ରାଗ ବେଳକୁ ଆମ ମସ୍ତିଷ୍କ ବା ସ୍ନାୟୁତନ୍ତ୍ରରେ ଅବା ରାସାୟନିକ ସ୍ତରରେ କି କି ପରିବର୍ତ୍ତନ ହୋଇଥାଏ ତାର କିଛିଟା ଧାରଣା କରିବା ଠିକ୍ ହେବ। ରାଗିବା ଗୁଣ ପାଇଁ ‘ଅମିଗ୍ଡାଲା' ନାମକ ଏକ ସ୍ଥାନର ବି ଗୁରୁତ୍ୱ କିଛି କମ୍ ନୁହେଁ ଏବଂ ଏହି କଥାଟିକୁ ଏଲିଆକ୍ଲେନ, କାର୍ଲସନ୍ ଭଳି କେତେ ଯେ କାମ କରିଯାଇଥିବା ଲୋକେ ବଖାଣି ଯାଇଛନ୍ତି ତାଙ୍କ ଗବେଷଣାଗୁଡ଼ିକରେ ।
ଭାବୁଛି, ବହୁଦିନ ତଳେ କେଉଁଠି ପଢ଼ିଥିବା ଗୋଟିଏ ଛୋଟିଆ ଗପରୁ ଆରମ୍ଭ କରିବା ଉଚିତ ହେବ ଆଜିର ଏ ଆଲୋଚନାକୁ । କଥାରେ କଥାରେ ଅଜସ୍ର ଗାଳି କରୁଥିବା ବାର-ଚଉଦ ବୟସର ବଦରାଗୀ ପିଲାଟି, ଆଉ ତା’ ଦରବୁଢ଼ା ବାପକୁ ନେଇ ପରିବାରଟିଏ । ଚୁପ୍ଚାପ୍ ତା’ ଗାଳିକୁ ସହି ଯାଉଥିବା ବାପା ଦିନେ ତାକୁ ଏକ କଣ୍ଟାଭର୍ତ୍ତି ମୁଣି ସହିତ ହାତୁଡ଼ିଟିଏ ଦେଇ କହନ୍ତି ‘ବାବୁରେ, ଯେତେବେଳେ ବି ତତେ ରାଗ ଆସିବ ତୁ ଯାଇ ଏଥିରୁ ଗୋଟିଏ କଣ୍ଟା ଆମ ଘରର କାଠବାଡ଼ ଦେହରେ ବାଡ଼େଇଦେଇ ଆସିବୁ’ । ପ୍ରଥମ ଦିନରୁ ହିଁ ଆରମ୍ଭ ହୋଇଯାଏ ପିଲାଟିର ଅଭିଯାନ ଆଉ ଚାଳିଶି ସରିକି କଣ୍ଟା ଗଳି ସାରିଥାଏ ବାଡ଼ଟି ଦେହରେ, ଦିନ ଶେଷରେ । ଏଇମିତି ଗଡ଼ିଯାଏ କିଛି ସପ୍ତାହ, ପିଲାଟି ବି ହାଲିଆ ହୋଇପଡ଼େ କଣ୍ଟା ବାଡ଼େଇ ବାଡ଼େଇ । କଣ୍ଟା ଫୋଡ଼ିବା ଠାରୁ ରାଗକୁ ନିଜ ଅକ୍ତିଆରକୁ ନେବା ସହଜ ଜଣାପଡ଼େ ତା’ଠାରେ । ଫଳସ୍ୱରୂପ, ବାଡ଼ ଦେହର କଣ୍ଟା ଫୋଡ଼ା ବି କମି କମି ଆସି ଶେଷରେ ଶୂନ ହୋଇଯାଏ ଦିନେ । କାହିଁକିନା ‘ରାଗ' ବୋଲି ଜିନିଷଟି ସେତେବେଳକୁ ପିଲାଟି ମନରୁ ଆସି ଖୁନ୍ଦି ହୋଇ ରହିସାରିଥାଏ ସେ କାଠବାଡ଼ ଦେହରେ କଣ୍ଟା ବାଟ ଦେଇ । ଆଉ ତାର ପ୍ରୟୋଜନ ନଥିବା ମନେକରି ବାଳକଟି ପହଞ୍ଚିଯାଏ ତା’ ବାପା ପାଖରେ, ବାକି ଥିବା କଣ୍ଟା ମୁଣିଟିକୁ ଧରି ।
ବାପା ତା’ କଥା ମନଦେଇ ଶୁଣନ୍ତି । ତା’ପରେ ଗୋଟିଏ ପ୍ଲାସ, କିଛି କାଠଗୁଣ୍ଡ ଏବଂ ଅଠା ଦେଇ ପୁଣି ପୁଅକୁ ପଠାନ୍ତି କଣ୍ଟାଭର୍ତ୍ତି ସେ ବାଡ଼ ନିକଟକୁ, କଣ୍ଟା ସବୁକୁ ଗୋଟି ଗୋଟି କରି ଓପାଡ଼ି କଣା ସବୁକୁ ଅଠା-କାଠଗୁଣ୍ଡରେ ବନ୍ଦ କରି ବାଡ଼କୁ ପୁରୁଣା ଭଳି କରିବାକୁ । ମନେ ମନେ ଆଶ୍ଚର୍ୟ୍ୟ ହେଲେ ବି, ସେତେବେଳକୁ ପ୍ରାୟ ଆଜ୍ଞାଧୀନ ପାଲଟି ଯାଇଥିବା ପୁଅ ଆଦେଶ ପାଳନରେ ଲାଗିଯାଏ ସେଇ ମୁହୂର୍ତ୍ତରୁ । ସେ ଦେଖେ ଯେ, କାଠ ଦେହରେ କଣ୍ଟାଟି ବାଡ଼େଇବା ଯେତେ ସହଜ ସେଇଠୁ ପୁଣି ଓପାଡ଼ିବା ତାଠୁ ବହୁତ ବେଶୀ କଷ୍ଟକର । ହେଲେ ତାଠୁ ଆହୁରି କାଠିକର, ନିଖୁଣ ଭାବରେ ସେ କଣା ସବୁକୁ ଭରିବାର ଯେତେ ଚେଷ୍ଟା କଲେ ମଧ୍ୟ ଦାଗଟିଏ ରହିଯାଉଥାଏ ନିଶ୍ଚୟ କୌଣସିମତେ ପୂର୍ବବତ୍ ହୋଇନପାରି । ଆଉ ତାର ବୁଝିବାକୁ ବାକି ନଥାଏ ବାପା କାହିଁକି ତାକୁ ନେଇ ଏତେ କଥା କରେଇଲେ ବୋଲି? କାଠ ତିଆରି ବାଡ଼ଟି ଠିକ୍ ତା' ବାପର ମନ, କଣ୍ଟାଗୁଡ଼ା ତା' ଅହଂକାର ଯେତକ ଭଳି ଜଣାଯାଉଥାଏ ତାକୁ । ଆହୁରି ବି ସିଏ ଦେଖିପାରୁଥାଏ ତା’ ବାପ ମନର ଦାଗ ସବୁକୁ, ତା’ ପାଲିସ୍କରା କାଠର କଣାଗୁଡ଼ିକୁ ଆଉଁସିବା ବେଳେ । ଲଜ୍ଜାରେ ଜଡ଼ସଡ଼ ହୋଇ ଉଠିଥିବା ଶରୀର ତାର ଦୋଷ ଯେତେ ଧୋଇ ଦେଉଥାଏ ଆଖି-ନୀର ରୂପରେ ।
ଏ କାହାଣୀର ଆଢୁଆଳରେ ଯେଉଁ ଗୁଣଟି ପାଇଁ ପିଲାଟି ସତରେ ଏତେ ସରମରେ ବୁଡ଼ିଯାଇ ପଶ୍ଚାତାପର ନିଆଁରେ ନିଜକୁ ଜାଳିଦେବାକୁ ବସିଛି, ସେଇ ଗୁଣଟି ବିଷୟରେ କହିବାକୁ ମୋର ଆଜି କାଇଁ ଭାରି ଇଚ୍ଛା ହେଉଛି? ‘ରାଗ' ବା ‘କ୍ରୋଧ' ମାନବ ତଥା ଅନ୍ୟ ଇତର ପ୍ରାଣୀମାନଙ୍କ ଏକ ସହଜାତ ଗୁଣ, ଯାହା ସମସ୍ତେ ଶିଖି ଆସିଥାଉ ମାଆ ପେଟରୁ । ସାଧାରଣ ଭାବରେ କହିବାକୁ ଗଲେ, ଏହା ଆମ ମସ୍ତିଷ୍କର ବିଶେଷ କୋଣଗୁଡ଼ିକରେ ହଠାତ୍ ଘଟୁଥିବା ସାମଗ୍ରିକ ବିସ୍ଫୋରଣ, ଯାହାକି ବିଭିନ୍ନ ଘଟିଯାଇଥିବା ଅବା ଏଇନେ ଘଟୁଥିବା ଘଟଣାକ୍ରମ ସହ ସଂଶ୍ଳିଷ୍ଟ ହୋଇଥାଏ ପ୍ରକାରାନ୍ତରେ । କିଛି କାର୍ୟ୍ୟ ପାଇଁ ଲମ୍ବା ଧାଡ଼ିରେ ଛିଡ଼ାହୋଇ ଅପେକ୍ଷା କଲା ସମୟରେ ପଛରୁ ଆସି ଅନ୍ୟ ଜଣେ ଆଗରେ ଧସେଇ ପଶିବା ହେଉ, କି ଭୁଲ୍ ପଟରୁ ଘାଉଁକିନା ଆସି ଠିକ୍ ପଟେ ଧୀରେ ଧୀରେ ଆସୁଥିବା ମୋ ଗାଡ଼ିରେ ତା’ ଗାଡ଼ିଟିକୁ ବାଡ଼େଇଦେବା ହେଉ, ମନରେ ରାଗ ତ ଆସିଯାଏ ନିଶ୍ଚୟ । ରିଉଦା, ଜିଲାଜୋ, କୁଲି ଆଦି ଗବେଷକ ଦଳଙ୍କ ବିଭିନ୍ନ ଗବେଷଣାରୁ ଜଣାଯାଏ ଯେ ‘ରାଗ' ମସ୍ତିଷ୍କର ଆଗପଟ ଦ୍ୱାରା ନିର୍ଦ୍ଧାରିତ ହେଉଥିବା କାର୍ଯ୍ୟଗୁଡ଼ିକ ଯେପରିକି ଧ୍ୟାନ ଦେବା ତଥା ଅନିୟନ୍ତ୍ରିତ ଆବେଗ ଆଦି ସହ ଜଡ଼ିତ ହୋଇଥାଏ । କିନ୍ତୁ ଅନେକ ସ୍ଥଳରେ ଏହା ‘ରାଗ' ସୃଷ୍ଟି କରୁଥିବା କାରକଗୁଡ଼ିକ ଉପରେ ଅଧିକ ଧ୍ୟାନଦେବାର ଫଳ ବୋଲି ମଧ୍ୟ ଏଲିଆକ୍ଲେନ ଏବଂ ଗାବଲ୍ଙ୍କ ପରି କେତେକ କାମ କରୁଥିବା ଲୋକ ଦାବି ଉପସ୍ଥାପନ କରନ୍ତି ।
ବିଭିନ୍ନ ସ୍ତରରେ ବାରମ୍ବାର ଆସୁଥିବା ରାଗ ମସ୍ତିଷ୍କର ସେଇ ଜାଗାଟିକୁ ପ୍ରଭାବିତ କରିଥାଏ, ଯାହାକି କୌଣସି ଏକ ବିଷୟରେ ଆମ ଧ୍ୟାନକୁ କେନ୍ଦ୍ର କରିବାକୁ ସାହାଯ୍ୟ କରିଥାଏ ବୋଲି ମଧ୍ୟ ଏବେ ସ୍ପଷ୍ଟ ହୋଇଗଲାଣି । ଏଥିସହ ଉଭୟ ପୂର୍ବ ଏବଂ ପଶ୍ଚିମ ଦେଶମାନଙ୍କରେ ହୋଇଥିବା ଗବେଷଣା ସବୁ ରାଗ, ଆବେଗ ଏବଂ ଆତ୍ମହତ୍ୟା ମଧ୍ୟରେ ଗଭୀର ସମ୍ବନ୍ଧ ଥିବା କଥାଟିକୁ ଉଜାଗର କରିଥାନ୍ତି । ରାଗ ବେଳକୁ ଆମ ମସ୍ତିଷ୍କ ବା ସ୍ନାୟୁତନ୍ତ୍ରରେ ଅବା ରାସାୟନିକ ସ୍ତରରେ କି କି ପରିବର୍ତ୍ତନ ହୋଇଥାଏ ତାର କିଛିଟା ଧାରଣା କରିବା ଠିକ୍ ହେବ । ରାଗିବା ଗୁଣ ପାଇଁ ‘ଅମିଗ୍ଡାଲା' ନାମକ ଏକ ସ୍ଥାନର ବି ଗୁରୁତ୍ୱ କିଛି କମ୍ ନୁହେଁ ଏବଂ ଏହି କଥାଟିକୁ ଏଲିଆକ୍ଲେନ, କାର୍ଲସନ୍ ଭଳି କେତେ ଯେ କାମ କରିଯାଇଥିବା ଲୋକେ ବଖାଣି ଯାଇଛନ୍ତି ତାଙ୍କ ଗବେଷଣା ଗୁଡ଼ିକରେ । ତା’ ସାଙ୍ଗକୁ ‘ହାଇପୋଥାଲାମସ୍' ଓ ‘ସେଣ୍ଟ୍ରାଲ ଗ୍ରେ' ପରି ଆଉ କେତେକ ମସ୍ତିଷ୍କର ଅଂଶବିଶେଷ ମଧ୍ୟ ଏହି ଗୁଣଟିକୁ ପରିପ୍ରକାଶ କରିବାର ସାମର୍ଥ୍ୟ ରଖେ ବୋଲି ଜଣାଗଲାଣି ।
ଏ ପରିପ୍ରେକ୍ଷୀରେ ଆମ ଆବେଗ ଓ ସ୍ମୃତିଶକ୍ତି ସହିତ ଜଡ଼ିତ ପିସ୍ତାବାଦାମ ଆକାରର ହଳେ ଅମିଗ୍ଡାଲା ବିଷୟରେ ଅଳ୍ପ ଟିକିଏ ନକହି ରହିହେଉନି । ୨୦୦୯ ମସିହାରେ ସାଇକୋନ୍ୟୁରୋଏଣ୍ଡ୍ରୋକ୍ରିନୋଲୋଜି ପତ୍ରିକାରେ ପ୍ରକାଶିତ ଡର୍ଣ୍ଣର୍ଟଲ ଓ ତାଙ୍କ ସାଥୀଙ୍କ ମତରେ ଅମିଗ୍ଡାଲା ସକ୍ରିୟ ହେଲେ ରାଗିବା ଗୁଣଟି ବି ବଢ଼ିଯାଇଥାଏ । ସେହିପରି ଶରୀରରେ ଟେଷ୍ଟୋଟେରୋନ୍ ନାମକ ହରମୋନର ମାତ୍ରା ବେଶୀ ହେବା ହେତୁ ଅମିଗ୍ଡାଲାର କାର୍ୟ୍ୟଧାରା ବଦଳିଯାଇ ରାଗ ଜାତ ହୋଇଥାଏ । ମାତ୍ର ଏହାର ବିପରୀତରେ ମସ୍ତିଷ୍କର ଭିଏମ୍ ପିଏଫ୍ସି ଓ ଏଲ୍ଏ ମିଡିଲ୍ ଫ୍ରଣ୍ଟାଲ୍ ଗାଇରସ୍ ନାମକ ସ୍ଥାନଗୁଡ଼ିକ ରାଗକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାନ୍ତି । ତଥା ଅମିଗ୍ଡାଲା ଏବଂ ଭିଏମ୍ ପିଏଫ୍ସି ମଧ୍ୟରେ ସମ୍ପର୍କ ନରହିଲେ ବା କମିଗଲେ ରାଗ ବା ହିଂସ୍ର ହେବାର ଲକ୍ଷଣ ବୃଦ୍ଧିପାଏ ବୋଲି ଗବେଷଣାଗୁଡ଼ିକ ସୂଚନା ଦେଇଥାଏ । ସେ ଯାହାହେଉ, କ୍ରୋଧ ଜାତ ହେବା ହେଉ ବା ଏହାକୁ ପ୍ରଶମିତ କରିବା ହେଉ, ସବୁ କ୍ଷେତ୍ରରେ ମସ୍ତିଷ୍କର ଭିନ୍ନ ଭିନ୍ନ ଅଂଶ ସବୁ ନିଜ ନିଜ ଭିତରେ ସମନ୍ୱୟ ରକ୍ଷାକରି କାର୍ୟ୍ୟଟିକୁ ସମାପନ କରିଥାନ୍ତି । ଲର୍ନର୍ ଓ କେଲ୍ଟନର୍ଙ୍କ ୨୦୦୧ ମସିହାର ଏକ ଆଲେଖ୍ୟ ଅନୁଯାୟୀ ରାଗିବା ସଙ୍ଗେ ସଙ୍ଗେ ‘କାଟେକୋଲୁମିନ୍' ନାମକ ପଦାର୍ଥଗୁଡ଼ିକ ସ୍ନାୟୁତନ୍ତୁରୁ ନିର୍ଗତ ହେବା କାରଣରୁ ହୃଦୟ ଗତି ଏବଂ ରକ୍ତଚାପରେ ଅହେତୁକ ବୃଦ୍ଧି ଘଟିବା ସହିତ ଶ୍ୱସନ ପ୍ରକ୍ରିୟାଟି ମଧ୍ୟ ବଢ଼ି ଯାଇଥାଏ । ଏହା ମୁହଁକୁ ଲାଲ କରିଦେବା ସହ ମାଂସପେଶୀଗୁଡ଼ିକୁ ମଧ୍ୟ ଶକ୍ତ କରିଦିଏ ।
ଏହାକୁ ପ୍ରକାରାନ୍ତରେ ‘ଏଡ୍ରେନାଲିନ୍ ପ୍ରବାହ'ବୋଲି ମତ ଦିଆଯାଇପାରେ । ସେହିପରି ‘ସେରୋଟୋନିନ୍' ନାମକ ଏକ ରାସାୟନିକ ପଦାର୍ଥ ରାଗ ବା ହିଂସ୍ରତା ବେଳକୁ ବଢ଼ିଯାଉଥିବା ବେଳେ ‘ଡୋପାମାଇନ୍' ନାମକ ଭିନ୍ନ ଏକ ରସାୟନଟି କମିଯିବା ଦେଖାଯାଏ । ରାଗ ଦ୍ୱାରା ଆମ ଶରୀରରେ ହେଉଥିବା କ୍ଷତି ସମ୍ପର୍କରେ ନଜାଣିଲେ ତ ଏ କଥାଟି ଅସମ୍ପୂର୍ଣ୍ଣ ରହିଯିବ । ୨୦୧୦ ମସିହାରେ ପ୍ରକାଶିତ ‘ଇଣ୍ଟରନାସନାଲ୍ ହେଣ୍ଡ୍ବୁକ୍ ଅଫ୍ ଏଙ୍ଗର୍' ପୁସ୍ତକରେ ପ୍ରକାଶିତ ଏକ ଆଲେଖ୍ୟରୁ ଉଦ୍ଧୃତ କରି କୁହାଯାଇପାରେ ଯେ, ଏହା ଆମ ଶରୀରରେ ଉଭୟ ରାସାୟନିକ ତଥା ହରମୋନ ଜନିତ ଅସନ୍ତୁଳନକୁ ପ୍ରୋତ୍ସାହିତ କରିଥାଏ । ଫଳସ୍ୱରୂପ, ମାନସିକ ଚାପ ବଢ଼ିଚାଲେ, ଯାହାକି ଆମ ପାଚନତନ୍ତ୍ର ଉପରେ କୁପ୍ରଭାବ ସୃଷ୍ଟିକରି ପାକସ୍ଥଳୀରେ ଅମ୍ଳବୃଦ୍ଧିର କାରଣ ହୋଇ ଅଲସର୍ ଆଦି ବିକାରକୁ ଜନ୍ମ ଦେଇଥାଏ । ଏଥିସହ ଏହା ‘କୋର୍ଟିସଲ୍' ନାମକ ଏକ ଚାପ-ହରମୋନର କ୍ଷରଣର କାରକ ସାଜି ଗୋଟିଏ ହିସାବରେ ଯହିଁ ରକ୍ତ ଶର୍କରାର ଭାଗମାପ ବିଗାଡ଼ି ଦିଏ, ଅନ୍ୟ ପ୍ରକାରେ ଥାଇରଏଡ୍ ଗ୍ରନ୍ଥୀର କାର୍ୟ୍ୟଧାରାରେ ମଧ୍ୟ ହସ୍ତକ୍ଷେପ କରିଥାଏ । ଫଳତଃ, ମାନସିକ ଚାପ ବୃଦ୍ଧିପାଇ ହାଡ଼ ଦୁର୍ବଳ ହେବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମ୍ ହୋଇଯାଏ । ଦେଖାଯାଇଛି, ବାରମ୍ବାର ଚିଡ଼ିଚିଡ଼ି ହେଉଥିବା ବା ରାଗୁଥିବା ଲୋକେ ଥଣ୍ଡା, ଶ୍ୱାସ, ଚର୍ମ ରୋଗ, ବାତ ଆଦି ରୋଗରେ ବେଶୀ ଘାଣ୍ଟି ହୁଅନ୍ତି । ଆହୁରି ଘାତକ କଥା ହେଲା- ରାଗିବା ବେଳକୁ ଆମ ଶରୀରରେ ଏମିତି କିଛି ରାସାୟନିକ ପଦାର୍ଥ ତିଆରି ହୋଇଥାଏ, ଯାହା ରକ୍ତକୁ ଜମାଟ ବନ୍ଧାଇବାରେ ଲାଗେ । ଏହି ଘନ ରକ୍ତ ସଂଚାଳିତ ହୋଇ ମସ୍ତିଷ୍କ ବା ହୃଦୟକୁ ଆସିଲେ ମସ୍ତିଷ୍କ ପକ୍ଷାଘାତ ବା ହୃଦ୍ଘାତ ହେବାର ସମ୍ଭାବନା ବଢ଼ିଯାଏ ।
୨୦୧୯ ମସିହାରେ ‘ଦ ଗାର୍ଡିଏନ୍'ରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାଯାଏ ଯେ, ଯହିଁ ଉଭୟ ପୁରୁଷ ଓ ମହିଳାମାନେ ପରିସ୍ଥିତି ଉପୁଜିଲେ ସମାନ ପରିମାଣରେ ରାଗିଥାନ୍ତି, ହେଲେ ମହିଳାମାନେ ପୁରୁଷଙ୍କ ଠାରୁ ବେଶୀ ପରିମାଣରେ ଏବଂ ଯଥା ସମୟରେ ରାଗକୁ ନିୟନ୍ତ୍ରଣ କରିବାରେ ସଫଳ ହୁଅନ୍ତି । ଏହାର କାରଣ, ହିସାବରେ ହୁଏତ ମହିଳାମାନଙ୍କର ମସ୍ତିଷ୍କର ବଡ଼ ‘ଅର୍ବିଟାଲ୍ ଫ୍ରଣ୍ଟାଲ୍ କର୍ଟେକ୍ସ' ନାମକ ଅଂଶଟି ଦାୟୀ ବୋଲି ଲେଖାଟିରେ କୁହାଯାଇଅଛି । ଏଠାରେ ସଭିଙ୍କ ମନରେ ପ୍ରଶ୍ନଟିଏ ତ ଆସିବା ସ୍ୱାଭାବିକ ଯେ ‘ଏ ରାଗକୁ ତାହେଲେ ବଶ କରିହୁଏ କିପରି' ବୋଲି? ମନରେ ଉଠିଥିବା ରାଗକୁ ଦମନ କରିବାକୁ ଟିକିଏ କଷ୍ଟ ହେଲେ ମଧ୍ୟ ଏହା ଯେ ଅସମ୍ଭବ ନୁହେଁ ଏକଥା ସାଧୁଠୁ ଆରମ୍ଭକରି ମନୋବିଜ୍ଞାନୀଙ୍କୁ ବେଶ୍ ଜଣା, ସାଧାରଣ ଲୋକେ ଖାଲି ଟିକିଏ ଦମ୍ଭ ଧରିଲେ ହେଲା । ଶରୀରକୁ ଶୀତଳ କରୁଥିବା କ୍ରିୟାଗୁଡ଼ିକ ଏଥିପାଇଁ ବହୁତ ଲାଭକାରୀ । ଏ ସମ୍ବନ୍ଧରେ ଆମ ‘ଯୋଗଶାସ୍ତ୍ର'ରେ ବର୍ଣ୍ଣିତ ଆସନ, ଯୋଗ ବିଜ୍ଞାନସମ୍ମତ ଗଭୀର ଶ୍ୱାସ-ପ୍ରଶ୍ୱାସ, ପ୍ରାଣାୟାମ, ଯୋଗନିଦ୍ରା ପ୍ରଭୃତିର ସୁପ୍ରଭାବକୁ କେବେ ବି ଅଣଦେଖା