ପ୍ରମୂଖ ଖବର

ଡିସେମ୍ବରରୁ ମହାବଳ ନଂ ୩୩ ନିଖୋଜ, ୪ ମାସ ହେବ କ୍ୟାମେରାରେ ଧରାପଡୁନି

କେନ୍ଦୁଝର,୧୩/୦୪: କେନ୍ଦୁଝର ବନଖଣ୍ଡର ଅଟେଇ ସଂରକ୍ଷିତ ଜଙ୍ଗଲରେ ଶିମିଳିପାଳରୁ ଏକ ମହାବଳ ଆସି  ଅବସ୍ଥାନ କରୁଥିଲା । ଗତବର୍ଷ ଫେବୃଆରୀ ମାସରେ ମହାବଳ କେନ୍ଦୁଝରରେ ରହିଥିବା ସ୍ପଷ୍ଟ ହେବା ପରେ ବନବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇ ମହାବଳର ସୁରକ୍ଷାକୁ କଡ଼ାକଡ଼ି କରିଥିଲା । ହେଲେ ଗତ ଡିସେମ୍ବର ୪ ତାରିଖ ପରଠାରୁ ମହାବଳ କେଉଁଆଡ଼େ ଗଲା ତାହା ବନବିଭାଗକୁ ଜଣାନାହିଁ । ଜଙ୍ଗଲରେ  ଲଗା ଯାଇଥିବା କ୍ୟାମେରାରେ ମହାବଳ  ଧରାପଡୁନଥିବାରୁ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ।  ମହାବଳ ପୁଣି ଶିମିଳିପାଳକୁ ଫେରି ଯାଇଥିବା ବନବିଭାଗ ଅନୁମାନ କରିଛି । 

କେନ୍ଦୁଝର ବନଖଣ୍ଡରେ ଗତବର୍ଷ ଫେବୃଆରୀ  ମାସଠାରୁ ଏକ ମହାବଳ ବାଘ ଯା’ଆସ କରୁଥିବା ସୂଚନା  ରହିଥିଲା । ଶିମିଳିପାଳ ଜାତୀୟ ଉଦ୍ୟାନରୁ ଏହି ବାଘଟି  ନିୟମିତ ବ୍ୟବଧାନରେ କେନ୍ଦୁଝର ବନଖଣ୍ଡ ଦେଇ  ଆନନ୍ଦପୁର ବନଖଣ୍ଡରେ ପ୍ରବେଶ କରୁଥିଲା । ଶିମିଳିପାଳରେ ଏହି ମହାବଳର ନମ୍ବର ୩୩ ରହିଥିଲା । ଶିମିଳିପାଳ,  ସାତକୋଶିଆ, ଅଟେଇ, ରେବଣା ପଳାଶପାଳ ଦେଇ  ଏହି ବାଘ ଚଳପ୍ରଚଳ କରୁଛି । ବାଘ ପାଇଁ ଏହି ଅଞ୍ଚଳରେ  ଭରପୂର ଖାଦ୍ୟ ରହିଥିବାରୁ ସେ ଆକୃଷ୍ଟ ହୋଇ ଆସୁଛି ବୋଲି  ବନବିଭାଗ ପକ୍ଷରୁ କୁହାଯାଇଥିଲା । ପ୍ରତ୍ୟେକ ବାଘ ୪୦  କିଲୋମିଟର ବ୍ୟାସାର୍ଦ୍ଧରେ ରହିବାକୁ ଆଗ୍ରହ ଦେଖାଇଥାଏ ।  

