କଥା କଥାକେ "ଘୋର କଳି କାଳ' ଭଳି ଶବ୍ଦକୁ ଉଚ୍ଚାରଣ କରୁଥିବା ବାପାଙ୍କୁ ଏବେ ପଞ୍ଚାଅଶୀ ବର୍ଷ ପୂରିଗଲା । ଝିଅମାନଙ୍କୁ ଆକଟ କରିବା, ଗାଳି ଦେବା କେବଳ ବୋଉର ଅଧିକାରଭୁକ୍ତ ଥିବାବେଳେ ଭାଇମାନଙ୍କର ପରୀକ୍ଷାରେ ନମ୍ବର କମିଗଲେ ବାପା ଅନ୍ୟମନସ୍କ ଭାବରେ ଢେର୍ ରାତିଯାଏ ଅଗଣାରେ ପଦଚାରଣା କରି ବିଳିବିଳେଇ ହେଉଥିଲେ । "କୁଳ ବୁଡ଼ିଲା ବେଳକୁ ଘୋଡ଼ାମୁହାଁ ପୁଅ ଜନ୍ମ ହେଲେ, ମୁଁ ଏବେ କାହାକୁ ମୁହଁ ଦେଖାଇବି' । ବାପାଙ୍କର ବ୍ୟସ୍ତତା ତାଙ୍କର ବିବ୍ରତ ଭାବକୁ ବୋଉ ସହ ଆମେ ସବୁ ଭାଇଭଉଣୀ ପଢ଼ିପାରୁ । ଭାଇମାନେ ପାଠପଢ଼ା ପ୍ରତି ଅଧିକ ଯତ୍ନବାନ ହୋଇଉଠନ୍ତି । କିନ୍ତୁ ବାପାଙ୍କ ମୁହଁରେ ଜବାବ ଦେବା, ତାଙ୍କ ଇଚ୍ଛାକୁ ଅବମାନନା କରିବା ଭଳି କଥାକୁ ଆମେ ସ୍ୱପ୍ନରେ ସୁଧା ଭାବିପାରିନାହୁଁ । ଏବେ କିନ୍ତୁ ଯୁଗ ବଦଳୁଛି । ତଥାପି କାହିଁକି କେଜାଣି ଯୁବପିଢ଼ିମାନଙ୍କର ମନୋବୃତ୍ତି ଚାଲିଚଳଣିରେ ବ୍ୟତିକ୍ରମ ଦେଖାଯାଉଛି । ସମାଜ ସଂସ୍କାରକଙ୍କ ମତରେ ଯୁବପିଢ଼ିମାନଙ୍କର ବିଜ୍ଞାନ ପ୍ରତି ଅତ୍ୟଧିକ ଆଗ୍ରହ ହେଉ ବା ଦୈନନ୍ଦିନ ଜୀବନରେ ଯାନ୍ତ୍ରିକବିଦ୍ୟାର ବହୁଳ ପ୍ରୟୋଗ ହେଉ, ଏବେକାର ଯୁବପିଢ଼ିଙ୍କୁ ଗୋଟିଏ ଗୋଟିଏ ଯନ୍ତ୍ରରେ ପରିଣତ କରିଦେଉଛି କହିଲେ ଅତ୍ୟୁକ୍ତି ହେବନାହିଁ ।
ଅତ୍ୟଧିକ ଖଟଣି ସହିତ ଅଧିକ ରୋଜଗାର କରିବାର ଲାଳସା ଏବଂ ପାଶ୍ଚାତ୍ୟ ଦେଶର ପ୍ରଭାବରେ ଅଧିକାଂଶ ବ୍ୟକ୍ତି ଏବେ ନିଶାସକ୍ତ ହୋଇଉଠୁଛନ୍ତି । ଉପାର୍ଜନ ବଢ଼ିବା ସହିତ ସଂସାରର ସର୍ବଶ୍ରେଷ୍ଠ ପାର୍ଥିବ ସୁଖକୁ ଭୋଗ କରିବାକୁ ଇଚ୍ଛା କରି ଦିନ କାଟୁଥିବା ବ୍ୟକ୍ତିବିଶେଷଙ୍କ ପାଖରେ ଧର୍ମ କିମ୍ବା ଧର୍ମ ନାମରେ ସଂସ୍କାରର ପ୍ରଭାବ ମୂଲ୍ୟହୀନ ହୋଇପଡ଼ୁଛି । ଯାହା ପାଇଁ ପରିବାରରେ ଥିବା ବୟସ୍କମାନେ ଅବହେଳିତ ହେବା ସହିତ ଛୋଟ ପିଲାମାନଙ୍କର ଶୈଶବ ଆବାସିକ ବିଦ୍ୟାଳୟରେ କଟୁଛି । ଯେଉଁଠି ପିତାମାତାଙ୍କର ସ୍ନେହଶ୍ରଦ୍ଧା ସ୍ୱପ୍ନ ହେବା ସହିତ ଗାଳି ପଦେ ମଧ୍ୟ ପିଲାଙ୍କୁ ମିଳୁନାହିଁ । ବାପାଙ୍କ ମୁହଁରୁ କୁଳାଙ୍ଗାର ଭଳି ଗାଳି, ଆଉ ବାହାରୁ ନାହିଁ । ମାଆଙ୍କର ଲୁହ ଛଳଛଳ ଆଖି, ବାପାଙ୍କୁ ଲୁଚାଇ ପୁଅ ପକେଟରେ କିଛି ଟଙ୍କା ଗୁଞ୍ଜିଦେବାର ଆନନ୍ଦ ମଧ୍ୟ ଦେଖିବାକୁ ମିଳୁନାହିଁ । ଅଧିକାଂଶ ବୟସ୍କଙ୍କର ଦାୟିତ୍ୱ ଏବେ ସରକାରଙ୍କ ହାତକୁ ଚାଲିଯାଇଛି । ପଞ୍ଚଷଠି ବର୍ଷରୁ ଅଧିକ ବୟସ୍କମାନଙ୍କୁ ପେନ୍ସନ୍ ଦେବା ସହିତ ସେମାନଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଯୋଜନା କରିବାକୁ ସରକାର ଏକପ୍ରକାର ବାଧ୍ୟ ହେଉଛନ୍ତି³ ଯାହାର ପ୍ରଭାବ ଏବେ ରାଜକୋଷ ଉପରେ ପଡ଼ୁଛି ।
ପୃଥିବୀର ସର୍ବପୁରାତନ ଦେଶ ତଥା ଜନବହୁଳ ଦେଶ ଚୀନର ସମସ୍ୟା ମଧ୍ୟ ବୟସ୍କଙ୍କୁ ନେଇ ଏବେ ବଢ଼ିବାରେ ଲାଗିଛି । ଚୀନ୍ରେ ବୟସ୍କଙ୍କ ସଂଖ୍ୟା ଏବେ ସତର କୋଟିକୁ ପାର କରିସାରିଥିବା ବେଳେ ସେମାନଙ୍କର ପେନ୍ସନ୍ ବାବଦ ଖର୍ଚ୍ଚ ପାଇଁ ରାଜକୋଷରେ ଏବେ ଅର୍ଥ ନାହିଁ । ତେଣୁ ଅବସରକାଳୀନ ବୟସ ସୀମାକୁ ବଢ଼ାଇଦେବାକୁ ପ୍ରଶାସକ ଚିନ୍ତା କଲାବେଳକୁ ଯୁବପିଢ଼ିଙ୍କ ପାଇଁ ଏହା ଅସହ୍ୟ ହୋଇପାରେ, ଯାହାର ପ୍ରତିଫଳନ ହିଂସାତ୍ମକ କାର୍ଯ୍ୟକଳାପରେ ପରିଣତ ହେବ ବୋଲି ବିଚାର କରି ସରକାର ନିରବରେ ରହି ସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି । ଏଇ ନିକଟରେ ପୃଥିବୀର ସର୍ବାଧିକ ଜନବହୁଳ ଦେଶର ମାନ୍ୟତା ହାସଲ କରିଥିବା ଭାରତବର୍ଷର ଅବସ୍ଥା ମଧ୍ୟ ଠିକ୍ ସେହିଭଳି ହେବାକୁ ଯାଉଛି ବୋଲି ଅର୍ଥନୀତି ବିଶାରଦମାନେ ଚିନ୍ତା ପ୍ରକଟ କଲେଣି । ଆମ ଦେଶର ଲୋକସଂଖ୍ୟା ଏବେ ଏକଶହ ଚଉରାଳିଶି କୋଟିକୁ ପାର କରିସାରିଥିବା ବେଳେ ବୟସ୍କଙ୍କ ସଂଖ୍ୟା ଏବେ ପନ୍ଦର କୋଟିକୁ ପାର କରିସାରିଲାଣି । ଏଭଳି ସମୟରେ ବୟସ୍କଙ୍କୁ ସମ୍ମାନ ଦେବା, ଆଦର ଯତ୍ନ କରିବା ଭଳି ସମୟ ସତେଯେପରି କଡ଼ ଲେଉଟାଇଲାଣି³ ଯାହାର ପ୍ରଭାବରେ ବୟସ୍କ ଏବଂ ଆଗାମୀ ପିଢ଼ିଙ୍କ ମଧ୍ୟରେ ମତପାର୍ଥକ୍ୟ ବଢ଼ି ବଢ଼ି ଚାଲିଛି । ମାତ୍ର ଖୁସିର କଥା ହେଲା ଏବେ ଭାରତୀୟଙ୍କର ଆୟୁଷସୀମା ଚଉସ୍ତରିରେ ପହଞ୍ଚିଛି । ଯାହା ଆମର ଶିକ୍ଷା ଏବଂ ସ୍ୱାସ୍ଥ୍ୟ ବିଭାଗର ଅଗ୍ରଗତିକୁ ଦର୍ଶାଇବା ସହିତ ନାଗରିକଙ୍କର ସ୍ୱାସ୍ଥ୍ୟ ସଚେତନ ମନୋଭାବ ବାହାରେ ଆମକୁ ଶିକ୍ଷିତ ବ୍ୟକ୍ତିରେ ପରିଣତ କରିପାରିଛି । ଯୋଗାଭ୍ୟାସଠାରୁ ଆରମ୍ଭ କରି ନିୟନ୍ତ୍ରିତ ଖାଦ୍ୟପେୟ, ବ୍ୟାୟାମ, ଖେଳ କସରତ ପ୍ରତି ଲୋକମାନଙ୍କର ଆଗ୍ରହ ବଢ଼ିଛି । ଏହା ସହିତ ଆରାମଦାୟକ ଶୈଳୀରେ ଦିନ କଟାଇବାର ନିଶା ଏବେ କେବଳ ଆମ ଦେଶରେ ନୁହେଁ ବରଂ ସମଗ୍ର ପୃଥିବୀପୃଷ୍ଠର ଲୋକମାନଙ୍କୁ ଘାରିଛି । ଫଳରେ ଆଭିଜାତ୍ୟ ସହିତ ଆଧିପତ୍ୟ ଏବଂ ତା’ ସହିତ ଯୋଡ଼ି ହୋଇଯାଉଛି ସୌଖୀନ ଜୀବନଶୈଳୀର ପ୍ରଦର୍ଶନୀ, ଯାହା ସଭ୍ୟ ତଥା ଶିକ୍ଷିତ ଲୋକଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଚାଲିଛି କହିଲେ ଅତ୍ୟୁକ୍ତି ହେବନାହିଁ । ଜୀବନକୁ ଉପଭୋଗ କରିବା ଅଥବା ବିଳାସବ୍ୟସନ ମଧ୍ୟରେ ଦିନ କଟାଇବାର ନିଶା ଆମେରିକାବାସୀଙ୍କୁ ଅଧିକ ଜଣା ଥିବାବେଳେ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶର ଲୋକମାନେ ମଧ୍ୟ ପଛରେ ନାହାଁନ୍ତି । ସେମାନଙ୍କୁ ଅନୁସରଣ କରିବାର ନିଶା ଏବେ ଭାରତର ଯୁବପିଢ଼ିମାନଙ୍କୁ ପାଗଳ କରୁଛି । "ଆପେ ବଞ୍ଚିଲେ ବାପାର ନାଁ' ଭଳି ଉକ୍ତିଟି ସତଯେପରି ଆମ ବାତାବରଣରେ ଝଙ୍କୃତ ହେଉଛି । ଅତ୍ୟଧିକ ଭୋଗ ଲାଳସା ସହିତ ସୁସ୍ଥ ରହିବାର ସଂକଳ୍ପ ଏବଂ ତା’ ସହିତ ଯୋଡ଼ି ହୋଇଯାଉଛି ନିଜ ଭବିଷ୍ୟ ପିଢ଼ିଙ୍କ ପାଇଁ ସମ୍ପତ୍ତି ଗଚ୍ଛିତ କରିବାର ନିଶା, ଯାହା ଅଧିକାଂଶ ପଦସ୍ଥ ଅଫିସରଙ୍କଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ସରକାରୀ ଚାକିରିଆଙ୍କୁ ଘାରିଛି । ଦରମା ପଇସାରେ ଚଳିବା, ସଠିକ୍ ପରିମାଣର ଟ୍ୟାକ୍ସ ବା କରକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଦାଖଲ କରିବାକୁ ସରକାରଙ୍କ ଅନୁରୋଧ ସହ କଡ଼ାକଡ଼ି ନିୟମ ରହିଥିବା ସତ୍ତେ୍ୱ ଅନେକ କିଛି ବ୍ୟତିକ୍ରମ ପରଦା ଆଢୁଆଳରେ ରହିଯାଉଛି । ଫଳରେ ସମାଜରେ ସଂସ୍କାର ଆଣିବାକୁ ଯାଇ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ପ୍ରବର୍ତ୍ତାଇବାକୁ ଶିକ୍ଷକଙ୍କ ସହିତ ଅଭିଭାବକଙ୍କର ପ୍ରୟାସ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଦୁର୍ନୀତିଗ୍ରସ୍ତଙ୍କୁ ଧରିବା ପାଇଁ ଭିଜିଲାନ୍ସ ଠାରୁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ ଭଳି ସଂସ୍ଥା ନିଜର ଉଦ୍ୟମକୁ ଜାରି ରଖିଛନ୍ତି । ତଥାପି ଆମ ଦେଶରେ ଥିବା କଳାଧନର ପରିମାଣ ତରିଶି ଲକ୍ଷ କୋଟିକୁ ପାର କରିସାରିଲାଣି ବୋଲି ଏକ ତଥ୍ୟଭିତ୍ତିକ ଅନୁସନ୍ଧାନରୁ ଜଣାଯାଇଛି ।
ଭାରତୀୟ ସଂସ୍କୃତିରେ ବଢ଼ିଥିବା ପ୍ରଚଣ୍ଡ ଧୀସମ୍ପନ୍ନ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସ୍ୱଳ୍ପ ସମୟ ମଧ୍ୟରେ ଅଧିକ ରୋଜଗାର କରିବାର ମୋହ ଏଭଳି ଗ୍ରାସ କରୁଛି ଯେ ତାହାକୁ ଚିନ୍ତା ମଧ୍ୟ କରାଯାଇ ପାରିବନାହିଁ । ସେହିକ୍ରମରେ ଦେଖିବାକୁ ଗଲେ ପୃଥିବୀର ଶହେଅଶିଟି