ଭୁବନେଶ୍ୱର,୨୪/୦୮: ଟଙ୍କା ଅଳ୍ପ ପାଇଁ ୟା ତା ଘର ପିଣ୍ଡାରେ ବସିବାକୁ ପଡୁଥିଲା । ପେଟକୁ ଭଲକରି ଗଣ୍ଡେ ଖାଇବାକୁ ବି ମିଳୁନଥିଲା । ଏମିତିକି ପିଲାମାନଙ୍କୁ ପାଠ ପଢ଼ାଇବାର ସ୍ୱପ୍ନ ବି ଅଧାରେ ଅଟକି ଯାଇଥିଲା । ହେଲେ ଏବେ ପରିସ୍ଥିତି ବଦଳିଯାଇଛି । ମାଣ୍ଡିଆ ବଦଳାଇ ଦେଇଛି ଜୀବନର ଗତିପଥ । ଏବେ ମାଣ୍ଡିଆ ଚାଷ କରି ୫ ପ୍ରାଣୀ କୁଟୁମ୍ବକୁ ପୋଷିବା ସହ ଦୁଇ ପୁଅକୁ ପଢ଼ାଇ ପାରୁଛି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକସ୍ଥିତ ମୁଦୁଲିଗୁଡ଼ା ଗାଁର ରଇବାରୀ ମୁଦୁଲିଙ୍କ ଏ କାହାଣୀ ।
ରଇବାରୀ କହନ୍ତି, ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ହେଲାଣି ମୁଁ ମାଣ୍ଡିଆ ଚାଷ କରୁଛି । ହେଲେ କେବେ ସଫଳ ହେବି ଭାବିନଥିଲି । ରାଜ୍ୟ ସରକାରଙ୍କ ‘ଶ୍ରୀଅନ୍ନ’ ଅଭିଯାନ ମାଧ୍ୟମରେ ପୁଷ୍ଟିଶସ୍ୟ ଚାଷ ପାଇଁ ପ୍ରୋତ୍ସାହନ ଦିଆଗଲା ପରେ ମୁଁ ଅତ୍ୟାଧୁନିକ ପଦ୍ଧତିରେ ପୁଷ୍ଟିଶସ୍ୟ ଚାଷ କରିବା ଆରମ୍ଭ କଲି । ପରେ ଅଭିଯାନ ତରଫରୁ ହୋଇଥିବା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ମାଣ୍ଡିଆ ଚାଷକୁ ଆଗକୁ ନେଲି । ଏବେ ମୁଁ ୨ ଏକରରୁ ଅଧିକ ଜମିରେ ମାଣ୍ଡିଆ ଚାଷ କରୁଛି । ପାଇଥିବା ପ୍ରଶିକ୍ଷଣରୁ ଜୈବିକ ଖତ ପ୍ରସ୍ତୁତି, ବିହନ ବୁଣିବା ପ୍ରଣାଳୀ, ଘାସ ବଛା କାମ ଆଦି ବିଷୟରେ ଅବଗତ ହେଲି । ପୂର୍ବରୁ ଏତେ ମାତ୍ରାରେ ଲାଭ ହୋଇ ପାରୁନ ଥିବାରୁ ଦୁଃଖକଷ୍ଟରେ ପରିବାର ପ୍ରତିପୋଷଣ କରୁଥିଲି ।
ରଇବାରୀ ଚଳିତ ଥର ଚାଷ କ୍ଷେତରେ ପରିଶ୍ରମ କରି ବର୍ଷକୁ ୧୫ କୁଇଣ୍ଟାଲ ମାଣ୍ଡିଆ ଅମଳ କରିଛନ୍ତି । ଯାହାକୁ ସେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ମଣ୍ଡି ବ୍ୟବସ୍ଥାରେ ୧୪.୨ କୁଇଣ୍ଟାଲ ବିକ୍ରି କରି ପାରିଛନ୍ତି । ଯେଉଁଥିରୁ ସେ ପ୍ରତି କୁଇଣ୍ଟାଲ ପିଛା ୩ ହଜାର ୮୪୬ ଟଙ୍କା ହିସାବରେ ୫୪ ହଜାର ୬୧୩ ଟଙ୍କା ପାଇଛନ୍ତି । ବଳକା ମାଣ୍ଡିଆକୁ ସେ ଘରେ ଖାଇବା ପାଇଁ ରଖିଥଲେ । ଚଳିତ ବର୍ଷ କୋରାପୁଟ ଜିଲ୍ଲାର ୧୨ଟି ବ୍ଲକରେ ୪୮ଟି ମଣ୍ଡି କରାଯାଇ ‘ଶ୍ରୀଅନ୍ନ’ ଅଭିଯାନ ଅଧୀନରେ ୩୦ ହଜାରରୁ ଅଧିକ ଚାଷୀ ମାଣ୍ଡିଆ ଚାଷୀ କରିଥିବା ବେଳେ ତା ଭିତରୁ ୯୦ ପ୍ରତିଶତ କେବଳ ମହିଳା ।