ବାଘର ଗତିବିଧିକୁ ଅନୁଧ୍ୟାନ କରିବାକୁ ୬୦ଟି କ୍ୟାମେରା  ଲଗା ଯାଇଥିଲା । ଏହି ଉଚ୍ଚକ୍ଷମତା ସମ୍ପନ୍ନ କ୍ୟାମେରା  ୧.୪ କିଲୋମିଟର ପର୍ଯ୍ୟନ୍ତ ଗତିବିଧିକୁ ଟ୍ରାକ୍‌ କରିବାର  ଦକ୍ଷତା ରହିଛି। ଏହା ଏକ ଅଣ୍ଡିରା ମହାବଳ ବାଘ ବୋଲି  ବନବିଭାଗ ସ୍ପଷ୍ଟ କରିଥିଲା । ୧୬ ହଜାର ହେକ୍ଟର ବିଶିଷ୍ଟ  ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘ ରହୁଥିବାରୁ  ଏହାର ସୁରକ୍ଷା ପାଇଁ ଏସ୍‌ଟିଏଫ୍‌, ପୁଲିସ, କ୍ରାଇମ୍‌ବ୍ରାଞ୍ଚ, ବନ  ବିଭାଗ ସହିତ ଶିମିଳିପାଳ ବ୍ୟାଘ୍ର ସଂରକ୍ଷକ  ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିୟନ୍ତ୍ରଣ  ହେଉଥିଲା । କିଛିଦିନ ପୂର୍ବରୁ ଶିମିଳିପାଳରୁ  ଏକ ବାଘୁଣୀ ଅଟେଇ ଜଙ୍ଗଲକୁ ଆସି  ଫେରି ଯାଇଥିଲା । ଏହାପରେ ମହାବଳଟି  ପ୍ରାୟ ଡିସେମ୍ବର ମାସ ପର୍ଯ୍ୟନ୍ତ ରହିଥିଲା ।  

ଡିସେମ୍ବର ୪ ତାରିଖ କ୍ୟାମେରାରେ ବାଘର  ଗତିବିଧି ଧରାପଡିଥିଲା । ମାତ୍ର ଏହା ପରଠାରୁ  ମହାବଳ କେଉଁ ପଟକୁ ଯାଇଛି ବନବିଭାଗ  ନିକଟରେ ଖବର ନାହିଁ । ଏ ସମ୍ପର୍କରେ  ମହାବଳ ସୁରକ୍ଷା ଦାୟିତ୍ୱରେ ଥିବା ଘଟଗାଁ  ଏସିଏଫ୍‌ ତଥା ଭାରପ୍ରାପ୍ତ ବନଅଧିକାରୀ  ପ୍ରଭାତ କୁମାର କୁଅଁରଙ୍କୁ ପଚାରିବାରୁ ଏବେ ବାଘର ମିଳନ  ସମୟ । ତେଣୁ ସେ ଶିମିଳିପାଳକୁ ଫେରି ଯାଇଥିବା ଅନୁମାନ  କରାଯାଉଛି । ଡିସେମ୍ବର ୪ ତାରିଖ ପରଠାରୁ ମହାବଳ  କେନ୍ଦୁଝର ବନଖଣ୍ଡରେ ଥିବା ସେ କହିଛନ୍ତି । 

ପ୍ରକାଶଥାଉକି ମହାବଳ ବାଘର ସୁରକ୍ଷା ପାଇଁ ଗଠନ ହୋଇଥିଲା ଜଏଣ୍ଟ  ଟ୍ରାକ୍‌ ଫୋର୍ସ । ବାଘର ସୁରକ୍ଷା ଶିମିଳିପାଳ ବ୍ୟାଘ୍ର ସଂରକ୍ଷକ  (ଏସ୍‌ଟିଏଫ୍‌)ଙ୍କ ଦ୍ୱାରା କରାଯିବ । ଏଥିନେଇ ଏକ ସ୍ୱତନ୍ତ୍ର  ଟିମ୍‌ ଗଠନ କରାଯାଇଥିଲା । ଅଟେଇ ସଂରକ୍ଷିତ ଜଙ୍ଗଲରେ  ଥିବା ୪ଟି ରାସ୍ତାକୁ ଅସ୍ଥାୟୀ ଭାବରେ ଜନସାଧାରଣଙ୍କ  ପାଇଁ ବନ୍ଦ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.