ନୂଆଦିଲ୍ଲୀ,୧୩/୦୯ : ପାଖେଇ ଆସୁଛି ଆମେରିକା ନିର୍ବାଚନ । ଏନେଇ ଉଭୟ ଦଳର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଇତି ମଧ୍ୟରେ ପରମ୍ପରା ଅନୁଯାୟୀ ଉଭୟ ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ମହାବିତର୍କ ଗତ ମଙ୍ଗଳବାର ଶେଷ ହୋଇଛି। ତେବେ ଏହାପରେ ଆଉ ଏକ ରାଉଣ୍ଡ ମହାବିତର୍କ ନିମନ୍ତେ କମଳା ହାରିସ ଇଚ୍ଛୁକ ଥିବା ବେଳେ ଏହାକୁ ପ୍ରତ୍ୟାଖାନ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ସେ ନିଜ ସୋସିଆଲ ମିଡିଆ ପୋଷ୍ଟରେ ଟ୍ରମ୍ପ କହିଛନ୍ତି, ହାରିସ ଆଉ ଏକ ବିତର୍କ ପାଇଁ ଆଗ୍ରହୀ ଥିବାର ଅର୍ଥ ନିଜ ସେ ହାରି ଯାଇଛନ୍ତି। ଏବେ ସ୍ଥିତି ସୁଧାରିବାକୁ ସେ ପ୍ରୟାସ ଆରମ୍ଭ କରିଛନ୍ତି।
ତେବେ ଉଭୟ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ୟରେ ଗତ ମଙ୍ଗଳବାର ଆରମ୍ଭ ହୋଇଥିଲା ମହାବିତର୍କ । ଫିଲାଡେଲଫିଆର ନ୍ୟାସନାଲ କନଷ୍ଟିଚ୍ୟୁସେନ ସେଣ୍ଟରରେ ଦୁଇ ପ୍ରାର୍ଥୀ କମଳା ହାରିସ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିଲା ବାକ୍ ଯୁଦ୍ଧ । ଏଥିରେ ଗର୍ଭପାତଠାରୁ ଆରମ୍ଭ କରି ଯୁଦ୍ଧ, ଅର୍ଥନୀତିଠାରୁ ଆରମ୍ଭ କରି ଗୃହ ସଙ୍କଟ ପର୍ଯ୍ୟନ୍ତ ପ୍ରସଙ୍ଗ ସ୍ଥାନ ପାଇଥିଲା। ବିତର୍କ ଆରମ୍ଭରେ ହାରିସ୍ ଓ ଟ୍ରମ୍ପ ପରସ୍ପରର ହାତ ମିଳାଇ ରାଷ୍ଟ୍ରପତି ବିତର୍କ ମଞ୍ଚରେ ହାତ ନ ମିଳାଇବାର ୮ବର୍ଷର ଧାରାର ଅନ୍ତ ଘଟାଇଥିଲେ। ଟ୍ରମ୍ପ କହିଛନ୍ତି ମତଦାନ ସର୍ବେକ୍ଷଣରୁ ଏହା ସ୍ପଷ୍ଟ ହୋଇ ଯାଇଛି ଯେ, ମଙ୍ଗଳବାର ରାତିରେ ହୋଇଥିବା ଘମାଘୋଟ ବିତର୍କରେ ମୁଁ ଜିତି ଯାଇଛି। ପ୍ରଥମ ଥର ଜୁନ୍ରେ ରାଷ୍ଟ୍ରପତିଙ୍କ ବିପକ୍ଷରେ ପ୍ରଥମ ବିତର୍କ ହୋଇଥିଲା । ଏହାପରେ ମଙ୍ଗଳବାର କମଳା ହାରିସଙ୍କ ସହ ଦ୍ୱିତୀୟ ଥର ବିତର୍କରେ ବି ମୋର ସ୍ପଷ୍ଟ ବିଜୟ ହୋଇଛି। ତେଣୁ ଏବେ ତୃତୀୟ ବିତର୍କର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଟ୍ରମ୍ପ । ଆସନ୍ତା ନଭେମ୍ବର ୫ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବ । ଏହାପୂର୍ବରୁ ଏବେଠୁ ସମଗ୍ର ଆମେରିକାରେ ନିର୍ବାଚନୀ ମାହୋଲ ସରଗରମ ହୋଇ ଉଠିଛି। କମଳା ହାରିସ ଆମେରିକା ପାଇଁ ନିଜ ଯୋଜନା ସମ୍ପର୍କରେ ବଖାଣୁଥିବା ବେଳେ ମଧ୍ୟବିତ ଶ୍ରେଣୀ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି।