ମୁନିଗୁଡ଼ା, ୦୪।୧୨ : ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ। ଗଜପତିରୁ ରାୟପୁରକୁ ଚୋରା ଚାଲାଣ ବେଳେ ୧୦ କେଜି ଗଞ୍ଜେଇ ଜବତ ହୋଇଛି। ଏହା ସହ ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ଅମ୍ବାଦଳା ପୋଲିସ । ଏବେ ମାଓବାଦୀଙ୍କ ପିଏଲ୍ଜିଏ ସପ୍ତାହ ଚାଲିଛି । ତେଣୁ ବିଭିନ୍ନ ସୀମାନ୍ତ ଏବଂ ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସୁରକ୍ଷା ଯାଞ୍ଚ୍ ଚାଲିଛି। ଏହିକ୍ରମରେ ପୋଲିସ ଯାଞ୍ଚ୍ ବେଳେ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି।
ସୂଚନା ଅନୁଯାୟୀ, ୨ ଜଣ ବ୍ୟକ୍ତି ଗୋଟିଏ ବ୍ୟାଗ୍ରେ ଗଞ୍ଜେଇ ନେଇ ବାଇକ୍ ଯୋଗେ ଛତିଶଗଡ଼ର ରାୟପୁରକୁ ଯାଉଥିଲେ । ଅମ୍ବାଦଳା କଲେଜ ଛକ ନିକଟରେ ପୋଲିସ ଯାଞ୍ଚ୍ କରୁଥିବା ବେଳେ ସନ୍ଦେହ ହେବାରୁ ବାଇକ୍କୁ ଅଟକାଇ ଗାଡିକୁ ଯାଞ୍ଚ୍ କରିଥିଲେ। ଏତିକି ବେଳେ ଏକ ବ୍ୟାଗ୍ରୁ ୧୦ କେଜିରୁ ଅଧିକ ଗଞ୍ଜେଇ ମିଳିଥିଲା। ଏହାସହ ବାଇକ୍ରେ ଥିବା ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ଚାଲାଣକାରୀ ମାନେ ହେଲେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲର ସଞ୍ଜୟ ମେହେର ଓ ଅନ୍ୟ ଜଣେ ଚିଚିଲାଗୁଡା ଗ୍ରାମର କାଲେଶ୍ୱର୍ ମେହେର।