କୋଲକାତା: ମହିଳା ବିରୋଧୀ ହିଂସାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପତ୍ର ଲେଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦୁଷ୍କର୍ମ ବିରୋଧରେ କଠୋର ଆଇନ୍ ଆଣିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏନେଇ ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ଅଲପନ ବନ୍ଦୋପାଧ୍ୟାୟ ସୂଚନା ଦେଇଛନ୍ତି । ସିଏମ ମମତା ବାନାର୍ଜୀ ନିଜ ପତ୍ରରେ ଲେଖିଛନ୍ତି, ‘ଦେଶବ୍ୟାପୀ ଦୁଷ୍କର୍ମ ମାମଲା ବୃଦ୍ଧି ପାଉଛି । ଦୁଷ୍କର୍ମ ସହ ହତ୍ୟା ମାମଲା ମଧ୍ୟ ବଢ଼ିଛି । ଦେଶବ୍ୟାପୀ ପ୍ରତିଦିନ ପ୍ରାୟ ୯୦ଟି ଦୁଷ୍କର୍ମ ଘଟଣା ଘଟୁଛି । ଏହା ଦ୍ବାରା ସମାଜ ଓ ରାଷ୍ଟ୍ରର ବିଶ୍ବାସ ଏବଂ ବିବେକ ଦୋହଲିଯାଉଛି । ଆମ ସମସ୍ତଙ୍କ କର୍ତ୍ତବ୍ୟ ହେଉଛି ଏହାକୁ ସମାପ୍ତ କରିବା । ଫଳରେ ମହିଳା ନିଜକୁ ସୁରକ୍ଷିତ ମଣିପାରିବେ ।’
ସେ ଆହୁରି ଲେଖିଛନ୍ତି, ‘ଏଭଳି ଗମ୍ଭୀର ଏବଂ ସମ୍ବେଦନଶୀଳ ମାମଲାକୁ ରୋକିବା ଲାଗି କଠୋର କେନ୍ଦ୍ରୀୟ ଆଇନର ଆବଶ୍ୟକତା ରହିଛି । ଏହା ଦ୍ବାରା ଏଭଳି ମାମଲାରେ ସଂଶ୍ଳିଷ୍ଟ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ମିଳିପାରିବ ।’ ଚିଠି ମାଧ୍ୟମରେ ମମତା ବାନାର୍ଜୀ ୩ଟି ଦାବି କରିଛନ୍ତି । ପ୍ରଥମ ଦାବି- ଏଭଳି ଜଘନ୍ୟ ଅପରାଧକୁ ରୋକିବା ଲାଗି କଠୋର ଆଇନର ଆବଶ୍ୟକତା ରହିଛି । ଦ୍ବିତୀୟ ଦାବି- ପାଷ୍ଟଟ୍ରାକ୍ କୋର୍ଟରେ ଜଲଦି ଶୁଣାଣି ହେବା ଦରକାର । ତୃତୀୟ ଦାବି- ୧୫ ଦିନ ଭିତରେ ଟ୍ରାୟଲ ଶେଷ କରିବାକୁ ହେବ ।
I have written this letter today to the Hon'ble Prime Minister of India: pic.twitter.com/pyVIiiV1mn
— Mamata Banerjee (@MamataOfficial) August 22, 2024
ସବୁଠୁ ବଡ଼ କଥା ହେଉଛି କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୩୧ ବର୍ଷୀୟା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଦେଶରେ ଉତ୍ତେଜନା ବୃଦ୍ଧି ପାଇଛି । ମାମଲା ରୁଜୁ କରିବାରେ ଅହେତୁକ ବିଳମ୍ବକୁ ନେଇ ଆଜି ସୁପ୍ରିମକୋର୍ଟ ମମତା ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି । ଏଭଳି ସ୍ଥିତିରେ ନିଜର ସ୍ଥିତିକୁ ସୁଧାରିବା ପରିବର୍ତ୍ତେ କେନ୍ଦ୍ରକୁ ଚିଠି ଲେଖି ମହିଳା ସୁରକ୍ଷା କଥା କହୁଥିବା ମମତା ବାନାର୍ଜୀ ପ୍ରକୃତରେ ଦେଶକୁ କଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି, ତାକୁ ନେଇ ଚର୍ଚ୍ଚା ଲାଗିରହିଛି ।