ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ଏସ୍‌ସିବିରେ ବାରମ୍ବାର ସିଟି ସ୍କାନ୍‌ ମେସିନ୍‌ ଅଚଳ ପଛରେ ଷଡ଼ଯନ୍ତ୍ର ! ମାଗଣା ବଦଳରେ ରୋଗୀ ଗଣୁଛନ୍ତି ୧୯ ଶହ ରୋଗୀ

କଟକ,୦୯/୧୧: ଏସ୍‌ସିବି  ଡାକ୍ତରଖାନାର ନିଜସ୍ୱ ସିଟି ସ୍କାନ୍‌ ସେଣ୍ଟର୍‌ରେ ଏବେ ତାଲା ଝୁଲୁଛି । ସରକାରୀ ଏବଂ ଘରୋଇ ସଂସ୍ଥା ସହଭାଗିତା (ପିପିପି) ମୋଡ୍‌ରେ ଚାଲୁଥିବା ସିଟି ସ୍କାନ୍‌ ମେସିନ୍‌ ମଧ୍ୟ ଅଚଳ । ଦୁଇ ଦିନ ହେଲା ରାଜ୍ୟର ସର୍ବବୃହତ ସରକାରୀ  ଚିକିତ୍ସା ପ୍ରତିଷ୍ଠାନରେ ସିଟି ସ୍କାନ୍‌ ବନ୍ଦ ହୋଇ ଯାଇଥିବାରୁ ଅଭାବନୀୟ ସ୍ଥିତି ଲାଗି ରହିଛି । ଦୁର୍ଘଟଣାଗ୍ରସ୍ତ ଏବଂ ମସ୍ତିଷ୍କାଘାତ ରୋଗୀଙ୍କ ସମେତ ଅନ୍ୟ ଗୁରୁତର ରୋଗୀମାନଙ୍କର ଚିକିତ୍ସା  ପ୍ରଭାବିତ ହେଉଛି । ଅଥଚ ଡାକ୍ତରଖାନା  କର୍ତ୍ତୃପକ୍ଷ ହାତ ଟେକି ବସିଯାଇଥିବା ଦେଖିବାକୁ ମିଳୁଛି। ରୋଗୀଙ୍କ ସମସ୍ୟା  ସମାଧାନ କରିବା ବା ବିକଳ୍ପ ବ୍ୟବସ୍ଥା କରିବା ବଦଳରେ ଦୁଇ ଦିନ ହେଲା  ଖୋଲାଖୋଲି ରୋଗୀ ଶୋଷଣ ଚାଲିଥିବା ଅଭିଯୋଗ ହୋଇଛି ।  

ଅଭିଯୋଗ ମୁତାବକ, ପିପିପି  ମୋଡ୍‌ରେ ସହଭାଗୀ ଥିବା ସଂସ୍ଥା  ରୋଗୀମାନଙ୍କୁ ସୁବିଧାରେ ସିଟି ସ୍କାନ୍‌  କରାଇଦେବ ବୋଲି କହି ବୁଲେଇ ବଙ୍କେଇ ଶୋଷଣ କରୁଛି । ଏସ୍‌ସିବିରୁ  ରୋଗୀଙ୍କୁ କଲେଜ ଛକ ଅଞ୍ଚଳରେ  ଥିବା ଏକ ଘରୋଇ ନିଦାନ ସଂସ୍ଥାକୁ  ପଠାଯାଉଛି । ସେଠାରେ ରୋଗୀ  ୧୯୦୦ ଟଙ୍କା ପଇଠ କରିବା ପରେ  ରୋଗୀଙ୍କୁ ଆଚାର୍ଯ୍ୟ ହରିହର କ୍ୟାନ୍‌ସର୍‌  ହସ୍ପିଟାଲ୍‌କୁ ପଠାଯାଇ ସେଠାରେ ସିଟି  ସ୍କାନ୍‌ କରାଯାଉଥିବା ସୂଚନା ମିଳିଛି ।  ବିନା ମୂଲ୍ୟରେ ମିଳୁଥିବା ସିଟି ସ୍କାନ୍‌  ସୁବିଧା ବଦଳରେ ରୋଗୀଙ୍କୁ ଏମିତି  ଶୋଷଣ କରାଯାଉଥିବାର ପ୍ରମାଣ ମିଳିବା  ପରେ ଏନେଇ ବୁଧବାର ଏସ୍‌ସିବି  ପ୍ରଶାସନିକ ଅଧିକାରୀଙ୍କ ନିକଟରେ  ଅଭିଯୋଗ ଦାଖଲ କରାଯାଇଛି ।

