ବାଙ୍ଗିରିପୋଷି,୦୨/୫: ବାଙ୍ଗିରିପୋଷି ଥାନା ଅଞ୍ଚଳରେ ଜଣେ ନଅ ବର୍ଷର ଶିଶୁପୁତ୍ର ସାପ କାମୁଡ଼ାରେ ମୃତ୍ୟୁ ବରଣ କରିଥିବା ଭଳି ଦୁଃଖଦ ଘଟଣା ଘଟିଛି । ମୃତ ଶିଶୁପୁତ୍ର ହେଉଛି ନିଶ୍ଚିନ୍ତା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୋଳାଗାଡ଼ିଆ ଗ୍ରାମର ବୁନୁ ହାଁସଦାଙ୍କ ପୁଅ ବିଦେନ ହାଁସଦା (୯)।
ପରିବାର ଲୋକଙ୍କ ସୂଚନା ଅନୁସାରେ, ଗତ ବୁଧବାର ରାତିରେ ବିଦେନ ପରିବାରଲୋକଙ୍କ ସହ ତଳେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ତାକୁ କାମୁଡି ଦେଇଥିଲା । ପରିବାର ଲୋକେ ଘଟଣା ବିଷୟରେ ଜାଣିବା ପରେ ଗୁରୁବାର ସକାଳୁ ତାକୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଖବର ପାଇ ବାଙ୍ଗିରିପୋଷି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ ମେଡିକାଲ କଲେଜକୁ ପଠାଇଛି। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ।