କଟକ, ୦୬/୦୮ : ଗତ ସାଧାରଣ ନିର୍ବାଚନରେ ନାମାଙ୍କନପତ୍ର ଦାଖଲ ବେଳେ ମିଥ୍ୟା ସତ୍ୟପାଠ ଦେଇଥିବା ଅଭିଯୋଗ କରି ରୁଜୁ ମାମଲାରେ ହାଇକୋର୍ଟ ଆଜି ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କୁ ନୋଟିସ୍ କରିଛନ୍ତି । ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ପରାଜିତ ବିଜେପି ପ୍ରାର୍ଥିନୀ ପ୍ରତ୍ୟୁଷା ରାଜେଶ୍ୱରୀଙ୍କ ଦ୍ୱାରା ରୁଜୁ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରା ବିଧାୟକ ଶ୍ରୀ ସାହୁଙ୍କୁ ଜବାବ ତଲବ ପାଇଁ ନୋଟିସ୍ ଜାରି କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅଗଷ୍ଟ ୨୮ ତାରିଖରେ ହେବ ।
ଆବେଦନକାରିଣୀ ତାଙ୍କ ପିଟିସନ୍ରେ ଦର୍ଶାଇଛନ୍ତି ଯେ, ଅରୁଣ ସାହୁ ବିଜେଡ଼ିକୁ ୩୦ ଲକ୍ଷ ଟଙ୍କା ଋଣ ଦେଇଥିବା ନେଇ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ବିଜେଡି ଏକ ରାଜନୈତିକ ଦଳ । ଏହି ଦଳ ଅରୁଣ ସାହୁଙ୍କୁ ୩୦ ଲକ୍ଷ ନିର୍ବାଚନୀ ଖର୍ଚ୍ଚ ଆକାରରେ ପ୍ରଦାନ କରିଛି । କିନ୍ତୁ ଅରୁଣ ସାହୁ କିପରି ୩୦ ଲକ୍ଷ ଟଙ୍କା ଋଣ ଆକାରରେ ଏକ ରାଜନୈତିକ ଦଳକୁ ଦେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏପରି କି ସେ ନିଜର ସମ୍ପତ୍ତି ତାଲିକା ସଂକ୍ରାନ୍ତରେ ମଧ୍ୟ ଠିକ୍ ତଥ୍ୟ ପ୍ରଦାନ କରିନାହାନ୍ତି । ତେଣୁ ଶ୍ରୀ ସାହୁଙ୍କ ବିଧାୟକ ପଦ ରଦ୍ଦ ପାଇଁ ଅଦାଲତ ନିର୍ଦେଶ ଦେବାକୁ ସେ ପ୍ରାର୍ଥନା କରିଛନ୍ତି । ଆବେଦନକାରିଣୀଙ୍କ ପକ୍ଷରୁ ଆଇନଜୀବୀ ଗୋପାଳ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି ।