ସିମଲା, ୩।୯: ହିମାଚଳ ପ୍ରଦେଶର ଇତିହାସରେ ପ୍ରଥମ । ରାଜ୍ୟରେ ଦେଖାଦେଇଛି ଗମ୍ଭୀର ଆର୍ଥିକ ସଙ୍କଟ । କର୍ମଚାରୀଙ୍କୁ ଦରମା ମିଳିନଥିବା ବେଳେ ପେନସନଭୋଗୀଙ୍କ ଆକାଉଣ୍ଟକୁ ଆସିନି ଟଙ୍କା । ରାଜ୍ୟ ଉପରେ ରହିଛି ମୋଟ୍ ୯୪ ହଜାର କୋଟି ଟଙ୍କାର ଋଣ । ପୁରୁଣା ଋଣ ସୁଝିବାକୁ ନୂଆ ଋଣର ସାହାରା ନେଉଛନ୍ତି ରାଜ୍ୟ ସରକାର ।
ହିମାଚଳ ପ୍ରଦେଶର ଇତିହାସରେ ପ୍ରଥମ ଥର ପାଇଁ ଏଭଳି ଗଭୀର ଆର୍ଥିକ ସଙ୍କଟ ଦେଖାଦେଇଛି । ରାଜ୍ୟର ୨ ଲକ୍ଷ କର୍ମଚାରୀଙ୍କ ସମେତ ୧.୫ ଲକ୍ଷ ପେନସନଭୋଗୀଙ୍କ ଆକାଉଣ୍ଟକୁ ଦରମା ଏବଂ ପେନସନ୍ ଆସିନଥିବା ଜଣାପଡ଼ିଛି । ପୂର୍ବରୁ ମାସର ପ୍ରଥମ ତାରିଖରେ ଆକାଉଣ୍ଟକୁ ଟଙ୍କା କ୍ରେଡିଟ୍ ହୋଇଥାଏ । କିନ୍ତୁ, ବର୍ତ୍ତମାନ କର୍ମଚାରୀଙ୍କୁ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । କହିରଖୁଛୁ ଯେ, ରାଜ୍ୟ ଉପରେ ପ୍ରାୟ ୯୪ ହଜାର କୋଟି ଟଙ୍କାର ଋଣ ରହିଛି । ଏହା ରାଜ୍ୟର ଆର୍ଥିକ ସ୍ଥିତିକୁ ଆହୁରି ଦୁର୍ବଳ କରୁଛି । ତେଣୁ ରାଜ୍ୟ ସରକାରଙ୍କୁ ପୁରୁଣା ଋଣ ସୁଝିବା ପାଇଁ ନୂଆ ଋଣର ସାହାରା ନେବାକୁ ପଡ଼ୁଛି । ହିମାଚଳ ପ୍ରଦେଶରେ ଦେଖାଦେଇଥିବା ଆର୍ଥିକ ସଙ୍କଟର ଚର୍ଚ୍ଚା ବର୍ତ୍ତମାନ ସାରା ଦେଶରେ ହେଉଛି ।
ରାଜ୍ୟରେ ଏପରି ଆର୍ଥିକ ସଙ୍କଟ କାହିଁକି ଦେଖାଦେଲା ? ଏହା ପଛରେ କ’ଣ ରହିଛି କାରଣ ? ଭଳି ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଛି । ରିପୋର୍ଟ ଅନୁସାରେ, ସେପ୍ଟେମ୍ବର ୫ରେ କେନ୍ଦ୍ରରୁ ରେଭେନ୍ୟୁ ଡେଫିସିଟ୍ ଗ୍ରାଣ୍ଟର ୫୨୦ କୋଟି ଟଙ୍କା ହିମାଚଳ ପ୍ରଦେଶ ସରକାରଙ୍କ ଟ୍ରେଜେରୀକୁ ଆସିବ । ଏହା ପରେ ହିଁ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଆକାଉଣ୍ଟକୁ ଦରମା ଏବଂ ପେନସନ୍ ଆସିବା ନେଇ ହିମାଚଳ ପ୍ରଦେଶ ସରକାର କହିଛନ୍ତି । କହିରଖୁଛୁ, ରାଜ୍ୟ ସରକାରଙ୍କୁ ମାସିକ ସରକାରୀ କର୍ମଚାରୀଙ୍କ ଦରମା ବାବଦକୁ ୧ ହଜାର ୨୦୦ କୋଟି ଟଙ୍କା ଏବଂ ପେନସନଭୋଗୀଙ୍କ ପାଇଁ ୮୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ ।