ଭୁବନେଶ୍ଵର, ୧୯/୦୯ : ସପ୍ଟେମ୍ଵର ୧୮ରେ ଏଏସଆଇ ପକ୍ଷରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ ହୋଇଥିଲା। ଏଥିପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏଏସଆଇର ଅତିରିକ୍ତ ମହାନିର୍ଦ୍ଦେଶକ ତଥା ବୈଷୟିକ ଟିମ୍ର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହା ସହ ଆସନ୍ତା ୨୪ ତାରିଖ ସୁଦ୍ଧା ଶ୍ରୀମନ୍ଦିର ରତ୍ନଭଣ୍ଡାରର ବାକି ଥିବା ବୈଷୟିକ ସର୍ଭେ ଶେଷ କରିବାକୁ ଏଏସଆଇର ମହାନିର୍ଦ୍ଦେଶକଙ୍କୁ ପତ୍ର ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ।
ବୁଧବାର ସର୍ଭେ ସମୟରେ ଆଉ ଏକ ରାଉଣ୍ଡ ସର୍ଭେ କରିବାକୁ ଏଏସଆଇର ବୈଷୟିକ ଟିମର ମୁଖ୍ୟ ଏବଂ ସିଏସଆଇଆର୍-ଏନଜିଆରଆଇର ମୁଖ୍ୟ ବୈଜ୍ଞାନିକ ମତାମତ ଦେଇଥିଲେ। ରାଡାର୍ ପେନିଟ୍ରେଟିଂ ସିଷ୍ଟମ ତଥା ଅନ୍ୟ ବୈଷୟିକ ଉପକରଣ ବ୍ୟବହାର କରାଯାଇ ଏହି ସର୍ଭେ କରିବା ପରେ ହିଁ ଚୂଡାନ୍ତ ରିପୋର୍ଟ ଦାଖଲ କରିବାକୁ ବୈଷୟିକ ଟିମ୍ ପ୍ରସ୍ତାବ ଦେଇଥିଲେ।
ଆସନ୍ତା ୨୪ ତାରିଖ ଠାରୁ ଦଶହରା ଷୋଳ ପୂଜା ସମ୍ପର୍କିତ ନୀତିକାନ୍ତି ଆରମ୍ଭ ହେବ। ପରେ ପରେ କାର୍ତ୍ତିକ ମାସ ଯୋଗୁଁ ଦୀର୍ଘ ଦିନ ଯାଏଁ ଗୁରୁତ୍ଵପୂର୍ଣ୍ଣ ନୀତିକାନ୍ତି ଚାଲିବ। ତେଣୁ ଯଥାଶୀଘ୍ର ଏହି ସର୍ଭେ ଶେଷ କରି ଚୂଡାନ୍ତ ରିପୋର୍ଟ ଦାଖଲ ପାଇଁ ମୁଖ୍ୟ ପ୍ରଶାସକ ଗୁରୁତ୍ବରୋପ କରିଛନ୍ତି ।
ମୁଖ୍ୟ ପ୍ରଶାସକ ଜଣାଇଛନ୍ତି ଯେ, ରତ୍ନଭଣ୍ଡାର ନିରୀକ୍ଷଣ ତଥା ବୈଷୟିକ ସର୍ଭେ ଦ୍ବାରା ଯେପରି ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ପ୍ରଭାବ ନପଡିବ, ସେଥିପ୍ରତି ଦୃଷ୍ଟି ଦେବାକୁ ରାଜ୍ୟ ସରକାରଙ୍କ ଅନୁମୋଦିତ ଏସ୍.ଓ.ପି ଏବଂ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ତାଙ୍କ ନିଷ୍ପତ୍ତିରେ ସ୍ପଷ୍ଟ ଭାବେ ପରାମର୍ଶ ଦେଇଛନ୍ତି। ତେଣୁ ସମ୍ପୃକ୍ତ ବୈଷୟିକ ଟିମକୁ ଆବଶ୍ୟକ ନିର୍ଦ୍ଦେଶ ଜାରି କରାଯିବାକୁ ଏଏସଆଇ ମହାନିର୍ଦ୍ଦେଶକଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟ ପ୍ରଶାସକ।
ମୁଖ୍ୟ ପ୍ରଶାସକ ଆହୁରି ମଧ୍ୟ କହିଛନ୍ତି ଯେ, ରତ୍ନଭଣ୍ଡାରର ନିରୀକ୍ଷଣ ତଥା ବୈଷୟିକ ସର୍ଭେ ଶୀଘ୍ର ଶେଷ କରି ଏ.ଏସ୍.ଆଇ ପକ୍ଷରୁ ଏହାର ମରାମତି କାର୍ଯ୍ୟ ହାତକୁ ନିଆଯିବ । ରାଜ୍ୟ ସରକାରଙ୍କ ଅନୁମୋଦିତ SOP ଅନୁସାରେ ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗ୍ କୋଠରୀକୁ ସ୍ଥାନାନ୍ତରଣ ତଥା ଖାଲି ଆଲମିରା ଓ ସିନ୍ଦୁକ ଗୁଡିକ ସ୍ଥାନାନ୍ତରିତ ହୋଇସାରିଛି l ଏ.ଏସ୍.ଆଇ ମରାମତି କାର୍ଯ୍ୟ ଶେଷ କରିବା ପରେ ଅଳଙ୍କାର ଗଣତି ତଥା ମଣତି କରାଯାଇପାରିବ । ତେଣୁ ଏହି ପ୍ରସଙ୍ଗର ଗୁରୁତ୍ଵ ଦୃଷ୍ଟିରୁ ତୁରନ୍ତ ହସ୍ତକ୍ଷେପ କରିବାକୁ ଏ.ଏସ୍.ଆଇ ମହାନିର୍ଦ୍ଦେଶକଙ୍କୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।