ଭୁବନେଶ୍ୱର/କଟକ,୦୭/୦୯: ସର୍ଭର୍ ଡାଉନ୍ । ଓଟିପି ଆସୁନି । ପୁଣି ଓଟିପି ଆସିଲେ ସର୍ଭର୍ କଟିଲା । ହିତାଧିକାରୀଙ୍କ ସହ ଏମିତି ଲୁଚକାଳି ଖେଳୁଛି ‘ସୁଭଦ୍ରା’ ଲିଙ୍କ୍ । ଦିନତମାମ ନାକେଦମ୍ ହିତାଧିକାରୀ । ଘରୁ ମୋ ସେବା କେନ୍ଦ୍ର, ଜନସେବା କେନ୍ଦ୍ରରୁ ଆଧାର ସଂଯୋଗ କେନ୍ଦ୍ର୍ର ଘୂରି ବୁଲୁଛନ୍ତି ଲୋକେ । ଏ କେନ୍ଦ୍ରରେ ନହେଲେ ସେ କେନ୍ଦ୍ରକୁ ଦୌଡ଼ୁଛନ୍ତି । ଯୁଆଡ଼େ ଗଲାବେଳକୁ ସମାନ ଅବସ୍ଥା । ସାରା ରାଜ୍ୟରେ ସାଂଘାତିକ ପରିସ୍ଥିତି ।
ଆରମ୍ଭ ଦିନଠୁ ‘ସୁଭଦ୍ରା’ ଫର୍ମ ଆବେଦନ, ପଞ୍ଜୀକରଣ ପାଇଁ ଦୌଡ଼ି ଦୌଡ଼ି ନାକରେ କାନ୍ଦିଲେଣି ହିତାଧିକାରୀ । ଟେକ୍ନିକାଲ୍ ସମସ୍ୟା ଲାଗି ଅଧିକାଂଶ କମନ୍ ସର୍ଭିସ୍ ସେଣ୍ଟର୍ ସଟର୍ ବି ଖୋଲୁ ନାହାନ୍ତି । ଫଳରେ ଲୋକ ଆସୁଛନ୍ତି ଆଉ ନିରାଶ ହୋଇ ଫେରୁଛନ୍ତି । ଯେତେବେଳେ ଖୋଲୁଛନ୍ତି ସେତେବେଳେ ‘ସୁଭଦ୍ରା’ ଲିଙ୍କ୍ ଖୋଲୁନି । ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ସମସ୍ୟା ଦେଖିବାକୁ ମିଳିଛି । ଯେଉଁଥିପାଇଁ ରାତି ଅଧରୁ ବିଭିନ୍ନ ସେବା କେନ୍ଦ୍ର ଆଗରେ ଲାଗୁଛି ଲମ୍ବା ଧାଡ଼ି । ଅନେକ ସ୍ଥାନରେ ଲୋକେ ରାତିରୁ ବିଭିନ୍ନ ଜିନିଷ ରଖି ଧାଡ଼ି କରୁଛନ୍ତି ।
ଏହାଛଡ଼ା ଆଧାର ସଂଯୋଗ ପାଇଁ ପାଖାପାଖି ୫ରୁ ୧୦ଦିନ ହେଲା ଲୋକ ଲଗାତର ବିଭିନ୍ନ କେନ୍ଦ୍ରକୁ ଆସୁଥିଲେ ବି ସମସ୍ୟାର ସମାଧାନ ହୋଇପାରୁନି । ଏଥିପାଇଁ ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା କିଛି ହିତାଧିକାରୀ ଆବେଦନ ଓ ପଞ୍ଜୀକରଣ ଲାଗି ପଡ଼ୋଶୀ ରାଜ୍ୟକୁ ଚାଲିଯାଉଛନ୍ତି । ଏସବୁ ଭିତରେ ଲୋକଙ୍କୁ ଏ ବିଷୟରେ ସଚେତନତା ବାଣ୍ଟିବାକୁ ରାଜ୍ୟରେ ଆସନ୍ତାକାଲି ୭ରୁ ୧୬ ତାରିଖ ପର୍ଯ୍ୟନ୍ତ ବୁଲିବ ସଚେତନତା ରଥ । ଯାହାକୁ ଭୁବନେଶ୍ୱର ଗାନ୍ଧିମାର୍ଗ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିବେ ।
