ଯାଜପୁର, ୨୧/୧୧ : ଅଧା ରହିଗଲା ଜଗା ଦର୍ଶନ। ପୁରୀ ଗଲାବେଳେ ମର୍ମନ୍ତୁଦ ଦୁର୍ଘଟଣା। ୧୬ ନଂ ଜାତୀୟ ରାଜପଥ ଅନ୍ତର୍ଗତ ପାଣିକୋଇଲି ଶର୍ମା ପେଟ୍ରୋଲ ପମ୍ପ ନିକଟରେ ଅଟୋକୁ ପଛପଟୁ ଧକ୍କା ଦେଲା ଟ୍ରକ୍। ଘଟଣା ସ୍ଥଳରେ ଦୁଇ ମୃତ, ୮ ଗୁରୁତର। ମୃତକ ହେଉଛନ୍ତି ବିଷମ କଟକ ଅଞ୍ଚଳର ନାବାଳକ ଶିବେନ୍ଦ୍ର ମହାପାତ୍ର (୧୧ବର୍ଷ) ଓ ଭଦ୍ରକ ସିମୁଳିଆ ଅଞ୍ଚଳର ପୂଜା ସାହୁ (୨୦ ବର୍ଷ) । ଗୁରୁତର ୮ଜଣଙ୍କୁ ପ୍ରଥମେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି।
ସୂଚନାନୁଯାୟୀ, ଭଦ୍ରକ ଜିଲ୍ଲାର ୩ଟି ପରିବାରର ମୋଟ ୧୦ ଜଣ ଏକ ଅଟୋ ଯୋଗେ ପୁରୀ ଯାଉଥିଲେ। ଭୋର ୪ଟାରେ ପାଣିକୋଇଲି ନିକଟ ଶର୍ମା ପେଟ୍ରୋଲ ପମ୍ପ ନିକଟରେ ଅଟୋକୁ ପଛପଟୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଖବର ପାଇ ପ୍ରଥମେ ସ୍ବେଛାସେବୀ ଅନୁଷ୍ଠାନ ହେଲ୍ପିଂ ହ୍ୟାଣ୍ଡ ଗ୍ରୁପ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଣାଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରିବା ସହ ଆମ୍ବୁଲାନ୍ସ ଯୋଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟ ପଠାଇଥିଲା। ଏହାପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଦୁଇ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ପଠାଇ ତଦନ୍ତ ଜାରି ରଖିଛି।