ରାଉରକେଲା, ୩୧/୦୮: ସ୍ୱାୟତ୍ତ ଶାସନ ଦିବସ । ସବୁ ପୌରାଞ୍ଚଳ ଭଳି ମିନି ଇଣ୍ଡିଆ ତଥା ଇସ୍ପାତ ସହର ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) ମଧ୍ୟ ସ୍ୱାୟତ୍ତ ଶାସନ ଦିବସ ପାଳିବ । କିନ୍ତୁ ବିନା ମେୟରରେ । କାରଣ ମହାନଗର ନିଗମ ଘୋଷଣାକୁ ଦୀର୍ଘ ୧୦ବର୍ଷ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ମେୟର ଦେଖିପାରିଲାନି ଆର୍ଏମ୍ସି । ନିର୍ବାଚନ ସଂକ୍ରାନ୍ତ ମାମଲା ହାଇକୋର୍ଟରେ ଚାଲିଥିବାବେଳେ ଏଭଳି ବ୍ୟତିକ୍ରମ ଦେଖାଦେଇଛି । ନିର୍ବାଚିତ ପ୍ରତିନିଧିଙ୍କ ବିନା ପ୍ରାଶାସନିକ ଅଧିକାରୀ ଏବେ ବି ଅଖଣ୍ଡ କ୍ଷମତା ଉପଭୋଗ କରୁଛନ୍ତି । ଶାସନ କଳ ଆର୍ଏମ୍ସି କାର୍ଯ୍ୟାଳୟ ଚେୟାରରୁ ଘୁଞ୍ଚି ପାରୁ ନ ଥିବା ବେଳେ ସହରର ବିକାଶ କାର୍ଯ୍ୟ ଧିମେଇ ଯାଇଥିବା ଅଭିଯୋଗ ହେଉଛି ।
୧୯୫୫ ଜୁଲାଇ ୨୮ରେ ଗଠନ ହୋଇଥିଲା ରାଉରକେଲା ପୌରପାଳିକା । ୧୯୬୩ ଜୁନ୍ ୧୭ରୁ ରୁ ରାଉରକେଲା ସିଭିଲ ଟାଉନସିପ୍ (ସିଟି) ଏବଂ ରାଉରକେଲା ଷ୍ଟିଲ୍ ଟାଉନସିପ୍ (ଏସ୍ଟି) ଭାବେ ଦୁଇଟି ଏନ୍ଏସି ପରିଚାଳିତ ହେଉଥିଲା । ୧୯୮୮ ସେପ୍ଟେମ୍ବର ୧୭ରେ ଏନ୍ଏସି (ସିଟି) ପୌରପାଳିକା ଭାବେ ଘୋଷଣା କରାଗଲା । ରାଉରକେଲା ପୌରପାଳିକା ଅଧୀନରେ ୧୯.୭୮ ବର୍ଗକିମି ଅଧୀନରେ ୧୨ଟି ରାଜସ୍ୱ ଗ୍ରାମ ରହିଥିଲା । ୨୦୦୧ରେ ରାଉରକେଲା ଇସ୍ପାତ କାରଖାନା (ଆରଏସ୍ପି) ଯେତେବେଳେ ସେକ୍ଟର ଅଞ୍ଚଳକୁ ଇଣ୍ଡଷ୍ଟ୍ରିଆଲ ଟାଉନସିପ୍ ଭାବେ ଘୋଷଣା କଲା, ସେହି ସମୟରେ ଏନ୍ଏସି (ଏସ୍ଟି) ରାଉରକେଲା ପୌରପାଳିକାରେ ସାମିଲ ହେବା ସହ ୩୪.୭ କିମି ଅଧୀନରେ ୨୦ ରାଜସ୍ୱ ଗ୍ରାମକୁ ରାଉରକେଲା ପୌରପାଳିକା ପକ୍ଷରୁ ସେବା ପ୍ରଦାନ କରାଗଲା । ରାଉରକେଲା ପୌରପାଳିକାର ଶେଷ ନିର୍ବାଚନ ୨୦୦୮ରେ ହୋଇଥିଲା । ସେହି ସମୟରେ ୩୩ ୱାର୍ଡର କାଉନସିଲରଙ୍କୁ ଭୋଟର ନିର୍ବାଚିତ କରିଥିଲେ ।
