ନୂଆଦିଲ୍ଲୀ,୦୫/୦୯: ପୀଡ଼ିତା ଅଭୟାଙ୍କୁ ନ୍ୟାୟ ଦାବିରେ ଲାଇଟ୍ ଅଫ୍ କରି ରାସ୍ତାକୁ ଓହ୍ଲାଇଲେ ଆନ୍ଦୋଳନକାରୀ। ବୁଧବାର ପଶ୍ଚିମବଙ୍ଗର ରାଜଧାନୀରେ ଦେଖିବାକୁ ମିଳିଛି ଏଭଳି କିଛି ଆନ୍ଦୋଳନ। ସାରା ରାତି ଉଜାଗର ରହି ନ୍ୟାୟ ମାଗୁଛନ୍ତି ସାଧାରଣ ଲୋକେ। ତେବେ କୋଲକାତା ସହର ସାରା ବ୍ୟାପିଗଲାଣି ବିକ୍ଷୋଭ ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ। ଏହି ଘଟଣାର ଦୃଢ଼ ପ୍ରତିବାଦ ଓ ପୀଡ଼ିତା ଡାକ୍ତରଙ୍କୁ ନ୍ୟାୟ ଦାବିରେ ଗତକାଲି କୋଲକାତା ବ୍ୟାପୀ ସାରା ରାତି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଭିନ୍ନ ବର୍ଗର ଲୋକେ। କ୍ୟାଣ୍ଡେଲ ଜାଳି ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ସେପଟେ ଅଭୟାଙ୍କ ନ୍ୟାୟ ଦାବିରେ ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନରେ କାଲି ସାମିଲ ହୋଇଥିଲେ ଅଭୟାଙ୍କ ପରିବାର ସଦସ୍ୟ । କୋଲକାତାର ବିଭିନ୍ନ ସ୍ଥାନରେ ଗତକାଲି ଲାଇଟ୍ ଅଫ କରି କ୍ୟାଣ୍ଡେଲ ଜାଳି ଲୋକେ ପ୍ରତିବାଦ ଜଣାଇଥିଲେ। ସହରବ୍ୟାପି ଲାଇଟ୍ ବନ୍ଦ କରାଯିବା ସହ ବିକ୍ଷୋଭ କରାଯାଇଥିଲା । ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦା ବୋସ ମଧ୍ୟ ଲାଇଟ୍ ବନ୍ଦ କରି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ। ସେହିପରି ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ପ୍ରତିବାଦରେ ଡାକ୍ତରମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଡାକ୍ତରମାନଙ୍କୁ କାର୍ଯ୍ୟରେ ଯୋଗ ଦେବା ସହ ନ୍ୟାୟ ପାଇଁ ସୁପ୍ରିମ୍କୋର୍ଟଙ୍କ ଉପରେ ଭରସା କରିବାକୁ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ)ର ସଭାପତି ଅନୁରୋଧ କରିଛନ୍ତି ।