କରାଯାଇ ପାରିବନାହିଁ । ରାଗିବା ସମୟରେ ନିଜକୁ ନିଜେ ସକାରାତ୍ମକ ପ୍ରଶ୍ନ ପଚାରି ପ୍ରକୃତିସ୍ଥ ହେବା ବି ଏନେଇ ଭିନ୍ନ ଏକ ପ୍ରକ୍ରିୟା । ସମସ୍ୟା ବେଳକୁ ଉତ୍ତେଜନାକୁ ଦମନ କରି ଶାନ୍ତଭାବରେ ସାମନା କରିପାରିଲେ ମନରେ ଭୟ ଓ ରାଗ ଉଭୟ କମ୍ ପଡ଼ିଯାଇ ସମାଧାନର ବାଟ ଫିଟିଯାଏ । ପୁଣି ପରସ୍ପର ସହିତ ତାଳମେଳ ରଖି କାମ କରିବା, ଅନ୍ୟର ମତକୁ ସମ୍ମାନ ଦେବା, କ୍ରୋଧ ଜାତ କରୁଥିବା କଥାଗୁଡ଼ିକୁ ମୂଳରୁ ଓପାଡ଼ି ଫିଙ୍ଗିବା ଆଦି ବିଶେଷ ଗୁଣକାରୀ ହେଇଥାଏ ଏ କ୍ଷେତ୍ରରେ ।
ଏସବୁ ସତ୍ତ୍ଵେ ଯଦି କଥା କଟାକଟି ଆରମ୍ଭ ହେଲା ତେବେ ବସ୍ତୁତଃ ନିଜକୁ ଯେତେ ବାଧିଲେ ବି ଚୁପ୍ ରହିଗଲେ ଭଲ । ତା’ ନହେଲେ ସେ ସ୍ଥାନ ଛାଡ଼ି ଚାଲିଗଲେ ଗରମ କ୍ଷୀରରେ ସର ପଡ଼ିବାର କାମଟି ହୋଇଯାଏ ଆପେ ଆପେ । ପ୍ରାୟ ସବୁ କ୍ଷେତ୍ରରେ ଉଭୟପଟର ରାଗଟି ଶାନ୍ତ ହୋଇ ପରିସ୍ଥିତି ପୁଣି ସ୍ୱାଭାବିକ ହୋଇଯାଏ ମାତ୍ର କେଇ ମିନିଟ୍ ଭିତରେ । ରାଗୀ ଲୋକଟିଏ ଆତ୍ମସମୀକ୍ଷା ରୂପକ ଓଷଦଟି ଆପଣେଇଲେ ତା’ ରାଗ ସବୁ ରହିବାକୁ ଜାଗା ପାଆନ୍ତି ନାହିଁ ଦେହରେ ତା’ର, ଠିକ୍ ଆରମ୍ଭରୁ ମୁଁ କହିଥିବା ସେ ପିଲାଟି ପରି । କଥାଟି ସାରିବା ଆଗରୁ ଏତିକି କହିରଖେ ଯେ, କେତେକ ବିଶେଷ ପରିସ୍ଥିତିରେ ରାଗିବା ଦ୍ୱାରା କିଛିଟା ଲାଭ ହେଉଥିଲେ ହେଁ ଅଧିକାଂଶ ଜାଗାରେ ଏହା ଅନିଷ୍ଟ ହିଁ କରିଥାଏ । ଆହୁରି ମଧ୍ୟ, ସହଜାତ ପ୍ରବୃତ୍ତି ହେତୁ ରାଗକୁ ଏକବାର୍ ପରିହାର କରିବା ବି ଏକ ଦୁରୂହ ବ୍ୟାପାର । ଏଣୁ ଯେତେ ସମ୍ଭବ ହେଇପାରେ ଏହା ଉପରେ ନିଜ ନିୟନ୍ତ୍ରଣକୁ ବଜାୟ ରଖି ନିହାତି ଦରକାର ବେଳେ ଏହାର ଉପଯୁକ୍ତ ପ୍ରୟୋଗ କରିପାରିଲେ ‘କ୍ରୋଧ ଉପରେ ମାନବର ବିଜୟ' ହୋଇଛି ବୋଲି ନିଃସନ୍ଦେହରେ କୁହାଯାଇପାରେ।