ଦେଶ ମଧ୍ୟରୁ ସୋମାଲିଆର ଶାସନ ବ୍ୟବସ୍ଥା ଅତ୍ୟନ୍ତ ଢିଲା ଏବଂ ଅଧିକ ଦୁର୍ନୀତିପ୍ରବଣ ଦେଶରୂପେ କୁଖ୍ୟାତି ଥିବାବେଳେ ଦ୍ୱିତୀୟରେ ଡେନମାର୍କ, ତୃତୀୟରେ ଫିନ୍ଲ୍ୟାଣ୍ଡ, ଚତୁର୍ଥରେ ନରୱେ ଇତ୍ୟାଦି ଦେଶର ନାମ ଆସୁଛି । ଏହି କ୍ରମରେ ଆମ ଦେଶର ନାମ ତେୟାନବେ ଥିବା ବେଳେ ରାଜ୍ୟମାନଙ୍କ ମଧ୍ୟରେ ପ୍ରଥମେ ମହାରାଷ୍ଟ୍ର ଏବଂ ଦ୍ୱିତୀୟରେ ରାଜସ୍ଥାନର ଦୁର୍ନୀତି ଆଗାମୀ ପିଢ଼ିଙ୍କୁ ଚକିତ କରିଦେଉଛି । ଅନ୍ୟ ଏକ ତଦନ୍ତରୁ ଜଣାଯାଇଛି ଯେ, ଭାରତରେ ପ୍ରତିବର୍ଷ ପ୍ରାୟ ସାତଶହ ତେସ୍ତରିଟି ଦୁର୍ନୀତି ସମ୍ବନ୍ଧୀୟ ମାମଲା ପଞ୍ଜିକୃତ ହୋଇଥିବା ବେଳେ ଏବେ ସେଥିରେ କିଛି ସୁଧାର ଆସିଛି । ମାତ୍ର ଦୁଃଖର କଥା ହେଲା, ଟିଭି ଖୋଲାହେଲା ମାତ୍ରେ ବଡ଼ ବଡ଼ ଇଞ୍ଜିନିୟର, ଅଫିସରମାନଙ୍କର କଳାଟଙ୍କା, ସୁନାରୁପା, କୋଠାବାଡ଼ି ସହିତ ବହୁସଂଖ୍ୟକ ପ୍ଲଟ ଅର୍ଥାତ୍ ସହରରେ ଭୂ-ସମ୍ପତ୍ତିକୁ ବଢ଼ାଇବାର ମୋହ କଥା ଶୁଣି ଲଜ୍ୟାରେ ମୁଣ୍ଡ ତଳକୁ ହୋଇଯାଉଥିବା ବେଳେ, ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଦଣ୍ଡ ବ୍ୟବସ୍ଥାକୁ ସର୍ବସାଧାରଣରେ କାହିଁକି ପ୍ରସାର କରାଯାଉନାହିଁ? ଭଳି ପ୍ରଶ୍ନର ଉତ୍ତର ମୋ ପାଖରେ ନ ଥିଲା । ତେଣୁ ମୁଁ ଏଇ ନିକଟରେ ନବମ ଶ୍ରେଣୀରେ ପଢ଼ୁଥିବା ଶ୍ରେୟା ନାମକ ଝିଅଟିର ପ୍ରଶ୍ନ ପାଖରେ ଚୁପ୍ ରହି କଥାର ମୋଡ଼କୁ ବୁଲାଇବାକୁ ଚେଷ୍ଟାକଲି । ସତ୍ୟଯୁଗର ସ୍ୱପ୍ନକୁ କଳିଯୁଗରେ ଦେଖାଇବାକୁ ଯାଇ ଦ୍ୱାପର ଏବଂ ତ୍ରେତୟା ଭଳି ଯୁଗର ମହାପୁରୁଷ, ମହାରଥିମାନଙ୍କର କଥାକୁ ବ୍ୟାଖ୍ୟା କରିବାକୁ ଚେଷ୍ଟାକଲି । ଆମେ ମଧ୍ୟ ସତ୍ୟଯୁଗ ଆଡ଼କୁ ଯାଉଛୁ ।
