ନୂଆଦିଲ୍ଲୀ,୧୦/୦୯:ଅକ୍ଟୋବର ୫ ତାରିଖରେ ପଡ଼ିବ ଭୋଟ । ଏନେଇ ନିର୍ବାଚନ ପୂର୍ବରୁ କସରତ ଆରମ୍ଭ କରିଦେଇଛନ୍ତି ରାଜନୈତିକ ଦଳ । ବିଜେପି ଏଥର ହରିୟାଣା ସିଟ୍ ହାତେଇବା ଲକ୍ଷ୍ୟରେ ଥିବାବେଳେ କଂଗ୍ରେସ ମଧ୍ୟ ପଛେଇନି । ଏହାରି ଭିତରେ ହରିୟାଣା ରାଜନୀତିରେ ଗୋଟିଏ ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି ଭାଇ ଭଉଣୀ । ତେବେ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି । ଏହି ତାଲିକାରେ ସାମିଲ ରହିଛି ପୂର୍ବତନ ମୁଖ୍ୟମନ୍ତ୍ରୀ ବଂଶୀଲାଲଙ୍କ ଗଡ଼ 'ତୋଶାମ'। ଏହି ଆସନରେ ପ୍ରାର୍ଥୀ ହୋଇଛନ୍ତି ଭାଇ ଭଉଣୀ ।
ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ବଂଶୀଲାଲ ଚୌଧୁରୀ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି । ସେ ପୂର୍ବରୁ ରକ୍ଷାମନ୍ତ୍ରୀ ଦାୟିତ୍ବ ନିର୍ବାହ କରିଥିଲେ । ୧୯୯୬ ମସିହାରେ ହରିୟାଣା ବିକାଶ ପାର୍ଟିର ସ୍ଥାପନା କରିଥିଲେ ବଂଶୀଲାଲ । ହେଲେ ୨୦୦୪ରେ କଂଗ୍ରେସକୁ ପୁଣି ଫେରିଥିଲେ, ଆଉ ୨୦୦୫ ବିଧାନସଭା ନିର୍ବାଚନରେ କଂଗ୍ରେସ ଟିକଟରୁ ଲଢି ଜିତିଥିଲେ । ପ୍ରଶାସକରୁ ନେତା ହୋଇଛନ୍ତି ବଂଶୀଲାଲଙ୍କ ନାତି ଅନିରୁଦ୍ଧ ଚୌଧୁରୀ । ଚଳିତ ନିର୍ବାଚନରେ ତୋଶାମ ବିଧାନସଭା ଆସନ ପାଇଁ କଂଗ୍ରେସ ଟିକଟରୁ ସେ ମୈଦାନକୁ ଓହ୍ଲାଇଛନ୍ତି । ସେହିପରି ନାତୁଣୀ ଶ୍ରୁତି ଚୌଧୁରୀଙ୍କୁ ଟିକଟ ଦେଇଛି ଭାଜପା । ଶ୍ରୁତି ହେଉଛନ୍ତି ବଂଶୀଲାଲଙ୍କ ସାନପୁଅ ଦିବଙ୍ଗତ ସୁରେନ୍ଦ୍ର ସିଂଙ୍କ ଝିଅ ଓ ଅନିରୁଦ୍ଧ ହେଉଛନ୍ତି ରଣବୀର ସିଂ ମହେନ୍ଦ୍ରଙ୍କ ପୁଅ । ଉଭୟ ଗୋଟିଏ ଆସନ ପାଇଁ ଭିନ୍ନ ଦଳରୁ ପ୍ରାର୍ଥୀ ହୋଇଛନ୍ତି ।