କଲମ୍ବୋ: ତୃତୀୟ ତଥା ଶେଷ ଦିନିକିଆରେ ମଧ୍ୟ ସମ୍ମାନ ବଞ୍ଚାଇ ପାରିଲା ନାହିଁ ରୋହିତ ବାହିନୀ । ୧୧୦ ରନ୍ ବ୍ୟବଧାନରେ ମ୍ୟାଚ୍ ଜିତିଲା ଟିମ୍ ଶ୍ରୀଲଙ୍କା । ପ୍ରଥମ ମ୍ୟାଚ୍ ଟାଇ, ଦ୍ବିତୀୟ ମ୍ୟାଚ ଏବ ତୃତୀୟ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ପରାସ୍ତ । ଫଳରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍କୁ ୨-୦ରେ ଜିତି ନେଇଛି ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ବିକେଟ ହରାଇ ୨୪୮ ରନ୍ କରିଥିଲା । ୨୪୯ ରନ୍ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ହେଲେ ରୋହିତ ବାହିନୀ ୨୬.୧ ଓଭରରେ ମାତ୍ର ୧୩୮ ରନ୍ରେ ଅଲଆଉଟ୍ ହୋଇଛି ।
କଲମ୍ବୋର ଆର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଅନ୍ତିମ ଦିନିକିଆରେ ଟିମ୍ ଇଣ୍ଡିଆକୁ ଶୋଚନୀୟ ପରାଜୟ ଭୋଗିବାକୁ ପଡ଼ିଛି । ଆଜି ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଶ୍ରୀଲଙ୍କାର ପାଥୁମ ନିଶଙ୍କା (୪୫), ଅଭିଶ୍କା ଫର୍ଣ୍ଣାଡୋ (୯୬), କୁଶଳ ମେଣ୍ଡିସ (୫୯), ଆଶାଲାଙ୍କା (୧୦), ଜାନିଥ ଲିୟାନାଗେ (୮), ଦୁନିଥ ଓ୍ବେଲାଲାଗେ(୨), କାମିନ୍ଦୁ ମେଣ୍ଡିସ (୨୩*) ଏବଂ ଏମ ତୀକ୍ଷଣା (୩*)ଙ୍କ ବଳରେ ଦଳ ନିର୍ଦ୍ଧାରିତ ଓଭରରେ ୨୪୮ ରନ୍ କରିଥିଲା । ସେପଟେ ଭାରତ ପକ୍ଷରୁ ଦିନିକିଆରେ ଡେବ୍ୟୁ କରିଥିବା ରିୟାନ ପରାଗ ସର୍ବାଧିକ ୩ଟି ଓ୍ବିକେଟ ନେଇଥିଲେ । ତାଙ୍କ ବ୍ୟତୀତ ମହମ୍ମଦ ସିରାଜ, ଅକ୍ଷର ପଟେଲ, ଓ୍ବାଶିଂଟନ ସୁନ୍ଦର ଏବଂ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
ଅନ୍ୟପଟେ ଭାରତ ୨୪୯ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଆସିଥିବା ଟିମ୍ ଇଣ୍ଡିଆ ଆରମ୍ଭରୁ ଝୁଣ୍ଟିଥିଲା । ଆଜିର ମ୍ୟାଚ୍ର ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୩୫ ରନ୍ କରିପାରିଥିଲେ । ତାଙ୍କ ବ୍ୟତୀତ ଅନ୍ୟମାନେ ଭଲ ପ୍ରଦର୍ଶନ କରିପାରି ନଥିଲେ । ଗୋଟିଏ ପରେ ଗୋଟିଏ ଓ୍ବିକେଟ ପଡ଼ିଯିବାରୁ ଭାରତୀୟ ଦଳ ପରାଜୟ ଭୋଗିଛି । ଶ୍ରୀଲଙ୍କା ବୋଲାରଙ୍କ ସାମ୍ନାରେ ତିଷ୍ଠି ପାରିନଥିଲେ ଭାରତୀୟ ବ୍ୟାଟର । ଶ୍ରୀଲଙ୍କାର ଦୁନିଥ ଓ୍ବେଲାଲାଗେ ୫ଟି ଓ୍ବିକେଟ ନେଇଥିଲେ । ତାଙ୍କ ବ୍ୟତୀତ ଏମ୍ ତୀକ୍ଷଣା ଏବଂ ଜେଫରି ବାନ୍ଦରସେ ଦୁଇଟି ଲେଖଏଁ ଓ୍ବିକେଟ ନେଇଥିବା ବେଳେ ଅଶିଥା ଫର୍ଣ୍ଣାଡୋ ଗୋଟିଏ ଓ୍ବିକେଟ ନେଇଥିଲେ ।
ଟିମ୍ ଇଣ୍ଡିଆ ଦିନିକିଆ ସିରିଜ୍ରେ ପରାସ୍ତ ହୋଇଛି । ଏହା ପୂର୍ବରୁ ଟି-୨୦ ସିରିଜ୍କୁ ଭାରତୀୟ ଦଳ ୩-୦ରେ କବଜା କରିଥିଲା । ଏହା ପରେ ଦଳକୁ ବରିଷ୍ଠ ଖେଳାଳି ଫେରିଥିଲେ । ଟି-୨୦ରେ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ଦଳ ଦିନିକିଆକୁ ସହଜରେ କବଜା କରିନେବ ବୋଲି ମନେ ହେଉଥିଲା । ହେଲେ ପ୍ରଥମ ମ୍ୟାଚ୍ ଟାଇ ହେବା ପରେ ଭାରତୀୟ ଦଳକୁ ନେଇ ଆଶାଙ୍କା ବୃଦ୍ଧି ପାଇଥିଲା। ଆଉ ଶେଷରେ ଟିମ୍ ଇଣ୍ଡିଆ ଦିନିକିଆ ସିରିଜ୍ରେ ଶ୍ରୀଲଙ୍କା ଠାରୁ ଶୋଚନୀୟ ପରାଜୟ ଭୋଗିଛି ।