ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ତାତି ଯନ୍ତ୍ରଣା ଆହୁରି ୧୦ ଦିନ: ଦୁଇ ଦିନ ପାଇଁ ରେଡ୍‌ ୱାର୍ଣ୍ଣିଂ, ମେ' ୨ରେ ଉପକୂଳରେ ସାମାନ୍ୟ କମିପାରେ

Published By : Prameya | April 30, 2024 7:12 AM

ଭୁବନେଶ୍ୱର,୩୦/୦୪: ଲଗାତାର ୧୫ ଦିନ ଲାଗି ରହିଲାଣି ଅଗ୍ନିବର୍ଷା । ଆହୁରି ୧୦ ଦିନ ନିସ୍ତାର ନାହିଁ । ଆଗାମୀ ୩ ଦିନ ଅତି ପ୍ରଚଣ୍ଡ । ଆଉ ୨/୩ ଡିଗ୍ରୀ ବଢ଼ିଯିବ ଦିନ ତାପମାତ୍ରା । 

ମେଘର ଚିହ୍ନବର୍ଣ୍ଣ ନାହିଁ । କାଁ ଭାଁ କାଳବୈଶାଖୀକୁ ଛାଡ଼ିଦେଲେ ୧୦ ଦିନ ଯାଏ ବର୍ଷାର କାଣିଚାଏ ବି ଆଶା ନାହିଁ । ସ୍ଥିତି ଅତି ଗମ୍ଭୀର ହେବାକୁ ଯାଉଛି । ପାଣିପାଗ ବିଶେଷଜ୍ଞଙ୍କ ଏ ପୂର୍ବାନୁମାନ ସମସ୍ତଙ୍କ ହୋସ୍‌ ଉଡ଼ାଇ ଦେଲାଣି । ସବୁଠି ତ୍ରାହୀ ତ୍ରାହୀ ଡାକ । 

ସୋମବାର ବାରିପଦାରେ ତାତି ୪୫ ଡିଗ୍ରୀ ସେଲସିୟସ୍‌ ପାଖାପାଖି ରହିଛି । ଦିନ ସାଢ଼େ ୧୧ଟା ସୁଦ୍ଧା ବାଲେଶ୍ୱର,  କେନ୍ଦୁଝର ଓ ଭୁବନେଶ୍ୱରରେ ତାତି ୪୦ ଡିଗ୍ରୀ ଟପି ଯାଇଥିଲା । ସବୁଠୁ ବିପଜ୍ଜନକ ଥିଲା ଭୀଷଣରୁ ଅତି ଭୀଷଣ ଗ୍ରୀଷ୍ମପ୍ରବାହ । ଏହାକୁ ସହ୍ୟ କରିବା ଏକପ୍ରକାର ମୁସ୍କିଲ ହୋଇ ପଡୁଥିଲା । ପ୍ରଚଣ୍ଡ ତାତି ସାଙ୍ଗକୁ ଗ୍ରୀଷ୍ମପ୍ରବାହ ଯୋଗୁ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି । 

ସୋମବାର ସୁଦ୍ଧା ରାଜ୍ୟରେ ମୋଟ ୨୫୭ ଜଣ ଅଂଶୁଘାତର ଶିକାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ସୁନ୍ଦରଗଡ଼ରୁ ସର୍ବାଧିକ ୬୦ ଓ ମୟୂରଭଞ୍ଜରୁ ୪୦ ଜଣ ଅଂଶୁଘାତର ଶିକାର ହୋଇଛନ୍ତି । ବାଲେଶ୍ୱର ଓ ଢେଙ୍କାନାଳ ଜିଲ୍ଲାରୁ ମୋଟ ୨ଜଣଙ୍କର ଅଂଶୁଘାତ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି । 

ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୧୦ ଦିନ ଯାଏ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା କମିବାର ସମ୍ଭାବନା ନାହିଁ । ପଶ୍ଚିମ ଓ ଦକ୍ଷିଣ ଆଭ୍ୟନ୍ତରରେ ତାତି କ୍ରମଶଃ ବଢ଼ିବ । ଅଧିକାଂଶ ସ୍ଥାନରେ ତାତି ୪୪ ଡିଗ୍ରୀ ଉପରେ ରହିବ । ଭୁବନେଶ୍ୱରରେ ୨ ବା ୪ ତାରିଖରେ ତାତି କ୍ରମଶଃ କମିବ । ଉପକୂଳ ଓ ଏହାର ସଂଲଗ୍ନ ଅଞ୍ଚଳରେ ତାତି କ୍ୱଚିତ୍‌ କମିପାରେ ବୋଲି ସେ କହିଛନ୍ତି ।

୩୦ ତାରିଖ(ମଙ୍ଗଳବାର)ଭୁବନେଶ୍ୱର ସମେତ ଅନୁଗୁଳ, ତାଳଚେର, ବାରିପଦା, ଝାରସୁଗୁଡ଼ା ଓ ବୌଦ୍ଧରେ ତାତି ୪୪ରୁ ୪୬ ଡିଗ୍ରୀ ରହିବ ବୋଲି ସେ ସତର୍କ କରାଇଛନ୍ତି । ୩୦ ଓ ୧ ତାରିଖ ଦୁଇ ଦିନ ଗ୍ରୀଷ୍ମପ୍ରବାହ ଜାରି ରହିବ । ଏଥିପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । 

ମଙ୍ଗଳବାର ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ ଓ କଟକରେ ଅତି ଭୀଷଣ ଗ୍ରୀଷ୍ମପ୍ରବାହ ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିଭଳି ସମ୍ବଲପୁର, ଯାଜପୁର,  ଜଗତସିଂହପୁର, କେନ୍ଦ୍ରାପଡ଼ା, ବଲାଙ୍ଗୀର, ସୋନପୁର, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼, ନବରଙ୍ଗପୁର, ଦେବଗଡ଼, ନୂଆପଡ଼ା, ସୁନ୍ଦରଗଡ଼, ରାୟଗଡ଼ା ଓ ଝାରସୁଗୁଡ଼ାରେ ଗ୍ରୀଷ୍ମପ୍ରବାହ ବହିବ । ଏ ସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆସନ୍ତା ୧ ତାରିଖରେ ବି ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କେନ୍ଦୁଝରରେ ଅତି ଭୀଷଣ ଗ୍ରୀଷ୍ମପ୍ରବାହ ବହିବ । ଏଥିପାଇଁ ରେଡ୍‌ ୱାର୍ଣ୍ଣିଂ ଦିଆଯାଇଛି ।  ଡ. ପଶୁପାଳକ ଆକଳନ ଅନୁସାରେ, ୩୦ରେ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା ଓ ଢେଙ୍କାନାଳରେ ତାତି ୧ରୁ ୨ ଡିଗ୍ରୀ ବଢ଼ିବ । ଏ ସବୁ ଅଞ୍ଚଳରେ ରାଜ୍ୟରେ ସବୁଠୁ ତତଲା ଅଞ୍ଚଳ ପାଲଟିବ । ମେ ୧ ତାରିଖରେ ବି ଏହି ସମସ୍ତ ଜିଲ୍ଲାରେ ପ୍ରଚଣ୍ଡ ତାତି ଅନୁଭୂତ ହେବ । ଗଞ୍ଜାମ, ଗଜପତି, ନୟାଗଡ଼, ଅନୁଗୁଳ ଓ ବୌଦ୍ଧରେ ତାତି ୧ରୁ ୨ ଡିଗ୍ରୀ ବଢ଼ିବ । ମେ ୨ ତାରିଖରେ ଭୁବନେଶ୍ୱର ସମେତ କିଛି ସ୍ଥାନରେ ତାପମାତ୍ରା କମିପାରେ ।

ସୋମବାର ଅନୁଗୁଳରେ ତାତି ୪୪.୩ ଡିଗ୍ରୀ ରହିଛି । ଏଠାରେ ସ୍ୱାଭାବିକଠାରୁ ୪ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି । ବୌଦ୍ଧରେ ୪୪.୧, ତାଳଚେରରେ ୪୪, ଟିଟିଲାଗଡ଼ରେ ୪୩.୫, ଢେଙ୍କାନାଳରେ ୪୩.୨, ଭବାନୀପାଟଣା, ନୟାଗଡ଼, ମାଲକାନଗିରି, ବଲାଙ୍ଗୀର, କେନ୍ଦୁଝର ଓ ନୂଆପଡ଼ାରେ ତାପମାତ୍ରା ୪୩ ଡିଗ୍ରୀ ରହିଛି ।  ଝାରସୁଗୁଡ଼ା ଓ ସମ୍ବଲପୁରରେ ୪୨.୯ ଡିଗ୍ରୀ ରେକର୍ଡ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.