ପଟ୍ଟାମୁଣ୍ଡାଇ, ୧୩/୦୮ : ବ୍ରାହ୍ମଣୀ ନଦୀରେ ମହିଳାଙ୍କୁ କୁମ୍ଭୀର ଟାଣିନେବା ଘଟଣା। ମଙ୍ଗଳବାର ସକାଳେ କୁଳସାହି ଆଶ୍ରମ ନିକଟ ନଦୀରୁ ମିଳିଲା ମହିଳାଙ୍କ କ୍ଷତବିକ୍ଷତ ମୃତଦେହ। ଘଟଣାସ୍ଥଳରେ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବାହିନୀ ପହଞ୍ଚି ମଞ୍ଜୁଲତାଙ୍କ ମୃତଦେହ ଉଦ୍ଧାର କରିଛି।
ସୂଚନାନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଧୋୟାଞ୍ଚଳ ଅଳପୁଆ ପଞ୍ଚାୟତ ଅଳପୁଆଡ଼ିଆ ଗ୍ରାମର ମଞ୍ଜୁଲତା ଭଞ୍ଜ (୫୧ ବର୍ଷ) ସୋମବାର ମଧ୍ୟାହ୍ନରେ ଖାଇ ସାରି ବ୍ରାହ୍ମଣୀକୁ ବାସନ ମାଜିବାକୁ ଯାଇଥିଲେ । ବହୁ ସମୟ ଧରି ସେ ଘରକୁ ନଫେରିବାରୁ ପରିବାର ଲୋକେ ବ୍ୟସ୍ତ ହୋଇ ତାଙ୍କୁ ଖୋଜିବାକୁ ଯାଇଥିଲେ । ନଦୀକୂଳରେ ତାଙ୍କ ଚପଲ ଭାସୁଥିବା ବେଳେ ବାସନ ସବୁ ଏଣେତେଣେ ବିଛାଡ଼ି ହୋଇ ପଡ଼ିରହିଥିବା ଦେଖି ସେମାନଙ୍କର ସନ୍ଦେହ ହୋଇଥିଲା । ଗ୍ରାମବାସୀ ରୁଣ୍ଡ ହୋଇ ବହୁ ଖୋଜାଖାଜି ପରେ ନପାଇବାରୁ ସେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିବା ଆଶଙ୍କା କରିଥିଲେ। ସ୍ଥାନୀୟ ଲୋକମାନେ ଏ ନେଇ ସ୍ଥାନୀୟ ପ୍ରଶାସନ ଓ ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଖୋଜାଖୋଜି କରିଥିଲେ ହେଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଞ୍ଜୁଲତାଙ୍କ ପତ୍ତା ମିଳି ପାରିନଥିଲା। ଆଜି କୁଳସାହି ଆଶ୍ରମ ନିକଟ ନଦୀରୁ ମଞ୍ଜୁଳାଙ୍କ କ୍ଷତବିକ୍ଷତ ଭାସୁଥିବା ଦେଖିବାକୁ ମିଳିଥିଲା। ପରେ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବାହିନୀ ପହଞ୍ଚି ମଞ୍ଜୁଳାଙ୍କ ମୃତଦେହ ଉଦ୍ଧାର କରିଛି।
ଗତବର୍ଷ ଧୋୟାଞ୍ଚଳ ତରଡ଼ିପାଳ ପଞ୍ଚାୟତ ଘାଗରାଡିଆ ଗ୍ରାମର ଗଙ୍ଗାଧର ତରାଇ, ପେଣ୍ଠପାଳ ପଞ୍ଚାୟତ କୁଳସାହିର ଟିକିଲି ବାବା ଓରଫ ଅମୂଲ୍ୟ ଦାସଙ୍କୁ କୁମ୍ଭୀର ଟାଣିନେଇ ମାରି ଦେଇଥିଲା । ସେହିଭଳି ନିମପୁର ଶାସନ ଗ୍ରାମର ଷଷ୍ଠ ଶ୍ରେଣୀର ଛାତ୍ର ଆଶୁତାଷ ଆଚାର୍ଯ୍ୟଙ୍କର କୁମ୍ଭୀର ଆକ୍ରମଣରେ ମୃତ୍ୟୁ ଘଟିଥିଲା । ଧୋୟାଞ୍ଚଳରେ ବାରମ୍ୱାର କୁମ୍ଭୀର ଆକ୍ରମଣ ଘଟଣା ଘଟୁଥିଲେ ମଧ୍ୟ ସରକାର ଓ ବନ ବିଭାଗ କୌଣସି ପଦକ୍ଷେପ ନେଉନଥିବା ଅଞ୍ଚଳରେ ଉତ୍ତେଜନାର କାରଣ ହୋଇଛି।