ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରଧାନମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ପାଇଁ ପ୍ରସ୍ତୁତି: ଉଡ଼ିବନି ଡ୍ରୋନ୍‌ କ୍ୟାମେରା, ଖୋଲିବ କଣ୍ଟ୍ରୋଲ ରୁମ୍‌

ଭୁବନେଶ୍ୱର,୦୨/୦୨: ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଆସନ୍ତା ୩ରେ ସମ୍ବଲପୁର  ଗସ୍ତରେ ଆସି ଭାରତୀୟ ପ୍ରବନ୍ଧ ସଂସ୍ଥାନ (ଆଇଆଇଏମ୍‌) ସମ୍ବଲପୁର କ୍ୟାମ୍ପସ୍‌ର  ଲୋକାର୍ପଣ କରିବେ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା  ଦୃଷ୍ଟିରୁ ଝାରସୁଗୁଡ଼ା ବିମାନବନ୍ଦର, ସମ୍ବଲପୁର ଅସ୍ଥାୟୀ ହେଲିପ୍ୟାଡ୍‌, କାର୍ଯ୍ୟକ୍ରମ ସ୍ଥଳରେ ସୁରକ୍ଷା  କଡ଼ାକଡି କରାଯିବ । ବିଶେଷ କରି କୌଣସି  କାର୍ଯ୍ୟକ୍ରମସ୍ଥଳ, ବିମାନବନ୍ଦର ଓ ହେଲିପ୍ୟାଡରେ  ଯେପରି ଡ୍ରୋନ୍‌ କ୍ୟାମେରା ବ୍ୟବହାର ନହୁଏ  ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟ ଶାସନ ସଚିବ  ପ୍ରଦୀପ କୁମାର ଜେନା ନିର୍ଦ୍ଦେଶ ଦେଇଛନ୍ତି । 

ଗୁରୁବାର ଶ୍ରୀ ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ପ୍ରସ୍ତୁତି  ବୈଠକର ନିଷ୍ପତ୍ତି ଅନୁସାରେ, ସମ୍ବଲପୁରରେ  ଗୃହ ବିଭାଗର ଏକ କଣ୍ଟ୍ରୋଲ ରୁମ୍‌ ସୁରକ୍ଷା  ବ୍ୟବସ୍ଥା ପାଇଁ ଖୋଲାଯିବ । କାର୍ଯ୍ୟକ୍ରମସ୍ଥଳରେ  ଇଣ୍ଟରନେଟ୍‌ ସୁବିଧା, ଅଗ୍ନି ନିର୍ବାପକ ବ୍ୟବସ୍ଥା  କରାଯିବ । "କ୍ରିଟିକାଲ କେୟାର ବକ୍ସ' ରଖାଯିବ ।  ନିରବଚ୍ଛିନ୍ନ ବିଜୁଳି ଯୋଗାଣ ଓ ପାନୀୟ ଜଳ  ସୁବିଧା ସହ ମଞ୍ଚର ସୁରକ୍ଷା ଯାଞ୍ଚ, ହେଲିପ୍ୟାଡ୍‌  ଓ ରାସ୍ତାରେ ବ୍ୟାରିକେଡ୍‌ କରାଯିବ । ଭିଭିଆଇପି  ଯିବା ଆସିବା ରାସ୍ତାର ମରାମତି ହେବ । କେନ୍ଦ୍ରାଞ୍ଚଳ  ରାଜସ୍ୱ ଆୟୁକ୍ତଙ୍କୁ ସମସ୍ତ ବ୍ୟବସ୍ଥାର ତଦାରଖ  ପାଇଁ ଆବଶ୍ୟକ ପରାମର୍ଶ ଦିଆଯାଇଛି । ଦୂରଦର୍ଶନ  ଓ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)  ସହାୟତାରେ କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯିବ । ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଡ. ସନ୍ତୋଷ  ବାଲା ପ୍ରଧାନମନ୍ତ୍ରୀଙ୍କ ଗସ୍ତର ସବିଶେଷ ସୂଚନା ଦେଇ  କହିଥିଲେ, ନୂଆଦିଲ୍ଲୀ ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀ  ସ୍ୱତନ୍ତ୍ର ବାୟୁସେନା ବିମାନରେ ଆସି ଅପରାହ୍‌ଣରେ  ଝାରସୁଗୁଡ଼ା ବିମାନବନ୍ଦରରେ ଓହ୍ଲାଇବେ । 

ସେଠାରୁ  ସ୍ୱତନ୍ତ୍ର ହେଲିକପ୍ଟରରେ ସମ୍ବଲପୁର ଅସ୍ଥାୟୀ  ହେଲିପ୍ୟାଡ୍‌ରେ ପହଞ୍ଚିବେ । ଆଇଆଇଏମ୍‌  କ୍ୟାମ୍ପସର ଲୋକାର୍ପଣ ଓ ଅନ୍ୟ ପ୍ରକଳ୍ପର ଶିଳାନ୍ୟାସ  କରିବେ । ପରେ ସେ ସମ୍ବଲପୁରର "ରେମେଡ୍‌'  ପଡ଼ିଆରେ ଏକ ସାଧାରଣ ସଭାରେ ଯୋଗଦେବେ । ବୈଠକରେ ରାଜ୍ୟ ଉନ୍ନୟନ ଆୟୁକ୍ତ ତଥା  ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗୃହ  ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ  କୁମାର ସିଂ, ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅରୁଣ  କୁମାର ଷଡ଼ଙ୍ଗୀ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ  ବୀର ବିକ୍ରମ ଯାଦବ, ସୂଚନା ଓ ଲୋକସମ୍ପର୍କ  ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର  ସିଂ ଉପସ୍ଥିତ ଥିଲେ । କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ,  ପଶ୍ଚିମାଞ୍ଚଳ ଆରକ୍ଷୀ ମହାନିରୀକ୍ଷକ, ଝାରସୁଗୁଡ଼ା ଓ  ସମ୍ବଲପୁର ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ  ଭର୍ଚୁଆଲ୍‌ ମୋଡରେ ଯୋଗ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.