୨୦୦୮ରୁ ୨୦୧୩ ପର୍ଯ୍ୟନ୍ତ ପରିଷଦ କାର୍ଯ୍ୟ ସମ୍ପାଦନ କରିଥିଲା । ହେଲେ ୨୦୧୩ ଅଗଷ୍ଟରେ କାର୍ଯ୍ୟକାଳ ଶେଷ ହେବାରୁ କାଉନ୍ସିଲ୍ ଭଙ୍ଗ କରାଯାଇଥିଲା ।ଏହାର ଠିକ୍ ବର୍ଷକ ପରେ ଅର୍ଥାତ୍ ୨୦୧୪ ନଭେମ୍ବର ୧୪ରେ ରାଉରକେଲା ପୌରପାଳିକାରୁ ରାଉରକେଲା ମହାନଗର ନିଗମ ଭାବେ ଘୋଷଣା କରାଯାଇଥିଲା । ପୂର୍ବରୁ ଥିବା ୩୩ଟି ୱାର୍ଡ ସହ ରାଉରକେଲା ମହାନଗର ନିଗମ ଅଧୀନରେ ଜଗଦା, ଗୋପପାଲି, ବ୍ରାହ୍ମଣୀତରଙ୍ଗ, ସାନ ବ୍ରାହ୍ମଣୀତରଙ୍ଗ, ଝାରତରଙ୍ଗ, ନବକୃଷ୍ଣନଗର, ତଳ ବାଲିଯୋଡ଼ି, ଆଇଡିଏଲ୍ କଲୋନୀ, ଗୋପବନ୍ଧୁ ନଗର, ଭଞ୍ଜ କଲୋନୀ, ବଡ଼ସୋନା ପର୍ବତ, ଧରମଡିହିକୁ ସାମିଲ କରାଯାଇଥିଲା । ତେବେ ଝାରତରଙ୍ଗ ଓ ଜଗଦା ଅଞ୍ଚଳର କେତେଜଣ ଏହାକୁ ବିରୋଧ କରି ଉଚ୍ଚ ନ୍ୟାୟାଳୟରେ ମାମଲା ଦାୟର କରିଥିଲେ । ଯାହାକି ଏବେ ବି ବିଚାରାଧୀନ ରହିଛି । ହାଇକୋର୍ଟରେ ମାମଲା ଚାଲିଥିବାରୁ ଆର୍ଏମ୍ସି ନିର୍ବାଚନ ହୋଇପାରୁ ନାହିଁ । ଜନସାଧାରଣ ନିର୍ବାଚିତ ପ୍ରତିନିଧି ପାଇପାରୁନାହାନ୍ତି । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇପାରୁନାହିଁ । ସମସ୍ୟା ସମାଧାନରେ ବିଳମ୍ବ ହେଉଛି । ପୂର୍ବରୁ ସ୍ଥାନୀୟ ସମସ୍ୟାକୁ ନିର୍ବାଚିତ ପ୍ରତିନିଧିମାନେ ପୌର ପରିଷଦରେ ସମାଧାନ କରିବାକୁ ଦାବି ଉପସ୍ଥାପନ କରୁଥିଲେ । କିନ୍ତୁ ଏବେ ଲୋକଙ୍କୁ ଅଧିକାରୀଙ୍କ ସହ ଆଲୋଚନା କରିବାକୁ ପଡ଼ୁଛି । ପ୍ରଶାସନ ସହ ସିଧାସଳଖ ଜଡ଼ିତ ନ ଥିବା ଲୋକେ ଅଧିକାରୀଙ୍କ ନିକଟକୁ ଆସିବାକୁ ସାହସ ଜୁଟାଇ ପାରୁନାହାନ୍ତି । ମହାନଗର ନିର୍ବାଚନ ଅପେକ୍ଷାର ଅନ୍ତ କେବେ ହେବ ତାହାକୁ ନେଇ ଏବେ ସମସ୍ତେ ଅପେକ୍ଷାରେ ରହିଛନ୍ତି ।
ଅପରପକ୍ଷେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ନିକଟରେ ଆର୍ଏମ୍ସି ନିର୍ବାଚନ ନେଇ ବିଧାନସଭାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ, ଉଚ୍ଚ ନ୍ୟାୟାଳୟରେ ମାମଲା ବିଚାରଧୀନ ଥିବାରୁ ନିର୍ବାଚନ ହୋଇପାରି ନାହିଁ । ନ୍ୟାୟାଳୟଙ୍କ ପରବର୍ତ୍ତୀ ଆଦେଶକ୍ରମେ ନିଷ୍ପତ୍ତି ନିଆଯିବ । ଏ ସମ୍ପର୍କରେ ବିଜେପିର ରାଜ୍ୟ ମୁଖପାତ୍ର ଧୀରେନ ସେନାପତି କୁହନ୍ତି, ନିର୍ବାଚନ ସମୟରେ ଜନସାଧାରଣଙ୍କୁ ଆର୍ଏମ୍ସି ନିର୍ବାଚନ କରାଇବା ନେଇ ଦଳ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । ଏହାକୁ ସରକାର ମଧ୍ୟ ଗୁରୁତ୍ୱର ସହ ନେଇଛନ୍ତି ।
ହାଇକୋର୍ଟରୁ ମଞ୍ଜୁରୀ ମିଳିବା ମାତ୍ରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ରଶ୍ମିରଞ୍ଜନ ପାଢ଼ୀ କୁହନ୍ତି, ଆର୍ଏମ୍ସି ନିର୍ବାଚନକୁ ପୂର୍ବ ସରକାର କରାଇ ଦେଲେନି । ଫଳରେ ମହାନଗର ନିଗମ ଅଞ୍ଚଳରେ ବିକାଶ ବାଧାପ୍ରାପ୍ତ ହୋଇଛି । ଲୋକମାନେ ନିର୍ବାଚିତ ପ୍ରତିନିଧିଙ୍କ ନିକଟକୁ ଯେତିକି ସହଜରେ ଯାଇପାରୁଛନ୍ତି, ପ୍ରଶାସନିକ ଅଧିକାରୀଙ୍କ ନିକଟକୁ ଯିବାକୁ ସାହାସ କରିପାରୁ ନାହାନ୍ତି । ବିଜେଡି ନେତା ବୀରେନ ସେନାପତି କୁହନ୍ତି, ଆର୍ଏମ୍ସି ନିର୍ବାଚନ ନ ହେବା ଦୁର୍ଭାଗ୍ୟଜନକ । ଏହାଦ୍ୱାରା ୱାର୍ଡସ୍ତରରେ ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ ରହୁଛନ୍ତି । ଜନସାଧାରଣଙ୍କ କଥା ଅଧିକାରୀଙ୍କ ନିକଟରେ ପହଞ୍ଚିପାରୁ ନାହିଁ । ହାଇକୋର୍ଟରେ ମାମଲା ଚାଲିଛି ବୋଲି ଜାଣିଥିବା ସତ୍ତେ୍ୱ ବିଜେପି ଆରଏମ୍ସି ନିର୍ବାଚନ ନେଇ ପ୍ରତିଶ୍ରୁତି ଦେଇଥିଲା । ବିଜେପି କ୍ଷମତାକୁ ଆସିବା ପରେ ମହାନଗର ନିଗମ ନିର୍ବାଚନ ନେଇ ସରକାର କ’ଣ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ସ୍ପଷ୍ଟ କରିବା ଉଚିତ ।