ନୂଆଦିଲ୍ଲୀ,୨୪/୦୯:ବୋଇଙ୍ଗ ଷ୍ଟାରଲାଇନର କ୍ୟାପସୁଲରେ ୮ଦିନ ପାଇଁ ମହାକାଶ ଯାଇ ଫସିଛନ୍ତି ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ । ତାଙ୍କୁ ପୃଥିବୀ ସୁରକ୍ଷିତ ଫେରାଇ ଆଣିବା ଲାଗି ଆସନ୍ତା ଗୁରୁବାରରେ ନାସା ଓ ଏଲନ ମସ୍କଙ୍କ SpaceX ପକ୍ଷରୁ କ୍ରୁ-9 ମିଶନ ଲଞ୍ଚ ହେବାକୁ ଯାଉଛି । ଏହି ମିଶନ ବହୁ ଗୁରୁତ୍ବପୂର୍ଣ୍ଣ କାରଣ ଏହା ସୁନୀତା ଓ ସହ ମହାକାଶଚାରୀ ୱିଲମୋରଙ୍କୁ ନେଇ ଆସନ୍ତା ବର୍ଷ ଫେବୃଆରୀରେ ପୃଥିବୀ ଫେରିବ । କିନ୍ତୁ ଏହି ମିଶନରେ ବାଧା ସାଜିପାରେ ଟ୍ରପିକାଲ ସାଇକ୍ଲୋନ-୯। ଯାହାକି ମେକ୍ସିକୋ ଓ ଫ୍ଲୋରିଡାର ପଶ୍ଚିମ ଉପକୂଳ ଅଞ୍ଚଳରେ ଘନେଇବାରେ ଲାଗିଛି ।
ଗୁରୁବାର ଏହି ମିଶନ ଲଞ୍ଚ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଏହି ମିଶନରେ ୨ଟି ମହାକାଶଚାରୀ ଯିବାକୁ ଥିବା ବେଳେ ଆଉ ୨ଟି ସିଟ୍ ସୁନୀତା ଓ ତାଙ୍କ ସହଯୋଗୀଙ୍କ ଲାଗି ଖାଲି ରହିବ । ସେମାନେ ୨୦୨୫ ଫେବୃଆରୀରେ ପୃଥିବୀ ଫେରିବେ । ହେଲେ ମିଶନଟି ଏବେ ବାଧାର ସମ୍ମୁଖୀନ ହୋଇଛି । ମେକ୍ସିକୋ ଓ ଫ୍ଲୋରିଡାର ପଶ୍ଚିମ ଉପକୂଳରେ ସୃଷ୍ଟି ହୋଇଥିବା ବାତ୍ୟା ଏହି ମିଶନକୁ ପ୍ରଭାବିତ କରିପାରେ । ତେବେ ନାସା,ସ୍ପେସ୍ ଏକ୍ସ ଏବଂ ଆମେରିକାର ସ୍ପେସ୍ ଫୋର୍ସର ୪୫ତମ ପାଣିପାଗ ସ୍କ୍ବାଡ୍ରୋନ୍ ଟ୍ରପିକାଲ୍ ସାଇକ୍ଲୋନ୍-୯ ଉପରେ ତୀକ୍ଷ୍ନ ନଜର ରଖିଛନ୍ତି। ସୁନୀତାଙ୍କୁ ଫେରାଇ ଆଣିବା ଲାଗି ଲଞ୍ଚ ହେବାକୁ ଥିବା କ୍ରୁ-୨ ମିଶନର ଯାଞ୍ଚ ସଫଳତାର ସହିତ ଶେଷ ହୋଇଛି । ଏହି ମିଶନରେ ନାସା ମହାକାଶଚାରୀ ନିକ୍ ହଗ୍ ମିଶନ କମାଣ୍ଡର ଥିବା ବେଳେ ରୋସ୍କୋସମସ କସମୋନଟ୍ ମିଶନ ସ୍ପେଶାଲିଷ୍ଟ ଅଛନ୍ତି । ସ୍ପେଶଏକ୍ସ ଡ୍ରାଗନ ସ୍ପେଶକ୍ରାଫ୍ଟ ଲଞ୍ଚ କରିବା ଲାଗି ଫାଲକନ ୨ ରକେଟର ସାହାଯ୍ୟ ନିଆଯିବ, ଯାହାକି ମଙ୍ଗଳବାର କେପ କାନାଭେରାଲ ସ୍ପେଶ ଫୋର୍ସ ଷ୍ଟେସନରେ ରଖାଯାଇଛି । ରକେଟ୍ର ଇଞ୍ଜିନ ଠିକ ଅଛି କି ନାହିଁ ସେଥିଲାଗି ଏକ ଫାୟାର ଟେଷ୍ଟ ମଧ୍ୟ ଖୁବଶୀଘ୍ର କରାଯିବ । ଥରେ ଏହି ମିଶନ ଲଞ୍ଚ ହେବା ପରେ କ୍ରୁ-୨ ମିଶନର ମହାକାଶଚାରୀ ୫ମାସ ଧରି ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ ରହିବେ । ଏହି ସମୟରେ ସେମାନେ ବିଭିନ୍ନ ପ୍ରକାର ଗବେଷଣା ସହିତ ସ୍ପେଶୱାକ୍ ମଧ୍ୟ କରିବେ ବୋଲି ଜଣାପଡ଼ିଛି ।