କଣାସ,୨୯/୦୮: ପିପିଲି ପରେ ଏବେ ନିମାପଡା ଏବଂ ଡେଲାଙ୍ଗରେ ବାର୍ଡ ଫ୍ଲୁ ସନ୍ଦେହ । ମୃତ୍ୟୁ ମୁଖରେ ପଡିଲେଣି ହଜାର ହଜାର କୁକୁଡା । ପରୀକ୍ଷା ପାଇଁ ଭୋପାଳ ଗଲା ନିମାପଡା ଓ ଡେଲାଙ୍ଗ କୁକୁଡ଼ାଙ୍କ ନମୁନା । ସେପଟେ ସତ୍ୟବାଦୀରେ ୧୪,୭୮୭ ଓ ପିପିଲିରେ ୧୪,୧୨୪ଟି କୁକୁଡ଼ା ମଲେଣି । ଏହି ଅଞ୍ଚଳର ଲୋକଙ୍କଠାରେ ଜ୍ୱର, କାଶ ଓ ଥଣ୍ଡା ହୋଇଥିବାର ଦେଖିବାକୁ ମିଳିଥିବାରୁ ସତର୍କ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି।
ସୂଚନା ଅନୁଯାୟୀ, ପ୍ରଥମେ ପିପିଲିରେ ପ୍ରବଳ ମାତ୍ରାରେ ବାର୍ଡ ଫ୍ଲୁ ବ୍ୟାପିଥିଲା । ଏହି କାରଣରୁ ହଜାର ହଜାର କୁକୁଡ଼ା ମୃତ୍ୟୁ ମୁଖରେ ପଡ଼ିଥିଲେ । ମରିଯାଇଥିବା କୁକୁଡ଼ାଙ୍କୁ ଚାଷୀ ନାଳ ନର୍ଦ୍ଦମାରେ ଫୋପାଡ଼ିଥିଲେ । ଏପରିକି ରାପିଡରେସପନ୍ସ ଟିମ୍ ମଧ୍ୟ କୁକୁଡ଼ା ଫାର୍ମ ନିକଟକୁ ଯାଇନଥିଲେ । ଫଳରେ ନିଜେ ନିଜେ ମଲା କୁକୁଡ଼ାଙ୍କୁ ପୋତିଥିଲେ ଚାଷୀ । ଏହି ଅଞ୍ଚଳରେ କୁକୁଡ଼ା ଚିଆଁ ଗୁଡ଼ିକୁ ମଧ୍ୟ ପ୍ରଶାସନ ମାରିଛି ।ବର୍ତ୍ତମାନ ନିମାପଡା ଏବଂ ଡେଲାଙ୍ଗରେ ମଧ୍ୟ ବାର୍ଡ ଫ୍ଲୁ ସନ୍ଦେହ ଦେଖାଦେଲାଣି । ତେଣୁ ପରୀକ୍ଷା ପାଇଁ ଭୋପାଳକୁ ନିମାପଡା ଓ ଡେଲାଙ୍ଗ କୁକୁଡ଼ାଙ୍କ ନମୁନା ପଠାଯାଇଛି ।