ଅପେକ୍ଷା କର, ଖୁବ୍ ଶୀଘ୍ର ଏକ ସ୍ୱଚ୍ଛ ବାତାବରଣ, ସ୍ୱଚ୍ଛ ଶାସନ ମଧ୍ୟରେ ଦିନ କାଟିବା ଭଳି ଆଶ୍ୱାସନା ବାଣୀ ଶ୍ରେୟାକୁ ଶୁଣାଇଲି । ବିଚରା ଶ୍ରେୟା ମୁରୁକି ହସି କହିଲା, ସେକଥା ଛାଡ଼ନ୍ତୁ ଆଣ୍ଟି, ଆମ ସ୍କୁଲର ବିଜ୍ଞାନ ଶିକ୍ଷକ ମତେ ଏକ ପ୍ରୋଜେକ୍ଟ ପ୍ରସ୍ତୁତ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେ ସମ୍ବନ୍ଧରେ ମତେ କିଛି ଆଇଡିଆ ଦିଅନ୍ତୁ । "ସ୍ୱଚ୍ଛ ତଥା ମଧୁର ପାଣିର ଆବଶ୍ୟକତା' ଉପରେ ଅନେକ ଆଲୋଚନା ଚାଲିଲା, ଦୂଷିତ ଜଳର ପ୍ରଭାବ ମଧ୍ୟରେ ସ୍ଥାନ ପାଇଲା ହଇଜା, ମ୍ୟାଲେରିଆ ଭଳି ମହାମାରୀରୁ ଆମ ଦେଶର ଲୋକମାନେ ଏବେ ଧୀରେ ଧୀରେ ମୁକ୍ତ ହେଉଛନ୍ତି । କିନ୍ତୁ କ୍ୟାନସର, ଯକ୍ଷ୍ମା ଭଳି ରୋଗର ପ୍ରଭାବ ଏବେ ବଢ଼ିବାରେ ଲାଗିଛି । ଯାହା ଦୂଷିତ ପାଣି ଯୋଗୁଁ ନୁହେଁ, ବରଂ ମଦ ଏବଂ ଧୂମ୍ରପାନ ଯୋଗୁଁ ହେଉଛି ବୋଲି ଆମେ ଦୁହେଁ ମତବ୍ୟକ୍ତ କରୁଥାଉ ।
ପବିତ୍ର ମନ ଏବଂ ସରଳ ବିଶ୍ୱାସକୁ ନେଇ ଜନ୍ମଗ୍ରହଣ କରିଥିବା ପିଲାମାନଙ୍କୁ କିଏବା କିଭଳି ବୁଝାଇବ ଯେ, ତୁମ ଚତୁଃପାଶ୍ୱର୍ରେ ବୁଲୁଥିବା ଅଧିକାଂଶ ଗୁରୁଜନମାନଙ୍କର ଅନ୍ତରକୁ ଜାଣିବା କିମ୍ବା ପଢ଼ିବା ଆଦୌ ସହଜ ନୁହେଁ । କାରଣ ଏଇଟା କଳିଯୁଗ । ଏଠାରେ ପାପ ପୁଣ୍ୟ, ଧର୍ମ ଅଧର୍ମ ଭଳି ସଂସ୍କାରଯୁକ୍ତ ଶବ୍ଦଗୁଡ଼ିକ ଏବେ ଘରଠୁ ଆରମ୍ଭ କରି ବିଦ୍ୟାଳୟ ଯାଏ ସବୁଆଡ଼େ ନିଜର ଅସ୍ତିତ୍ୱକୁ ହରାଇ ସାରିଲାଣି । ଶ୍ରେୟା ଧୀରେ ଧୀରେ ରାଗୁଥିଲା । ତା’ କଣ୍ଠରେ ଦୃଢ଼ତା ସହିତ ବିଦ୍ରୋହୀ ମନୋଭାବ ଆତ୍ମପ୍ରକାଶ କରୁଥିଲା । ଆମ ଦେଶର ଶିକ୍ଷା ବ୍ୟବସ୍ଥା, ବିଶେଷକରି ସରକାରୀ ବିଦ୍ୟାଳୟ ପ୍ରତି ଅଭିଭାବଙ୍କ ସହିତ ପିଲାମାନଙ୍କର ଉଦାସୀନତା, ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ସରକାରୀ ଚିକିତ୍ସାଳୟର ବିଫଳତା ସହିତ କୃତ୍ରିମ ବା