ଜଗତସିଂହପୁର ଜିଲ୍ଲା ବିରିଡ଼ି  ଅଞ୍ଚଳର ନିରୂପମା ରାଉତରାୟ (୭୫)  ମଙ୍ଗଳବାର ଏସ୍‌ସିବି ନ୍ୟୁରୋଲୋଜି  ବିଭାଗ ଆଉଟ୍‌ଡୋର୍‌କୁ ଡାକ୍ତର ପରାମର୍ଶ  ପାଇଁ ଯାଇଥିଲେ । ମସ୍ତିଷ୍କ ଆଘାତ ଘଟଣା  ହୋଇଥିବାରୁ ଡାକ୍ତର ତାଙ୍କୁ ସିଟି ସ୍କାନ୍‌  କରାଇବା ପାଇଁ ପରାମର୍ଶ ଦେଇଥିଲେ ।  ଗତକାଲିଠାରୁ ବୃଦ୍ଧା ଜଣକ ସିଟି ସ୍କାନ୍‌  ପାଇଁ ପିପିପି ମୋଡ୍‌ରେ ଥିବା ସଂସ୍ଥାରେ  ପଞ୍ଜୀକରଣ କରାଇଥିଲେ । ସକାଳୁ  ସଞ୍ଜ ଯାଏ ବୃଦ୍ଧା ଅପେକ୍ଷାରେ ରହିବା  ପରେ ନିରାଶ ହୋଇ ଫେରିଥିଲେ ।  

ବୁଧବାର ସକାଳୁ ମଧ୍ୟ ସେ ସିଟି  ସ୍କାନ୍‌ ପାଇଁ ପୁଣି ଧାଡ଼ି ଲଗାଇଥିଲେ ।  ‘ମେସିନ୍‌ ଖରାପ ଅଛି, ଏଠାରେ  ଅପେକ୍ଷା ନକରି କଲେଜ ଛକରେ ଥିବା  ଏକ ନିଦାନ ସଂସ୍ଥାକୁ ଯାଅ’ ବୋଲି  କହି କର୍ମଚାରୀମାନେ ତାଙ୍କୁ ସେଠାକୁ  ପଠାଇଥିଲେ । ସେଠାରେ ତାଙ୍କଠାରୁ  ୧୯୦୦ ଟଙ୍କା ନିଆଯାଇ ତାଙ୍କୁ ଆଚାର୍ଯ୍ୟ  ହରିହର କ୍ୟାନ୍‌ସର୍‌ ହସ୍ପିଟାଲ୍‌ରେ  ପିପିପି ମୋଡ୍‌ରେ ଚାଲିଥିବା ସିଟି ସ୍କାନ୍‌  ସେଣ୍ଟର୍‌କୁ ଏକ ଆମ୍ବୁଲାନ୍ସରେ ନିଆଯାଇ  ପରୀକ୍ଷା କରାଯିବା ପରେ ସ୍କାନ୍‌ ରିପୋର୍ଟ  ପ୍ରଦାନ କରାଯାଇଥିଲା । ସେହିପରି  ଯାଜପୁର ଅଞ୍ଚଳର ସୁବାସ ନାୟକ ମଧ୍ୟ  ସିଟି ସ୍କାନ୍‌ ପାଇଁ ଏମିତି ଢଙ୍ଗରେ ୧୯୦୦  ଟଙ୍କା ଗଣିଥିବା ଅଭିଯୋଗ କରିଛନ୍ତି ।  

ଏ ସଂପର୍କରେ ନିରୂପମାଙ୍କ ସଂପର୍କୀୟ  ଏସ୍‌ସିବି ପ୍ରଶାସନିକ ଅଧିକାରୀଙ୍କ  ନିକଟରେ ଅଭିଯୋଗ କରିଥିବା ସୂଚନା  ମିଳିଛି ।  ଏସମ୍ପର୍କରେ ପ୍ରଶାସନିକ ଅଧିକାରୀ  ଡ. ଅବିନାଶ ରାଉତ କହିଛନ୍ତି, ଏପରି  କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ।  ଅଭିଯୋଗ ଆଧାରରେ ତଦନ୍ତ କରାଯାଇ  କାର୍ଯ୍ୟାନୁଷ୍ଠାନ ନିଆଯିବ ।  

ସୂଚନାଯୋଗ୍ୟ, ଏସ୍‌ସିବିରେ ଅଧିକାଂଶ ସମୟରେ ସିଟି ସ୍କାନ୍‌ ମେସିନ୍‌ ଅଚଳ ରହୁଛି । ସରକାରୀ ମେସିନ୍‌ ଯେଉଁ ସମୟରେ ଖରାପ ହେଉଛି, ଠିକ୍‌ ସେଇ ସମୟରେ ପିପିପି ମୋଡ୍‌ରେ ସହଭାଗୀ  ଥିବା ସଂସ୍ଥାର ସିଟି ସ୍କାନ୍‌ ମେସିନ୍‌ ମଧ୍ୟ  ଅଚଳ ହେଉଛି ।ଏସ୍‌ସିବିରେ ସରକାରୀ ଏବଂ ଘରୋଇ ସଂସ୍ଥାର ମେସିନ୍‌ ଏକସମୟରେ ଖରାପ ହେବା ପଛରେ ବଡ଼ ଷଡ଼ଯନ୍ତ୍ର ରହିଛି ବୋଲି ଅଭିଯୋଗ ହେଉଛି । ଗଲା ବର୍ଷକ ମଧ୍ୟରେ ଏସ୍‌ସିବିରେ ୧୦ରୁ ଅଧିକ ଥର ଏମିତି  ଦୁଇଟି ମେସିନ୍‌ ଏକସମୟରେ ଖରାପ  ହୋଇଥିବା କୁହାଯାଉଛି ।

Copyright © 2022 - Summa Real Media Private Limited. All Rights Reserved.