ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଚାମ୍ପିଅନ୍ ଟିମ୍‌କୁ ଟ୍ରଫି ସହ ମିଳିବ ୨୦.୩୬କୋଟି ପୁରସ୍କାର ରାଶି

ବ୍ରିଜଟାଉନ,୨୯/୦୬: ୨୮ ଦିନ ଧରି ଲାଗି ରହିଥିବା  ରୋମାଞ୍ଚ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଶନିବାର ଟାଇଟଲ ଲଢ଼େଇ ସହ ଟିଟ୍ୱେଣ୍ଟି ବିଶ୍ୱକପ୍‌ର ନବମ  ସଂସ୍କରଣ ଶେଷ ହେବ । ଭାରତ ଫାଇନାଲ୍‌ରେ ପହଞ୍ଚିଥିବାରୁ କ୍ରିକେଟ୍‌ ପ୍ରେମୀଙ୍କ ଉତ୍ସାହ  ଶିଖର ଛୁଇଁଛି । ଦକ୍ଷିଣ ଆଫ୍ରିକା ପ୍ରଥମ କରି କୌଣସି ବିଶ୍ୱକପ୍‌ ଫାଇନାଲ୍‌ ଖେଳିବାକୁ  ଯାଉଛି । ତେଣୁ ସମଗ୍ର ବିଶ୍ୱର ନଜର ଏବେ  ଫାଇନାଲ୍‌ ମୁକାବିଲା ଉପରେ ।  

୧୦ବର୍ଷ ପରେ ଭାରତ  ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଫାଇନାଲ  ଖେଳିବାକୁ ଯାଉଛି । ପୂର୍ବରୁ  ୨୦୧୪ରେ ଦଳ ଫାଇନାଲ୍‌  ଖେଳିଥିଲା ଓ ଶ୍ରୀଲଙ୍କା ଠାରୁ  ପରାଜିତ ହୋଇଥିଲା । ଏଥର ଦକ୍ଷିଣ ଆଫ୍ରିକାକୁ  ହରାଇଲେ ୧୭ ବର୍ଷର ଅପେକ୍ଷାରେ ପୂର୍ଣ୍ଣଛେଦ  ପଡ଼ିବ । ୨୦୦୭ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର  ପ୍ରଥମ ସଂସ୍କରଣ ଖେଳାଯାଇଥିଲା । ଦକ୍ଷିଣ  ଆଫ୍ରିକା ଥିଲା ଆୟୋଜକ । ଫାଇନାଲ୍‌ରେ ପାକିସ୍ତାନକୁ ହରାଇ ମହେନ୍ଦ୍ର ସିଂହ ଧୋନିଙ୍କ ଟିମ  ଇଣ୍ଡିଆ ଚାମ୍ପିଅନ୍‌ ହୋଇଥିଲା । ସେହିପରି ୨୦୧୬ ଓ ୨୦୨୧ରେ  ଭାରତ ବିଶ୍ୱକପ୍‌ ଆୟୋଜନ କରିଥିଲା । ୨୦୧୬ରେ ଦଳ ସେମି  ଫାଇନାଲ୍‌ରେ ପରାଜିତ ହୋଇଥିଲା । 

୨୦୨୧ ସଂସ୍କରଣରେ  ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲା । ଫାଇନାଲ୍‌ରେ ଉଭୟ ଦଳ ପରସ୍ପରକୁ ପ୍ରଥମ କରି  ଭେଟିବେ । ପୂର୍ବରୁ ୨୦୧୪ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ସେମି  ଫାଇନାଲ୍‌ରେ ଉଭୟ ଦଳ ସାମ୍ନା ସାମ୍ନି ହୋଇଥିଲେ ଓ ଭାରତ  ଉକ୍ତ ମ୍ୟାଚ୍‌କୁ ୬ୱିକେଟରେ ଜିତିଥିଲା। ବିରାଟ କୋହଲି  ଖେଳିଥିଲେ ଅପରାଜିତ ୭୨ ରନ୍‌ରେ ମ୍ୟାଚ୍‌ ବିଜୟୀ ଇନିଂସ । ଏଥର ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଶତପ୍ରତିଶତ  ବିଜୟ ସହ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଦକ୍ଷିଣ  ଆଫ୍ରିକା କ୍ରମାନ୍ୱୟରେ ୮ଟି ମ୍ୟାଚ୍‌ ଜିତିଛି । ଭାରତ ୭ଟି  ମ୍ୟାଚ୍‌ ଜିତିଥିବାବେଳେ ଗୋଟିଏ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ  ହୋଇଯାଇଥିଲା ।  

ଦକ୍ଷିଣ ଆଫ୍ରିକା ଶନିବାର ବିଜୟ ସହ ଇତିହାସ ରଚିବାକୁ ଆଶାବାଦୀ ରହିଛି ।  ଦଳ ଏପର୍ଯ୍ୟନ୍ତ ଗୋଟିଏ ମାତ୍ର ଆଇସିସି ଟୁର୍ଣ୍ଣାମେଣ୍ଟ  ଜିତିଛି। ୧୯୯୮ ଚାମ୍ପିଅନ୍ସ ଟ୍ରଫିରେ ଦକ୍ଷିଣ ଆଫ୍ରିକା ଚାମ୍ପିଅନ୍‌  ହୋଇଥିଲା । ଏହା ବ୍ୟତୀତ ଦକ୍ଷିଣ ଆଫ୍ରିକା କୌଣସି ବିଶ୍ୱକପ୍‌  ଫାଇନାଲ୍‌ ଖେଳିନାହିଁ । ଦଳ ୧୯୯୨, ୧୯୯୯, ୨୦୦୭, ୨୦୧୫  ଓ ୨୦୨୩ ଦିନିକିଆ ବିଶ୍ୱକପ୍‌ ସେମି ଫାଇନାଲ୍‌ରେ ପ୍ରବେଶ  କରିଥିଲେ ହେଁ ପରାଜିତ ହୋଇ ବିଦାୟ ନେଇଥିଲା । 

ଭାରତ ୨୦୦୭ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ବ୍ୟତୀତ ୨୦୧୧  ଦିନିକିଆ ବିଶ୍ୱକପ୍‌ ଓ ୨୦୧୩ ଚାମ୍ପିଅନ୍ସ ଟ୍ରଫି ଚାମ୍ପିଅନ୍‌  ହୋଇଥିଲା । ମାତ୍ର ଏହା ପରଠୁ ଆଉ ଗୋଟିଏ ହେଲେ ଆଇସିସି  ଟ୍ରଫି ଜିତିପାରିନାହିଁ । ଗତ ୧୧ ବର୍ଷ ମଧ୍ୟରେ ଭାରତ ୨୦୧୪ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଫାଇନାଲ୍‌, ୨୦୧୬ ଓ ୨୦୨୨ ସେମି ଫାଇନାଲ,  ୨୦୧୫ ଓ ୨୦୧୯ ଦିନିକିଆ ବିଶ୍ୱକପ୍‌ ସେମି ଫାଇନାଲ୍‌, ୨୦୨୩  ଫାଇନାଲ୍‌ ଖେଳିଥିଲେ ହେଁ ପ୍ରତ୍ୟେକ ଥର ପରାଜିତ ହୋଇଛି ।

ବିଜେତାଙ୍କୁ ୨୦.୩୬କୋଟି ପୁରସ୍କାର

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଚାମ୍ପିଅନ୍‌ ଦଳକୁ  ଟ୍ରଫି ସହ ୨୦.୩୬କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯିବ । ସେହିପରି ରନର୍ସ ଅପ୍‌  ଦଳ ପାଇବେ ୧୦.୬୩କୋଟି ଟଙ୍କା । ସେମି ଫାଇନାଲ୍‌ରେ ପରାଜିତ ହୋଇଥିବା ଦୁଇ  ଦଳ ଇଂଲଣ୍ଡ ଓ ଆଫଗାନିସ୍ତାନ ୬.୫କୋଟି ଟଙ୍କା ଲେଖାଏଁ ପୁରସ୍କାର ପାଇବେ । ସୁପର-୮ ରାଉଣ୍ଡ୍‌ରେ ପରାଜିତ ହୋଇଥିବା ୪ଦଳ ଅଷ୍ଟ୍ରେଲିଆ, ବାଂଲାଦେଶ, ୟୁଏସଏ ଓ  ୱେଷ୍ଟ ଇଣ୍ଡିଜ୍‌ଙ୍କୁ ପୁରସ୍କାର ବାବଦରେ ୩.୧୭କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.