ସୁଭଦ୍ରା କ୍ଷେତ୍ରରେ ଏକ ଉଦାହରଣ ନେଲେ ଅଧିକ ସ୍ପଷ୍ଟ ହେବ ଯେ ୩ ଦିନ ଧରି ଧାଡ଼ି ବାନ୍ଧିବା ପରେ ଆଜି କଟକ ଜିଲ୍ଲାରେ ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନାର ପଞ୍ଜୀକରଣ ଆରମ୍ଭ ହୋଇଛି । କିନ୍ତୁ ପ୍ରକ୍ରିୟା ଏତେ ମନ୍ଥର ଯେ ଲୋକଙ୍କ ଧୈର୍ଯ୍ୟ ଭାଙ୍ଗିଯାଉଛି । ଏମିତି ବି ହେଉଛି, ଏକାସଙ୍ଗେ ଦୁଇ ତିନିଟି ଓଟିପି ଆବେଦନକାରୀଙ୍କ ମୋବାଇଲ୍କୁ ଆସିଯାଉଛି । ସେଥିରୁ ସେମାନେ କେଉଁଟା ଦେବେ, କେଉଁଟା ଦେବେ ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି । ଏମିତି ବିଭିନ୍ନ ସମସ୍ୟା ଲାଗି ଆଜି କଟକ ଜିଲ୍ଲାରେ ମାତ୍ର ୬ ହଜାର ୧୨୨ ଜଣ ଆବେଦନ କରିପାରିଛନ୍ତି । କିନ୍ତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ବ୍ୟବସ୍ଥା ସହ ଏହା ଉପରେ ନଜର ରଖାଯାଇଛି । ଗତ ଅଗଷ୍ଟ ୩୧ ତାରିଖରୁ କଟକ ଜିଲ୍ଲାର ୩ ହଜାର ୩୧୮ ଅଙ୍ଗନବାଡ଼ି କେନ୍ଦ୍ରରେ ‘ସୁଭଦ୍ରା’ ଫର୍ମ ବଣ୍ଟନ ଆରମ୍ଭ ହୋଇଥିଲା । ଆଜି ସୁଦ୍ଧା ମୋଟ୍ ୬ ଲକ୍ଷ ୫୭ ହଜାର ୪୩ଟି ଫର୍ମ ଆବଣ୍ଟନ ସରିଲାଣି । ଏ ପ୍ରକ୍ରିୟା ଏବେ ବି ଜାରି ରହିଛି । ଏଥିରେ ଗ୍ରାମାଞ୍ଚଳରେ ୫ ଲକ୍ଷ ୬୧ ହଜାର ୯୬୫ ଜଣ ଏବଂ
ସହରାଞ୍ଚଳରେ ୯୫ ହଜାର ୭୮ଜଣ ଫର୍ମ ଗ୍ରହଣ କରି ଆବେଦନ କରିବାକୁ ଆଗଭର ହେଲେଣି । ୪ ତାରିଖରୁ ପଞ୍ଜୀକରଣ ଲାଗି ଜିଲ୍ଲାରେ ଥିବା ସବୁ ଜନସେବା କେନ୍ଦ୍ର ଓ ମୋ’ ସେବା କେନ୍ଦ୍ରକୁ ପ୍ରସ୍ତୁତ ରଖାଯାଇଥିଲା । ଗ୍ରାମାଞ୍ଚଳରେ ୮୭୯ଟି ଏବଂ ସହରାଞ୍ଚଳରେ ୨୨୭ଟି କ୍ୟାମ୍ପ୍ ଆୟୋଜନ କରି ପ୍ରଶାସନ ପକ୍ଷରୁ ‘ସୁଭଦ୍ରା’ ଯୋଜନା ଲାଗି ପଞ୍ଜୀକରଣ କରାଯିବାକୁ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ୪ ଓ ୫ ତାରିଖରେ ସର୍ଭର୍ ନ ଆସିବାରୁ ଲୋକେ ହଇରାଣ ହରକତ ହୋଇଥିଲେ । ଏନେଇ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରାଯାଇ ନଥିଲା । ଆଜି କିଛି କେନ୍ଦ୍ରରେ ‘ସୁଭଦ୍ରା’ ଲିଙ୍କ୍ ଖୋଲିବାରୁ ପଞ୍ଜୀକରଣ ଆରମ୍ଭ ହୋଇଥିଲା ।
