ନୂଆଦିଲ୍ଲୀ,୦୬/୦୨: ଜଳବାୟୁ ପରିବର୍ତ୍ତନ ଓ ବାୟୁ ପ୍ରଦୂଷଣ ଯୋଗୁ ପୃଥିବୀର ବାୟୁମଣ୍ଡଳରେ ଥିବା ଓଜୋନ ସ୍ତରରେ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି । ଏଥିଯୋଗୁ କେବଳ ଭାରତରେ ପ୍ରତିବର୍ଷ ୧ଲକ୍ଷ ୬୮ ହଜାର ଲୋକ ଅସମୟରେ ପ୍ରାଣ ହରାଉଛନ୍ତି ବୋଲି ଆମେରିକାର ୟେଲ ସ୍କୁଲ ଅଫ୍ ପବ୍ଲିକ ହେଲ୍ଥ ପକ୍ଷରୁ କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି । ଓଜୋନ ସ୍ତର ପ୍ରଦୂଷଣ ଯୋଗୁ ବିଶ୍ୱରେ ଯେତିକି ଲୋକଙ୍କ ମୃତ୍ୟୁ ହେଉଛି ଭାରତରେ ତା'ର ୪୬ ପ୍ରତିଶତ ରହିଛି । ଭାରତ ପରେ ଚୀନ୍ରେ ବର୍ଷକୁ ୯୩ ହଜାର ୩୦୦ ଜଣଙ୍କ ପ୍ରାଣହାନି ଘଟୁଛି । କାରଣ ଉଭୟ ଭାରତ ଓ ଚୀନ୍ରେ ଜନସଂଖ୍ୟା ଯଥେଷ୍ଟ ଅଧିକ ଏବଂ ଓଜୋନ ସ୍ତରର ପ୍ରଦୂଷଣ ମାତ୍ରା ଅନ୍ୟ ଦେଶଠାରୁ ଅଧିକ ଥିବା କୁହାଯାଇଛି ।
ଅଧ୍ୟୟନ ଅନୁସାରେ ୨୦୧୯ରେ ଓଜୋନ ସ୍ତର ପ୍ରଦୂଷିତ ହେବା ଫଳରେ ବିଶ୍ୱରେ ୩ ଲକ୍ଷ ୬୫ ହଜାର ଲୋକଙ୍କ ଜୀବନ ଯାଇଥିଲା । ଏହି ସଂଖ୍ୟା ବିଶ୍ୱରେ ସିଓପିଡି (କ୍ରୋନିକ ଅବଷ୍ଟ୍ରକଟିଭ୍ ପଲ୍ମୋନରୀ ଡିଜିଜ)ରେ ହେଉଥିବା ସବୁ ମୃତ୍ୟୁର ପ୍ରାୟ ୧୧ ପ୍ରତିଶତ । ଅର୍ଥାତ ସିଓପିଡିରେ ପ୍ରାଣ ହରାଉଥିବା ପ୍ରତି ୯ ଜଣଙ୍କ ମଧ୍ୟରେ ଜଣେ ଓଜୋନ ସ୍ତର ପ୍ରଦୂଷଣ ଯୋଗୁ ମୃତ୍ୟୁବରଣ କରୁଛନ୍ତି । ସିଓପିଡି ଏକ ଗମ୍ଭୀର ରୋଗ ଯାହାକି ଫୁସଫୁସକୁ ପ୍ରଭାବିତ କରିଥାଏ ଏବଂ ନିଃଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହୋଇଥାଏ । ଏହାର ମୁଖ୍ୟ କାରଣ ହେଉଛି ଧୂମପାନ ଓ ଆଜ୍ମା । ଓଜୋନ ସ୍ତରର ପ୍ରଦୂଷଣ ସଂସ୍ପର୍ଶରେ ଆସିବା ଫଳରେ ସିଓପିଡିର ବିପଦ ଆହୁରି ବଢ଼ିବାରେ ଲାଗିଛି । ଓଜନ ବାୟୁମଣ୍ଡଳକୁ ଘେରି ରହିଥିବା ଏକ ବାଷ୍ପ ସ୍ତର ଯାହାକି ସୂର୍ଯ୍ୟଠାରୁ ଆସୁଥିବା କ୍ଷତିକାରକ ଅତିବାଇଗଣୀ ରଶ୍ମୀ (ୟୁଏଭି)କୁ ପୃଥିବୀ ପୃଷ୍ଠରେ ପଡିବାରେ ରୋକିଥାଏ । ଓଜୋନ ସ୍ତର ପୃଥିବୀ ପୃଷ୍ଠରୁ ଉପରକୁ ୧୦ କି.ମି.ରୁ ୫୦ କି.ମି. ଭିତରେ ମିଳିଥାଏ । ପ୍ରଦୂଷଣ ହେବା ଫଳରେ ଏହା ଯଦି ତଳକୁ ଖସିଆସିବ ତେବେ ବଡ଼ ବିପଦ ସୃଷ୍ଟି ହେବ ।
ବାୟୁ ପ୍ରଦୂଷଣ ଓଜନ ସ୍ତର ଉପରେ ବିଭିନ୍ନ ପ୍ରକାର ନକାରାତ୍ମକ ପ୍ରଭାବ ପକାଇଥାଏ । ବାୟୁ ପ୍ରଦୂଷଣରେ ରହିଥିବା କାର୍ବନଡାଇଅକ୍ସାଇଡ ଓ ନାଇଟ୍ରୋଜେନ ଅକ୍ସାଇଡ ଓଜନ ସ୍ତରକୁ ଭୂପୃଷ୍ଠ ଆଡକୁ ଆସିବାରେ ଚାପ ପକାଇଥାଏ । ବିଶ୍ୱ ପାଣିପାଗ ସଙ୍ଗଠନର ଏକ ରିପୋର୍ଟ ଅନୁସାରେ ଗ୍ରୀନ ହାଉସ୍ ଗ୍ୟାସ ଉତ୍ସର୍ଜନ ଜାରି ରହିଲେ ଉତ୍ତର ଭାରତ, ବାଂଲାଦେଶ ଓ ପାକିସ୍ତାନରେ ଓଜୋନ ସ୍ତରର ପ୍ରଦୂଷଣ ୨୦ ପ୍ରତିଶତ ବଢ଼ିଯିବ । ଚୀନ୍ରେ ୧୦ ପ୍ରତିଶତ ବୃଦ୍ଧି ପାଇବ । ବିଶ୍ୱର ପ୍ରାୟ ୯୦ ପ୍ରତିଶତ ଲୋକ ଶ୍ୱାସପ୍ରଶ୍ୱାସରେ ପ୍ରଦୂଷିତ ବାୟୁ ନେବାକୁ ବାଧ୍ୟ ହେଉଛନ୍ତି । ଏହି କାରଣରୁ ପ୍ରତିବର୍ଷ ୭୦ ଲକ୍ଷ ଲୋକଙ୍କ ଜୀବନ ଯାଉଛି ।