ବ୍ରହ୍ମପୁର,୧୨/୦୪: ବ୍ରହ୍ମପୁର ସହ ଗଞ୍ଜାମ ଜିଲ୍ଲାରେ ଏବେ ଚାଲିଛି ଆଇପିଏଲ୍ ବେଟିଂ । ସାଧାରଣ ନିର୍ବାଚନକୁ ପରିଚାଳନା କରିବାରେ ପୁଲିସ ବ୍ୟସ୍ତ ରହୁଥିବା ବେଳେ ଏହାର ସୁଯୋଗ ନେଇଛନ୍ତି ବୁକି । ପୁରୀରେ ରହି ବ୍ରହ୍ମପୁର ଓ ଗଞ୍ଜାମ ସଟ୍ଟା ବଜାର ଚଳାଇଛନ୍ତି । ପୁରୀ ପୁଲିସ ଏବେ ସେମାନଙ୍କୁ ସ୍କାନର୍ରେ ରଖିଛି । ପୁରୀ ସହ ବ୍ରହ୍ମପୁରରେ ପୁଲିସ ଚଢ଼ଉ କରି ଏହି ର୍ୟାକେଟ୍କୁ ଧରିବାକୁ ଉଦ୍ୟମ କରୁଛି । ବୁକିମାନେ ଜାଗା ବଦଳାଉଥିବା ପୁଲିସ ତଦନ୍ତରେ ଜଣାପଡିଛି ।
ବ୍ରହ୍ମପୁର, ଛତ୍ରପୁର, ଦିଗପହଣ୍ଡି, ଚିକିଟି ଓ ହିଞ୍ଜିଳିକାଟୁ ଅଞ୍ଚଳରେ ଏହି ଗ୍ରୁପ୍ ବେଟିଂ ଜାଲ ବିଛାଇ ରଖିଛନ୍ତି । ଅନେକ ଯୁବପିଢ଼ିଙ୍କୁ ଏଥିରେ ନିୟୋଜିତ କରାଯାଇଥିବା ବେଳେ ଯୁବବର୍ଗ ବେଟିଂରେ ସର୍ବସ୍ୱାନ୍ତ ହୋଇ ଆତ୍ମହତ୍ୟା ବି କରୁଛନ୍ତି । ବ୍ରହ୍ମପୁରରେ ଆଇପିଏଲ୍ ବେଟିଂ ନୂଆ ନୁହେଁ । ପ୍ରତିବର୍ଷ ପୁଲିସ ଆଇପିଏଲ୍ ସଟ୍ଟାବାଜିଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଛି । ସେମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ବି ଜବତ କରୁଛି ପୁଲିସ । ସେମାନେ ନା’ବଦଳାଇ ପ୍ରତିବର୍ଷ ଆଇପିଏଲ୍ ର୍ୟାକେଟ୍କୁ ସକ୍ରିୟ କରୁଥିବା ନଜିର ରହିଛି ।
୨୦୨୦ରେ ଗୋସାଇଁନୂଆଗାଁ ଥାନା ପୁଲିସ ବଡ଼ ଧରଣର ଆଇପିଏଲ୍ ର୍ୟାକେଟ୍କୁ ଧରିଥିଲା । ଯେଉଁ ମାମଲାରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ସମ୍ପତ୍ତି ବି ଜବତ କରିଛି । ସମ୍ପତ୍ତି ଜବତ ହେବା ପରେ ଏମାନଙ୍କ ମଧ୍ୟରୁ କିଛି ଅଭିଯୁକ୍ତ ଆଇପିଏଲ୍ ଠାରୁ ଦୂରେଇ ଯାଇଛନ୍ତି । ହେଲେ ଏହି ମାମଲାରୁ ଖସିଯାଇଥିବା ଅଭିଯୁକ୍ତ ମାନେ ଏବେ ସାରା ଓଡ଼ିଶାରେ ଚଳାଇଛନ୍ତି ସଟ୍ଟା ବଜାର । ଆଇପିଏଲ୍ ଆରମ୍ଭ ହେଲେ ସେମାନେ ସହର ଛାଡି ବାହାରକୁ ପଳାଉଛନ୍ତି ଏବଂ ସେଠାରେ ରହି କୋଟି କୋଟି ଟଙ୍କାର ସଟ୍ଟାବଜାର ଚଳାଉଛନ୍ତି । ୨୦୨୨ ମେ ୧୭ ତାରିଖରେ ବଡ଼ଧରଣର ଆଇପିଏଲ୍ ର୍ୟାକେଟ୍କୁ ବ୍ରହ୍ମପୁର ପୁଲିସ କାବୁ କରିଥିଲା । ମାଷ୍ଟର ବୁକି କନିଷି ହାଟର ଦୀପୁ ନାହାକ ଓରଫ୍ ଅଣ୍ଡା ଦୀପୁ ସହ ଏଜେଣ୍ଟ କନିଷି ହାଟର କିଟୁ ରାଉତ ଓରଫ୍ କିଟୁ, ଅଶ୍ୱିନୀ କୁମାର ପାତ୍ର ଓରଫ ଲେଖୁ, କବିସୂର୍ଯ୍ୟନଗରର ପ୍ରଶାନ୍ତ କୁମାର ସାହୁ ଓରଫ୍ ପିଣ୍ଟୁ, ଟୁଳୁ ରୋଡ଼ର ଗୋପୀନାଥ ମହାରଣା ଓରଫ୍ ଗୋପୀକୁ ଗୋସାଇଁନୂଆଗାଁ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅଭିଯୁକ୍ତଙ୍କ ଠାରୁ ନଗଦ ୪, ୫୬,୯୦୦ଟଙ୍କା, ୯ଟି ଦାମୀ ମୋବାଇଲ୍ ଫୋନ୍, ଗୋଟିଏ ଦାମୀ କାର୍(ଓଡି-୦୭-ଏକେ-୪୨୨୪) ଓ ୨୦୩.୯୬ ଗ୍ରାମ୍ର ସୁନା ଅଳଙ୍କାର ଜବତ ହୋଇଥିଲା ।
ସେହିପରି ୨୦୨୧ ଅକ୍ଟୋବର ୧୧ରେ ବୈଦ୍ୟନାଥପୁର ଥାନା ପୁଲିସ ଆଉ ଏକ ଆଇପିଏଲ୍ ର୍ୟାକେଟ୍କୁ ଧରିଥିଲା । ଲାଞ୍ଜିପଲ୍ଲୀ ପାଢ଼ି କଲୋନୀ ଜଗନ୍ନାଥଙ୍କ ସହ ହଳଦିଆପଦରର ସନ୍ତୋଷ ନାହାକ, ଗୋସାଇଁନୂଆଗାଁ ବୈଦ୍ୟ ସାହିର ଅଜିତ୍ କୁମାର ସାହୁ, ଅମ୍ବିକା ନଗର ୧ମ ଲାଇନ୍ର ସବ୍ୟସାଚୀ ପାଢ଼ି ଓ କ୍ରୀତିରଞ୍ଜନ ସେନାପତି, ବିଜିପୁରର ନିଳାଦ୍ରୀ ପାଢ଼ି ଗୋସାଇଁନୂଆଗାଁ ମୁଖ୍ୟ ରାସ୍ତାର ରାମ ପ୍ରସାଦ ଚୌଧୁରୀ ଓ ଗୋସାଇଁନୂଆଗାଁ ଶାଳିଆବନ୍ଧ ସାହିର ବିନୋଦ ପାଢ଼ିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେମାନଙ୍କ ଠାରୁ ଜବତ ହୋଇଥିଲା ୮, ୬୩, ୨୦୦ ଟଙ୍କା । ପରବର୍ତ୍ତୀ ସମୟରେ ଅନ୍ୟ ଅଭିଯୁକ୍ତଙ୍କୁ ଭୁବନେଶ୍ୱର ଓ ବ୍ରହ୍ମପୁରର ବିଭିନ୍ନ ଅଞ୍ଚଳରୁ ଗିରଫ କରିଥିଲା ପୁଲିସ । ଆଇପିଏଲ୍ ବେଟିଂ ମାମଲାରେ ଜେଲ୍ ଯାଇଥିବା ଅଭିଯୁକ୍ତଙ୍କ ଉପରେ ପୁଲିସ ନଜର ରଖୁନାହିଁ । ଯାହାଫଳରେ ସେମାନେ ନୂଆ ଗ୍ରୁପ୍ କରି ଚଳାଉଛନ୍ତି ର୍ୟାକେଟ୍ । ଏବେ ନମସ୍ତେ ଗ୍ରୁପ୍ ଏହି ର୍ୟାକେଟ୍ ଚଳାଉଥିବା ପୁଲିସ ତଦନ୍ତରେ ଜଣାପଡିବା ପରେ ପୁଲିସ ଏବେ ଏମାନଙ୍କୁ ଧରିବାକୁ ଚଢ଼ାଉ କରିଛି ।
ନମସ୍ତେ ଗ୍ରୁପ୍କୁ ଧରିବାକୁ ପୁରୀ ସାମୁଦ୍ରିକ ଥାନା ଅଞ୍ଚଳରେ ଚଢ଼ଉ ହୋଇଥିଲା । ସେପଟେ ପୁରୀ ଏସ୍ପି ପିନାକ ମିଶ୍ର ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ ସହ ଯୋଗାଯୋଗ କରି ବୁକିଂଙ୍କ ତଥ୍ୟ ସଂଗ୍ରହ କରିଥିବା ଜଣାପଡିଛି । ଏହି ର୍ୟାକେଟ୍ରେ କିଛି ସରକାରୀ କର୍ମଚାରୀଙ୍କ ସଂପୃକ୍ତ ଥିବା ମଧ୍ୟ ପୁଲିସ ଜାଣିବାକୁ ପାଇଛି ।