ନୂଆଦିଲ୍ଲୀ,୨୧/୦୮: ଏସ୍ସି ଓ ଏସ୍ଟି ସଂରକ୍ଷଣରେ କ୍ରିମି ଲେୟର ଅର୍ଥାତ୍ ଉପ-ବର୍ଗ ଲାଗୁଚ କରିବାକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୁଦ୍ଧରେ ବୁଧବାର ସାରା ଦେଶରେ ଦଳିତ ଓ ଆଦିବାସୀ ସଂଗଠନ ରାସ୍ତାକୁ ଓହ୍ଲାଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଅଗଷ୍ଟ ୨୧ ତାରିଖରେ ଭାରତ ବନ୍ଦ ଡାକରା ଦେଇଥିଲା ଆଦିବାସୀ ସଂଗଠନ। ତେବେ ଏହି ବନ୍ଦ ଡାକରାର ପ୍ରଭାବ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଭଳି ଅନ୍ୟରାଜ୍ୟରେ ଦେଖିବାକୁ ମିଳିଛି। ଅନେକ ସ୍ଥାନରେ ବିକ୍ଷୋଭକାରୀ ଦୋକାନ ବଜାରରେ ହଙ୍ଗାମା କରିଥିବା ବେଳେ ନାରାବାଜି କରିଥିବା ଦେଖିବାକୁ ମିଳିଥିଲା।
କହିରଖୁଛୁ ଯେ, ଏହି ଆନ୍ଦୋଳନରେ ବସପା, ଆଜାଦ ସମାଜ ପାର୍ଟି ଭଳି ଦଳିତ ଗୋଷ୍ଠୀର ଦଳମାନେ ସମର୍ଥନ କରିଛନ୍ତି। ସେପଟେ କଂଗ୍ରେସ, ଆରଜେଡି, ସମାଜବାଦୀ ପାର୍ଟି ଭଳି ବିରୋଧୀ ଦଳ ଭାରତ ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି। ସେପଟେ ଭାରତ ବନ୍ଦ ଡାକରାରେ ବିହାର ଓ ଓଡ଼ିଶାରେ ଯାତାୟତ ଠପ୍ ହୋଇଥିବା ବେଳେ ରାସ୍ତା ଉପରେ ଟାୟାର ଜାଳିବା ଭଳି ମାମଲା ମଧ୍ୟ ସାମ୍ନାକୁ ଆସିଛି। ଓଡ଼ିଶାରେ ପ୍ରାୟ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ କରାଯାଇଥିବା ବେଳେ ରାଜ୍ୟ ସଚିବାଳୟ ଓ ବଡ଼ ସରକାରୀ ଅଫିସ ଆଗରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ତେବେ ସେପଟେ ବିହାରରେ ଉତ୍ୟକ୍ତ ଲୋକଙ୍କୁ କାବୁ କରିବା ପାଇଁ ପୁଲିସ ବାଧ୍ୟ ହୋଇ ଲାଠିଚାର୍ଜ କରିଥିବା ଭଳି ଖବର ମଧ୍ୟ ଆସୁଛି।
ଭାରତ ବନ୍ଦ ପ୍ରଭାବ ରାଜସ୍ଥାନର ଯୋଦ୍ଧପୁରରେ ମଧ୍ୟ ଦେଖିବାକୁ ମିଳିଛି। ସକାଳୁ ଅନେକ ସଂଗଠନ ରାସ୍ତାକୁ ଓହ୍ଲାଇଛନ୍ତି। ଯୋଦ୍ଧପୁର ଏବଂ ନିକଟସ୍ଥ ଗ୍ରାମୀଣ ଅଞ୍ଚଳରେ ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ, କୋଚିଂ ପ୍ରତିଷ୍ଠାନ ଏବଂ ଅଙ୍ଗନୱାଡି କେନ୍ଦ୍ର ଆଜି ବନ୍ଦ ରହିଛି। କୋଟାରେ ମଦ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭାରତରେ ବନ୍ଦର ପ୍ରଭାବ ସବୁ କ୍ଷେତ୍ର ଉପରେ ପଡ଼ିଛି।