ଜହ୍ନ।ପଙ୍କ,୧୨/୧୧ : ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ବୁରକଟା ଗଦବସା ପଡ଼ିଆରେ ମା’ ମାହେଶ୍ଵରୀ କ୍ଲବ ବୁରକଟା ଆନୁକୁଲ୍ୟରେ ଚାଲିଛି ମା’ ମାହେଶ୍ଵରୀ ସ୍ଵାଧୀନ ମେମୋରିଆଲ ଫୁଟବଲ୍ ପ୍ରତିଯୋଗିତା । ରବିବାର ଅଷ୍ଟମ ଦିନର ପ୍ରଥମ ଖେଳ ମହିଳା ଫୁଟବଲ୍ ମ୍ୟାଚ୍ ସୋନପୁର ଓ ବରଗଡ଼ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ବରଗଡ଼ ମହିଳା ଦଳ ସୋନପୁର ମହିଳା ଦଳକୁ ୨- ୦ ଗୋଲ ଦେଇ ବିଜୟୀ ହୋଇ ଫାଇନାଲକୁ ଯାଇଛି । ଦ୍ୱିତୀୟ ମ୍ୟାଚ ପୁରୁଣା କଟକ ଓ ବିଏମ୍ ପୁର ମଧ୍ୟରେ ହୋଇଥିଲା । ଏହି ସଙ୍ଘର୍ଷ ପୂର୍ଣ୍ଣ ମ୍ୟାଚରେ ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାକୁ ଗୋଲ ଦେଇ ନ ପାରିବାରୁ ଖେଳ ଅମିମାଂସିତ ହୋଇଥିଲା । ଫଳରେ ଟ୍ରାଇବେକର ପଦ୍ଧତିରେ ପୁରୁଣାକଟକ ୪- ୨ ଗୋଲ ଦେଇ ଚାମ୍ପିଅନ ହୋଇଥିଲା । ଆଜିର ଖେଳକୁ ରେଫରି ପ୍ରହଲ୍ଲାଦ ପରିଚାଳନା କରିଥିବାବେଳେ ତାପସ ଭୋକ୍ତା ଓ ଶ୍ରବଣ ବେହେରା ଲାଇନରେ ସହଯୋଗ କରିଥିଲେ। ଅମିତ ନାଏକ ଚତୁର୍ଥ ରେଫରି ଭାବେ ଦାୟିତ୍ଵ ତୁଲାଇଥିଲେ । ଖେଳ ଶିକ୍ଷକ ସହଯୋଗ କରିଥିଲେ ।
ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ତଥା ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ସମ୍ମାନୀତ ଅତିଥି ଭାବେ ରାଜ୍ୟ ବିଜୁ ଜନତା ଦଳର ଯୁଗ୍ମ ସମ୍ପାଦକ ଅଶୋକ କୁମାର ସାହୁ, ଜିଲ୍ଲା ଏଥେଲେଟିକ ସଙ୍ଘର ସଭାପତି ରବୀନ୍ଦ୍ର ରାଉତ, ସାମ୍ୱାଦିକ ସୁଧାଂଶୁ ଶେଖର ମିଶ୍ର, ଖୁଣ୍ଟବନ୍ଧ ସରପଞ୍ଚ ପ୍ରତିନିଧି ବିକ୍ରମ ମହାନନ୍ଦିଆ, ସବା ସମବାୟ ସମିତିର ସଭାପତି ରାଜ କିଶୋର ଦେହୁରୀ ଯୋଗ ଦେଇଥିଲେ । ଚାମ୍ପିଅନ ପୁରୁଣା କଟକ ଦଳକୁ ଟ୍ରଫି ସହ ୧୦ହଜାର ଟଙ୍କା ଓ ଉପ ବିଜେତା ଦଳକୁ ଟ୍ରଫି ସହ ୭ହଜାର ଟଙ୍କା ପ୍ରଦାନ କରିଥିଲେ । ଗାଁର ପୂର୍ବତନ ସଭାପତି ଦେବାର ବିଶି ବୈଠକରେ ସଭାପତିତ୍ବ କରିଥିଲେ। ପୂର୍ବତନ ସରପଞ୍ଚ ଯୋଗେଶ୍ୱର ମହାକୁଳ ସଭା ପରିଚାଳନା କରିଥିଲେ। ୮ ଦିନ ଧରି ଚାଲିଥିବା ଏହି ଫୁଟବଲ୍ ପ୍ରତିଯୋଗିତାରେ ମା’ମାହେଶ୍ଵରୀ କ୍ଲବ ବୁରକଟାର ସମସ୍ତ ସଭ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ ।