ଭଞ୍ଜନଗର, ୧୯।୮: ଭଞ୍ଜନଗର ବୁଗୁଡ଼ା ହୀରାପଲ୍ଲୀ ଗାଁରେ ବାଘ ଆତଙ୍କ । ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ହୀରାପଲି ଗ୍ରାମରେ ବାଘ ପାଇଁ ଲୋକଙ୍କ ମନରେ ଛନକା ପଶିଛି । ଗାଁ ନିକଟ ଜଙ୍ଗଲରେ ବାଘ ଗୋଟିଏ ବଳଦକୁ ଘୋଷାଡ଼ି ନେଇ ମାରି ଖାଇଥିବା ଜଣାପଡ଼ିଛି । ଘଟଣାସ୍ଥାଳରେ ବାଘର ପାଦ ଚିହ୍ନ ଠାବ କରିଥିବା ବେଳେ ବନବିଭାଗ ଏନେଇ ଅଧିକ ତଦନ୍ତ ଜାରି ରଖିଛି । ତେବେ ଗାଁରେ ବାଘ ପଶୁଥିବାରୁ ହୀରାପଲ୍ଲୀ ଗ୍ରାମବାସୀଙ୍କ ମନରେ ଛନକା ପଶିଛି । ବାଘ ଭୟରେ ସନ୍ଧ୍ୟା ନ ହେଉଣୁରୁ ଗାଁ ଲୋକଙ୍କ ତାଟି କବାଟ ପଡ଼ିଯାଉଛି ।
ସୂଚନାନୁସାରେ, ଗାଁର ଦେବରାଜ ନାୟକ ଗାଈ ଚରାଇବା ପାଇଁ ଜଙ୍ଗଲକୁ ଯାଇଥିଲେ । ଠିକ୍ ଏହି ସମୟକେ ହଠାତ୍ ଗୋଟିଏ ବାଘ ଗୋଟିଏ ବଳଦକୁ ମାଡ଼ିବସି ବଳଦଟିକୁ ମାରିଦେଇଥିଲା । ଦେବରାଜ ଚିତ୍କାର କରିବାରୁ ବାଘଟି ଜଙ୍ଗଲ ଆଡ଼କୁ ପଳାଇଥିଲା । ପରେ ଦେବରାଜ ଗାଈପଲକୁ ନେଇ ଗାଁକୁ ଫେରିବା ପରେ ଘଟଣା ବିଷୟରେ ଗ୍ରାମବାସୀଙ୍କୁ କହିଥିଲେ । ବାଘଟି ବଳଦର ପଛ ଭାଗକୁ ଖାଇଦେଇଥିବାର ଗ୍ରାମବାସୀ ଦେଖିବାକୁ ପାଇଲେ । ଖବର ପାଇ ବୁଗୁଡ଼ା ବନାଞ୍ଚଳ ଓ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ବାଘ ପାଦଚିହ୍ନକୁ ମଧ୍ୟ ଚିହ୍ନଟ କରିଛି ବନବିଭାଗ । ଏହି ବାଘଟି କେଉଁ ପ୍ରଜାତିର ଜଣାପଡ଼ୁନଥିଲେ ସୁଦ୍ଧା ଏହା ଭଞ୍ଜନଗର ଉତ୍ତର ଓ ଦକ୍ଷିଣ ଘୁମୁସର ଅଞ୍ଚଳରେ ୩ ମାସ ଧରି ଗୃହପାଳିତ ପଶୁଙ୍କୁ ଶିକାର କରି ଖାଇବାରେ ଲାଗିଛି । ଏହି ବାଘଟି ବେଳେ ବେଳେ କନ୍ଧମାଳ ଓ ନୟାଗଡ଼ ଜଙ୍ଗଲକୁ ପଳେଇ ଯାଇ ପୁଣି ଫେରୁଆସୁଥିବା ବନବିଭାଗ ଅଧିକାରୀ କହିଛନ୍ତି ।