ନୂଆଦିଲ୍ଲୀ: କୃଷକ ଆନ୍ଦୋଳନକୁ ଆଖି ଆଗରେ ରଖି ହରିୟାଣାରେ ଲଗାତାର ଭାବରେ ପ୍ରତିବନ୍ଧକ ବୃଦ୍ଧି କରାଯାଉଛି । ଗୋଟିଏ ପଟେ ହରିୟାଣା ସରକାର ରାଜ୍ୟର ସାତୋଟି ଜିଲ୍ଲା: ଅମ୍ବାଲା, ଜିନ୍ଦ, କୁରୁକ୍ଷେତ୍ର, ହିସାର, କୈଥଲ, ଫତେହାବାଦ ଏବଂ ସିରସା ରେ ଇଣ୍ଟରନେଟ ସେବାକୁ ବାରଣ କରିଥିବା ବେଳେ ଏବେ ଚଣ୍ଡୀଗଡ ସଂଲଗ୍ନ ପଞ୍ଚକୁଲାରେ ଧାରା ୧୪୪ ଲାଗୁ କରାଯାଇଛି । ପଞ୍ଚକୁଲା ଡିସିପି ସୁମର ସିଂ ପ୍ରତାପ କହିଛନ୍ତି ଯେ ପଦଯାତ୍ରା କିମ୍ବା ଟ୍ରାକ୍ଟର ରାଲି ଏବଂ ବାହାନରେ ପ୍ରଦର୍ଶନ କିମ୍ବା ଅସ୍ତ୍ରଶସ୍ତ୍ର ପରିବହନ ଉପରେ ପ୍ରତିବନ୍ଧକ ଲଗାଯାଇଛି ।
କୃଷକ ସଂଗଠନ ଫେବୃଆରୀ ୧୩ରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବା ନେଇ ଘୋଷଣା ପରେ ପଞ୍ଜାବ-ହରିୟାଣା ସୀମା ଅଞ୍ଚଳରେ ସୁରକ୍ଷା ବୃଦ୍ଧି କରାଯାଇଛି। ପଞ୍ଜାବ-ହରିୟାଣା ସୀମାକୁ ସିଲ୍ କରାଯାଇଛି । ବ୍ୟାରିକେଡ୍, ବୋଲ୍ଡର, ବାଲି ଭର୍ତ୍ତି ଟିପ୍ପର ଏବଂ କଣ୍ଟା ତାର ଲଗାଇ ସୀମା ବନ୍ଦ କରାଯାଇଛି ।
ସୀମା ସିଲ୍ କରିବା ସହିତ ଟ୍ରାଫିକ୍ ଆଡଭାଇଜରୀ ମଧ୍ୟ ଜାରି କରାଯାଇଛି । ପଞ୍ଜାବ ଏବଂ ହରିୟାଣାର ପ୍ରମୁଖ ମାର୍ଗରେ ଟ୍ରାଫିକ ବ୍ୟାଘାତ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ହରିୟାଣା ପୋଲିସ ଟ୍ରାଫିକ ଆଡଭାଇଜରି ଜାରି କରିଛି ।