ଡମପଡ଼ା,୦୬/୦୯: ଭାବିଥିଲେ, ବୃଦ୍ଧାବସ୍ଥାରେ ପୁଅ ବାପା-ମାଆଙ୍କ ସାହାରା ହେବ । ଶେଷ ସମୟରେ ସେମାନଙ୍କ ସେବା କରିବ । ହେଲେ ଫଳ ହେଲା ଓଲଟା । ଯେଉଁ ପୁଅର ଅଳି ଅଝଟ ଶୁଣି ତାକୁ ଛୋଟରୁ ବଡ଼ କରିଥିଲେ, ହାତ ଧରି ଚାଲିବା ଶିଖାଇଥିଲେ, ଭୋକ ଉପାସରେ ରହି ପୁଅର ସବୁ ଦାବି ପୂରଣ କରୁଥିଲେ, ଶେଷରେ ସେହି ପୁଅ ବୃଦ୍ଧ ବାପା-ମାଆ ବଞ୍ଚି ଥାଉ ଥାଉ ଉଭୟଙ୍କ ପାଇଁ ଲଣ୍ଡା ହୋଇ ଶୁଦ୍ଧି ହୋଇପଡ଼ିଲା । ସାହି ପଡ଼ିଶା ଲୋକଙ୍କୁ ଭୋଜି ବି ଦେଲା । ଏପରି ଅମାନବୀୟ କାଣ୍ଡ କଟକ ଜିଲ୍ଲା ବାଙ୍କୀ ବ୍ଲକ ବୈଦ୍ୟେଶ୍ୱର ଥାନା ପାଣିଗ୍ରାହୀପୁର ପାଟଣାରେ ଦେଖିବାକୁ ମିଳିଛି । ଗାଁର ହୃଷିକେଶ ଗୁରୁ ଓ ତାଙ୍କ ପତ୍ନୀ ଜୀବିତ ଥିବା ବେଳେ ସେମାନଙ୍କ ଏକମାତ୍ର ପୁଅ ଚନ୍ଦ୍ରଶେଖର ଗୁରୁ(୪୧) ଲଣ୍ଡା ହୋଇ ଉଭୟଙ୍କୁ ଶୁଦ୍ଧି ହୋଇଥିବା ଜଣାପଡ଼ିଛି ।
ପାଣିଗ୍ରାହୀପୁର ପାଟଣାର ବୃଦ୍ଧ ହୃଷିକେଶ ଓ ତାଙ୍କ ପତ୍ନୀ ପୁଅର ନିର୍ଯାତାନ ସହି ନପାରି ଦୀର୍ଘ ଦିନ ହେଲା ଅଲଗା ରୋଷେଇ କରି ଖାଉଛନ୍ତି । ଗତବର୍ଷ ନଭେମ୍ବର ୧୯ ତାରିଖରେ ଘରେ ଗ୍ୟାସଚୁଲା ବନ୍ଦ କରି ଦେଇ ପୁଅ ଉଭୟ ବାପା ଓ ମାଆଙ୍କୁ ଘରୁ ଧକ୍କା ଦେଇ ବାହାର କରିଦେଲା । ଏନେଇ ବୃଦ୍ଧ ବାପା ଓ ମାଆ ବୈଦ୍ୟେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସର ହସ୍ତକ୍ଷେପ ପରେ କିଛି ମାତ୍ରାରେ ସମସ୍ୟାର ସମାଧାନ ହୋଇଥିଲା । ପୁଣି ବୁଢ଼ା-ବୁଢ଼ି ଘରେ ଆସି ରହିଥିଲେ । ହେଲେ ଅଲଗା ରୋଷେଇ କରି ଖାଉଥିଲେ। ମାତ୍ର ପୁଅ ଚନ୍ଦ୍ରଶେଖର ପୁନର୍ବାର ଗତ ୧୩ ତାରିଖରେ ବୃଦ୍ଧ ବାପା-ମାଆଙ୍କୁ ଧକ୍କା ମାରି ତୁମେ ଏହି ଘରେ ରହିପାରିବ ନାହିଁ, ତୁମର ଏ ଘରେ କିଛି ଅଧିକାର ନାହିଁ, ତୁମେ ଘରୁ ବାହାର ବୋଲି ବୋଲି ଧମକ ଦେଇଥିଲା ।
ଏ ସମ୍ପର୍କରେ ବୃଦ୍ଧ ଦମ୍ପତି ବୈଦ୍ୟେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏଥିରେ ପୁଅ ଉତ୍କ୍ଷିପ୍ତ ହୋଇ ବାପା ଓ ମାଆ ଜୀବିତ ଥାଇ ମଧ୍ୟ ଲଣ୍ଡା ହୋଇ ସେମାନଙ୍କର ଶୁଦ୍ଧିକ୍ରିୟା କରିଛି । ଏପରିକି ଭୋଜି କରି ସାହି ପଡ଼ିଶାରେ ବାଣ୍ଟିଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଖବର ପାଇ ବାଙ୍କୀ ବୟୋଜ୍ୟେଷ୍ଠ ନାଗରିକ ସଂଘର ସଦସ୍ୟମାନେ ଉଦ୍ବେଗ ପ୍ରକାଶ କରିବା ସହ ସଂଘର ସଭାପତି ତଥା ଆଇନଜୀବୀ ବିରଞ୍ଚି ଦାଶ କଟକ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କୁ ପତ୍ର ଲେଖି ପୁଅ ଦ୍ୱାରା ନିର୍ଯାତିତ ବୃଦ୍ଧ ପିତାମାତାଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରିବା ସହ ସେମାନଙ୍କୁ ପୁଲିସ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ।