ଭୁବନେଶ୍ୱର: ପଞ୍ଜରା ହାଡ଼ । କୋରଡ଼ ଆଖି । ଠାକରା ଗାଲ । ପୁଟୁଳି ପରି ବାହାରି ପଡ଼ିଥିବା ପେଟ । ଶିଶୁଙ୍କର ଏମିତି ଚେହେରା ତ ନିଶ୍ଚୟ ଦେଖିଥିବେ । ବିଡ଼ମ୍ବନା, ‘ଅପପୁଷ୍ଟି’ର ଶିକାର ଏ ପିଲାମାନେ ହେଉଛନ୍ତି ଆମ ଭବିଷ୍ୟତ । ପୁଷ୍ଟିହୀନତାରେ କଲବଲ ଆମ ଆଗାମୀ ପିଢ଼ି। ଭବିଷ୍ୟତ ନୁହଁ ବର୍ତ୍ତମାନକୁ ନେଇ ସେମାନଙ୍କ ଶେତା ଆଖିରେ ଅପପୁଷ୍ଟିର କୋହ । କୁପୋଷଣ ବା ଅପପୁଷ୍ଟିରେ ଆମ ରାଜ୍ୟର ଶିଶୁମାନେ ଆକ୍ରାନ୍ତ । ଉପକୂଳରୁ ଉପାନ୍ତ ଓଡ଼ିଶା ସବୁଠି ବହୁ ସଂଖ୍ୟାରେ ନିରୀହ ଶିଶୁଙ୍କ ଚେହେରା ହିଁ ଦେଉଛି ପୁଷ୍ଟିହୀନତାର ପ୍ରମାଣ । କୁପୋଷଣ ଜୀବନ ନେଉଛି । ଓଡ଼ିଶା ମଥାରେ ପୁଷ୍ଟିହୀନତାର କଳଙ୍କ । ବିକାଶର ପରିସଂଖ୍ୟାନ ତଳେ ଭବିଷ୍ୟତର ବିକଳ ଚିତ୍ର । ଏ ନିରବ ମହାମାରୀ ଆମ ସମାଜ ଓ ମାନବ ସମ୍ବଳକୁ ଗିଳିବାକୁ ବସିଛି । ଆମ ଭବିଷ୍ୟତ ପିଢ଼ିର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶରେ ସାଜିଛି ବଡ଼ ବାଧକ । ବର୍ଷ ବର୍ଷ ଧରି ଅପପୁଷ୍ଟି ଆମ ସହ ରହିଛି । ସରକାରୀ ପ୍ରୟାସ ସତ୍ତେ୍ୱ ଏ ମହାମାରୀ ଏଯାଏ ସାରା ରାଜ୍ୟରେ ମେଲାଇ ଚାଲିଛି କାୟା । ରାଜ୍ୟର ବିକାଶ ଓ ଅଭିବୃଦ୍ଧିରେ ବଡ଼ ପ୍ରତିବନ୍ଧକ ଭାବେ ଉଭା ହୋଇଛି ଅପପୁଷ୍ଟି ।
ନିରବ ମହାମାରୀ
ଆଖି କହୁଛି କଥା । କୋରଡ଼ ଆଖିରେ ଧରିବ ପୋଷେ ଚାଉଳ । ବୟସ ତୁଳନାରେ କାହାର ଓଜନ ଅଧାରୁ କମ୍ । କାହାର ପୁଣି ବଢ଼ୁନି ଉଚ୍ଚତା । ଘରେ ଭାତ ଥିଲେ ଡାଲି ନାହିଁ । ରୋଗ ଥିଲେ, ଔଷଧ ନାହିଁ । ସନ୍ତୁଳିତ ବିକାଶରେ ବାଧକ ସାଜିଛି ପୁଷ୍ଟିକର ଖାଦ୍ୟର ଅଭାବ । ଗ୍ରାମାଞ୍ଚଳ ଓ ବିଶେଷ ଭାବେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପିଲାମାନେ ଦାରିଦ୍ର୍ୟ ହେତୁ କୁ-ପୋଷଣର ଶିକାର ହେଉଛନ୍ତି । ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ରହୁଛି । ବର୍ଷ ତମାମ ରୋଗରେ ଆକ୍ରାନ୍ତ ହେଉଛନ୍ତି । ପରିବାର ଛଟପଟ ହେଉଛି । ସରକାରୀ ତଥ୍ୟ କହୁଛି, ରାଜ୍ୟରେ ୧୦.୭ ଲକ୍ଷ ପିଲା ବୟସ ତୁଳନାରେ ଗେଡ଼ା । ୫.୧୩ ଲକ୍ଷ ଉଚ୍ଚତା ଅନୁସାରେ ପତଳା । ୧୦.୮ ଲକ୍ଷ ପିଲାଙ୍କର ବୟସ ବଢ଼ୁଛି ମାତ୍ର ଓଜନ ଢେର କମ୍ । ଓଡ଼ିଶାରେ ୬-୨୩ ମାସ ମଧ୍ୟରେ ପାଖାପାଖି ୮୦% ଶିଶୁ ସର୍ବନିମ୍ନ ଆବଶ୍ୟକ ଖାଦ୍ୟ ପାଉନାହାନ୍ତି । ଶିଶୁର ଅଭିବୃଦ୍ଧି ଓ ବିକାଶକୁ ସୁନିଶ୍ଚିତ କରିବା ପାଇଁ ଅତି କମରେ ଶସ୍ୟ, ମିଲେଟ୍, ସବୁଜ ପନିପରିବା, ଡାଲି, କ୍ଷୀର, ଫଳ, ମାଛ, ଅଣ୍ଡା ଇତ୍ୟାଦି ଠିକଣା ସମୟରେ ମିଳୁନି । ସାରା ଓଡ଼ିଶା କୁ-ପୋଷଣମୁକ୍ତ ହେବ କେମିତି?
ପରିସଂଖ୍ୟାନ ଦର୍ଶାଉଛି, ରାଜ୍ୟରେ ପ୍ରତି ହଜାରରେ ଶିଶୁ ମୃତ୍ୟୁ ହାର ୩୬ ରହିଛି । ହେଲେ ଆଦିବାସୀ ଶିଶୁଙ୍କ କ୍ଷେତ୍ରରେ ଏହା ୫୬ । ସେହିଭଳି ସହରରେ ରହୁଥିବା ଅଧିକାଂଶ ପିଲାଙ୍କୁ ଏବେ ମେଦବହୁଳତା ରୋଗ ମାଡ଼ି ବସିଲାଣି । ଏହାକୁ ମଧ୍ୟ ପୁଷ୍ଟିହୀନତା ଭାବେ ଗ୍ରହଣ କରାଯାଉଛି । ସହରୀ ଅଭିଭାବକମାନେ ନିଜ ପିଲାଙ୍କ ଖାଦ୍ୟ ଓ ସ୍ୱାସ୍ଥ୍ୟ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ପିଲାମାନେ ସ୍ୱାସ୍ଥ୍ୟବାନ ହେବା ବଦଳରେ ମୋଟାପଣର ଶିକାର ହେଉଛନ୍ତି । ଫାଷ୍ଟଫୁଡ୍, ପ୍ରକ୍ରିୟାକୃତ ଖାଦ୍ୟ, ନିଦ୍ରାହୀନତା ଓ ଜୀବନଶୈଳୀରୁ ସହରର ଶିଶୁ ଓ କିଶୋରମାନେ ମଧ୍ୟ ଚିନ୍ତାଜନକ ଭାବେ ପୁଷ୍ଟିହୀନତା କବଳରେ ପଡ଼ୁଛନ୍ତି । କେଉଁଠି ଖାଦ୍ୟ ମିଳୁନି, ଆଉ କେଉଁଠି ହାଉଜାଉ ଖାଦ୍ୟ ହିଁ ଅପପୁଷ୍ଟିକୁ ଡାକି ଆଣୁଛି । ଆଦିବାସୀବହୁଳ ଜିଲ୍ଲାରେ କଅଁଳ ଶିଶୁଙ୍କ ପ୍ରାଣ ନେଉଛି ଅପପୁଷ୍ଟି ଯମ । ଏହା ହିଁ ଆମ ସ୍ୱାସ୍ଥ୍ୟସେବା ପାଇଁ ବଡ଼ ଚାଲେଞ୍ଜ ଛିଡ଼ା କରାଇଛି ।
ମିଶନ୍ କୁପୋଷଣ
ଓଡ଼ିଶାର ମଥାରେ କୁ-ପୋଷଣର ପାପ । ନଗଡ଼ାର କାହାଣୀ ଆଜି ବି ଡରାଉଛି । ଆଖି ବନ୍ଦ କରି ବି ଦେଖିହେଉଛି ଆଦିବାସୀ ଓ ଦୁର୍ଗମ ଜିଲ୍ଲାରେ ପୋଷଣହୀନତାର ସଂଗୀନ ଚିତ୍ର । ଅପପୁଷ୍ଟିରେ ଆଜି ବି ଶିଶୁଙ୍କ ପ୍ରାଣହାନି ପାଲଟୁଛି ବଡ଼ ଖବର ।
ସରିନି ଲଢ଼େଇ, ହାରିନି କୁ-ପୋଷଣ । ପୁଷ୍ଟିହୀନତା ଦୂରେଇବାକୁ ସରକାର ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି । ଯୋଜନା ଓ କାର୍ଯ୍ୟକ୍ରମର ତାଲିକା ଲମ୍ବି ଚାଲିଛି । ମାତ୍ର ସଫଳତାର ହାର ଆଖିଦୃଶିଆ ହେଉନି । ଯୋଜନା ଓ କାର୍ଯ୍ୟକାରିତା ମଧ୍ୟରେ ତାଳମେଳ ରହୁନି । ନିଷ୍ଠା ଓ ଆନ୍ତରିକତାର ଅଭାବ ମଧ୍ୟ ରହୁଛି । କେଉଁଠି ସଚେତନତା ନାହିଁ । ଆଉ କେଉଁଠି ନିମ୍ନମାନର ଛତୁଆ ମିଳୁଛି । କେବେ ଅଣ୍ଡା ମିଳିଲେ, ଆଉ କେବେ ଉଭାନ୍ । ଆଦିବାସୀ ବର୍ଗର ସିଂହଭାଗ ଶିଶୁ (୭୨.୯%) ରକ୍ତହୀନତାରେ ଆକ୍ରାନ୍ତ । ସାଧାରଣ ବର୍ଗର ଶିଶୁଙ୍କ କ୍ଷେତ୍ରରେ ଏହି ହାର ୬୪.୨% ରହିଛି । କେବଳ ଶିଶୁ ନୁହେଁ, ମହିଳାଙ୍କ ଅବସ୍ଥା ଆହୁରି ଜଟିଳ । ୧୫ରୁ ୪୯ ବର୍ଷ ବୟସର ୭୧.୭% ଆଦିବାସୀ ମହିଳା ମଧ୍ୟ ଆନିମିଆ ବା ରକ୍ତହୀନତାରେ ଆକ୍ରାନ୍ତ । ଶିଶୁ ସ୍ୱାସ୍ଥ୍ୟ ପାଇଁ ମାଆ ସ୍ୱାସ୍ଥ୍ୟର ଯତ୍ନ ଜରୁରି । ଶିଶୁର ପ୍ରଥମ ହଜାରେ ଦିନ ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ । ଏ ସମୟରେ ଶିଶୁ ମସ୍ତିଷ୍କର ୮୦ ପ୍ରତିଶତ ଅଭିବୃଦ୍ଧି ଘଟିଥାଏ । କୌଣସି ପ୍ରକାର ହେଳା କଲେ କୁ-ପୋଷଣର ଶିକାର ହେବା ଏକରକମ ନିଶ୍ଚିତ । ମାଆ ଗର୍ଭରେ ରହିବାଠାରୁ ଜନ୍ମର ଦୁଇବର୍ଷ ପର୍ଯ୍ୟନ୍ତ ମନୁଷ୍ୟର ଜୀବନ ପୋଷଣ ଅତ୍ୟନ୍ତ ସମ୍ବେଦନଶୀଳ । ମା’ ଏବଂ ଶିଶୁର ଖାଦ୍ୟରେ ପୋଷକ ତତ୍ତ୍ୱର ଅଭାବ ହେଲେ ଶିଶୁର ଶାରୀରିକ ଓ ମାନସିକ ବୃଦ୍ଧି ଉପଯୁକ୍ତ ଭାବେ ହୋଇପାରେ ନାହିଁ । ଓଡ଼ିଶାରେ ଅନ୍ୟ ରାଜ୍ୟ ତୁଳନାରେ ଶିଶୁ ମୃତ୍ୟୁହାର ଅଧିକ । ସେଥିମଧ୍ୟରୁ କୁ-ପୋଷଣ ଅନ୍ୟତମ କାରଣ । ବିବାହ ବୟସ ନହେଉଣୁ ଝିଅ ବିବାହ କରୁଛନ୍ତି । ଫଳ ହେଉଛି, କମ୍ ଓଜନର ଶିଶୁ ଜନ୍ମ ହେବା ସହ କୁପୋଷଣ ସମସ୍ୟାରେ ଘାଣ୍ଟି ହେଉଛନ୍ତି ମାଆ ଓ ଛୁଆ ।
କୁପୋଷଣ ସମସ୍ୟା ଗମ୍ଭୀର ରୂପ ନେଉଥିବାରୁ ଗତ କିଛି ବର୍ଷ ହେବ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପୋଷଣ ଅଭିଯାନ ଆରମ୍ଭ କରିଛନ୍ତି । ଗର୍ଭବତୀ ମାଆଙ୍କ ସ୍ୱାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ୱ ଦେଇ ପୁଷ୍ଟିଯୁକ୍ତ ଖାଦ୍ୟ ଯୋଗାଣ, ଟୀକାକରଣ, ପରିଛନ୍ନତା ସହ ଶିଶୁ ସୁରକ୍ଷା ପାଇଁ ସଚେତନ କରାଯାଉଛି । ମାଆ ଯଦି ପୁଷ୍ଟିହୀନରେ ସଢ଼ିବ, ଶିଶୁ ମଧ୍ୟ ଶିକାର ହେବ । ସୁସ୍ଥ ସମାଜ ଗଠନ ନିମନ୍ତେ ସୁସ୍ଥ ମା’ ଏବଂ ସୁସ୍ଥ ଶିଶୁ ଉପରେ ଗୁରୁତ୍ୱ ଦେଇ ଗର୍ଭବତୀ ମହିଳାଙ୍କୁ ଅତିରିକ୍ତ ପୁଷ୍ଟିକର ଖାଦ୍ୟ ମିଳୁଛି । ମାତ୍ର କୁ-ପୋଷଣରୁ ମୁକ୍ତି କାହିଁ?
ଓଡ଼ିଶାର କିଶୋରୀ ବାଳିକା, ଗର୍ଭବତୀ ଓ ପ୍ରସୂତି ମା’ମାନଙ୍କର ପୁଷ୍ଟିହୀନତା ଓ ରକ୍ତହୀନତାର ମୁକାବିଲା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ “ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ କାର୍ଯ୍ୟକାରୀ କରୁଛି । ଶିଶୁ, ପ୍ରସୂତି ଓ ସାଧାରଣ ମହିଳାଙ୍କ ଉତ୍ତମ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ଓ ଏକ ସୁସ୍ଥ ଭବିଷ୍ୟତ ଗଢ଼ିବା ହେଉଛି ଏହାର ମୂଳ ଲକ୍ଷ୍ୟ । ଅପପୁଷ୍ଟି ଦୂରେଇବାକୁ ସରକାର ବ୍ୟାପକ ଯୋଜନା ହାତକୁ ନେଉଛନ୍ତି । ରାଜକୋଷରୁ ପାଣି ଭଳି ପାଣ୍ଠି ଖର୍ଚ୍ଚ ହେଉଛି । ମାତ୍ର ଆମ ଭବିଷ୍ୟତଙ୍କ ଜୀବନ ଆଜି ବି କୁ-ପୋଷଣରେ ଜର୍ଜରିତ ।
ଲଢ଼େଇ ଆମ ସମସ୍ତଙ୍କର
ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ ପାଇଁ ପୋଷଣ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡ । ଏସ୍ଡିଜିର ୧୭ ସୂଚକାଙ୍କ ମଧ୍ୟରୁ ପୋଷଣ, ସ୍ୱାସ୍ଥ୍ୟ ୧୨ଟି ଲକ୍ଷ୍ୟ ସହ ଜଡ଼ିତ । ୬ ବର୍ଷରୁ କମ୍ ଶିଶୁ, ଗର୍ଭବତୀ ମହିଳାଙ୍କ ପୋଷଣଜନିତ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାକୁ ପୋଷଣ ଅଭିଯାନ କେନ୍ଦ୍ର ଆରମ୍ଭ କରିଛି । ଏ ଅଭିଯାନ ପରେ ଗୁରୁତର ପୁଷ୍ଟିହୀନ ପିଲାଙ୍କ ସଂଖ୍ୟାରେ ହ୍ରାସ ଘଟୁଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ୍’ରେ ଏ ପ୍ରସଙ୍ଗ ଉଠାଇଛନ୍ତି । ଦେଶର ସବୁବର୍ଗ ସଚେତନ ହେବା ସହ କୁ-ପୋଷଣ ବିରୋଧରେ ଲଢ଼େଇକୁ ଜୋରଦାର କରିବାକୁ ଅପିଲ କରିଛନ୍ତି । ସେପ୍ଟେମ୍ବର ମାସ ହେଉଛି ପୋଷଣ ମାସ । ପୁଷ୍ଟିହୀନତା ବିରୋଧରେ ସାରା ରାଜ୍ୟ ଏକଜୁଟ ହେବାର ସମୟ ଆସିଛି । ଏ କ୍ଷେତ୍ରରେ ମାଆମାନଙ୍କୁ ପରିବାରର ସହଯୋଗ ଜରୁରି । ଗର୍ଭଧାରଣ ସମୟରେ ପ୍ରତି ଶହେରେ ୫ ଜଣ ମହିଳା ଘରୋଇ ହିଂସା ଏବଂ କ୍ଷୁଧାର ଶିକାର ହେଉଛନ୍ତି । ପ୍ରସବ ପରେ ସ୍ତନ୍ୟପାନ ପାଇଁ ମାଆକୁ ଯଥେଷ୍ଟ ସମୟ ମିଳୁନି । ଶିଶୁଟି ଅବହେଳା ଓ ଅଣଦେଖାର ଶିକାର ହେଉଛି । ସୁସ୍ଥ ଶିଶୁ ପାଇଁ ପରିବାରର ଭୂମିକା ଯେ ସବୁଠୁ ବଡ଼, ଏହାକୁ ଭୁଲିଗଲେ ହେବ କି?
ପୋଷଣ ଅଭିଯାନକୁ ନୂଆ ଶିକ୍ଷା ନୀତି ସହ ଯୋଡାଯାଇଛି । “ପୋଷଣ ଭି, ପଢାଇ ଭି’ ଅଭିଯାନରେ ପିଲାଙ୍କ ସନ୍ତୁଳିତ ବିକାଶ ଉପରେ ଜୋର୍ ଦିଆଯାଇଛି । ଆମକୁ ଅଧିକ ସଚେତନ ହେବାକୁ ହେବ । ସରକାର ‘ବିକଶିତ ଓଡ଼ିଶା’ର ନକ୍ସା ଆଙ୍କିଛନ୍ତି । ହେଲେ ଆମ ଭବିଷ୍ୟତଙ୍କୁ ରୋଗୀଣା କରି ଏ ସ୍ୱପ୍ନ କ’ଣ ସତ ହେବ? ଜଣେ ଓଡ଼ିଆ ଭାବେ କୁ-ପୋଷଣ କଳଙ୍କ ପୋଛିବାକୁ ଆସନ୍ତୁ ଆଗକୁ ବାହାରିବା।