ଅଯୋଗ୍ୟ ଡାକ୍ତରଙ୍କ ହାତରେ ରୋଗୀମାନଙ୍କର ପ୍ରାଣ ଯିବା ଭଳି ଘଟଣାକୁ ନେଇ ତୁମ୍ବିତୋଫାନ, ରାସ୍ତାରୋକ ଭଳି ଘଟଣାର ପ୍ରତ୍ୟକ୍ଷ ବିବରଣୀକୁ ଟିଭି ପରଦାରେ ଦେଖିସାରିଲା ପରେ ଆମପାଇଁ ଯେ ତ୍ୱରିତ ନ୍ୟାୟ ଏବଂ କଠୋର ଶାସନ ଲୋଡ଼ା ଏହାକୁ ପିଲାଠାରୁ ବୁଢ଼ାଯାଏ ସମସ୍ତେ ହୃଦ୍ବୋଧ କଲେଣି ।
ଆଇନ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ହେଉଛି ସମସ୍ତ ନାଗରିକଙ୍କର କର୍ତ୍ତବ୍ୟ, ମାତ୍ର ଆଇନକୁ ଅମାନ୍ୟ କରି ଖସିଯିବାର ସ୍ୱପ୍ନରେ ବିଭୋର ଅଳ୍ପ କେତେଜଣ ଉଚ୍ଚଶିକ୍ଷିତ ବ୍ୟକ୍ତିଙ୍କ ପାଇଁ ଏବେ ପିଲାମାନେ ପ୍ରଶ୍ନ କଲେଣି- ଏତେ ବଡ଼ ଦେଶ, ପ୍ରତିଷ୍ଠିତ ଧର୍ମ, ସାମାଜିକ ବ୍ୟବସ୍ଥା ସହ ଶାସନ ପ୍ରଣାଳୀକୁ ଧ୍ୱଂସ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କ'ଣ ସବୁ ଆଇନଗତ ବ୍ୟବସ୍ଥା ଅଛି? ସେମାନଙ୍କ ସମ୍ପତ୍ତିକୁ ବ୍ୟାଜ୍ୟାପ୍ତ କରାଗଲା କି ନାହିଁ, ଯଦି କରାଗଲା ଉକ୍ତ ସମ୍ପତ୍ତିକୁ କେଉଁ ଉଦ୍ଦେଶ୍ୟରେ ଏବଂ କାହାପାଇଁ ଖର୍ଚ୍ଚ କରାଯାଉଛି, ଏସବୁର ପ୍ରଚାର ପ୍ରସାର ଯଦି ବ୍ୟାପକ ଢଙ୍ଗରେ ହୋଇପାରନ୍ତା ତେବେ କଳିଯୁଗର ପ୍ରାଦୁର୍ଭାବ କମିଯାଇ ସତ୍ୟଯୁଗ ଆସିପାରନ୍ତା । ନଚେତ ଆଉ ଜଣେ ଜଣେ ବିବେକାନନ୍ଦ, ମହାତ୍ମା ଗାନ୍ଧି, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ କିମ୍ବା ମଧୁବାବୁ, ଗୋପବନ୍ଧୁ ଦାସଙ୍କ ଭଳି ମହାପୁରୁଷ ଯଦି ଜନ୍ମ ନିଅନ୍ତେ ତେବେ କିଛି ଗୋଟାଏ ପରିବର୍ତ୍ତନ ଆସିପାରନ୍ତା । ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିଲା । ପରମ ତୃପ୍ତିରେ ଶ୍ରେୟା ହସି ହସି ହାତ ହଲାଇ ଚାଲିଗଲା । ତା'ର ନିର୍ଲିପ୍ତ ସୁନ୍ଦର ହସ ଆସନ୍ତାକାଲିକୁ ଆଲୋକିତ କରୁଥିଲା ।