ଲଣ୍ଡନ,୩୦/୦୧: ଇଂଲଣ୍ଡରେ ମାନସିକ ରୋଗୀମାନଙ୍କୁ ଦୁଷ୍କର୍ମ କରାଯାଉଥିବା ଅଭିଯୋଗ ହୋଇଛି । ୩୦ ହସ୍ପିଟାଲରେ ୨୦୧୯ରୁ ୨୦୨୩ ଅର୍ଥାତ ୪ ବର୍ଷ ମଧ୍ୟରେ ଏ ନେଇ ୨୦ ହଜାର ଅଭିଯୋଗ ସାମ୍ନାକୁ ଆସିଲାଣି । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଏହା ଉପରେ ସରକାର ନୀରବଦ୍ରଷ୍ଟା ସାଜି କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ଇଂଲଣ୍ଡର ଦୁଇଟି ବଡ଼ ମିଡିଆ ହାଉସ୍ ମିଶି ମେଣ୍ଟାଲ୍ ହେଲ୍ଥ ସେଣ୍ଟରର ରୋଗୀମାନଙ୍କୁ ଦୁଷ୍କର୍ମ ଓ ଯୌନ ଉତ୍ପୀଡ଼ନ ଦିଆଯାଉଥିବା ସଂକ୍ରାନ୍ତ ବଡ଼ ସ୍କାଣ୍ଡାଲ୍ର ପ୍ରଘଟ କରିଛନ୍ତି ।
ସ୍କାଏ ନ୍ୟୁଜ୍ ଏବଂ ଦ ଇଣ୍ଡିପେଣ୍ଡେଣ୍ଟର ସ୍ୱତନ୍ତ୍ର ରିପୋର୍ଟ ଅନୁସାରେ ମାମଲା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଜାତୀୟ ସ୍ତରୀୟ ସନ୍ତରଣକାରୀ ଏଲେକ୍ସିସ୍ କ୍ୱିନ୍ ଇଂଲଣ୍ଡର ସରକାରୀ ସ୍ୱାସ୍ଥ୍ୟ ସେବା (ଏନ୍ଏଚ୍ଏସ୍) ଓ ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ରର ପୋଲ୍ ଖୋଲିଦେଲେ । କ୍ୱିନ୍ଙ୍କ କହିବାନୁସାରେ ତାଙ୍କୁ ହସ୍ପିଟାଲରେ ବାରମ୍ବାର ଦୁଷ୍କର୍ମ ଓ ଯୌନ ଶୋଷଣ କରାଯାଉଥିଲା । ଶେଷରେ ଏହି ଘଟଣା ବଢ଼ିବାକୁ ଲାଗିବାରୁ ସେ ହସ୍ପିଟାଲ ଛାଡ଼ି ପଳାଇଥିଲେ । ଏହାକୁ ନେଇ ଏବେ ସରକାରଙ୍କ ଚିନ୍ତା ବଢ଼ିଯାଇଛି ।
ବ୍ରିଟିଶ ଗଣମାଧ୍ୟମରେ ଏହି ମାମଲାକୁ ‘ନ୍ୟାସନାଲ୍ ସେକ୍ସ ସ୍କାଣ୍ଡାଲ’ କୁହାଯାଉଛି । ଜାତୀୟ ସ୍ତରୀୟ ସନ୍ତରଣକାରୀ କ୍ୱିନ୍ ଏକ ପଡ୍କାଷ୍ଟରେ କହିଛନ୍ତି, ମେଣ୍ଟାଲ୍ ହେଲ୍ଥ ସେଣ୍ଟରରେ ମୋତେ ଅନେକ ବାର ବଳାତ୍କାର କରାଯାଇଥିଲା । ଏବେ ସେଠାରୁ ବାହାରିବା ପରେ ଦୁନିଆକୁ ସତ କଥା ବତାଉଛି । ମୁଁ ଅଟିଜିମ୍ର ଶିକାର ହୋଇ ସେଠାକୁ ଚିକିତ୍ସା ପାଇଁ ଯାଇଥିଲି। କ୍ୱିନ୍ଙ୍କ ପରେ ଜଣେ ଆଇନ ସ୍ନାତକ ବି ମୁହଁ ଖୋଲିଛନ୍ତି । ତାଙ୍କ ପରେ ଜଣେ ମହିଳା ବୟାନ ଦେଇ କହିଛନ୍ତି, ମୁଁ ଏକ ମେଣ୍ଟାଲ୍ ହେଲ୍ଥ ସେଣ୍ଟରରେ ଚିକିତ୍ସିତ ହେଉଥିଲି । ଏହି ୫ ମାସ ମଧ୍ୟରେ ପୁରୁଷ କର୍ମଚାରୀମାନେ ମୋତେ ଯୌନ ଉତ୍ପୀଡ଼ନ ଦେଉଥିଲେ । ମୋ ଭଳି ଅନେକ ରୋଗୀ ସମାନ ନିର୍ଯାତନାର ଶିକାର ହେଉଛନ୍ତି । ପ୍ରଥମେ ଭୟରେ ମୁହଁ ଖୋଲି ନ ଥିଲି । କ୍ୱିନ୍ଙ୍କ ଯୋଗୁ ସାହସ ବାନ୍ଧି ସତ କହିଛି ।
୨୦୧୧ରେ ବ୍ରିଟେନ୍ର ସ୍ୱାସ୍ଥ୍ୟ ବିଭାଗ ସରକାରଙ୍କୁ ଏକ ରିପୋର୍ଟ ଦେଇଥିଲା । ଏଥିରେ କୁହାଯାଇଥିଲା କି ପୁରୁଷ ଓ ମହିଳା ରୋଗୀଙ୍କୁ ଏକାଠି ରଖାଯିବା ଉଚିତ ନୁହେଁ । ଏଥିପାଇଁ ଆବଶ୍ୟକ ୱାର୍ଡ ଏବଂ କର୍ମଚାରୀ ରଖାଯିବା ଉଚିତ । ତେବେ ଏହି ରିପୋର୍ଟ ଉପରେ କୌଣସି ପଦକ୍ଷେପ ନିଆଯାଇ ନ ଥିଲା । କିନ୍ତୁ ୧୨ ବର୍ଷ ପରେ ବି ମେଣ୍ଟାଲ୍ କେୟାର ସେଣ୍ଟରରେ ଦୁଷ୍କର୍ମ ଓ ଯୌନ ନିର୍ଯାତନା ଜାରି ରହିଥିଲା । ହଜାର ହଜାର ଅଭିଯୋଗ ସାମ୍ନାକୁ ଆସୁଥିବା ରିପୋର୍ଟ କହିଛି
ଇଂଲଣ୍ଡର ଦୁଇଟିଯାକ ଗଣମାଧ୍ୟମ ସଂସ୍ଥା ସରକାରଙ୍କଠାରୁ ୫୦ଟି ମାମଲାରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବାବଦରେ ରିପୋର୍ଟ ମାଗିଥିଲେ । କିନ୍ତୁ ସରକାର ଶୁଣି ନ ଥିଲେ । ସରକାରଙ୍କ ରିପୋର୍ଟରେ ଦୁଷ୍କର୍ମ ଓ ଯୌନ ଉତ୍ପୀଡ଼ନ ଶବ୍ଦ ପରିବର୍ତ୍ତେ ‘ସେକ୍ସୁଆଲ୍ ସେଫ୍ଟି ଇନ୍ସିଡେଣ୍ଟ‘ ଲେଖାଯାଇଥିଲା । ୫୦ରୁ ୩୮ଟି ମାମଲାରେ ଜବାବ ମିଳିଥିଲା । ବାସ୍ତବ କଥା ହେଉଛି ୨୦୧୯ରୁ ୨୦୨୩ ମଧ୍ୟରେ ସେକ୍ସୁଆଲ୍ ସେଫ୍ଟି ଇନ୍ସିଡେଣ୍ଟସର ପ୍ରାୟ ୨୦ ହଜାର ଅଭିଯୋଗ ହୋଇଛି । ୨୦୨୩ ଜାନୁଆରୀରୁ ଅଗଷ୍ଟ ମଧ୍ୟରେ ଏହିଭଳି ୪ ହଜାର ମାମଲା ସାମ୍ନାକୁ ଆସିଥିଲା ।
ଉଲ୍ଲେଖଯୋଗ୍ୟ, ମେଣ୍ଟାଲ୍ ହେଲ୍ଥ ସେଣ୍ଟରର ପରିଚାଳନା ଦାୟିତ୍ୱ ଏନ୍ଏଚ୍ଏସ୍ ଅଧୀନରେ ଆସୁଥିବା ସ୍ୱତନ୍ତ୍ର ଟ୍ରଷ୍ଟ ବୋର୍ଡକୁ ଦିଆଯାଏ । କିନ୍ତୁ ୨୦୨୦ରେ ଜାରି ମାର୍ଗଦର୍ଶିକାକୁ କେହି ଅନୁସରଣ କରିନାହାନ୍ତି ।