କଟକ,୦୯/୦୯: ଋଣ ଖିଲାପକାରୀଙ୍କ ବିରୋଧରେ କଟକ ଅର୍ବାନ୍ କୋଅପରେଟିଭ୍ ବ୍ୟାଙ୍କ୍ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ସ୍ୱଚ୍ଛଳ ବର୍ଗର ଓ କ୍ଷମତାଶାଳୀ ହୋଇ ଇଚ୍ଛାକୃତ ଭାବେ ଋଣ ଖିଲାପ କରୁଥିବା ଗ୍ରାହକଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଏହି କ୍ରମରେ ଶୁକ୍ରବାର କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଭାଇ ଅନୁପ୍ରାସ ମହାନ୍ତି ୫୭ ଲକ୍ଷ ଟଙ୍କା ଋଣ ନେବା ପାଇଁ ବନ୍ଧକ ରଖିଥିବା ଏକ ଗୁଣ୍ଠ ଜମିକୁ ବ୍ୟାଙ୍କ୍ ନିଜ ଦଖଲକୁ ନେଇଛି । ଦଖଲ ନେବା ବେଳେ କିଛି ଦୁର୍ବୃତ୍ତଙ୍କ ଆକ୍ରମଣରେ ବ୍ୟାଙ୍କ୍ର ଜଣେ ମହିଳା କର୍ମଚାରୀ ଆହତ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଚୌଧୁରୀ ବଜାର ନନ୍ଦି ସାହି ଅଞ୍ଚଳର ଅଭୟ ଚରଣ ମହାନ୍ତିଙ୍କ ପୁଅ ଅନୁପ୍ରାସ ଏକ ଗୁଣ୍ଠ ଜମି ବନ୍ଧକ ଦେଇ ଦୁଇଟି ହାଇୱା ଟ୍ରକ୍ ପାଇଁ ଗଣ୍ଡରପୁର୍ ଶାଖାରୁ ୨୦୧୫ ସେପ୍ଟେମ୍ବର ୩୦ରେ ୫୭ ଲକ୍ଷ ଟଙ୍କା ଋଣ ନେଇଥିଲେ । ବ୍ୟାଙ୍କ୍ର ବାରମ୍ୱାର ନୋଟିସ ସତ୍ତେ୍ୱ ଆଠ ବର୍ଷ ପୂରିଗଲେ ମଧ୍ୟ ଋଣ ପରିଶାଧ କରୁ ନଥିଲେ । ବର୍ତ୍ତମାନ ସୁଦ୍ଧା ଋଣ ପରିମାଣ ୭୭ ଲକ୍ଷରୁ ଅଧିକ ଟଙ୍କା ହୋଇଥିବାରୁ, ରିଜର୍ଭ ବ୍ୟାଙ୍କ୍ ଅଫ ଇଣ୍ଡିଆ ଓ ସମବାୟ ସମିତି ସମୂହ ରେଜିଷ୍ଟ୍ରାରଙ୍କ ନିର୍ଦ୍ଦେଶ କ୍ରମେ ଏନ୍ପିଏ ଋଣ ଆଦାୟ ପାଇଁ ଜିରୋ ଟଲେରାନ୍ସ ଅର୍ଥାତ୍ ଶୂନ୍ୟ ସହନଶୀଳତା ନୀତି ଆପଣାଇ ବ୍ୟାଙ୍କ ଆଜି କାର୍ଯ୍ୟାନୁଷ୍ଠାନକୁ ଓହ୍ଲାଇଥିଲା ।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବ୍ୟାଙ୍କ୍ର କର୍ମଚାରୀ, ଦୁଇ ସେକ୍ସନ ପୁଲିସ ସହ ଏସିପି ଅମିତାଭ ମହାପାତ୍ର ଓ ବିଡ଼ାନାସୀ ଥାନା କର୍ମଚାରୀଙ୍କୁ ନେଇ ତୁଳସୀପୁର ନେତାଜୀ କ୍ଲବ୍ ନିକଟରେ ଥିବା ଏକ ଗୁଣ୍ଠ ଜାଗାକୁ ସିମେଣ୍ଟ୍ ଖୁଣ୍ଟ ପୋତି ଦଖଲକୁ ନେଇଥିଲେ । ଦଖଲ ନେବା ସମୟରେ କିଛି ଯୁବକ ଓ ମହିଳା ବିରୋଧ କରି ବ୍ୟାଙ୍କ୍ର ମହିଳା କର୍ମଚାରୀଙ୍କୁ ଗାଳିଗୁଲଜ କରିବା ସହ ଧସ୍ତାଧସ୍ତି କରି ଜଣେ ମହିଳାଙ୍କ ନାକ ଫଟାଇ ଦେଇଥିଲେ । ଆହତ ମହିଳା କର୍ମଚାରୀ ଏବେ ଚିକିତ୍ସାଧୀନ । ଦଖଲ ନେଲା ବେଳେ କିଛି ଲୋକ ଭାରପ୍ରାପ୍ତ ବ୍ୟାଙ୍କ୍ ଅଧିକାରୀଙ୍କୁ କାମ କରିବାରେ ବାଧା ଦେଇଥିଲେ ।
ବ୍ୟାଙ୍କ୍ର ସିଇଓ ପ୍ରିୟବ୍ରତ ପଣ୍ଡା କହିଛନ୍ତି, ଆଗାମୀ ଦିନରେ ଋଣ ଆଦାୟ ଓ ଖିଲାପକାରୀଙ୍କ ବିରୋଧରେ ଏଭଳି ଦୃଢ଼ ପଦକ୍ଷେପ ନିଆଯିବ। ବ୍ୟାଙ୍କ୍ ପରିଚାଳନା ପରିଷଦର ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ର କହିଛନ୍ତି, ଆଜିର ଗଣ୍ଡଗୋଳ ନେଇ ବିଡ଼ାନାସୀ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଭବିଷ୍ୟତରେ ଏହି ବନ୍ଧକ ଜମି ଦଖଲ ପ୍ରକ୍ରିୟା ଜାରି ରହିବ ବୋଲି ସେ କହିଛନ୍ତି ।