ମୁମ୍ୱାଇ,୧୧/୦୮: ଷ୍ଟକ୍ ମାର୍କେଟକୁ ଓହ୍ଲାଇବ ଜିଓ ଫାଇନାନ୍ସିଆଲ । ଏବେ ଷ୍ଟକ ବ୍ରୋକିଙ୍ଗ ବିଜନେସରେ ଗ୍ରାହକଙ୍କୁ ପୁଞ୍ଜି ନିବେଶ କରିବାକୁ ଆକର୍ଷଣ କରିବ ଜିଓ ଫାଇନାନ୍ସିଆଲ । ଏନେଇ ଜିଓ କମ୍ପାନି ତରଫରୁ ଘୋଷଣା କରାଯାଇଛି । ୪ମାସ ପୂର୍ବରୁ ଜିଓ, ଫାଇନାନ୍ସିଆଲ ସର୍ଭିସେସ୍ ଏବଂ ୱେଲଥ୍ ମ୍ୟାନେଜମେଣ୍ଟ ବ୍ୟାପାରରେ ପ୍ରବେଶ କରିବା ନେଇ କହିଛନ୍ତି ମୁକେଶ ଅମ୍ୱାନୀ । ଏହି କମ୍ପାନୀ ଗତ ଗୁରୁବାର ଦିନ ନିଜର ପ୍ରଥମ ବାର୍ଷିକ ରିପୋର୍ଟରେ ଏନେଇ ଆଲୋଚନା କରିଛି ।
ଏହି ବର୍ଷର ଆରମ୍ଭରେ ବିଏସଇ ୨୦୦ରେ ସୁଚିବଦ୍ଧ ଏନବିଏଫସି ଜିଓ ଫାଇନାନ୍ସିଆଲ ସର୍ଭିସ ବ୍ଲାକରକ୍ ଇଙ୍କ ଏବଂ ବ୍ଲାକରକ୍ ଆଡଭାଇଜର୍ସ ସିଙ୍ଗାପୁର ପ୍ରାଇଭେଟ୍ ଲିମିଟେଡ୍ ସହ ଏକ ରାଜିନାମାରେ ସ୍ୱାକ୍ଷର କରିଥିବା ଜଣାପଡ଼ିଛି । ଏହାର ଆଧାରରେ ଜଏଣ୍ଟ ଉଦ୍ୟୋଗ କରାଯିବ । ଯାହା ଫଳରେ ଫଣ୍ଡ ମ୍ୟାନେଜମେଣ୍ଟ ଏବଂ ବ୍ରୋକିଙ୍ଗ ବିଜନେସ ଆରମ୍ଭ କରାଯାଇପାରିବ । ଏହି ମିଳିତ ଉଦ୍ୟମରେ ଭାରତରେ ଏକ ଫଣ୍ଡ ମ୍ୟାନେଜମେଣ୍ଟ କମ୍ପାନୀ ଏବଂ ଅନେକ ଦଲାଲ ସାମିଲ ହେବେ ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଏକ ଏକ୍ସଚେଞ୍ଜ ଫାଇଲ ଅନୁଯାୟୀ, ଏହି ମିଳିତ ଉଦ୍ୟମ ବ୍ଲାକରକ୍ ଇଙ୍କ ସହ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସମ୍ପର୍କ ଆହୁରି ମଜବୁତ କରିବ । ଏହି ମିଳିତ ଉଦ୍ୟମର ଘୋଷଣା ୨୦୨୩ ଜୁଲାଇ ୨୬ରେ କରାଯାଇଥିଲା । ଡିଜିଟାଲ ଫାଷ୍ଟ ମାଧ୍ୟମରେ ଭାରତର ସମ୍ପତ୍ତି ମ୍ୟାନେଜମେଣ୍ଟ ଇଣ୍ଡଷ୍ଟ୍ରିକୁ ବଦଳାଇବା ଏବଂ ଭାରତରେ ପୁଞ୍ଜି ନିବେଶକଙ୍କ ସମସ୍ୟାର ସମାଧାନକୁ ଗଣତାନ୍ତ୍ରିକ କରିବା ହିଁ ଏହାର ଉଦ୍ଦେଶ୍ୟ ।
ଏହି ସର୍ଭିସ ନିବେଶକାରୀଙ୍କୁ ବ୍ୟାପକ ମାର୍କେଟ ରିସର୍ଚ୍ଚ ଦ୍ୱାରା ସମର୍ଥନ କରାଇବ । ଷ୍ଟକ୍, ବଣ୍ଡ, ମ୍ୟୁଚୁଆଲ ଫଣ୍ଡ ଏବଂ ଅନ୍ୟାନ୍ୟ ସିକ୍ୟୁରିଟି ସଂସ୍ଥାରେ ପୁଞ୍ଜି ନିବେଶ କରିବାରେ ସାହାଯ୍ୟ କରିବ । ଏହା ଦ୍ୱାରା ଅଧିକ ନେଟ୍ ୱର୍ଥ ଥିବା ଲୋକମାନେ ଉପକୃତ ହେବେ ବୋଲି କମ୍ପାନୀ ତରଫରୁ କୁହାଯାଇଛି । ଏହି ସେବାରେ ଜେପିବିଏଲ ସହ ସଞ୍ଚୟ ଖାତା ଥିବା ବ୍ୟକ୍ତିଙ୍କୁ ପ୍ରତିଯୋଗିତାମୂଳକ ସୁଧ ଦିଆଯିବ । ଜିଓ ବ୍ଲକରକ୍ ଏବଂ ବ୍ଲକରକ୍ ଇଙ୍କ ମାଧ୍ୟମରେ ପୁଞ୍ଜି ନିବେଶର ଏକ ଅବସର ପ୍ରଦାନ କରୁଛି । ଯାହା ସାମୁହିକ ବିକାଶ ପାଇଁ ଏକ ସୁରକ୍ଷିତ ଆଧାର ଭାବରେ ପରିଗଣିତ ହେବ । ଏହା ଭାରତରେ ଲକ୍ଷାଧିକ ପୁଞ୍ଜି ନିବେଶକଙ୍କୁ ଡିଜିଟାଲ ରୂପରେ ଅନେକ ପ୍ରକାରର ସୁବିଧା ଉପଲବ୍ଧ କରାଇବ ।