ଅହଲ୍ୟା, ଦ୍ରୌପଦୀ, ତାରା, କୁନ୍ତୀ, ମନ୍ଦୋଦରୀଙ୍କ ଭଳି ପଞ୍ଚକନ୍ୟାଙ୍କ ସ୍ମରଣରେ ପାପ କ୍ଷୟ ହୁଏ ବୋଲି ପୂର୍ବଜମାନେ ଚେତାଇ ଯାଇଛନ୍ତି । ଦେବୀ ପୂଜା ଆମ ପରମ୍ପରାରେ ପ୍ରମୁଖ ସ୍ଥାନ ପାଇଆସିଛି । ସାମାଜିକ ବ୍ୟବସ୍ଥାରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ବହୁ କ୍ରାନ୍ତିକାରୀ ଉଦ୍ୟମ ବି ଆମ ଦେଶରେ ଚାଲିଛି । ଏସବୁ ସତ୍ତେ୍ୱ କଠୋର ଆଇନ ଥିବାବେଳେ ମହିଳାମାନେ ଘରେ ଓ ବାହାରେ ଅସୁରକ୍ଷିତ କାହିଁକି? କୋଲକାତାରେ ବଳାତ୍କାର ଓ ହତ୍ୟାକାଣ୍ଡର ଶିକାର ହୋଇଥିବା ଡାକ୍ତରୀ ଛାତ୍ରୀଙ୍କୁ ଗଣମାଧ୍ୟମ ଛଦ୍ମନାମରେ "ଅଭୟା' ବୋଲି କହୁଛି ।
୧୨ବର୍ଷ ତଳେ ୨୦୧୨ ମସିହାରେ ରାଜଧାନୀ ଦିଲ୍ଲୀରେ ଅନ୍ୟଜଣେ ଯୁବତୀ ଗଣଧର୍ଷଣ ଓ ମରଣାନ୍ତକ ଆକ୍ରମଣର ଶିକାର ହୋଇ ଆଖି ବୁଜିଲେ । ତାଙ୍କୁ ଦେଶ ଜାଣିଲା "ନିର୍ଭୟା' ନାମରେ । ସେତେବେଳେ ନିର୍ଭୟା ଘଟଣାରେ ବି ସାରା ଦେଶ ହୁଲସ୍ତୁଲ ହୋଇଥିଲା । ଦେଶରେ ମହିଳାଙ୍କ ସୁରକ୍ଷା ପାଇଁ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଜେ.ଏସ୍. ବର୍ମାଙ୍କ ଅଧ୍ୟକ୍ଷତାରେ ଏକ କମିଶନ ବସିଥିଲା ଏବଂ ୩ମାସ ଭିତରେ ଜଷ୍ଟିସ୍ ବର୍ମା କମିଶନ ତାଙ୍କ ରିପୋର୍ଟ ପ୍ରଦାନ କରିଥିଲେ । ବର୍ମା କମିଶନଙ୍କ ସୁପାରିସ ମୁତାବକ ଆଇନରେ ବି କଠୋର ବ୍ୟବସ୍ଥା ଗ୍ରହଣ କରାଯାଇ ଜେଲ୍, ଜରିମାନା, ଆଜୀବନ କାରାଦଣ୍ଡ ଏମିତି କି ମୃତ୍ୟୁଦଣ୍ଡର ବ୍ୟବସ୍ଥା ରହିଲା । ପୀଡ଼ିତାଙ୍କ ପାଇଁ "ନିର୍ଭୟା ପାଣ୍ଠି' ବି ଗଠନ କରାଗଲା ।