ଶୁକ୍ରବାର ଗୋଟିଏ ଦିନରେ ଜିଲ୍ଲାରେ କାର୍ଯ୍ୟକ୍ଷମ ୧ ହଜାର ୧୦୬ କ୍ୟାମ୍ପ୍ରେ ମାତ୍ର ୬ ହଜାର ୧୨୨ଟି ପଞ୍ଜୀକରଣ ସଫଳ ହୋଇଛି । ହାରାହାରି ଦେଖିଲେ ଗୋଟିଏ କେନ୍ଦ୍ରରେ ଅତି ବେଶିରେ ୫ଟି ଆବେଦନ ପଞ୍ଜୀକୃତ ହୋଇଛି । ଗ୍ରାମାଞ୍ଚଳରେ ୫ ହଜାର ୮୫୭ଟି ଏବଂ ସହରାଞ୍ଚଳରେ ୨୬୫ଟି ଆବେଦନ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ତେବେ ପଞ୍ଜୀକରଣ ପ୍ରକ୍ରିୟାରେ ଦେଖାଯାଉଥିବା ବ୍ୟାପକ ବିଭ୍ରାଟ ଯୋଗୁଁ ଏଭଳି ସ୍ଥିତି ଉପୁଜିଛି । ଜିଲ୍ଲାରେ ‘ସୁଭଦ୍ରା’ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ପ୍ରାୟ ୭ ହଜାରରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏଥିରେ ଅଙ୍ଗନବାଡ଼ି, ଏମ୍ବିକେଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତ ଅଫିସର୍, ବିଡିଓ, ତହସିଲ କର୍ମଚାରୀ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ନିୟୋଜିତ ହୋଇଛନ୍ତି ।
ସୂଚନାଯୋଗ୍ୟ, ଆଧାର-ମୋବାଇଲ୍ ଲିଙ୍କ୍ ହୋଇ ନଥିଲେ ମଧ୍ୟ "ସୁଭଦ୍ରା'ର ଅନ୍ଲାଇନ୍ ପଞ୍ଜୀକରଣ କରିହେବ । ସାରା ରାଜ୍ୟରେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଲାଗି ରହିଥିଲା ବେଳେ ଗତକାଲି ଏହି କଥା ସ୍ପଷ୍ଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏଥିସହ ପଞ୍ଜୀକରଣର କୌଣସି ଶେଷ ତାରିଖ ନିର୍ଦ୍ଧାରିତ ହୋଇ ନଥିବାରୁ ଆବେଦନକାରୀମାନେ ବିବ୍ରତ ନହେବାକୁ ସେ ନିବେଦନ କରିଛନ୍ତି । ଆବଶ୍ୟକ ସ୍ଥଳେ ଜାରି କରାଯାଇଥିବା ହେଲ୍ପଲାଇନ୍ ନମ୍ବର-୧୪୬୭୮ରେ କଲ୍ କରି ସମସ୍ତ ଦ୍ୱନ୍ଦ୍ୱ ଦୂର କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।