ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସ୍ଥିର ସରକାର: ଅସ୍ଥିର ରାଜନୀତି

ଭୁବନେଶ୍ୱର: ସେ ମୁଣ୍ଡପୋତି କ’ଣ ଗୁଡ଼େ ଲେଖିବାରେ ବ୍ୟସ୍ତ, ରୀତିମତ ଏକ ଚିଠା ପ୍ରସ୍ତୁତ ସରିଲାଣି । କ’ଣ ଭଜମନ ବାବୁ, ଏତେବଡ଼ ଚିଠା ଧରି କ’ଣ ବଜାର ସଉଦାକୁ ବାହାରିଲେ ନା କ’ଣ । ହଁ ଦେଶପାଇଁ ସଉଦା ବୋଲି କହିପାରନ୍ତି । ଦେଶପାଇଁ ସଉଦା? ମୋ ପାଟିରୁ ଅକସ୍ମାତ ବାହାରିଗଲା । ହଁ ସଉଦା ନୁହେଁ ତ କ’ଣ । ଚଷମାକୁ ଟିକେ ତଳକୁ ଖସେଇ ଆରମ୍ଭ କଲେ- ଯେମିତି ଘରକୁ ସୁଗମ ଭାବରେ ପରିଚାଳିତ କରିବାପାଇଁ ଆପଣ ଆବଶ୍ୟକତା ଅନୁସାରେ ଲିଷ୍ଟ ତିଆରି କରନ୍ତି, ସେହିପରି ଦେଶକୁ ବ୍ୟବସ୍ଥିତ ଢଙ୍ଗରେ ଚଳେଇବା ପାଇଁ କିଛି କିଛି ତତ୍ତ୍ୱ, କିଛି କାରକ ଏବଂ କିଛି ବିଷୟବସ୍ତୁର ଆବଶ୍ୟକତା ଥାଏ । ଯେଉଁଥିରୁ ଜଣେ ସହଜରେ ଅନୁମାନ କରିପାରେ ନିଜ ସହ ନିଜ ଦେଶ ବି କେତେ ସୁରକ୍ଷିତ ହାତରେ ଅଛି । ନିର୍ବାଚନ ବିଗୁଲ ଯେତେବେଳେ ବାଜି ସାରିଲାଣି ଜଣେ ସଚେତନ ନାଗରିକ ହିସାବରେ ମୋ’ପାଇଁ ଏସବୁ ଚିନ୍ତା କରିବାର ବେଳ ଆସିଗଲାଣି ।

ଆଚ୍ଛା, ମୋ କୌତୁହଳୀ ଦୃଷ୍ଟି ଏଥର ସେ ଚିଠା ଉପରେ ନିବଦ୍ଧ ହେଲା । ଆରେ! ଏ ତ ଚମତ୍କାର କଥା । ତାହେଲେ କ’ଣ ସବୁ ସେ ଚିଠାରେ ଲେଖିଛନ୍ତି, ଜାଣିଲେ ଆମେ ବି ଟିକିଏ ଉପକୃତ ହୁଅନ୍ତୁ । ତାଙ୍କ ମୁହଁ ଆଉ ଟିକେ ପ୍ରଫୁଲ୍ଲିତ ଦିଶିଲା । ଏଥର ଗୋଟେ ନଜର ବୁଲେଇ ଆଣିଲି ଚିଠାଟି ଉପରେ । ଲେଖା ଥିଲା- ଦେଶର ନିରାପତ୍ତା, ଅଖଣ୍ଡତାର ସୁରକ୍ଷା, ସାମରିକ ଶକ୍ତିର ଅଭିବୃଦ୍ଧି, ଜାତି, ଧର୍ମ ନିର୍ବିଶେଷରେ ସଭିଙ୍କ ପାଇଁ ସମାନ ନିୟମ, "ଏକ ଦେଶ ଏକ ନିର୍ବାଚନ', ଲୋକଲୋଚନର ଉହାଡ଼ରେ ପୂର୍ବ ସରକାରଙ୍କ ଦ୍ୱାରା ପ୍ରଣୀତ କଳା ଆଇନର ଉଚ୍ଛେଦ, ଜନସଂଖ୍ୟା ନିୟନ୍ତ୍ରଣ, ସୀମିତ ସମ୍ବଳର ସଠିକ୍‌ ବିନିଯାଗ, ରୋଜଗାରରେ ସ୍ୱାବଲମ୍ବୀ, ହିନ୍ଦୁ ମନ୍ଦିରରୁ ସରକାରୀ କର୍ତ୍ତୃତ୍ୱର ଉଚ୍ଛେଦ, ଧର୍ମାନ୍ତରୀକରଣ ଆଇନର ନିଷେଧ, ଧର୍ମାନୁଷ୍ଠାନକୁ ସରକାରୀ ଅବଦାନର ପ୍ରତିବନ୍ଧ (କାରଣ ଏହା କାରଦାତାଙ୍କ ପଇସା), ରାବିଡି ବଣ୍ଟା ସବ୍‌ସିଡି ଯୋଜନା ଉପରେ ଅଙ୍କୁଶ, ବ୍ୟାବହାରିକ ଜ୍ଞାନ ଆଧାରିତ ଶିକ୍ଷା ସହ ଅନୁସନ୍ଧାନ ଓ ଗବେଷଣାର ବ୍ୟାପକତା, ଉତ୍ତମ ସ୍ୱାସ୍ଥ୍ୟାବସ୍ଥା, ରପ୍ତାନିର ବୃଦ୍ଧି, ବିକାଶ ସହ ପରିବେଶର ସନ୍ତୁଳନ, ମହିଳାଙ୍କୁ ସଂରକ୍ଷଣରୁ ଅଧିକ ସମ୍ମାନ, ଅବୈଧ ଶରଣାର୍ଥୀ ସମସ୍ୟାର ସ୍ଥାୟୀ ପ୍ରତିକାର, ଅକ୍ଷୟ ଶକ୍ତିର ବିକାଶ, ଦେଶ ବିରୋଧୀତତ୍ତ୍ୱଙ୍କ ଭାଷା ଅବା ଆଚରଣ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଇତ୍ୟାଦି ।

ଏତେବଡ଼ ଲମ୍ବା ଲିଷ୍ଟ! ମୋ ପାଟିରୁ ବାହାରିଗଲା- ଆଚ୍ଛା, ଏବେର ସରକାର ଉପରେ ଇଡି ଓ ସିବିଆଇର ଦୁରୁପଯୋଗ, ନୋଟବନ୍ଦୀ, ଶିକ୍ଷା ଓ ରୋଜଗାରରେ ତାରତମ୍ୟ, ବେରୋଜଗାର, ମୁଦ୍ରାସ୍ଫୀତି, ହିନ୍ଦୁତ୍ୱର ଧୃବିକରଣ, କୃଷକ ଆନ୍ଦୋଳନ, ସେନା ଓ ପ୍ରତିରକ୍ଷା ବିଭାଗରେ ଅତିରିକ୍ତ ଖର୍ଚ୍ଚ ବୃଦ୍ଧି, ଦେଶରେ ସିଏଏ ଲାଗୁ, ଇଲେକ୍ଟୋରାଲ ବଣ୍ଡ ଆଦି ପ୍ରସଙ୍ଗ ଉପରେ କ’ଣ ମତ ରଖିବେ? ମୋ ତୀର୍ଯ୍ୟକ ପ୍ରଶ୍ନ ଥିଲା । ଆତ୍ମସନ୍ତୁଷ୍ଟିରେ ନିଜକୁ ସାବାସ୍‌ ଦେଇ ଭାବୁଥିଲି, ଏଥର ଘାଇଲା କଲି । ସେ ଟିକେ ହସି କହିବା ଆରମ୍ଭ କଲେ- ଆପଣଙ୍କ ତୀର୍ଯ୍ୟକ ମୁଁ ବୁଝିପାରୁଛି, ହେଲେ ମୁଁ ତ କୌଣସି ପୋଖତ ବିଶେଷଜ୍ଞ ନୁହେଁ, କିନ୍ତୁ ଜଣେ ସଚେତନ ନାଗରିକ ନିଶ୍ଚୟ । ସେ ହିସାବରେ ମୁଁ ଘଟଣାକ୍ରମକୁ ଯେତିକି ବୁଝିଛି, ତଥାପି କହିବି ଏ ଇଡି ଓ ସିବିଆଇର ରେଡ୍‌ କୌଣସି ନୂଆ କଥା ନୁହେଁ । ସବୁ ସରକାରଙ୍କ ଅମଳରେ ତ ଘଟିଥିବାର ଇତିହାସ ଅଛି । ଏ ସରକାର ବି ଅତୀତରେ ବର୍ଷ ବର୍ଷ ଧରି ଇଡି ଓ ସିବିଆଇକୁ ସାମ୍‌ନା କରିଆସିଛି । କିନ୍ତୁ ପଶ୍ଚିମବଙ୍ଗ ପରି ଟେକାପଥର ଧରି ଡିୟୁଟିରେ ଥିବା ଅଫିସରଙ୍କ ମୁଣ୍ଡ ତ କେହି ବି ଫଟେଇନାହାଁନ୍ତି! ଆପଣଙ୍କ କଥାନୁସାରେ ପ୍ରତିପକ୍ଷଙ୍କ ଉପରେ ଲାଗୁଥିବା ଭ୍ରଷ୍ଟାଚାରର ଆରୋପ ଯଦି ମିଛ, ତାହେଲେ ଅଚିରେ ତାହା କୋର୍ଟରେ ପ୍ରମାଣିତ ହେଇଯିବ । ତାହାପରେ ସେମାନେ ଏହା ଉପରେ ପାଲଟା ମାମଲା ଦର୍ଜ କରିପାରିବେ, ତେଣୁ ପଛଘୁଞ୍ଚା କାହିଁକି? କିନ୍ତୁ ଯଦି ସତ୍ୟ ପ୍ରମାଣିତ ହୁଏ, ତାହେଲେ ଆପଣ କହିବେ । ଭ୍ରଷ୍ଟାଚାର ଦୂର କରିବା କିଛି ଖରାପ କଥା ତ ନୁହେଁ । କାରଣ କୋଟି କୋଟି ଟଙ୍କାର ନୋଟ୍‌ ରାଜନୈତିକ ନେତାଙ୍କ ଘରୁ ଜବତ ହେବା ତ ଆମେ ଟିଭିରେ ଦେଖୁଛୁ ।

ତା'ପରେ ଯେଉଁ ଦଳ ଭ୍ରଷ୍ଟାଚାର ବିରୁଦ୍ଧରେ ଲଢ଼ିବ ବୋଲି କହି ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲା, ତାଙ୍କ ଦର୍ଶନ ସାଧାରଣ ବଙ୍ଗଳାରେ ନୁହେଁ, କୋଟି କୋଟି ଟଙ୍କା ଖର୍ଚ୍ଚ ହେଇଥିବା ଶୀଶ ମହଲରେ ଦେଖିବାକୁ ମିଳୁଛି । ଅନେକ ଅନୈତିକତାର ପ୍ରମାଣ ମିଳୁଛି । ତେଣୁ ନୈତିକତା କଥା ଆଉ କୁହନ୍ତୁନି । ମୋ ମତରେ, ସେ ଯେକୌଣସି ଦଳ ହେଉ, ଦୁର୍ନୀତି କଲେ ଦଣ୍ଡ ନିଶ୍ଚୟ ମିଳୁ, କାରଣ ଏଠାରେ କୋଟି କୋଟି କରଦାତାଙ୍କ ପଇସାର ପ୍ରଶ୍ନ ଉଠୁଛି । ଆଉ ଏ ଇଲେକ୍ଟୋରାଲ ବଣ୍ଡ ପୂର୍ବରୁ କ’ଣ ଇଲେକ୍ସନରେ ପଇସା ଉଡୁନଥିଲା । ହଁ, କିନ୍ତୁ ସେସବୁ ଥିଲା କଳା ପଇସା, ଯାହାର କିଛି ଜବାବଦାରୀ ନଥିଲା । ପାଞ୍ଚ ଖର୍ଚ୍ଚ କରି ପଚିଶ ପକେଟକୁ ଯାଉଥିଲା । କିନ୍ତୁ ଇଲେକ୍ଟୋରାଲ ବଣ୍ଡ ଦ୍‌ାରା ଅନ୍ତତଃ ଆମେ ଜାଣି ତ ପାରିଲୁ ନିର୍ବାଚନ ଚାନ୍ଦା ବୋଲି କିଛି ଅଛି । ସବୁ ଦଳ ଏଥିରେ ଭାଗିଦାରୀ ଅଛନ୍ତି । କିନ୍ତୁ କ୍ଷମତାରେ ଥିବା ଦଳକୁ ତ ସବୁଠୁ ଅଧିକ ମିଳିଛି । ମୁଁ କହିଲି କାହିଁ ଅନ୍ୟମାନଙ୍କୁ ମିଳିନି କି? ତାଙ୍କ ଉତ୍ତର ଥିଲା । ଗଣମାଧ୍ୟମରେ ପ୍ରକାଶିତ ତଥ୍ୟରୁ ଯଦି କ୍ଷମତାସୀନ ଦଳଙ୍କୁ ୪୮% ମିଳିଥାଏ ତାହେଲେ ଅନ୍ୟ ପ୍ରତିପକ୍ଷଙ୍କୁ ତ ବାକି ୫୨% ମିଳିଛି । ତେଣୁ ଗୋଦରୀ ଲୋ ତୋର ଗୋଡ଼କୁ ଅନା ପରି କଥା । ଏ ଆରୋପ ପ୍ରତ୍ୟାରୋପ ଅର୍ଥହୀନ । ଯଦି ପାରିବେ, ସମ୍ପୂର୍ଣ୍ଣ ନିର୍ବାଚନ ଚାନ୍ଦାଭେଦାକୁ ବନ୍ଦ କରିଦିଅନ୍ତୁ ଏବଂ ସୀମିତ ଅର୍ଥରେ ନିର୍ବାଚନ ଲଢ଼ିବାର ସଂସ୍କାରିତ ନୀତି ଆଣନ୍ତୁ । ପାରିବେ? କାରଣ ନୋଟ ନଦେଖିଲେ ଆଜିର କିଛି ଲୋକେ ଭୋଟ ବି ଦିଅନ୍ତିନି । ଏହା ହେଉଛି ଆମ ଲୋକଚରିତ୍ର, ତେଣୁ ଚାନ୍ଦା ନେଲେ ବୋଲି ଖାଲି ହୁରି କଲେ କ’ଣ ହେବ? ତଥାପି ଦେଶ ଭିତରେ ଚାନ୍ଦା ନେବା କଥା ବୁଝିହେଉଛି, କିନ୍ତୁ ବିଦେଶରୁ ଚାନ୍ଦା? ଶୁଣାଯାଉଛି ଖାଲିସ୍ଥାନୀ ଫଣ୍ଡିଙ୍ଗ, ଚାଇନା ଓ ପାକିସ୍ତାନ ଫଣ୍ଡିଙ୍ଗ ବି କିଛି ଦଳଙ୍କୁ ମିଳିଛି, ହେଲେ କେଉଁ ଉଦ୍ଦେଶ୍ୟରେ? ଯଦି କିଛି ଅଂଶରେ ବି ଏହା ସତ ହେଇଥାଏ, ତେବେ ଏହା ଏକ ଅନୁସନ୍ଧାନସାପେକ୍ଷ ଗମ୍ଭୀର ବିଷୟ । ଆପଣଙ୍କ ଅଭିଯୋଗ ଅନୁସାରେ, ନୋଟ୍‌ବନ୍ଦୀ ଯୋଗୁଁ ଆମକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି, ସତ କଥା । କିନ୍ତୁ ଆପଣ ଲକ୍ଷ୍ୟ କରିଛନ୍ତି କି ଏହା ଯୋଗୁଁ ସୀମାପାର ହଜାର ହଜାର କୋଟି ନକଲି ନୋଟ କାରବାରର ସିଣ୍ଡିକେଟ କେମିତି ଧୂଳିସାତ ହେଇଯାଇଛି, ତା'ସହ ପାକିସ୍ତାନରେ ଆର୍ଥିକ ଦୁର୍ଗତି ବି ଆରମ୍ଭ ହେଇଛି, ଏବେର ଦେବାଳିଆ ପାକିସ୍ତାନକୁ ତ ଦେଖୁଥିବେ । ତେଣୁ ଆଶଙ୍କା ଅମୂଳକ ବୋଲି ତ କହିହେବନି । କାଶ୍ମୀରରେ ପଥରଫିଙ୍ଗା, ଦେଶରେ ଦଙ୍ଗା ଓ ଅନ୍ୟାନ୍ୟ ବିଛିନ୍ନତାବାଦୀ କାର୍ଯ୍ୟକଳାପ ବି ଧୀରେ ଧୀରେ ବାଧାପ୍ରାପ୍ତ ହେଇଛି, ନହେଲେ ଆଗରୁ ତ ପ୍ରତି ୪/୬ ମାସ ଅନ୍ତରାଳରେ କିଛି ନା କିଛି ଦୁର୍ଘଟଣାର ଶିକାର ଏ ଦେଶ ହେଉଥିଲା । ୨୬/୧୧ ଦିନକୁ ତ ମୁଁ ଆଜି ପର୍ଯ୍ୟନ୍ତ ଭୁଲିପାରୁନି ।

ଆଉ ଦରଦାମ ବୃଦ୍ଧି ଓ ମୁଦ୍ରାସ୍ଫୀତି ପୁଣି ଘଟିଛି ନା ନାହିଁ, ଶିକ୍ଷା ଓ ରୋଜଗାରରେ ପାର୍ଥକ୍ୟ ଆସିଛି ନା ନାହିଁ, ମୋ ପ୍ରଶ୍ନ ଥିଲା । ସେ କହିଲେ ମୂଲ୍ୟବୃଦ୍ଧି, ମୁଦ୍ରାସ୍ଫୀତି, ଶିକ୍ଷା ଓ ରୋଜଗାର ଉପରକୁ ଯଦି କଥା ଆସୁଛି, ଜଣେ ସାଧାରଣ ଲୋକ ହିସାବରେ ମୁଁ ସ୍ୱୀକାର କରିପାରେ ଯେ ମୂଲ୍ୟବୃଦ୍ଧି, ମୁଦ୍ରାସ୍ଫୀତି ଏହା ଭିତରେ ଉପରତଳ ହେଇଛି । ପୂର୍ବ ସରକାରଙ୍କ ଅମଳରେ ବି ହେଇଥିଲା । ମୋ ଜାଣିବାରେ ମୁଦ୍ରାସ୍ଫୀତି ସାଧାରଣତଃ ବିଭିନ୍ନ କାରଣ ଦ୍ୱାରା ପ୍ରଭାବିତ ହୋଇଥାଏ, ଯେଉଁଥିରେ ଅନ୍ତର୍ଭୁକ୍ତ ଥାଏ ଘରୋଇ ବଜାରର କାର୍ଯ୍ୟକଳାପ, ଯେମିତିକି ଯୋଗାଣ ଓ ଚାହିଦା ମଧ୍ୟରେ ଅସନ୍ତୁଳନ, କଞ୍ଚାମାଲର ଅଭାବ, ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି, ପରିବର୍ତ୍ତିତ ମୌସୁମୀ, ଯାହା କୃଷି ଉତ୍ପାଦନକୁ ପ୍ରଭାବିତ କରେ, ଅନ୍ତର୍ଜାତୀୟ ବିନିମୟ ମୂଲ୍ୟ ଏବଂ ନୀତିଗତ ନିଷ୍ପତ୍ତି ପ୍ରଭୃତି । ଏସବୁ ଆହ୍ୱାନକୁ ସରକାର କେମିତି ସାମ୍‌ନା କରେ, ଏହା ତାର ନୀତି କହେ । ଏଥିରୁ ଯଦିବା କିଛି ଉପରେ ସରକାରଙ୍କ ନିୟନ୍ତ୍ରଣ ନଥାଏ, ତଥାପି ଆମେ ସ୍ୱାଭାବିକ ଭାବରେ ସରକାରଙ୍କୁ ହିଁ ଦାୟୀ କରୁ । ଆପଣଙ୍କ କଥାନୁସାରେ, ଏସବୁ କିଛିରେ ଯଦି ବ୍ୟତିକ୍ରମ ଅଛି ତାହେଲେ ଆମର ପୂର୍ବ ସରକାରଙ୍କ ତୁଳନାରେ ବର୍ତ୍ତମାନ "କ୍ରୟଶକ୍ତି ସମତାରେ' ତୃତୀୟ ଏବଂ ଜିଡିପିରେ କେମିତି ଏ ଦେଶ ବିଶ୍ୱରେ ପଞ୍ଚମ ବୃହତ୍ତମ ଅର୍ଥନୀତି ଏତେ ଅଳ୍ପଦିନରେ ହେଇପାରିଛି ଏବଂ ଆଗାମୀରେ ତୃତୀୟ ବୃହତ୍ତମ ଅର୍ଥନୀତିର ଲକ୍ଷ୍ୟ ରଖିଛି । କିଛି ତ କାରଣ ଥିବ, ଯାଇ ଅନୁସନ୍ଧାନ କରନ୍ତୁ । ଯେତିକି ପଢିଛି, ଭାରତ ତାର ବିବିଧ କ୍ଷେତ୍ର ଯେମିତିକି ସୂଚନା ପ୍ରଯୁକ୍ତି, ସେବା, କୃଷି ଏବଂ ଉତ୍ପାଦନ ଭଳି ପ୍ରମୁଖ କ୍ଷେତ୍ରର ପ୍ରମୁଖ ଅବଦାନ ଯୋଗୁଁ ଏହି ଅର୍ଥନୈତିକ ଗତିଶୀଳତା ପ୍ରାପ୍ତ ହୋଇଛି ଏବଂ ନିଜର ବୃହତ୍‌ ଘରୋଇ ବଜାର, ବୈଷୟିକ ଭାବେ ଦକ୍ଷ ଯୁବ, ଶ୍ରମଶକ୍ତି । ସମ୍ପନ୍ନ ମଧ୍ୟବର୍ଗଙ୍କ ମାଧ୍ୟମରେ ପୁଞ୍ଜି ବିନିଯୋଗ କରି ଏହି ଆର୍ଥିକ ଅଭିବୃଦ୍ଧି ହାସଲ କରିବାକୁ ସମର୍ଥ ହେଇଛି । ମିଳୁଥିବା ତଥ୍ୟାନୁସାରେ, ମେକ୍‌-ଇନ୍‌-ଇଣ୍ଡିଆ ମାଧ୍ୟମରେ ଭାରତର ରପ୍ତାନି ୨୦୨୪ରେ ୪୧.୪୦ ବିଲିୟନ ଡଲାର (ଫେବ୍ରୁଆରୀ ୨୦୨୩ ତୁଳନାରେ ୧୧.୮୬% ବୃଦ୍ଧି) ଘଟିଛି । ବହୁତ ବଡ଼ ବଡ଼ କମ୍ପାନୀ ଭାରତରେ ଉଦ୍ୟୋଗ ସ୍ଥାପନ କରିଛନ୍ତି । ଖବରକାଗଜ ପଢୁନାହାନ୍ତି କି? ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ୬୪୫ ବିଲିଅନ୍‌ ଡଲାରରେ ପହଞ୍ଚିଲାଣି, ଯାହା ପୂର୍ବ ସରକାରଙ୍କ ଠାରୁ ୭୩.୬% ଅଧିକ ଏବଂ ବୈଦେଶିକ ଭଣ୍ଡାର ୧୬.