କୌଣସି ମହିଳାଙ୍କୁ ପିଛା କରିବା କିମ୍ବା ଇଙ୍ଗିତ କରିବାକୁ ବି ଧର୍ତ୍ତବ୍ୟ ଅପରାଧ ଭାବେ ବିବେଚନା କରାଗଲା । ନାବାଳିକା, ଶିଶୁ ଆଦିଙ୍କୁ ନିର୍ଯାତନା, ବଳାତ୍କାର ଆଦି ଅଭିଯୋଗରେ ଅଭିଯୁକ୍ତଙ୍କ ପ୍ରତି ମୃତ୍ୟୁଦଣ୍ଡ ପର୍ଯ୍ୟନ୍ତ ରଖାଯିବା ସହିତ ସେଥିପାଇଁ ସ୍ୱତନ୍ତ୍ର "ପକ୍ସୋ' ଅଦାଲତ ବି ଦେଶ ତମାମ ଖୋଲାଗଲା । ଏହା ସତ୍ତେ୍ୱ ବି ଏଭଳି ଜଘନ୍ୟ ଅପରାଧ ଥମିବାର ନାଁ ଧରୁନି । ୨୦୧୯ ମସିହାରେ ହାଇଦ୍ରାବାଦରେ ଜଣେ ମହିଳା ପ୍ରାଣୀ ଚିକିତ୍ସକଙ୍କୁ ଗଣବଳାତ୍କାର ପରେ ଜିଅନ୍ତା ପୋଡ଼ି ମାରିବା ଭଳି ଅପରାଧ ବି ଘଟିଲା । ସେତେବେଳେ ଧରାପଡିଥିବା ଅପରାଧୀଙ୍କୁ ଘଟଣାସ୍ଥଳକୁ ତଦନ୍ତ ପାଇଁ ନେଇ ପୋଲିସ ଗୁଳିକରି ହତ୍ୟା କରିଥିଲା । ଏହି ଘଟଣାରେ ସଂପୃକ୍ତ ପୋଲିସଙ୍କ ଉପରେ ପୁଷ୍ପବର୍ଷଣ କରି ଲୋକେ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଆମ ରାଜ୍ୟରେ ଛବିରାଣୀ ବଳାତ୍କାର ଓ ହତ୍ୟାକାଣ୍ଡ ବି ଗୋଟିଏ ସମୟରେ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଥିଲା । ଏହାପରେ ପ୍ରାୟ ପ୍ରତିଦିନ ମହିଳାଙ୍କ ପ୍ରତି ଅପରାଧ ବଢ଼ିଚାଲୁଛି ସିନା କମୁନାହିଁ । ଗୁଜରାଟର ବିଲ୍କିସ୍ ବାନୋ ଘଟଣା ଠାରୁ ଉତ୍ତରପ୍ରଦେଶର ହାଥରସ୍, ଜାମ୍ମୁ-କାଶ୍ମୀରର କାଠୁଆ, ଉତ୍ତରପ୍ରଦେଶର ଉନ୍ନାଓ, ଓଡ଼ିଶାର କୁନ୍ଦୁଲି ଆଦିର ଲୋମଟାଙ୍କୁରା ଜଘନ୍ୟ ଘଟଣାରେ ଲୋକେ ବ୍ୟଥିତ ଥିବାବେଳେ ବ୍ୟବସ୍ଥାର ଆତ୍ମାକୁ କିନ୍ତୁ ଏହା ଚହଲାଇ ପାରିନି ।
କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ୨୦୨୩ ଡିସେମ୍ବର ମାସରେ ପ୍ରକାଶ ପାଇଥିବା ଏନ୍ସିଆରବିର "କ୍ରାଇମ୍ ଇନ୍ ଇଣ୍ଡିଆ' ରିପୋର୍ଟର ତଥ୍ୟ କହୁଛି ଯେ, ୨୦୨୨ ଶେଷ ବେଳକୁ ସାରା ଦେଶରେ ମହିଳାମାନଙ୍କ ପ୍ରତି ଘଟିଥିବା ଅପରାଧ ସଂକ୍ରାନ୍ତୀୟ ୨୧,୮୪,୭୬୯ ମାମଲା ବିଚାରାଧୀନ ଥିଲା । ଏବେ ଏହି ସଂଖ୍ୟା ପାଖାପାଖି ୨୫ଲକ୍ଷ ହେବ ବୋଲି ଆଶଙ୍କା କରାଯାଉଛି । ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୨୨ ବର୍ଷରେ ମାତ୍ର ୧,୮୧,୮୩୩ଟି ଏଭଳି ମାମଲାର ଫଇସଲା ହୋଇଥିଲା ଏବଂ ସେଥିରୁ ମୋଟେ ୩୮,୧୩୬ଟିରେ ଦଣ୍ଡବିଧାନ ହୋଇଥିବା ବେଳେ ୧,୦୫,୦୮୦ରେ ଅଭିଯୁକ୍ତ ଦୋଷମୁକ୍ତ ହୋଇଥିଲେ ।
ମୋଟାମୋଟି ଭାବେ ବିଚାର ପାଇଁ ଥିବା ମହିଳାମାନଙ୍କ ପ୍ରତି ଅପରାଧିକ ମାମଲାରୁ ଉକ୍ତ ବର୍ଷରେ ଦେଶରେ ମାତ୍ର ୭.୭ ପ୍ରତିଶତ ଫଇସଲା ହୋଇଥିବା ବେଳେ ଦଣ୍ଡବିଧାନ ହାର ଥିଲା ୨୫.୩ ପ୍ରତିଶତ । ଏହି ରିପୋର୍ଟ ମୁତାବକ ଓଡ଼ିଶାର ସ୍ଥିତି ଢେର୍ ଗମ୍ଭୀର । ୨୦୨୨ ବର୍ଷ ଶେଷବେଳକୁ ଆମ ରାଜ୍ୟରେ ମହିଳାମାନଙ୍କ ପ୍ରତି ଘଟିଥିବା ଅପରାଧିକ ମାମଲା ମଧ୍ୟରୁ ୧,୬୯,୫୭୨ ବିଚାର ପ୍ରତୀକ୍ଷାରେ ଥିଲା । ବର୍ତ୍ତମାନ ସୁଦ୍ଧା ଏଭଳି କିସମର ମାମଲା ସଂଖ୍ୟା ଓଡ଼ିଶାରେ ଦୁଇ ଲକ୍ଷରୁ ଅଧିକ ହୋଇପାରେ । ଏହିବର୍ଷରେ ଏଭଳି ଜଘନ୍ୟ ମାମଲାରୁ ମାତ୍ର ୪.୨ ପ୍ରତିଶତ ଫଇସଲା ହୋଇଥିବା ବେଳେ ଦଣ୍ଡବିଧାନ ହାର ଥିଲା ୯.୨ ପ୍ରତିଶତ । ଭାରତର ସରକାରଙ୍କ ରିପୋର୍ଟରେ ପ୍ରକାଶିତ ବିବରଣୀ ମୁତାବକ ମହିଳାଙ୍କ ପ୍ରତି ଘଟିଥିବା ଅପରାଧିକ ମାମଲାରୁ ୨୦୨୨ ବର୍ଷରେ ଓଡ଼ିଶାରେ ମାତ୍ର ୭,୩୯୩ଟି ଫଇସଲା ହୋଇଛି ଓ ସେଥିମଧ୍ୟରୁ ୬୭୧ଟିରେ ଦଣ୍ଡବିଧାନ ହୋଇଥିବା ବେଳେ ୬,୬୧୩ଟିରେ ଅଭିଯୁକ୍ତମାନେ ଦୋଷମୁକ୍ତ ହୋଇଛନ୍ତି । ଏଭଳି କ୍ଷେତ୍ରରେ କୋଟି କୋଟି ନିର୍ଭୟା, ଅଭୟାମାନଙ୍କୁ ସୁରକ୍ଷା ଦେବ କିଏ? ମୋଟାମୋଟି ଭାବେ ସାରା ଦେଶରେ ଏବେ ବିଭିନ୍ନ ଆଇନ ଅଦାଲତରେ ପ୍ରାୟ ୫କୋଟି ମାମଲା ବିଚାର ପାଇଁ ପଡ଼ିରହିଛି । ସେଥିରୁ ଅପରାଧିକ ମାମଲାର ସଂଖ୍ୟା ୩କୋଟିରୁ ଅଧିକ ।
