ଦାରିଙ୍ଗବାଡି,୧୧/୮(ଆପ୍ର): ଦାରିଙ୍ଗବାଡି ତହସିଲ ଅଧିନ ଦଣ୍ଡିମାହା ଅଞ୍ଚଳରେ ବେଆଇନ ଭାବେ କ୍ରସର ଓ ପିଚୁ ପ୍ଲାଣ୍ଟ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି। ଏହାର ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଦଣ୍ଡିମାହା ଗ୍ରାମରେ ଏକ ସଂସ୍ଥା ଆଜକୁ ୧୫ ବର୍ଷ ହେବ ପଥର ଖାଦାନ ସହ କ୍ରସର ଓ ପିଚୁ ପ୍ଲାଣ୍ଟ ନିର୍ମାଣ କରିଛି । କ୍ରସର ଓ ପିଚୁ ପ୍ଲାଣ୍ଟ କରିବା ନିମନ୍ତେ ସ୍ଥାନୀୟ ଲୋକଙ୍କ ଜମିକୁ ଲିଜ ସୂତ୍ରରେ ନେଇ କ୍ରସର ସହ ପିଚୁ ପ୍ଲାଣ୍ଟ ନିର୍ମାଣ କରାଯାଇଛି । ଡଲିବନ୍ଧ ମୌଜା ଓ ଦଣ୍ଡିମାହା ମୌଜାର ଜମିରେ ଉକ୍ତ କ୍ରସର ଓ ପିଚୁ ପ୍ଲାଣ୍ଟ ନିର୍ମାଣ ହୋଇଛି । ହେଲେ ଗୋଟିଏ ପ୍ଲଟକୁ ଛାଡି ଦେଲେ ଅନ୍ୟ ପ୍ଲଟର କିସମ ସବୁ ପଦର ଓ ବିଲ ରହିଛି । ଉକ୍ତ ଜମି ଗୁଡିକର କିସମ ପଦର ଓ ବିଲ ରହିଥିବା ବେଳେ ଘରବାରି କିସମକୁ ପରିବର୍ତ୍ତନ କରାଯାଇନାହିଁ । ଯଦି ପଦର କିମ୍ବା ବିଲରେ କୃଷି କାର୍ଯ୍ୟ ବଦଳରେ ଅନ୍ୟ କିଛି ଅଣ କୃଷି କାର୍ଯ୍ୟ ହେଉଛି ତାହ ହେଲେ ତାହା ବେଆଇନ । ଓଡ଼ିଶା ସରକାରଙ୍କ ୧୯୬୦ ଓଡ଼ିଶା ଜମି ସଂସ୍କାର ଆଇନର ୮(ଏ)ନିୟମ ପ୍ରକାରେ ଏହାର କିସମ ପରିବର୍ତ୍ତନ କରିବା ଆବଶ୍ୟକ । ବିଲ କିମ୍ବା ପଦର ଥିଲେ ଏହାକୁ ଘରବାରିରେ ପରିବର୍ତ୍ତନ କରି ଯେ କୌଣସି ଅଣ କୃଷି କାର୍ଯ୍ୟ କରିହେବ । ହେଲେ ଉକ୍ତ ସଂସ୍ଥା କ୍ରସର ଓ ପିଚୁ ପ୍ଲାଣ୍ଟ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କିସମ ପରିବର୍ତ୍ତନ କରିନାହିଁ । ଫଳରେ ସରକାର ଙ୍କ ଲକ୍ଷାଧିକ ଟଙ୍କାର ରାଜସ୍ବ ହାନି ହେଉଛି । ଏଭଳି ଭାବେ ବେଆଇନ ଭାବରେ କ୍ରସର ନିର୍ମାଣ ହୋଇଥିଲେ ସୁଦ୍ଧା ରାଜସ୍ବ ବିଭାଗ ଚୁପ୍ ହୋଇ ରହିଛି । ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି । ତହସିଲଦାର ଶରତ ଶବରଙ୍କୁ ପଚାରିବାରୁ ଜମିର କିସମ କଣ ରହିଛି ତଦନ୍ତ କରାଯିବ ବୋଲି କହିଥିଲେ ।