ଆଦିବାସୀ ଜିଲ୍ଲାଗୁଡ଼ିକରେ ମିଲେଟ କିଣାବିକା ପ୍ରକ୍ରିୟାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଭାଗିଦାରିତା କେବଳ ମହିଳା ଚାଷୀଙ୍କୁ ସଶକ୍ତ କରିନି ବରଂ ଟଙ୍କା ନେଣଦେଶକୁ ନେଇ ରହିଥିବା ସେମାନଙ୍କର ନିଷ୍ପତ୍ତି ପ୍ରକ୍ରିୟାକୁ ବି ଶାଣିତ କରିଛି । ସରକାର ମିଲେଟ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରିବା ମହିଳା ଚାଷୀଙ୍କୁ ଅଥନୈତିକ ସ୍ୱାଧୀନତା ପ୍ରଦାନ ଦିଗରେ ଆଉ ଏକ ବାଟ ଦେଖାଇଛି ।
କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ୨୦୧୭ ମସିହାରେ ଫ୍ଲାଗ୍ସିପ୍ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶା ମିଲେଟ ଆରମ୍ଭ କରିଥିବା ବେଳେ ଏବେ ତାହା ‘ଶ୍ରୀଅନ୍ନ’ ଯୋଜନା ଭାବେ ପରିଗଣିତ ହୋଇଛି ।
ମହିଳା ମିଲେଟ ଚାଷୀଙ୍କ ସାମଗ୍ରୀ କିପରି ସହଜରେ ଓ ଶୀଘ୍ର ବିକ୍ରି ହେବ ଏଥିପାଇଁ ଶ୍ରୀ ଅନ୍ନ ଯୋଜନାରେ "ସବୁଜିମା' ନାମକ ଏକ କୃଷକ ଉତ୍ପାଦକ କମ୍ପାନୀ ସମସ୍ତ ଆଦିବାସୀ ଗାଁଗୁଡ଼ିକରେ ମିଲେଟ କ୍ରୟ ପୂର୍ବରୁ ଏ ସଂକ୍ରାନ୍ତରେ ଏକ ସଚେତନତା ରଥ ବୁଲାଉଛି । ଯାହାର ମୂଳ ଆଭିମୁଖ୍ୟ ହେଉଛି ଅଧିକରୁ ଅଧିକ ମହିଳା ଚାଷୀଙ୍କୁ ମଣ୍ଡି ପ୍ରକ୍ରିୟାରେ ସାମିଲ କରିବା । କେବଳ ସେତିକି ନୁହେଁ ମଣ୍ଡିକୁ ଆସୁଥିବା ମିଲେଟର ଗୁଣବତ୍ତା ଯାଞ୍ଚ କରିବା ପାଇଁ ୩ରୁ ୪ଜଣ "ସବୁଜିମା'ର ଅଧିକାରୀ ଉପସ୍ଥିତ ରହୁଛନ୍ତି । ଯାହାକି ଚାଷୀଙ୍କ ବିଶ୍ୱାସକୁ ଜିଣିବାରେ ସାହାଯ୍ୟ କରୁଛି ବୋଲି ସବୁଜିମା ବୋର୍ଡର ଅଧିକାରୀ ଆହ୍ଲାଦିନ ଖିଲ କହିଛନ୍ତି । ସେ ଆହୁରି କହିଛନ୍ତି, ୨୦୨୦-୨୩ ମଧ୍ୟରେ ମିଲେଟର କ୍ରୟ ୧୧୭%କୁ ବୃଦ୍ଧି ପାଇଥିବା ବେଳେ ପାଖାପାଖି ୨୭୦୦ କୃଷକ ଏଥରେ ସାମିଲ ହୋଇଥଲେ । ଯେଉଁମାନେ ସବୁଜିମା ମାଧ୍ୟମରେ ନିଜର ଉତ୍ପାଦ ବିକ୍ରି କରିଥିଲାବେଳେ ସମୁଦାୟ ପ୍ରକ୍ରିୟାକରଣର ୪୫% କେବଳ ମିଲେଟ ମାଧ୍ୟମରେ ହୋଇଥିଲା ।
ଦିବ୍ୟଜ୍ୟାତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ୨୦୧୭ ମସିହାରେ ପ୍ରଥମ କରି ରାଜ୍ୟ ସରକାରଙ୍କ ଶ୍ରୀ ଅନ୍ନ ଅଭିଯାନ ସହ ଅନୁବନ୍ଧିତ ହୋଇ ଅଙ୍ଗନବାଡ଼ି ପିଲାଙ୍କୁ ମିଲେଟ ବିସ୍କୁଟ ସହ ମିଲେଟ ସାମଗ୍ରୀ ପ୍ରଦାନ କରିବାକୁ ଚୁକ୍ତି କରିଛି । ୨୦୨୦-୨୧ରେ ଏହି ଗୋଷ୍ଠୀ ଅଧିକ ପରିମାଣରେ ମିଲେଟ ବିସ୍କୁଟ ପ୍ରସ୍ତୁତ କରିବା ପାଇଁ ଯନ୍ତ୍ରପାତି କିଣିବା ସହ ଏହି କାମରେ ମହିଳା ସଦସ୍ୟଙ୍କୁ ସାମିଲ କରିଛନ୍ତି । ଯାହାକି ପରୋକ୍ଷ ଭାବେ ଅଧିକ ମହିଳାଙ୍କୁ ରୋଜଗାରକ୍ଷମ କରାଇପାରିଛି ।