କଟକ,୧୪/୯(ସୁକେଶ ବେହେରା) : ସେ ସମୟ ଏତେ ସହଜ ନଥିଲା। ସ୍ୱାମୀ ହାତ ଛାଡ଼ି ନୂଆ ସଂସାର ବାଛିନେବା ପରେ ଦୁଇ ଛୁଆଙ୍କୁ ଧରି ଏକୁଟିଆ ବାଟ ଚାଲିବା କଷ୍ଟସାଧ୍ୟ ଥିଲା । ଜୀବନର ଏହି ଦୁଃସ୍ଥିତିରେ ସାହାରା ହେଲା ପିଲାବେଳୁ ଶିଖିଥିବା କଳା କାରିଗରି । ଜୀବନ ବଦଳାଇଦେଲା ପଟ୍ଟଚିତ୍ର । କେବଳ ନିଜେ ପଟ୍ଟଚିତ୍ର ତିଆରି କରି ରୋଜଗାରକ୍ଷମ ହେଲେ ତାହା ନୁହଁ । ନିଜ ଗାଁ ଓ ଆଖପାଖ ଅଞ୍ଚଳର ଅନେକ ମହିଳାଙ୍କୁ ନେଇ ପଟ୍ଟଚିତ୍ର ପ୍ରସ୍ତୁତିର ନୂଆ ବଜାର ସୃଷ୍ଟି କରିପାରିଲେ ।
ଏହି ସଂଘର୍ଷ ଓ ସଫଳ କାହାଣୀ ହେଉଛି ବାଙ୍କୀ କେନ୍ଦୁପଲ୍ଲୀ ଗ୍ରାମର ୩୯ ବର୍ଷୀୟା ତରୁଲତା ସାହୁଙ୍କର । ଗାଁରେ ଏମିତି ଅନେକ ମହିଳା ଥିଲେ ଯେଉଁମାନେ ସ୍ୱାମୀ କାମକୁ, ପିଲାମାନେ ପଢ଼ିବାକୁ ଯିବା ପରେ ଛୋଟମୋଟ ଘର କାମରେ ବ୍ୟସ୍ତ ରହୁଥିଲେ । ଏମିତି କିଛି ମହିଳାଙ୍କୁ ହାତଧରି ଆଣି ପଟ୍ଟଚିତ୍ରର କଳା ଶିଖାଇଲେ ତରୁଲତା । ଜଣେରୁ ତିନି ଜଣ, ତିନିରୁ ତିନି ଶହ ଜଣ କେତେବେଳେ ହୋଇଗଲେ ଜଣାପଡ଼ିଲାନି । ଗୋଟିଏ ଗାଁରୁ ଆଉ ଗୋଟିଏ ଗାଁକୁ ବ୍ୟାପକ ହେଲା ପଟ୍ଟଚିତ୍ରର ନିଖୁଣ ଚିତ୍ରକଳା । ସମୟାନୁକ୍ରମେ ଏବେ ପ୍ରାୟ ୩ଶହରୁ ଅଧିକ ମହିଳା ଏହି କଳାକୁ ଆଦରି ନେଇ ପରିବାର ପ୍ରତିପୋଷଣ କରିପାରୁଛନ୍ତି । ପରିବାର ସମୃଦ୍ଧିରେ ଅଂଶୀଦାର ପାଲଟିଛନ୍ତି । ଏହି ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବାରେ ପ୍ରାଶାସନିକ ଉଦ୍ୟମ ଯେତିକି ରହିଛି ତା’ଠାରୁ ଢେର ଅଧିକ ଉତ୍ସାହ ଓ ସାହସ ଦେଇଛନ୍ତି ତରୁଲତା । ବାଙ୍କୀ କେନ୍ଦୁପଲ୍ଲୀ ଅଞ୍ଚଳର ତରୁଲତା ଛୋଟବେଳୁ ପଟ୍ଟଚିତ୍ରର ମାୟାରେ ପଡ଼ିଯାଇଥିଲେ । ମାଟ୍ରିକ୍ ପାସ୍ ପରେ ସେ ଓରମାସ୍ ତରଫରୁ ଦିଆଯାଇଥିବା ପଟ୍ଟଚିତ୍ର ପ୍ରଶିକ୍ଷଣ ନେଇଥିଲେ ।
