ରାଇରଙ୍ଗପୁର,୨୧।୧୧ ପ୍ରୟାସ ଟ୍ରଷ୍ଟ ର ସହଯୋଗରେ ଯୁବକ ଯୁବତୀଙ୍କୁ ରୋଜଗାରକ୍ଷମ କରାଇବା ପାଇଁ ପାହାଡପୁରଠାରେ ଲାର୍ସନ ଏଣ୍ଡ ଟ୍ୟୁବ୍ରୋ କମ୍ପାନୀ ଦ୍ୱାରା ନବନିର୍ମିତ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ରକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରୟାସ ଟ୍ରଷ୍ଟ ଦ୍ୱାରା ଏସ ଏଲ ଏସ ସ୍ମାରକୀ ଆବାସିକ ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କ ବିଭିନ୍ନ ହିତ ସାଧନ ନିମନ୍ତେ ଯୋଗାଇ ଦିଆଯାଉଥିବା ଏକ ବହୁମୁଖୀ ଉଦେଶ୍ୟ ସାଧନ "ସହଯୋଗୀ ବାହନ " ନାମକ ଏକ ଭ୍ୟାନକୁ ମଧ୍ୟ ମହାମହିମ ଉଦଘାଟନ କରିଥିଲେ । ଉକ୍ତ ଭ୍ୟାନକୁ ପ୍ରୟାସ ଟ୍ରଷ୍ଟର ସଭାପତି ମୀନା ସୁବ୍ରମନିୟନଙ୍କ ଦ୍ୱାରା ଏସ ଏଲ ଏସ ବିଦ୍ୟାଳୟକୁ ହସ୍ତାନ୍ତର କରାଯାଇଥିଲା । ଏହି ଅବସରରେ ମହାମହିମ ପ୍ରଶିକ୍ଷଣ କେନ୍ଦ୍ର ପରିସର ପରିଦର୍ଶନ କରିବା ସହ ଟିମ ସଦସ୍ୟ ଓ ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟ କରିଥିଲେ।
ଏହାପରେ ଏସ ଏଲ ଏସ ଆବାସିକ ବିଦ୍ୟାଳୟ ପରିସରରେ ଥିବା ସମାଧି ସ୍ଥଳର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ପାହାଡ଼ପୁର ଗ୍ରାମବାସୀ ତଥା ତା'ଙ୍କ ଆତ୍ମୀୟ ସ୍ୱଜନ ଙ୍କୁ ସମ୍ବୋଧିତ କରିବା ସହ ସେମାନଙ୍କ ସହିତ ସଂକ୍ଷିପ୍ତ ଭାବ ବିନିମୟ କରିଥିଲେ. ଏହା ପରେ ଉକ୍ତ ଆବାସିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।
ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଓଡିଶାର ରାଜ୍ୟପାଳ ରଘୁବର ଦାସ, ଜିଲ୍ଲାପାଳ ବିନୀତ ଭରଦ୍ୱାଜ ପ୍ରମୁଖ ଙ୍କ ସମେତ ରାଷ୍ଟ୍ରପତି ଭବନ ର ଉଚ୍ଚପଦସ୍ଥ ଅଧିକାରୀ, ଏଲ ଏଣ୍ଡ ଟି କମ୍ପାନୀ ର ବିଭିନ୍ନ ଅଧିକାରୀ ଓ ଜିଲ୍ଲା ସ୍ତରୀୟ ବିଭିନ୍ନ ପଦସ୍ଥ ଅଧିକାରୀ ମାନେ ଉପସ୍ଥିତ ଥିଲେ।