ଓଡ଼ିଶାରେ ବି ବିଭିନ୍ନ ଆଇନ ଅଦାଲତରେ ପ୍ରାୟ ୧୯ଲକ୍ଷ ମାମଲା ରହିଥିବାବେଳେ ସେଥିରୁ ୧୨ଲକ୍ଷରୁ ଅଧିକ ହେଉଛି ଅପରାଧିକ ମାମଲା । ମହିଳାଙ୍କ ପ୍ରତି ଘଟୁଥିବା ଅପରାଧ ସମେତ ଅନ୍ୟ ଅପରାଧିକ ମାମଲାଗୁଡ଼ିକରୁ କିଏ ୧୫ବର୍ଷର ତ କିଏ ୩୦ବର୍ଷର ପୁରୁଣା ହେଲାଣି । ବିଳମ୍ବିତ ବିଚାର ପ୍ରକ୍ରିୟା, ଦୁର୍ବଳ ତଦନ୍ତ, ସାକ୍ଷ୍ୟ ପ୍ରମାଣ ଉପସ୍ଥାପନ କରିବାରେ ସରକାରୀ କଳର ଦୁର୍ବଳତା, ଆଇନର ଦୁରୁପଯୋଗ ଏବଂ ସର୍ବୋପରି ମାମଲା ପରିଚାଳନାରେ ତ୍ରୁଟି ବିଚ୍ୟୁତି ଯୋଗୁ ଆଇନ ଅଦାଲତରେ ଏଭଳି ସମ୍ବେଦନଶୀଳ ମାମଲା ଫଇସଲା ହେବା କ୍ଷେତ୍ରରେ ବିଳମ୍ବ ଘଟୁଥିବାବେଳେ ବିଳମ୍ବିତ ବିଚାର ପ୍ରକ୍ରିୟାରୁ ଫାଇଦା ଉଠାଇ ଅପରାଧୀମାନେ ତଥ୍ୟ ପ୍ରମାଣ ନଷ୍ଟ କରିବାରେ ସଫଳ ହେଉଛନ୍ତି । ଏ କ୍ଷେତ୍ରରେ ନିର୍ଯାତିତାଙ୍କୁ ନ୍ୟାୟ ମିଳିବ କେଉଁଠୁ? ଯେଉଁ ଅଳ୍ପ କେତେକ କ୍ଷେତ୍ରରେ ଦଣ୍ଡବିଧାନ ହେଉଛି ସେଠାରେ ବି ଉପର ଅଦାଲତକୁ ଅପିଲରେ ଯାଇ ଅପରାଧୀ ସମୟ ଗଡ଼ାଇବାରେ ସଫଳ ହେଉଛନ୍ତି ।
ଏମିତିକି ଜଘନ୍ୟ ହତ୍ୟାକାଣ୍ଡ ଓ ଗଣବଳାତ୍କାର ଆଦିରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀଙ୍କ ପ୍ରତି ଦରଦ ଦେଖାଇ କେଉଁଠି ଦଣ୍ଡ କୋହଳ କରାଯାଉଛି ତ ଆଉ କେଉଁଠି ରାଜକ୍ଷମା ପ୍ରଦାନ ଆଳରେ ଛାଡ଼ି ଦିଆଯାଉଛି । ଆମ ବିକୃତ ବ୍ୟବସ୍ଥାରେ ବଳାତ୍କାରୀ ଅପରାଧ ଘଟାଇବା ପରେ ନିର୍ଲଜ ଭାବେ ଛାତି ଫୁଲେଇ ଚାଲୁଥିବା ବେଳେ ପୀଡ଼ିତାଙ୍କୁ ଘୃଣା ଦୃଷ୍ଟିରେ ଦେଖାଯାଉଥିବାରୁ ସେମାନେ ବିନା ଦୋଷରେ ଯନ୍ତ୍ରଣା ପାଉଛନ୍ତି, ଏମିତିକି କୁନ୍ଦୁଲି ପୀଡ଼ିତାଙ୍କ ଭଳି ଅନେକ ଆତ୍ମହତ୍ୟା କରିଛନ୍ତି । ଏହି ମାନସିକତାକୁ ବଦଳାଇ ସମାଜ ପୀଡ଼ିତାଙ୍କୁ ସାହସ, ଧୈର୍ଯ୍ୟ, ସହାୟତା ଓ ସହଯୋଗର ହାତ ବଢ଼ାଇବା ସହ ଅପରାଧୀଙ୍କ ପ୍ରତି କଠୋର ମନୋଭାବ ପ୍ରକାଶ କରିବା ଆବଶ୍ୟକ ।
