ନୂଆଦିଲ୍ଲୀ,୦୪/୦୯: ଆର୍ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ବାଜିଲା ଶକ୍ତ ଚାପୁଡ଼ା। ଭିଡ଼ ଭିତରେ ମାଡ଼ ମାରିଲେ ଲୋକେ। କୋର୍ଟରୁ ବାହାରକୁ ଆସିବା ବେଳେ ତାଙ୍କୁ ଜଣେ ବ୍ୟକ୍ତି ଶକ୍ତ ଚାପୁଡ଼ା ମାରିଛନ୍ତି। ତେବେ ସେ ପୋଲିସ ସୁରକ୍ଷା ମଧ୍ୟରେ ଥିଲେ ମଧ୍ୟ ତାଙ୍କ ଉପରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି।
ସୂଚନା ମୁତାବକ, କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ସନ୍ଦୀପ ଘୋଷଙ୍କୁ ମଙ୍ଗଳବାର ସିବିଆଇ ଟିମ୍ ଗିରଫ କରିଥିଲା । ଏହାପରେ ଆଲିପୁର କୋର୍ଟରେ ହାଜର କରାଯାଇଥିଲା। ଏହି ସମୟରେ କୋର୍ଟ ବାହାରେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ତେବେ କୋର୍ଟରୁ ବାହାରକୁ ବାହାରିବା ପରେ ତାଙ୍କୁ ବିରୋଧ କରି ଉତ୍ୟକ୍ତ ଲୋକେ ଘେରି ଯାଇଥିଲେ। ତାଙ୍କୁ ଫାଶୀ ଦିଆଯାଉ ବୋଲି ନାରା ଲଗାଇଥିଲେ।ଏହାରି ଭିତରେ ପୋଲିସ ସୁରକ୍ଷା ମଧ୍ୟରେ ଥିଲେ ମଧ୍ୟ ତାଙ୍କ ଉପରକୁ ଜଣେ ବ୍ୟକ୍ତି ଆକ୍ରମଣ କରି ତାଙ୍କୁ ଚାପୁଡା ମାରିଥିଲେ। ଫଳରେ ତାଙ୍କ ମୁଣ୍ଡରେ ବାଜିଥିଲା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ତେବେ ଆର୍.ଜି. କର ମେଡିକାଲ କଲେଜ ଆର୍ଥିକ ଅନିୟମିତତା ମାମଲାରେ ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ସିବିଆଇ ଗିରଫ କରିବାର ଦିନକ ପରେ ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ବିଭାଗ ତାଙ୍କୁ ନିଲମ୍ବନ କରିଛି। ତାଙ୍କ ବିରୋଧରେ ଆପରାଧିକ ତଦନ୍ତ ଚାଲିଥିବାରୁ ପଶ୍ଚିମବଙ୍ଗ ସର୍ଭିସେସ ନିୟମ ଅନୁଯାୟୀ ତାଙ୍କୁ ନିଲମ୍ବନ କରାଯାଇଛି।ଗତ ମାସ ୯ ତାରିଖରେ ଉକ୍ତ ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ସନ୍ଦୀପଙ୍କୁ ପ୍ରିନ୍ସିପାଲ ପଦରୁ ହଟାଯାଇଥିଲା। ଏହାପରେ ତାଙ୍କୁ ତୁରନ୍ତ କୋଲକାତା ନ୍ୟାସନାଲ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରିନ୍ସପାଲ ନିଯୁକ୍ତ କରାଯାଇଥିଲା।