ସେତେବେଳେ ଓରମାସ୍ ପକ୍ଷରୁ ପୁରୀ ରଘୁରାଜପୁରର ପ୍ରସିଦ୍ଧ ପଟ୍ଟଚିତ୍ର ପ୍ରଶିକ୍ଷଣ ବାଙ୍କୀରେ ଦିଆଯାଉଥିଲା । ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ୬ଶହରୁ ଅଧିକ ମହିଳା ଏହି ପ୍ରଶିକ୍ଷଣ ଶିବିରରେ ସାମିଲ୍ ହୋଇଥିଲେ । କିନ୍ତୁ ପ୍ରଶିକ୍ଷଣ ପରେ କେହି ଏହାକୁ ରୋଜଗାରର ମାଧ୍ୟମ କରିପାରିନଥିଲେ । ପଟ୍ଟଚିତ୍ର ଖର୍ଚ୍ଚବହୁଳ ଓ ସମୟ ସାପେକ୍ଷ କାମ ହେଉଥିବାରୁ ଏଥିପ୍ରତି ବିଶେଷ କେହି ଆକୃଷ୍ଟ ହୋଇପାରିନଥିଲେ । ଯେଉଁ ହାତଗଣତି କିଛି ମହିଳା କାମ ଜାରି ରଖିଥିଲେ ସେମାନେ ମଧ୍ୟ ନିଜ ଉତ୍ପାଦକୁ ବଜାରକୁ ଛାଡ଼ିବା ସ୍ଥିତିରେ ନଥିଲେ । ଅର୍ଥାତ୍ ବରାଦ ଅନୁସାରେ, କାମ କରିବା ଏବଂ ବଜାର ଚାହିଦା ମୁତାବକ ଉତ୍ପାଦନ କରିବା ସେମାନଙ୍କ ଲାଗି ଏତେ ସହଜ ବ୍ୟାପାର ନଥିଲା । ଏ ସ୍ଥିତିରେ ତରୁଲତା ବାଙ୍କୀରେ ପ୍ରସ୍ତାବିତ ପଟ୍ଟଚିତ୍ର କ୍ଲଷ୍ଟର୍ର ମଙ୍ଗ ଧରିଲେ । ନିଜସ୍ୱ ଉଦ୍ୟମରେ ମହିଳାଙ୍କୁ ଡାକି ନେଇ ସେମାନଙ୍କୁ ପଟ୍ଟଚିତ୍ର କରାଇବା ଶିଖାଇଲେ । କାରଣ ଯେଉଁମାନେ ସେ ସମୟରେ ଶିଖିଥିଲେ ସେମାନଙ୍କ ମଧ୍ୟରୁ ଅନେକ ବିବାହ କରିସାରିଥିବା ବେଳେ ଅନ୍ୟମାନେ ଏଥିପ୍ରତି ଇଛୁକ ନଥିଲେ । ତେଣୁ ନୂଆ ମହିଳାଙ୍କୁ ପଟ୍ଟଚିତ୍ର ପ୍ରସ୍ତୁତ ତିଆରି କରିବା ଶିଖାଇ ତରୁଲତା ପ୍ରଚେଷ୍ଟା କରିଥିଲେ ।
ପାରିବାରିକ ଝଡ଼ଝଞ୍ଜା ଓ ସ୍ୱାମୀଙ୍କଠାରୁ ବିଚ୍ଛେଦର ଦୁଃଖକଷ୍ଟ ଭିତରେ ବି ଆଜିକୁ ପ୍ରାୟ ୧୨ବର୍ଷ ଧରି ତରୁଲତା ଶହ ଶହ ସଂଖ୍ୟାରେ ମହିଳାଙ୍କୁ ପଟ୍ଟଚିତ୍ର ପ୍ରଶିକ୍ଷଣ ଦେଇପାରିଛନ୍ତି । କେବଳ ତରୁଲତା ନୁହନ୍ତି ଓରମାସ୍ ସହ ଯୋଗାଯୋଗ କରି ଏଠାରେ ମହିଳାମାନଙ୍କୁ ପଟ୍ଟଚିତ୍ରର ପେସାଦାର ପ୍ରଶିକ୍ଷଣ ବ୍ୟବସ୍ଥା ମଧ୍ୟ କରିଥିଲେ । ଏବେ ବାଙ୍କୀର ଜଗନ୍ନାଥପୁର, ଢଁସର, କେନ୍ଦୁପଲ୍ଲୀ, ପତନି, ଗୋପବନ୍ଧୁପୁର ଭଳି ପ୍ରାୟ ୫ ଗ୍ରାମରେ ପଟ୍ଟଚିତ୍ର କରୁଥିବା ମହିଳାଙ୍କ ସଂଖ୍ୟା ପ୍ରାୟ ୩ଶହ ପାର୍ ।
ବାଙ୍କୀରେ ପ୍ରସ୍ତୁତ ପଟ୍ଟଚିତ୍ର ଏତେ ନିଖୁଣ ହେଉଛି ଯେ, ରଘୁରାଜପୁରରୁ ମଧ୍ୟ ଏଠାକୁ ଅର୍ଡର ଆସୁଛି । ସମ୍ପୂର୍ଣ୍ଣ ଦେଶୀ ଶୈଳୀରେ ପଟ୍ଟଚିତ୍ର ପ୍ରସ୍ତୁତ କରାଯାଉଛି । ବଡ଼ମ୍ବାରୁ ତାଳପତ୍ର, ନୂଆପାଟଣାରୁ ଟସର ଅଣାଯାଇ ଏଠାରେ ପଟ୍ଟଚିତ୍ର ତିଆରି କରୁଛନ୍ତି ମହିଳା । ପୁରୁଣା ଶାଢ଼ିକୁ କାଟି ସେଥିରେ ଦେଶୀ ଉପାୟରେ ତିଆରି ଅଠା ବ୍ୟବହାର କରି ପଟି ତିଆରି କରାଯାଉଛି । ତା’ପରେ ରଙ୍ଗ ଓ ତୁଳୀ ସହାୟତାରେ ବିଭିନ୍ନ ଶୈଳୀର ପଟ୍ଟଚିତ୍ର ତିଆରି କରାଯାଉଛି । କେବଳ କପଡ଼ାରେ ନୁହେଁ, ବରଂ ବିଭିନ୍ନ ଅଦରକାରୀ ସାମଗ୍ରୀ ଯେମିତି ବୋତଲ, ଚା’ କେଟ୍ଲି ଆଦି ବସ୍ତୁରେ ଅତି ନିଖୁଣ ଭାବେ ଚିତ୍ର କରାଯାଇ ଏହାକୁ ବିଭିନ୍ନ ପ୍ରଦର୍ଶନୀକୁ ନେଇ ଯାଉଛନ୍ତି ମହିଳାମାନେ । ଓରମାସ୍, ଉତ୍କଳିକା ତରଫରୁ ବିଭିନ୍ନ ସମୟରେ କାମ ବରାଦ ବି ଦିଆଯାଉଛି । ଯଦି ମୋଟ୍ ଉପରେ ହିସାବ ଦେଖାଯାଏ ବାଙ୍କୀରୁ ବାର୍ଷିକ ପାଖାପାଖି କୋଟିଏ ଟଙ୍କାର ପଟ୍ଟଚିତ୍ର ବିକ୍ରି ହେଉଥିବା ଆକଳନ କରାଯାଉଛି । ଏଭଳି ସ୍ଥିତିରେ ହରିରାଜପୁର ଭଳି ବାଙ୍କୀର ଏହି ସବୁ ଗାଁକୁ ପଟ୍ଟଚିତ୍ର କ୍ଲଷ୍ଟର୍ ଭାବେ ବିକଶିତ ହୋଇପାରିଲେ ପର୍ଯ୍ୟଟନର ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ତରୁଲତା କହିଛନ୍ତି ।