ନୂଆଦିଲ୍ଲୀ: ହମାସ ଆତଙ୍କବାଦୀମାନେ ଗାଜାର ବଡ଼ ହସ୍ପିଟାଲରେ ଯୁଦ୍ଧାସ୍ତ୍ର ରଖିଥିବା ନେଇ ପ୍ରମାଣ ପାଇଛି ଇସ୍ରାଏଲ । ବିସ୍ଫୋଟକ ସମେତ ବିଭିନ୍ନ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରଖିଛି ହମାସ ସଂଗଠନ । ବିଶେଷ କରି ହସ୍ପିଟାଲର ଏମଆରଆଇ ବିଲ୍ଡିଂ ପାଲଟିଛି ଆତଙ୍କବାଦୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ଏବଂ ଯୁଦ୍ଧାସ୍ତ୍ର ଲୁଚାଇବାର ପ୍ରମୁଖ ସ୍ଥଳ । ତେବେ ଅଲ-ଶିଫା ହସ୍ପିଟାଲରେ ହମାସ ଆତଙ୍କବାଦୀ ଏଭଳି କାରନାମା କରୁଥିବା ନେଇ ସୂଚନା ଦେଇଛି ଇସ୍ରାଏଲ ସେନା ।
ଇସ୍ରାଏଲ ଡିଫେନ୍ସ ଫୋର୍ସ-ଆଇଡିଏଫ ଅନୁସାରେ, ଆତଙ୍କବାଦୀମାନେ ହସ୍ପିଟାଲ ଭିତରେ ପ୍ରାୟ ୨୦୦୦ ଲୋକଙ୍କ ଗହଣରେ ଯୁଦ୍ଧାସ୍ତ୍ର ୟୁନିଟ କରିଛନ୍ତି ବୋଲି ଅପରେସନ ବେଳେ ଜଣାପଡ଼ିଛି । ସେପଟେ ଇସ୍ରାଏଲ ସେନା ହସ୍ବିଟାଲାର ଦକ୍ଷିଣ ପଟ ପ୍ରବେଶ ଦ୍ବାରକୁ ଧ୍ବଂସ କରିଦେଇଛି ବୋଲି ହମାସ ଦ୍ବାରା ପରଚାଳିତ ସ୍ବାସ୍ଥ୍ୟ ବିଭାଗ ଅଭିଯୋଗ କରିଛି ।
ହମାସ ଧିରେ ଧିରେ ହସ୍ପିଟାଲକୁ ଯୁଦ୍ଧ ପାଇଁ ବ୍ୟବହାର କରୁଛି । ହମାସ ଏଭଳି କରି ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ କରୁଛି ବୋଲି ଇସ୍ରାଏଲ ସେନାର ମୁଖପାତ୍ର ଜୋନାଥନ କୋନ୍ରିକସ୍ କହିଛନ୍ତି । ସେ ଅଲ-ଶିଫା ହସ୍ପିଟାଲ ସମ୍ମୁଖରୁ ଏକ ଭିଡିଓ ଜାରି କରି ଏନେଇ ସୂଚନା ଦେଇଛନ୍ତି । ଏହା ପରେ କୋନ୍ରିକସ୍ ଏବଂ ତାଙ୍କ ସାଥିରେ ଥିବା କ୍ୟାମେରା ପର୍ସନ ହସ୍ପିଟାଲର ଏମଆରଆଇ ୟୁନିଟକୁ ଯାଇ ସେଠାରେ ରଖାଯାଇଥିବା ଯୁଦ୍ଧାସ୍ତ୍ର ଭର୍ତ୍ତି ବ୍ୟାଗଗୁଡ଼ିକୁ ଦେଖାଇଥିଲେ । ଏହି ସବୁ ବ୍ୟାଗରେ ଏକେ-୪୭ ଏବଂ ଗ୍ରେନେଡ ସହ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଥିବାର ଦେଖିବାକୁ ମିଳିଛି ।
ତେବେ ଏସବୁ ଯୁଦ୍ଧାସ୍ତ୍ରଗୁଡ଼ିକ କାହିଁକି ହସ୍ପିଟାଲରେ ରହୁଛି ବୋଲି ସେ ପ୍ରଶ୍ନ କରିଛନ୍ତି । ହସ୍ପିଟାଲ ଏବଂ ଆମ୍ବୁଲାନ୍ସଗୁଡ଼ିକୁ ଯୁଦ୍ଧ ପାଇଁ ହମାସ ବ୍ୟବହାର କରୁଛି ବୋଲି କୋନ୍ରିକସ୍ ଅଭିଯୋଗ କରିଛନ୍ତି । ସେପଟେ ଅକ୍ଟୋବର ୭ରୁ ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ ଉଭୟ ହମାସ ଏବଂ ଇସ୍ରାଏଲ ପରଷ୍ପର ଉପରେ ପ୍ରୋପାଗଣ୍ଡା ଗରୁଥିବା ନେଇ ଅଭିଯୋଗ କରିଆସିଛନ୍ତି । ହେଲେ ଆଇଡିଏଫ ପକ୍ଷରୁ ଜାରି ହୋଇଥିବା ଏହି ଭିଡିଓର ସତ୍ୟାସତ୍ୟ କେତେ ତା ଉପରେ ମଧ୍ୟ ଅନେକ ପ୍ରଶ୍ନ ଉଠାଇଛନ୍ତି ।