ଭୁବନେଶ୍ୱର,୧୨/୦୪: କଂଗ୍ରେସର ବହୁ ହେଭିୱେଟ୍ ନେତା ଦଳ ଛାଡ଼ିବା ପରେ ଏବେ ଦଳରେ ଏବେ ପ୍ରାର୍ଥୀ ସଙ୍କଟ ଦେଖାଦେଇଛି । ତେଣୁ ଦଳ ଅପେକ୍ଷା କରିଛି ଦଳ ଡିଆଁଙ୍କୁ । କେଉଁ ବିଜେଡି କିମ୍ବା ବିଜେପି ନେତା ଦଳ ଛାଡ଼ି କଂଗ୍ରେସ ଆସିଲେ, ସେମାନଙ୍କ ଜିତିବା ସମ୍ଭାବନାକୁ ଦେଖି ଦଳ ଟିକଟ ଦେବ । ଯାହାର ସଦ୍ୟତମ ଉଦାହରଣ ହେଲେ ଯୁଗଳ ପଟ୍ଟନାୟକଙ୍କ ସାନପୁଅ ଅସିତ୍ ପଟ୍ଟନାୟକ(ବୁଲୁ)। ନିକଟରେ ଭଦ୍ରକର କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ନରେନ ପଲେଇ ଦଳ ଛାଡି ବିଜେପିରେ ମିଶିଛନ୍ତି । ତେଣୁ ଦଳ ଏଠାରେ କାହାକୁ ପ୍ରାର୍ଥୀ କରିବ ଚିନ୍ତାରେ ଥିଲା । ତେଣୁ ବୁଲୁ ଆସିବା ପରେ ଦଳ ତାଙ୍କୁ ସ୍ୱାଗତ କରିଛି । ବୁଲୁଙ୍କୁ ଭଦ୍ରକ ଟିକଟ ମିଳିବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।
ସେହିପରି ବାଲେଶ୍ୱର ଜିଲ୍ଲା ରେମୁଣାରେ କଂଗ୍ରେସର ଭଲ ଭୋଟ୍ ବ୍ୟାଙ୍କ୍ ନଥିବାରୁ ଦଳ ଯୋଗ୍ୟ ପ୍ରାର୍ଥୀ ଖୋଜୁଥିଲା । ବିଲେଇ କପାଳକୁଶିକା ଛିଡ଼ିଲା ପରି ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଲେ । ତେଣୁ ତାଙ୍କୁ ଦଳ ଟିକଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । କେନ୍ଦୁଝରର ପୂର୍ବତନ ସାଂସଦ ଶକୁନ୍ତଳା ଲାଗୁରି ବିଜେଡି ଛାଡି କଂଗ୍ରେସରେ ମିଶିଛନ୍ତି । ତାଙ୍କୁ ମଧ୍ୟ ଦଳ ସେଠାରେ ସାଂସଦ ଟିକଟ ଦେବ ବୋଲି ଚର୍ଚ୍ଚା ହେଉଛି । ବିଜେପି ମୁଖପାତ୍ର ସୋନାଲି ସାହୁ କଂଗ୍ରେସକୁ ଫେରିଥିବାବେଳେ ଖୋର୍ଦ୍ଧା ବିଧାନସଭା ଆସନ ପାଇଁ ଆଶାୟୀ ଥିବା କୁହାଯାଉଛି । ସୋରୋ ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ବିଜେଡି ଟିକଟ ଦେଇନାହିଁ । ସେ ଦଳ ଛାଡ଼ିଛନ୍ତି । କଂଗ୍ରେସ ସହ ଯୋଗାଯୋଗରେ ଅଛନ୍ତି । କେବଳ କଂଗ୍ରେସ ନୁହେଁ, ବିଜେପି ସହ ମଧ୍ୟ ଯୋଗାଯୋଗରେ ଥିବା ଶୁଣିବାକୁ ମିଳୁଛି । ମାତ୍ର ବିଜେପି ସେଠାରେ ପୂର୍ବରୁ ରାଜୁ ଦାସଙ୍କ ନାମ ଘୋଷଣା କରିସାରିଛି । ଯଦି ବିଜେପି ପ୍ରାର୍ଥୀ ପରିବର୍ତ୍ତନ କରେ ତେବେ ଧଡ଼ା ବିଜେପି ପ୍ରାର୍ଥୀ ହୋଇପାରନ୍ତି । ନଚେତ୍ କଂଗ୍ରେସରେ ମିଶିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଯାଜପୁରର ଗୋଟିଏ ଆସନରେ ମଧ୍ୟ ବିଜେପିର ପ୍ରାର୍ଥୀ ବଦଳିବା ସମ୍ଭାବନା ରହିଛି । ସେହି ପ୍ରାର୍ଥୀ ଜଣଙ୍କ କଂଗ୍ରେସ ସହ ଯୋଗାଯୋଗରେ ଥିବା ସୂଚନା ମିଳିଛି ।
କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ୪୯ ବିଧାନସଭା ଓ ୮ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଆହୁରି ୧୩ ଲୋକସଭା ଓ ୯୮ ବିଧାନସଭା ଆସନ ବାକି ରହିଛି । ବାକି ଥିବା ଆସନଗୁଡିକ ମଧ୍ୟରୁ କେତୋଟି ଆସନରେ କଂଗ୍ରେସ ପ୍ରାର୍ଥୀ ଦେବ, କେତେ ଆସନ ଇଣ୍ଡିଆ ମେଣ୍ଟର ଅନ୍ୟ ଦଳକୁ ଛାଡିବ ଜଣାପଡ଼ିନି । ଶୁକ୍ରବାର ପିସିସି ସଭାପତି ଶରତ ପଟ୍ଟନାୟକ ଦିଲ୍ଲୀ ଯାଇଛନ୍ତି । ୧୩ ତାରିଖ ଅପରାହ୍ଣରେ ହେବାକୁ ଥିବା ସ୍କ୍ରିନିଂ କମିଟି ବୈଠକରେ ଯୋଗ ଦେବେ । ପରେ କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି)କୁ ନାମ ପଠାଯିବ । ଚୂଡାନ୍ତ ହେବା ପରେ ଏଆଇସିସି ପ୍ରାର୍ଥୀ ଘୋଷଣା କରିବ ।