ନୂଆଦିଲ୍ଲୀ,୧୪/୧୧: ଯାନ ବାହାନ ଜନିତ ପ୍ରଦୂଷଣରୁ ପରିବେଶକୁ ସୁରକ୍ଷା ଦେବା ଲାଗି ଇ-ଯାନ ଗ୍ରହଣକୁ ଏବେ ସରକାର ପ୍ରାଥମିକତା ଦେଉଛନ୍ତି । ଇଯାନଗୁଡିକର ମାଇଲେଜ ଏବେ ଆଖିଦୃଶିଆ ହେଉନି । ଏ ନେଇ କମ୍ପାନିଗୁଡିକ ନିରନ୍ତର କାମ କରୁଛନ୍ତି । ଆଗକୁ ଏମିତି ଏକ ଇ କାର ଆସୁଛି ଯାହା ଗୋଟିଏ ଚାର୍ଜରେ ୫୫୦ କିମି ଗଡିବ । ମାରୁତି ସୁଜିକି ଏହି ମଡେଲଟିକୁ ଆଣିବ । ଏସ୍ୟୁଭି ବର୍ଗରେ ଆସିବ ଏହି ମଡେଲ । ଗୁରୁଗ୍ରାମରେ କମ୍ପାନି ଇଭିଏକ୍ସ ମଡେଲର ପରୀକ୍ଷଣ କରୁଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଲିକ୍ ହୋଇଥିବା ଏକ ଫଟୋକୁ କମ୍ପାନିର କନସେପ୍ଟ ମଡେଲ ବୋଲି କୁହାଯାଉଛି ।
ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ ଏହି କାରକୁ ୨୦୨୫ରେ ବଜାରକୁ ଆଣିପାରେ । ୨୦୨୩ ଇଣ୍ଡିଆନ ଅଟୋ ଏକ୍ସପୋରେ ଏହି କାରର ପ୍ରଦର୍ଶନ କରିଥିଲା କମ୍ପାନି । ସେହିଭଳି ଚଳିତ ବର୍ଷ ଅକ୍ଟୋବରରେ ଜାପାନରେ ଅନୁଷ୍ଠିତ ଅଟୋମୋବାଇଲରେ ସୋ’ରେ ଉତ୍ପାଦନ ପାଇଁ ପ୍ରସ୍ତୁତ ମଡେଲକୁ କମ୍ପାନି ପ୍ରଦର୍ଶନ କରିଥିଲା । ଏହି ମଡେଲରେ ୬୦ କିଲୋୱାଟର ବ୍ୟାଟେରି ପ୍ୟାକ ସହ ଇଲେକ୍ଟ୍ରିକ ମୋଟର ଦିଆଯିବ । ଥରେ ଚାର୍ଜ କଲେ ଏହି ମଡେଲରେ ୫୫୦ କିମିର ଯାତ୍ରା କରିହେବ ବୋଲି କମ୍ପାନି ଦାବି କରି କହିଛି । ତେବେ ବର୍ତ୍ତମାନ ୪୦୦ କିମି ରେଞ୍ଜର ବ୍ୟାଟେରି ସହ ଯାନଟିକୁ କମ୍ପାନି ଏବେ ପରୀକ୍ଷଣ କରୁଛି । ଟୟୋଟାର ୪୦ ପିଏଲ୍ ପ୍ଲାଟଫର୍ମରେ ଏହି ମଡେଲଟି ପର୍ଯ୍ୟବେସିତ ।