ପୁରୀ, ୦୫/୦୬ : ଚାରିଆଡ଼େ ସବୁଜିମା ଭରପୂର ହୋଇରହିଥିବ । କୃଷ୍ଣସାର ମୃଗ, ଚିତ୍ରା ହରିଣ ରାସ୍ତାରେ ଆତଯାତ କରୁଥିବେ । କୃଷ୍ଣଚୂଡ଼ା ଗଛ ରାସ୍ତାର ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିବ ତ ଘଞ୍ଚ ଜଙ୍ଗଲରୁ ବୋହି ଆସୁଥିବା ସୁଲୁସୁଲିଆ ପବନ ଦେହରେ ଶୀତଳତା ଭରି ଦେଉଥିବ । ୧ ଦଶନ୍ଧି ତଳେ ବାଲୁଖଣ୍ଡ ଅଭୟାରଣ୍ୟର ଦୃଶ୍ୟ କିଛି ଏଭଳି ଥିଲା । ହେଲେ ଏହି ବାସ୍ତବତା ଏବେ କେବଳ ପରିକଳ୍ପନାରେ ସୀମିତ ରହିଯାଇଛି । ଏବେ ବାଲୁଖଣ୍ଡରେ ନା ଅଛି ପୂର୍ବ ଭଳି ସବୁଜିମା ନା ଅଛନ୍ତି ଆଗଭଳି ହରିଣ । ବାଲୁଖଣ୍ଡରେ ମିଳୁଥିବା ବିଭିନ୍ନ ଔଷଧୀୟ ଗୁଳ୍ମ ଲତା ସବୁକୁ ଏବେ ଦେଖିବା ସ୍ୱପ୍ନ ପାଲଟିଛି । ଆଜି ସାରା ବିଶ୍ୱ ପରିବେଶ ଦିବସ ପାଳନ କରୁଥିବା ବେଳେ ପୁରୀ ପରିବେଶକୁ ସନ୍ତୁଳିତ ରଖିବାରେ ପ୍ରମୁଖ ଭୂମିକା ତୁଲାଉଥିବା ବାଲୁଖଣ୍ଡ ଅଭୟାରଣ୍ୟ ଏହାର ଅସ୍ତିତ୍ୱ ହରାଇବାରେ ଲାଗିଛି ।
ଫୋନି ବାତ୍ୟା ସହ ବନୀକରଣ କରିବାରେ ସରକାରୀ ଅବହେଳା ବାଲୁଖଣ୍ଡର ସୌନ୍ଦର୍ଯ୍ୟ ହରାଇଛି । ଏହା ସହ ପରିବେଶ ସନ୍ତୁଳନ ବିଗୁଡୁଥିବା କାରଣରୁ ମଧ୍ୟ ଅନେକ ଗୁଳ୍ମ ବାଲୁଖଣ୍ଡ ଜଙ୍ଗଲରେ ମୁଣ୍ଡ ଟେକି ପାରୁନାହାନ୍ତି । ବାଲୁଖଣ୍ଡ ଜଙ୍ଗଲ ୮୭ ବର୍ଗ କିମି ଅଞ୍ଚଳରେ ପରିବ୍ୟାପ୍ତ । ତେବେ ରିପୋର୍ଟ ମୁତାବକ ଫୋନିରେ ବାଲୁଖଣ୍ଡର ୧୨୩୫ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଯାଇଥିଲା । ୫ ଲକ୍ଷରୁ ଅଧିକ ଗଛ ଉପୁଡି ଯାଇଥିଲା । ଏଣୁ ଏହି କ୍ଷତିକୁ ଭରଣା କରିବାକୁ ପୁନଃ ବନୀକରଣ କରାଯାଉଥିଲା । ସରକାରୀ ନଥି ଅନୁସାରେ ଇତିମଧ୍ୟରେ ୬୦୦ ହେକ୍ଟରରୁ ଅଧିକ ଜଙ୍ଗଲରେ ପୁନଃ ବନୀକରଣ ହୋଇପାରିଛି । ପ୍ରତ୍ୟେକ ବର୍ଷ ୧୫୦ ହେକ୍ଟର ଜମିରେ ଜଙ୍ଗଲ ସୃଷ୍ଟି କରିବାକୁ ଟାର୍ଗେଟ ରଖାଯାଇଛି । ହେଲେ ବାଲୁଖଣ୍ଡର ବାସ୍ତବ ଚିତ୍ର ଭିନ୍ନ କଥା କହୁଛି । ସ୍ଥାନୀୟ ଅଞ୍ଚଳର ବିଭୂତି ଭୂଷଣ ଆଚାର୍ଯ୍ୟ(୩୫) କହିଛନ୍ତି, ପିଲାଦିନେ ସେ ଦେଖିଛନ୍ତି ବାଲୁଖଣ୍ଡ ଜଙ୍ଗଲ ଖୁବ ଝଙ୍କାଳିଆ ଥିଲା । ଏତେ ସଂଖ୍ୟକ ଗଛ ଜଙ୍ଗଲରେ ଥିଲା ଯେ, ଭୂମିରେ ଛାଇ ପଡ଼ିବା ମଧ୍ୟ କଷ୍ଟକର ହେଉଥିଲା । ଏବେ ବାଲୁଖଣ୍ଡର ଅଧିକାଂଶ ଭୂମି ପଡ଼ିଆରେ ପରିଣତ ହୋଇଛି । ଗୁଳ୍ମ, ଲତା, କିଆ ଗଛ, ଅରଖ ଗଛ ଆଦି ପ୍ରବଳ ମାତ୍ରାରେ ଥିଲା ହେଲେ ଏବେ ସେସବୁ ଗଛ ବାଲୁଖଣ୍ଡରେ ଦେଖିବାକୁ ମିଳୁନି ।
