ପ୍ରମୂଖ ଖବର

ତାଳଚେରରେ ଏଟିଏମ୍ ଭାଙ୍ଗି ଟଙ୍କା ଲୁଟ୍, ୧୦ ଲକ୍ଷ ଉପରେ ଲୁଟ୍ ହୋଇଥିବା ଅନୁମାନ

ତାଳଚେର, ୧୦/୧୨: ତାଳଚେର ବହ୍ଲର ଛକ ନିକଟରେ ଥିବା ଷ୍ଟେଟ୍‌ ବ୍ୟାଙ୍କ ଏଟିଏମ୍ ଭାଙ୍ଗି ଦୃବୃର୍ତ୍ତମାନେ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛନ୍ତି । ଲୁଟ୍‌ ଟଙ୍କାର ଆନୁମାନିକ ମୂଲ୍ୟ ୧୦ରୁ୧୨ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ଶନିବାର ବିଳମ୍ବିତ ରାତିରେ କେତେକ ଦୁବୃର୍ତ୍ତ ଏକ କାର୍‌ରେ ଗ୍ୟାସ୍ କଟର ଆଣି ଏଟିଏମ୍ ବାକ୍ସ କାଟି ଏହି ଟଙ୍କା ଲୁଟ୍ ନେଇଛନ୍ତି । ରବିବାର ଛୁଟିଦିନ ଥିବାରୁ ଲୁଟ୍ ଟଙ୍କାର ଆନୁମାନିକ ମୂଲ୍ୟ କୁହାଯାଇପାରୁନଥିବା ବେଳେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏଟିଏମ୍‌ରେ ଥିବା ସିସିଟିଭି ଭାଙ୍ଗି ଏହି ଲୁଟ୍‌ ହୋଇଥିବାର ପୋଲିସ ସୂତ୍ରରୁ ଜଣାପଡ଼ିଛି । 

ଘଟଣାସ୍ଥଳକୁ ପୋଲିସ ସାଇଣ୍ଟିଫିକ୍ ଦଳ ଆସି ପହଞ୍ଚିଛନ୍ତି । ଦୁବୃର୍ତ୍ତମାନେ ଟଙ୍କା ଲୁଟିବା ପରେ ୧୪୯ ନମ୍ବର ଜାତୀୟ ରାଜପଥରେ ତାଳଚେର ଟାଉନ୍ ଆଡ଼କୁ ଫେରାର ହୋଇଯାଇଥିବା କୁହାଯାଉଛି । ତେବେ ଟଙ୍କା କିମ୍ବା ଦୁବୃର୍ତ୍ତ ଓ ସେମାନେ ବ୍ୟବହାର କରିଥିବା କାର୍‌ର ପତ୍ତା ମିଳିପାରିନାହିଁ । ପୋଲିସ ଏଟିଏମ୍‌ ଚାରିପଟକୁ ସିଲ କରି ମାମଲାର ଛାନଭିନ୍ ଆରମ୍ଭ ଚଳାଇଛି । ଏଟିଏମ୍‌ରେ ସୁରକ୍ଷା ବ୍ୟବସ୍ଥା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଏହି ଲୁଟ୍‌ ଘଟଣା ତାଳଚେର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.