ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଇଜିପ୍ଟର ଜଣେ ରେସଲରଙ୍କୁ ଫ୍ରାନ୍ସ ପୋଲିସ ଆଜି ଗିରଫ କରିଛି । ୨୬ ବର୍ଷୀୟ କୁସ୍ତି ଯୋଦ୍ଧା ମହମ୍ମଦ ଏଲସାୟଦ ବାର୍ରେ ମଦ୍ୟପାନ କରି ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି । ଆଜି ଭୋର ୫ଟାରେ ଏକ ବାରରେ ନିଶାରେ ଚୂର ଥିବା ମହମ୍ମଦ ଜଣେ ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗରେ ହାତ ରଖିଦେଇଥିଲେ । ଏହାକୁ ନେଇ ପୀଡ଼ିତା ଅଭିଯୋଗ କରିଥିଲେ ।
ଏହା ପରେ ପୋଲିସ ବାରରେ ପହଞ୍ଚି ମହମ୍ମଦଙ୍କୁ ଗିରଫ କରିଥିଲା । ଟୋକିଓ ଅଲିମ୍ପିକ୍ସରେ ସିଲଭର ମେଡାଲ ଜିତିଥିବା ମହମ୍ମଦ ଏଲସାୟଦ ଫ୍ରାନ୍ସ ଅଲିମ୍ପିକ୍ସରେ ୬୭ କେଜି ରେସଲିଂ ବର୍ଗରେ ପରାଜୟ ଭୋଗିଛନ୍ତି । ରୋମାନର ହସରତ ଜାପରୋଭଙ୍କ ଠାରୁ ପରାସ୍ତ ହୋଇଥିଲେ ମହମ୍ମଦ । ଜାପରୋଭ ଏହି ମ୍ୟାଚ୍ରେ ବ୍ରୋଞ୍ଜ ହାସଲ କରିଛନ୍ତି ।
ମହିଳାଙ୍କୁ ଅସଦାଚରଣ କରି ଜେଲ ଯାଇଥିବା ମହମ୍ମଦଙ୍କୁ ପୋଲିସ ମୁକ୍ତ କରିଛି କି ନାହିଁ ଜଣାପଡ଼ି ନାହିଁ । ଫ୍ରାନ୍ସ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଇଜିପ୍ଟର ରେସଲର ମହମ୍ମଦ ଏଲସାୟଦ ଅଧିକ ମାତ୍ରାରେ ମଦ୍ୟପାନ କରିଥିଲେ ।