୦୫% ହ୍ରାସ ପାଇଛି । ଉଠାଦୋକାନୀରୁ ଆରମ୍ଭ କରି କୋଟିପତି ପର୍ଯ୍ୟନ୍ତ ସମସ୍ତେ ଆଜି ଡିଜିଟାଲ ପେମେଣ୍ଟ ଗେଟୱେ ମାଧ୍ୟମରେ କ୍ୟାସଲେସ ନେଣଦେଣର ସୁବିଧା ପାଉଛନ୍ତି, ଯାହା କେବେ ଅସମ୍ଭବ ମନେ ହେଉଥିଲା । ନିଶ୍ଚୟ ଏହି ସରକାରଙ୍କ ଏହା ଏକ ଉଲ୍ଲେଖନୀୟ ଉପଲବ୍‌ଧି । ତେଣୁ ଅଭିବୃଦ୍ଧି ହେଇନି କେମିତି? ଏମିତିରେ ବି ଭାରତ ମାନବ ସମ୍ବଳର ଏକ ବୃହତ୍‌ ବଜାର ଏବଂ ଏହା ଯଦି ବୈଷୟିକ ଭାବେ ନିପୁଣ ହୁଏ, ତାହେଲେ ଏ ଦେଶର ଅଭିବୃଦ୍ଧିକୁ କେହି ରୋକିପାରିବେ ନାହିଁ । କିନ୍ତୁ ଏଥିପାଇଁ ଚାକିରି ମାନସିକତା ଛାଡ଼ିବାକୁ ପଡ଼ିବ । କେମିତି? ପୁଣି ମୋ ପାଟିରୁ ଖସିଗଲା ।

ତାଙ୍କ ଉତ୍ତର ଥିଲା- ଆପଣ ଏଇ ଟିକେ ଆଗରୁ ଶିକ୍ଷା ଓ ରୋଜଗାରରେ ତାରତମ୍ୟ ବିଷୟରେ ପଚାରୁଥିଲେ ନା? ଶୁଣନ୍ତୁ, ଶିକ୍ଷା ଓ ରୋଜଗାରରେ ତାରତମ୍ୟ ତ ନିଶ୍ଚୟ ଅଛି । କେମିତି ବି ରହିବନି, ଆମର ହୁ-ହୁ ହେଇ ବଢୁଥିବା ଜନସଂଖ୍ୟାକୁ କ’ଣ ଏଡ଼ାଇ ପାରିବେ । ଗତାନୁଗତିକ ଶିକ୍ଷାବ୍ୟବସ୍ଥା ତ ପୋଥି ବାଇଗଣ, ମାନେ ବର୍ଷ ବର୍ଷ ଧରି କେବଳ ସୈଦ୍ଧାନ୍ତିକ ମୂଲ୍ୟବୋଧରେ ଭର୍ତ୍ତି, ଯେଉଁଥିରେ ବ୍ୟାବହାରିକ ଜ୍ଞାନକୌଶଳ ଓ ଅନୁସନ୍ଧାନର ଘୋର ଅଭାବ । ଏବେର ଚାହିଦା ଅନୁସାରେ ଯୁଗ ଉପଯୋଗୀ ମଧ୍ୟ ନୁହେଁ, ଯାହା ମଣିଷକୁ ଡିଗ୍ରୀ ତ ଦେବ, କିନ୍ତୁ ଦକ୍ଷତା ଦେଇପାରିବନି । ଯେଉଁଥିପାଇଁ ଏପର୍ଯ୍ୟନ୍ତ ଯୁବସମାଜ କେବଳ ଚାକିରିମୁଖୀ, ତାହା ପୁଣି ସରକାରୀ ହେଇଥିବ, କିନ୍ତୁ ସ୍ୱାବଲମ୍ବୀ ହେବାପାଇଁ କେବେ ମନ ବଳାନ୍ତିନି । ଏହିପରି ସ୍ଥାଣୁ ଶିକ୍ଷାବ୍ୟବସ୍ଥାକୁ ସଂସ୍କାରାଭିମୁଖୀ କରିବା ସହ ଢାଞ୍ଚାଗତ ପରିବର୍ତ୍ତନ ପାଇଁ ତ ଏବେର ସରକାର ଜାତୀୟ ଶିକ୍ଷାନୀତି-୨୦୨୦କୁ କାର୍ଯ୍ୟକାରୀ କରିଛନ୍ତି । ଯେଉଁଥିରେ ପିଲାବେଳୁ ବ୍ୟାବହାରିକ ଜ୍ଞାନକୌଶଳର ଶିକ୍ଷାରେ ସକ୍ଷମ ହେବା ସଙ୍ଗେ ଦକ୍ଷତାଭିତ୍ତିକ ଗୁଣାତ୍ମକ ଶିକ୍ଷା ଓ ଅନୁସନ୍ଧାନକୁ ମଧ୍ୟ ପ୍ରୋତ୍ସାହିତ କରାଯାଇଛି । 