ବାଲୁଖଣ୍ଡ ଜଙ୍ଗଲରେ ହଜାର ହଜାର ସଂଖ୍ୟାର ପ୍ରଜାପତି ଉଡୁଥାନ୍ତି । ଯାହା ପର୍ଯ୍ୟଟକଙ୍କୁ ଆକର୍ଷିତ କରେ । ହେଲେ ଏବେ ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରଜାପତି ଉଡୁଥିବା ମଧ୍ୟ ଦେଖାଯାଉନାହିଁ । ଅନେକ ଔଷଧୀୟ ଗୁଳ୍ମରେ ମଧ୍ୟ ବାଲୁଖଣ୍ଡ ଭରପୂର ଥିଲା ହେଲେ ଦୀର୍ଘ ବର୍ଷ ହେବ ଏହି ଔଷଧୀୟ ଗଛ ସବୁ ମଧ୍ୟ ମିଳୁନାହିଁ । ସ୍ଥାନୀୟ ବେଲଦଳ ଗ୍ରାମର ପ୍ରଶାନ୍ତ ପ୍ରଧାନ କହିଛନ୍ତି, ବାଲୁଖଣ୍ଡର ସୁରକ୍ଷା ପାଇଁ ସରକାରୀ ନଥିପତ୍ରରେ ବନୀକରଣ ହେଉଥିବା ଆମେ ଶୁଣୁଛୁ । ହେଲେ ବାସ୍ତବରେ ଦିନକୁ ଦିନ ବାଲୁଖଣ୍ଡରୁ ଗଛ କମିଯାଉଥିବା ଭଳି ଅନୁଭବ ହେଉଛି । ଆଗରୁ ଯେଉଁଭଳି ବାଲୁଖଣ୍ଡ ଶୀତଳତା ଦେଉଥିଲା ଏବେ ସେ ଶୀତଳତା ନାହିଁ । ଝାଉଁ, ୟୁକାଲିପଟ୍ଟାସ ଆଦି ଗଛ ପାଖ ଅଞ୍ଚଳକୁ ବାତ୍ୟାରୁ ସୁରକ୍ଷା ଦେଉଥାଏ । ହେଲେ ଏବେ କେବଳ ଲଙ୍କା ଆମ୍ବ ଗଛ ଦେଖିବାକୁ ମିଳୁଛି ଯାହା ବାତ୍ୟାକୁ ରୋକିବାରେ ସମର୍ଥ ହେଉନି ।
ଶ୍ରୀ ପ୍ରଧାନ କହିଛନ୍ତି, ଜଙ୍ଗଲ ଜଳ ସମୁଦ୍ର ମଧ୍ୟକୁ ଏକ ଧାରରେ ନିଷ୍କାସିତ ହୋଇଥାଏ । ହେଲେ ଏହି ଗଛ ଅଭାବରୁ ଏହି ଧାର ଅଧିକ ପ୍ରଶସ୍ତ ହେଉଛି । ଯାହାଦ୍ୱାରା ଜଙ୍ଗଲର ଉର୍ବର ମାଟି ଓ ବାଲି ଧୋଇ ହୋଇଯାଇ ସମୁଦ୍ରରେ ପଶୁଛି । ବାଲୁଖଣ୍ଡରେ ଗଛ ବଢ଼ିନପାରିବା ପଛରେ ଏହା ମଧ୍ୟ ପ୍ରମୁଖ କାରଣ । ପରିବେଶବିତ୍ ସୋରଜ କୁମାର ଜେନାଙ୍କ କହିବା ମୁତାବକ, ଗୋଟିଏ ଜଙ୍ଗଲର ସୁରକ୍ଷା ପାଇଁ ଜୈବ ସନ୍ତୁଳନ ଜରୁରୀ । ହେଲେ ବାଲୁଖଣ୍ଡର ଜୈବ ସନ୍ତୁଳନ ବିଗିଡ଼ି ଯାଇଛି । ଝାଉଁ ଗଛ କମି ଆକାଶୀ ଗଛ ସଂଖ୍ୟା ବଢୁଛି । ଆକାଶୀ ଗଛ ମାଟି ତଳର ପାଣି ଅଧିକ ଶୋଷି ଥାଏ ଯାହାଦ୍ୱାରା ଭୂତଳ ଜଳ ସ୍ତର ହ୍ରାସ ହେଉଛି । ବାଲୁଖଣ୍ଡ ମଧ୍ୟରେ ଥିବା ଚୁଆ ସବୁ ଶୁଖିଲା ପଡ଼ିଛି । ହରିଣମାନଙ୍କ ପାଇଁ ଚାରଣ ଭୂମି ବା ଘାସ ପଡ଼ିଆ ନାହିଁ । ଘାସ ପଡ଼ିଆ ସୃଷ୍ଟି କରିବାକୁ କୌଣସି ପଦକ୍ଷେପ ମଧ୍ୟ ନିଆଯାଉନାହିଁ । ଏହି ସବୁ କାରଣରୁ ଜଙ୍ଗଲର ପରିସୀମା ଧୀରେ ଧୀରେ ହ୍ରାସ ପାଉଛି ।