ଆମ ପୁରାଣ କୁହେ- ରାବଣ କବଳରୁ ସୀତାଙ୍କ ସତୀତ୍ୱ ଶ୍ରୀରାମଚନ୍ଦ୍ର ରକ୍ଷା କରିନଥିଲେ । ସୀତା ହିଁ ନିଜ ଶକ୍ତି ବଳରେ ନିଜର ସୁରକ୍ଷା ନିଜେ କରିଥିଲେ । ସେହିଭଳି ଧର୍ମରାଜ ଯୁଧିଷ୍ଠିର ଓ ତାଙ୍କ ଭାଇମାନେ ଦ୍ରୌପଦୀଙ୍କୁ ଜୁଆପାଲିରେ ବାଜି ଲଗାଇଦେବା ପରେ କୁରୁସଭାରେ ତାଙ୍କୁ ବିବସନା କରାଯିବା ବେଳେ ପାଣ୍ଡବମାନେ ତାଙ୍କ ସୁରକ୍ଷା କରିନଥିଲେ । ନିଜ ଭକ୍ତିର ଶକ୍ତି ବଳରେ ଦ୍ରୌପଦୀ ହିଁ ନିଜର ସୁରକ୍ଷା ପାଇଁ ଶ୍ରୀକୃଷ୍ଣଙ୍କ ସହଯୋଗ ନେଇଥିଲେ । ଅହଲ୍ୟା, ଅନସୂୟା ଆଦିଙ୍କ ଉଦାହରଣ ବି ଏ କ୍ଷେତ୍ରରେ ନିଆଯାଇପାରେ । ଯେତେବେଳେ ରାଷ୍ଟ୍ରର ବ୍ୟବସ୍ଥା ସଂପୂର୍ଣ୍ଣ ସୁରକ୍ଷା ଦେଇପାରୁନାହିଁ, ସମାଜ ମୂକ-ବଧିର-ଦୃଷ୍ଟିହୀନ ଭଳି ବସିରହୁଛି ସେତେବେଳେ ମାତୃଶକ୍ତି ହିଁ ନିଜେ ନିଜର ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ହେବା ଦରକାର ।
ମାତୃଶକ୍ତି ଯେଭଳି ପାଳନକର୍ତ୍ତ୍ରୀ ସେହିଭଳି ସଂହାରକର୍ତ୍ତ୍ରୀ ମଧ୍ୟ । ଆମ ସମସ୍ତଙ୍କୁ ମନେ ରଖିବାକୁ ହେବ ଯେ ଆମେମାନେ ବି ମାଆର ସନ୍ତାନ । ମାଆ ନଥିଲେ ଆମେ ଏ ଦୁନିଆକୁ ଆସିନଥାନ୍ତୁ । ଏ ପରିପ୍ରେକ୍ଷୀରେ ମାତୃଜାତିର ଇଜ୍ଜତ, ମାନସମ୍ମାନ ରକ୍ଷାପାଇଁ ଆମକୁ କୃତଜ୍ଞତାର ସହ କାମ କରିବାକୁ ହେବ ଏବଂ ଯେଉଁ ବିପଥଗାମୀମାନେ କୃତଘ୍ନତାର ଶୀର୍ଷ ସୋପାନକୁ ଯାଇ ମାତୃଜାତି ପ୍ରତି ଅପମାନ, ଅତ୍ୟାଚାର ଓ ଅପରାଧ ଘଟାଉଛନ୍ତି ସେମାନଙ୍କୁ ଠିକଣା ବାଟକୁ ଆଣିବାକୁ ପଡ଼ିବ । ପିତାମାତା, ପରିବାର, ସରକାର ଓ ସମାଜ ବି ପିଲାମାନଙ୍କୁ ସୁଶୃଙ୍ଖଳ, ସଭ୍ୟ ଓ ସଂସ୍କାରୀ କରି ଗଢ଼ିବା ଚାହି । ନହେଲେ ଭବିଷ୍ୟତର ବଂଶଧରମାନେ ଆମକୁ କଦାପି କ୍ଷମା କରିବେ ନାହିଁ ।