ଏହା ଶିକ୍ଷାରେ ଡିଜିଟାଲାଇଜେସନ ଓ ଅନ୍ତର୍ଜାତୀୟକରଣ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛି । ଯେଉଁଥିପାଇଁ ଆଗରୁ ଶିକ୍ଷା କ୍ଷେତ୍ରରେ ମାତ୍ର ୩.୫% ଜିଡିପି ଆବଣ୍ଟିତ ହେଉଥିବାବେଳେ, ଏବେ ଜାତୀୟ ଶିକ୍ଷାନୀତି-୨୦୨୦ ପାଇଁ ଏହା ୬%କୁ ବୃଦ୍ଧି କରାଯାଇଛି, ଯାହା ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନର ଶୁଭ ସଂକେତ ଦେଉଛି । ଚିକିତ୍ସା, ବିଜ୍ଞାନ ଓ ପ୍ରଯୁକ୍ତି କୌଶଳରେ ଦକ୍ଷତା ବୃଦ୍ଧି କରିବା ପାଇଁ ତ ଏ ମଧ୍ୟରେ ଅନେକ ଆଇଆଇଟି, ଆଇଆଇଏମ ଓ ଏମ୍‌ସ ସୃଷ୍ଟି କରାଯାଉଛି । ଲକ୍ଷ୍ୟ ମଧ୍ୟ ସ୍ପଷ୍ଟ, ଏକ ବିକଶିତ, ସ୍ୱାବଲମ୍ବୀ ଓ ସକ୍ଷମ ଭାରତ ଗଠନ ଓ ମେକ୍‌-ଇନ୍‌-ଇଣ୍ଡିଆ ଅଭିଯାନରୁ ସୃଷ୍ଟି ଷ୍ଟାର୍ଟ ଅପ୍‌ ଯୋଜନା ଅନ୍ତର୍ଗତ ତ ଆତ୍ମନିର୍ଭର ଭାରତର ମୂଳଦୁଆ ପଡ଼ିବା ଆରମ୍ଭ ହୋଇଛି । ତେଣୁ ପରିଶ୍ରମ ତ କରିବାକୁ ପଡ଼ିବ, ବୁଝିଲେ । ଯଦିବା ସଫଳତା ଓ ଅସଫଳତା ଲାଗିରହିଛି, ତଥାପି ସେଥିମଧ୍ୟରୁ ୧୦୭ଟି ଷ୍ଟାର୍ଟଅପ, ୟୁନିକର୍ନ କମ୍ପାନୀରେ ଆଜି ପରିଗଣିତ ହୋଇଛି, ଯାହାର ମୂଲ୍ୟାୟନ ୩୦ବିଲିୟନ ଡଲାରରେ ପହଞ୍ଚିଛି ଏବଂ ୧୨ଲକ୍ଷ ଲୋକଙ୍କୁ ରୋଜଗାର ମିଳିଛି । ଯେତେ ସମାଲୋଚନା କଲେ ବି, ଏହା ତ କୌଣସି ଛୋଟିଆ ଉପଲବ୍ଧି ନୁହେଁ । ଅନ୍ତତଃ ଭାରତର ଯୁବବର୍ଗକୁ ଆଜି ନହେଲେ କାଲି ଚାକିରି ପଛେ ନଦୌଡ଼ି, ସ୍ୱାବଲମ୍ବନ ହେବାକୁ ପ୍ରେରିତ ତ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.