ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସିରିଆଲ କିଲରର ପରିଚୟ

Image Courtesy: hindustantimes

ଭୁବନେଶ୍ୱର ୨୧/୦୪: ୨୦୧୮ ସେପ୍ଟେମ୍ବର ତୃତୀୟ ସପ୍ତାହରେ ଇଂଲଣ୍ଡର ପ୍ରାୟ ସବୁ ସମ୍ବାଦପତ୍ରରେ ବିଶ୍ୱବିଖ୍ୟାତ ଗୁଇନ୍ଦା ସଂସ୍ଥା ସ୍କଟଲାଣ୍ଡ ୟାର୍ଡ ବିଷୟରେ ଗୋଟିଏ ଖବର ପ୍ରକାଶିତ ହେଲା, ଯେଉଁଥିରେ ଏହି ପ୍ରତିଷ୍ଠିତ ସଂସ୍ଥା ବିରୁଦ୍ଧରେ କିଛି ପ୍ରଚ୍ଛନ୍ନ ବିଦ୍ରୂପର ଆଭାସ ଦେଖିବାକୁ ମିଳିଲା । ସ୍କଟଲାଣ୍ଡ ୟାର୍ଡ ବିଷୟରେ ଆଗରୁ ମନରେ ଥିବା ବିଶ୍ୱାସକୁ ଆଘାତ ଦେବା ଭଳି ଚର୍ଚ୍ଚା ହେଉଥିବାରୁ ପୁରୁଣା ଖବରକାଗଜ ଓ ପତ୍ରିକା ଖୋଜି ସଂପୂର୍ଣ୍ଣ ବ୍ୟାପାରଟି ବୁଝିବାର ଇଚ୍ଛା ହେଲା । ଇଣ୍ଟରନେଟରୁ ମଧ୍ୟ ଅନେକ ତଥ୍ୟ ମିଳିଲା । ଶେଷରେ ଯେଉଁ ବିବରଣୀ ମିଳିଲା ତାହା ଏହିପରି ।

ଘଟଣାର କେନ୍ଦ୍ରରେ ଥିଲା ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ତିନିବର୍ଷ କାଳ ଦକ୍ଷିଣ ଲଣ୍ଡନର କ୍ରୋୟଡନ ଅଞ୍ଚଳରେ ଅଜ୍ଞାତ ସିରିଆଲ କିଲରର ଆବିର୍ଭାବ । ଯେକୌଣସି ଆତତାୟୀକୁ ସିରଆଲ କିଲର ଆଖ୍ୟା ଦିଆଯାଇ ପାରିବନାହିଁ । ଅତିକମ୍‌ରେ ତିନିଟି ହତ୍ୟା ସଂଘଟିତ କରିଥିôବା ହତ୍ୟାକାରୀକୁ ଏହି ଆଖ୍ୟା ଦିଆଯାଏ³ ଯାହାକୁ ଆମେ ଓଡ଼ିଆରେ ପର୍ଯ୍ୟାୟବାଚୀ ଘାତକ ବା ଧାରାବାହିକ ହତ୍ୟାକାରୀ ବୋଲି କହିପାରିବା । ହତ୍ୟାଗୁଡ଼ିକ ଭିତରେ ସମୟ ବ୍ୟବଧାନ ରହିଥିବ । ମୃତକମାନଙ୍କର କିଛି ସାଧାରଣ ଗୁଣ ବା ଲକ୍ଷଣ (ଜାତି, ବୃତ୍ତି ଇତ୍ୟାଦି) ରହିଥିବ ଏବଂ କୌଣସି ଜଣାଶୁଣା କାରଣ ନଥିଲେ ସୁଦ୍ଧା ଆତତାୟୀ ନିଜ ମାନସିକ ବିକୃତି କିମ୍ବା ଅନ୍ଧବିଶ୍ୱାସ, ତୀବ୍ର ଘୃଣା, ଅହେତୁକ କ୍ରୋଧ ଯୋଗୁଁ ହତ୍ୟା କରିଚାଲିଥିବ । କ୍ରୋୟଡନର ସିରିଆଲ କିଲର ମଧ୍ୟ ଏସବୁ ସର୍ତ୍ତ ପୂର୍ଣ୍ଣ କରୁଥିଲା, କିନ୍ତୁ ତାର ବିଶେଷତ୍ୱ ହେଲା ସେ କେବଳ ବିରାଡ଼ିମାନଙ୍କୁ ଅତି ନୃଶଂସ ଭାବେ ଅନ୍ଧାର ରାତିରେ ହତ୍ୟା କରୁଥିଲା । ୩ବର୍ଷ ଭିତରେ ପ୍ରାୟ ୪୦୦ ବିରାଡ଼ି ତାର ଶିକାର ହୋଇଥିଲେ । ମିଳୁଥିବା ଶବଗୁଡ଼ିକର ଶରୀର ଖଣ୍ଡବିଖଣ୍ଡିତ ହୋଇ ଅବୟବଗୁଡ଼ିକ ଇତସ୍ତତ ଫୋପାଡ଼ି ଦିଆଯାଇଥିଲା । ଗଣ୍ଡିରୁ ମୁଣ୍ଡ ଅଲଗା ଏବଂ କେତେକ ମୁଣ୍ଡ ପୂରା ଗାଏବ । ପୋଷ୍ଟମର୍ଟମରୁ ମିଳିଥିବା ମତ ଅନୁଯାୟୀ, ପ୍ରାଣୀଗୁଡ଼ିକୁ ପ୍ରଥମେ ହତ୍ୟା କରାଯାଇ ତା’ପରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ଖଣ୍ଡ ଖଣ୍ଡ କରି କଟାଯାଉଥିଲା ।

ଇଂରେଜମାନଙ୍କର ପ୍ରିୟତମ ପଶୁମାନଙ୍କ ଭିତରେ ବିରାଡ଼ି ଅନ୍ୟତମ । ବ୍ରିଟିଶ ପରିବାରରେ ତାଙ୍କର ଖାତିର ଖୁବ୍‌ ବେଶୀ । ଆଦରରେ ପ୍ରତିପାଳିତ ହେଇ ବିଳାସମୟ ଜୀବନଯାପନ କରନ୍ତି । ପୋଷା ବିରାଡ଼ିଟିଏ ମରିଗଲେ କିମ୍ବା ହଜିଗଲେ ଘରେ କାନ୍ଦବୋବାଳି ପଡ଼ିଯାଏ । ଏପରି ନିରୀହ ସ୍ନେହକାଙ୍ଗାଳ ପ୍ରାଣୀକୁ ବିନା କାରଣରେ ହତ୍ୟା କରାଯାଉଥିବାର ଦେଖି ବ୍ରିଟିଶ ଚେତନା ଘାଣ୍ଟିଚକଟି ହେଇଗଲା । ଅପରାଧୀକୁ ଧରି ଉପଯୁକ୍ତ ଶାସ୍ତିଦେଇ ବିରାଡ଼ିକୁଳକୁ ରକ୍ଷାକରିବା ପାଇଁ ସବୁଆଡୁ ଦାବି ଉଠିଲା । ହତ୍ୟାର ସଂଖ୍ୟା ବଢ଼ିବା ସଙ୍ଗେ ସଙ୍ଗେ ସେହି ଦାବି ଅଧିକରୁ ଅଧିକ ଉଗ୍ର ଓ ଶାଣିତ ହୋଇଗଲା । ଅନେକ ପଶୁପ୍ରେମୀ ସ୍ୱେଚ୍ଛାସେବୀ ସଂସ୍ଥା ମଧ୍ୟ ସେଥିରେ ଯୋଡ଼ିହେଲେ । ସ୍ନାର୍ଲ (ସାଉଥ ନରଉଡ୍‌ ଆନିମେଲ ରେସ୍କ୍ୟୁ ଏଣ୍ଡ ଲିବର୍ଟି) ନାମକ ସଂସ୍ଥା ଏଥିରେ ଅଗ୍ରଣୀ ଭୂମିକା ନେଇଥିଲା । ଇଂଲଣ୍ଡରେ ଏମ୍‌-୨୫ ନାମକ ଏକ ଦୀର୍ଘ ଓ ଚଉଡ଼ା ସଡ଼କ ରହିଛି । ଅଧିକାଂଶ ସଂହାରଲୀଳା ଏହି ସଡ଼କ ପାଶ୍ୱର୍ରେ ଥିବା ସ୍ଥାନଗୁଡ଼ିକରେ ହୋଇଥିବାରୁ ଏହି ଆତତାୟୀକୁ ଏମ-୨୫ କ୍ୟାଟ କିଲର ଓ କ୍ରୋୟଡନ ସିରିଆଲ କିଲର ଇତ୍ୟାଦି ନାମ ଦିଆଯାଇଥିଲା । ହତ୍ୟାର ପରିସର କ୍ରମଶଃ ବୃଦ୍ଧିପାଇ ଲଣ୍ଡନର ଅଧିକାଂଶ ଅଞ୍ଚଳ ସମେତ ସରେ, କେଣ୍ଟ, ମାଞ୍ଚେଷ୍ଟର, ବର୍ମିଂହାମ ଓ ଆହୁରି ଅନେକ ଜନବସତିକୁ କବଳିତ କରିନେଲା ।

ନଭେମ୍ବର ୨୦୧୫ରେ ସ୍କଟଲାଣ୍ଡ ୟାର୍ଡ ଏହି ମାମଲାର ତଦନ୍ତ ଭାର ଗ୍ରହଣ କଲା । ବସ୍ତୁତଃ ଏହି ସଂସ୍ଥା ଲଣ୍ଡନର ପୁଲିସ ବିଭାଗ, ଯାହାକୁ ମେଟ୍‌ (ମେଟ୍ରୋପଲିଟାନ ପୁଲିସ) ବୋଲି କୁହାଯାଏ । କିନ୍ତୁ ସମଗ୍ର ପୃଥିବୀରେ ଅଗ୍ରଣୀ ଗୁଇନ୍ଦା ଓ ଅପରାଧ ନିୟନ୍ତ୍ରଣ ସଂସ୍ଥା ଭାବରେ ଏହାର ବର୍ଷ ବର୍ଷର ଖ୍ୟାତି ସର୍ବଜନବିଦିତ । ଅସଂଖ୍ୟ କ୍ରାଇମ ଉପନ୍ୟାସ, ସିନେମା, କମିକ୍ସ, ଡିଟେକ୍ଟିଭ ଗଳ୍ପ ଇତ୍ୟାଦି ସ୍କଟଲାଣ୍ଡ ୟାର୍ଡକୁ ମହିମାମଣ୍ଡିତ କରି ଏପରି ଉଚ୍ଚ ଆସନରେ ପହଞ୍ଚାଇ ସାରିଛନ୍ତି ଯେ, କୌଣସି ଅପରାଧିକ ଅନୁସନ୍ଧାନ କଥା ଉଠିଲେ ପ୍ରଥମେ ମନକୁ ଆସେ ସ୍କଟଲାଣ୍ଡ ୟାର୍ଡ । ଜେମ୍ସ ବଣ୍ଡ, ସେର୍ଲକ ହୋମ୍ସଠାରୁ ଆରମ୍ଭକରି ଆମ ଓଡ଼ିଆ ଡିଟେକ୍ଟିଭ ଉପନ୍ୟାସ ପର୍ଯ୍ୟନ୍ତ ସବୁଠି ସ୍କଟଲାଣ୍ଡ ୟାର୍ଡର ସାମ୍ରାଜ୍ୟ ଓ ଖ୍ୟାତି ବିସ୍ତାରିତ । ଏବେ ଏପରି ଗୌରବାନ୍ୱିତ ମହାନ ସଂସ୍ଥାକୁ ବିରାଡ଼ି ସଂହାର ତଦନ୍ତ କରିବାକୁ ପଡ଼ୁଥିବା କଥା ହାସ୍ୟାସ୍ପଦ ମନେ ହେଇପାରେ, କିନ୍ତୁ ପ୍ରକୃତରେ ଏପରି ଘଟଣାକୁ ମଧ୍ୟ ପ୍ରାଥମିକତା ଓ ଗୁରୁତ୍ୱ ଦିଆଯାଉଥିବା ଖୁବ୍‌ ସନ୍ତୋଷଜନକ । ଆଗରୁ ସ୍କଟଲାଣ୍ଡ ୟାର୍ଡ ସହିତ ବିରାଡ଼ିର ସଂପୃକ୍ତି ବିଷୟରେ ଏହି ଲେଖକକୁ ଥରେମାତ୍ର ପଢ଼ିବାକୁ ମିଳିଥିଲା । ତାହା ହେଉଛି ଟି. ଏସ. ଏଲିଅଟଙ୍କ ‘ଓଲ୍‌ଡ ପୋଏମ୍ସ ବୁକ୍‌ ଅଫ୍‌ ପ୍ରାକ୍ଟିକାଲ କ୍ୟାଟ୍ସ’ ବହିର ‘ମାକାଭିଟି ଦ ମିଷ୍ଟରୀ କ୍ୟାଟ୍‌’ ପଦ୍ୟ, ଯେଉଁଠି ମାକାଭିଟି ନାମକ ଧୂର୍ତ୍ତ, ସଇତାନ ବିଲେଇଟିଏ ଗୋଟାଏ ପରେ ଗୋଟାଏ ଅପରାଧ (କ୍ଷୀର ଚୋରି) ଘଟାଇ ସେ ସ୍ଥାନରୁ ଅଦୃଶ୍ୟ ହେଇଯାଇ ସ୍କଟଲାଣ୍ଡ ୟାର୍ଡକୁ କଲବଲ କରେ । ସେହି ମଉଜିଆ କବିତାଟି ମନେପଡ଼ିବାରୁ ଏବେ ବିରାଡ଼ିମାନଙ୍କ ପାଇଁ ସ୍କଟଲାଣ୍ଡ ୟାର୍ଡର ବିଭ୍ରାନ୍ତି ଅସାଧାରଣ ଲାଗିଲାନାହିଁ । ଏଲିଅଟଙ୍କ କବିତାର କାଳ୍ପନିକ ବିରାଡ଼ିଟି ନିଜେ ଅପରାଧୀ, ଏବେ ବାସ୍ତବ ବିରାଡ଼ିମାନେ ଅପରାଧର ଶିକାର । କିନ୍ତୁ ଉଭୟ କ୍ଷେତ୍ରରେ କାଠଗଡ଼ାରେ ସ୍କଟଲାଣ୍ଡ ୟାର୍ଡ ।

ଶହ ଶହ ବିରାଡ଼ିଙ୍କୁ ହତ୍ୟା କରିଚାଲିଥିବା ଆତତାୟୀକୁ ଧରିବାପାଇଁ ସ୍କଟଲାଣ୍ଡ ୟାର୍ଡର ଅପରେସନ ତାକାହେ ଆରମ୍ଭ ହେଲା । ସ୍କଟଲାଣ୍ଡ ୟାର୍ଡର ୧୫ଜଣ କୁଶଳୀ ଅଫିସର ଏଥିରେ ନିଯୁକ୍ତ ହେଲେ । ପୋଷ୍ଟମର୍ଟମ ହତ୍ୟାକାରୀର ମାନସିକ ସନ୍ତୁଳନ ଅବସ୍ଥା, ବିଖ୍ୟାତ ମନୋବିଜ୍ଞାନୀଙ୍କ ଦ୍ୱାରା ବିଶ୍ଳେଷଣ, ପଶୁ ଅନୁରାଗୀ ସଂସ୍ଥାଗୁଡ଼ିକର ନିଜ ଗବେଷଣା ଓ ମତାମତ ଇତ୍ୟାଦିକୁ ଆଧାର କରି ଅନୁସନ୍ଧାନ ଆଗେଇ ଚାଲିଲା । ଡିଟେକ୍ଟିଭ ସର୍ଜଣ୍ଟ କଲିନ ମତ ଦେଲେ ହତ୍ୟାକାରୀର ମନରେ ନାରୀ ଜାତି ପ୍ରତି ପ୍ରଚଣ୍ଡ ଘୃଣା ଓ ବିଦ୍ୱେଷ ରହିଛି । ବିଲେଇମାନଙ୍କୁ ନାରୀସୁଲଭ ପ୍ରାଣୀ ବୋଲି ମନେକରି ସେ ନିଜ ଜାନ୍ତବ ପ୍ରବୃତ୍ତି ଚରିତାର୍ଥ କରୁଛି । ଆତତାୟୀର ସାମଗ୍ରିକ କାର୍ଯ୍ୟକଳାପକୁ ଅନୁଧ୍ୟାନ କରି ଆଉ ଜଣେ ପୁଲିସ ଅଫିସର ଚେତାବନୀ ଦେଲେ ଭବିଷ୍ୟତରେ ସେ ନରହନ୍ତା ପାଲଟିଯିବ । ପୁଲିସ ତରଫରୁ ଆତତାୟୀର ଏକ ଚିତ୍ର ବିବରଣୀ ପ୍ରକାଶ କରାଗଲା । ଯେଉଁଥିରେ ତାକୁ ପ୍ରାୟ ୪୦ବର୍ଷ ବୟସ୍କ, ୫ଫୁଟ ୮ଇଞ୍ଚରୁ ୫ଫୁଟ ୧୧ଇଞ୍ଚ ଉଚ୍ଚତାବିଶିଷ୍ଟ, ଗାଢ଼ବାଦାମୀ ରଙ୍ଗର କେଶ ରଖିଥିବା ଗୌରବର୍ଣ୍ଣର ଯୁବକ ବୋଲି ବର୍ଣ୍ଣନା କରାଯାଇଥିଲା । ଏପରି ମଣିଷ କେଉଁଠି ଦେଖାଗଲେ ଅବିଳମ୍ବେ ପୁଲିସକୁ କିମ୍ବା ସ୍ନାର୍ଲକୁ ଖବର ଦେବାପାଇଁ ଅନୁରୋଧ କରାଗଲା ଏବଂ ତା’ ପାଖକୁ ନଯିବା ପାଇଁ ଚେତାବନୀ ମଧ୍ୟ ଦିଆଗଲା । ଖବର ଦେବା ଲୋକ ପାଇଁ ପୁଲିସ ପକ୍ଷରୁ ୧୦ହଜାର ପାଉଣ୍ଡ (ପ୍ରାୟ ୧୦ଲକ୍ଷ ଟଙ୍କା) ପୁରସ୍କାର ଘୋଷଣା କରାଯାଇଥିଲା । ତାହାଛଡ଼ା ଅନେକ ସଂସ୍ଥା ଓ ବିରାଡ଼ି ପାଳିଥିବା ଗୃହସ୍ଥମାନେ ମଧ୍ୟ ଅନେକ ପୁରସ୍କାର ଘୋଷଣା କଲେ ।

ତିନିବର୍ଷର ତଦନ୍ତ ପରେ ଶେଷରେ ଅଗଷ୍ଟ ୨୦୨୦ରେ ହତ୍ୟାର ରହସ୍ୟ ଉନ୍ମୋଚିତ ହୋଇଥିବା କଥା ସ୍କଟଲାଣ୍ଡ ୟାର୍ଡ ଘୋଷଣା କଲା । ଦୀର୍ଘ ଅନୁସନ୍ଧାନ ଓ ତଦନ୍ତରୁ ଯେଉଁ ନିଷ୍କର୍ଷ ବାହାରିଥିଲା ତାହା ହେଉଛି ଏହି ସଂହାରଲୀଳାରେ କୌଣସି ମଣିଷର ସଂପୃକ୍ତି ନାହିଁ । ପ୍ରକୃତ ହତ୍ୟାକାରୀ ହେଉଛନ୍ତି ଶୃଗାଳମାନେ । ଏଠାରେ କହିରଖିବା ଉଚିତ ହେବ ଯେ, ଲଣ୍ଡନ ସହରରେ ଅନେକ ସହରୀ ଜଙ୍ଗଲ ରହିଛି । ସହର ଭିତରେ ଓ ବାହାରେ ରାତିର ଅନ୍ଧାରରେ ଶୃଗାଳମାନଙ୍କର ସ୍ୱଚ୍ଛନ୍ଦ ବିଚରଣ ଏବେ ମଧ୍ୟ ଜାରି ରହିଛି । ରାତିରେ ବାହାରକୁ ଆସି ସେମାନେ ଖାଦ୍ୟ ସନ୍ଧାନ କରନ୍ତି । ନାଗରିକମାନେ କେତେକାଂଶରେ ଭୟ କରୁଥିଲେ ସୁଦ୍ଧା କେହି ଆକ୍ରମଣ କିମ୍ବା ଶିକାର କରନ୍ତି ନାହିଁ । ଏହି ଜନ୍ତୁମାନଙ୍କୁ ପ୍ରକୃତ ଆତତାୟୀ ବୋଲି ଚିହ୍ନିତ କରିବାପାଇଁ ସ୍କଟଲାଣ୍ଡ ୟାର୍ଡକୁ ଅନେକ ପଶୁ ବିଶେଷଜ୍ଞ, ଚିକିତ୍ସକ, ଫୋରେନସିକ ବିଜ୍ଞାନୀଙ୍କ ପରାମର୍ଶ ନେବାକୁ ପଡ଼ିଥିଲା । କେତେକ ବିରାଡ଼ିର ପୁନଶ୍ଚ ପୋଷ୍ଟମର୍ଟମ ମଧ୍ୟ କରାଯାଇଥିଲା । ଅନେକ ସିସି ଟିଭି ଦେଖାଯାଇଥିଲା ଓ ଗୋଟିଏ ଫୁଟେଜରେ ଶୃଗାଳଟିଏ ବିରାଡ଼ିର ମୁଣ୍ଡଟିଏ ଧରି ଦୌଡ଼ୁଥିବାର ଦିଶିଲା ।

୨୦୧୮ ସେପ୍ଟେମ୍ବର ୨୦ରେ ଇଂଲଣ୍ଡର ସମ୍ବାଦପତ୍ର ସମୂହ ସ୍କଟଲାଣ୍ଡ ୟାର୍ଡର ଏହି ନିର୍ଣ୍ଣୟକୁ ଘୋଷଣା କଲେ । ସେତେବେଳେ କ୍ରୟଡନର ସିରିଆଲ କିଲର ଏକ କିମ୍ବଦନ୍ତୀରେ ପରିଣତ ହେଇସାରିଥିଲା ଓ ତାକୁ ‘ଜାକ୍‌ ଦ ରିପର୍‌’ ନାମକ କୁଖ୍ୟାତ ନାରୀହନ୍ତାର ସମକକ୍ଷ ବୋଲି ଧରି ନିଆଯାଇଥିଲା । ସ୍କଟଲାଣ୍ଡ ୟାର୍ଡର ନିଷ୍ପତ୍ତିକୁ ସ୍ୱାଭାବିକ ଭାବେ ଅନେକ ଲୋକ ଗ୍ରହଣ କରିପାରିଲେ ନାହିଁ । ଏହି ତଦନ୍ତରେ ଏକଲକ୍ଷ ଚାଳିଶି ହଜାର ପାଉଣ୍ଡ (ପ୍ରାୟ ଦେଢ଼କୋଟି ଟଙ୍କା) ଖର୍ଚ୍ଚ ହେଇଥିଲା । କେବଳ ପୋଷ୍ଟମର୍ଟମ ବାବଦରେ ୧୮ହଜାର ପାଉଣ୍ଡ ଖର୍ଚ୍ଚ ହେଇଥିଲା । ସ୍କଟଲାଣ୍ଡ ୟାର୍ଡ ଏହି ଅନୁସନ୍ଧାନ ପାଇଁ ୨ହଜାର ୨୫୦ ଘଣ୍ଟା ବିନିଯୋଗ କରିଥିଲା ।

ଅନେକ ବିରୋଧାଭାଷ ଓ କିଛି ବିଦ୍ରୂପ ହଜମ କରି ସ୍କଟଲାଣ୍ଡ ୟାର୍ଡ ଏହି ତଦନ୍ତ ବନ୍ଦ ହୋଇଥିବା କଥା ଘୋଷଣା କଲେ । ସ୍ନାର୍ଲ ଏବଂ ଅନ୍ୟ କେତେକ ସଂସ୍ଥା ଅସନ୍ତୁଷ୍ଟ ହେଲେ । ପରେ ଇଂଲଣ୍ଡର ୨୦ହଜାର ନାଗରିକ ଏହି ତଦନ୍ତ ଜାରିରଖି ପ୍ରକୃତ ଆତତାୟୀକୁ ଠାବ କରିବାପାଇଁ ଏକ ଦାବିପତ୍ର ଦାଖଲ କଲେ, କିନ୍ତୁ ତାର କିଛି ଫଳ ହେଲାନାହିଁ । ଅନେକ ଲୋକଙ୍କର ଆପତ୍ତିର ମୂଳ ଆଧାର ଥିଲା ଶୃଗାଳ ପାଖରେ ଛୁରି ନଥାଏ । ତେବେ ବିଲେଇଗୁଡ଼ିକୁ ଖଣ୍ଡ ଖଣ୍ଡ କରି କାଟିଲା କିଏ?

ଏବେ ୬ବର୍ଷ ପରେ ସ୍କଟଲାଣ୍ଡ ୟାର୍ଡର ମତକୁ ସଂପୂର୍ଣ୍ଣ ଜନସମ୍ମତି ମିଳିନଥିଲେ ସୁଦ୍ଧା ମୋଟାମୋଟି ଭାବେ ଗୃହୀତ ହେଇଯାଇଛି । କୌଣସି ଜଣେ ରକ୍ତମୁଖା ଘାତକକୁ ଫାଶୀଖୁଣ୍ଟରେ ଝୁଲିବାର ଦେଖିବା ପାଇଁ ଅପେକ୍ଷା କରି ରହିଥିବା ଲୋକେ ଏବେ ବି ଅସନ୍ତୁଷ୍ଟ । କିନ୍ତୁ ଏହି ଲେଖକ ମତରେ, ଆମେ ସ୍କଟଲାଣ୍ଡ ୟାର୍ଡକୁ ନିନ୍ଦା କିମ୍ବା ବିଦ୍ରୂପ କରିବା ଅନୁଚିତ । ବିରାଡ଼ିମାନଙ୍କ ସମୂହ ମୃତ୍ୟୁ ଭଳି ଏକ ଅପେକ୍ଷାକୃତ ଲଘୁବ୍ୟାପାରକୁ ନିଜ ତଦନ୍ତ ପରିସରଭୁକ୍ତ କରିବା ଓ ସେଥିପାଇଁ ଅର୍ଥ, ଶକ୍ତି, ସମୟ ଖର୍ଚ୍ଚ କରିବା ସ୍କଟଲାଣ୍ଡ ୟାର୍ଡକୁ ଦାୟିତ୍ୱହୀନ ବୋଲି ପରିଚିତ କରେନାହିଁ, ପଶୁଅନୁରାଗୀ, କର୍ତ୍ତବ୍ୟନିଷ୍ଠ ଓ ସମ୍ବେଦନଶୀଳ ବୋଲି ପରିଚିତ କରେ । କ୍ରାଇମ ତଦନ୍ତରେ ଏବେ ମଧ୍ୟ ସ୍କଟଲାଣ୍ଡ ୟାର୍ଡ ଓ ଏଫବିଆଇ ସାରା ଦୁନିଆରେ ସୁପରିଚିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.