ଭୁବନେଶ୍ୱର, ୪।୯: ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଖଣିଜ ପଦାର୍ଥ ଓ ଖଣି ଜମି ଉପରେ ଟିକସ ବସାଇବାର ଅଧିକାର ରାଜ୍ୟଗୁଡ଼ିକର ଅଛି । ରାଜ୍ୟମାନେ ଏହି ଟିକସ ପିଛିଲା ଭାବେ ଆଦାୟ କରିପାରିବେ । ୨୦୦୫ ଏପ୍ରିଲ ପହିଲାରୁ ପିଛିଲା ଭାବେ ଏହା ଆଦାୟ କରିବାକୁ ସୁପ୍ରିମକୋର୍ଟ ଦେଇଛନ୍ତି ରାୟ । ରାଜ୍ୟର ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ଖଣି ସେସ୍ ଆଦାୟ ପାଇଁ ରାଜ୍ୟ ସରକାର କାର୍ଯ୍ୟପନ୍ଥା ସ୍ଥିର କରିବେ । ବିଧାନସଭାରେ ଖଣି ଓ ଇସ୍ପାତ ବିଭାଗର ଖର୍ଚ୍ଚଦାବି ଆଲୋଚନାରେ ଏହି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି, ଧାର୍ଯ୍ୟ ଦେୟ ଖଣି ମାଲିକମାନଙ୍କ ଠାରୁ ଆସନ୍ତା ୨୦୨୬ ଏପ୍ରିଲ ପହିଲାରୁ ୧୨ ବର୍ଷ ଯାଏ କିସ୍ତି ଆକାରରେ ଅସୁଲ କରାଯିବ । ମନ୍ତ୍ରୀ ଶ୍ରୀ ଜେନା ଗୃହକୁ ଅବଗତ କରିଥିଲେ, ଏ ସଂପର୍କରେ କେଉଁ ସଭ୍ୟ କହୁଛନ୍ତି ୧ ଲକ୍ଷ ୧୦ ହଜାର କୋଟି ରାଜ୍ୟକୁ ମିଳିବ । ଆଉ କିଏ କହୁଛନ୍ତି ରାଜ୍ୟ ଏ ସେସ୍ ବାବଦକୁ ପାଇବ ୪୦ ହଜାର କୋଟି । ଏହାର ଅଙ୍କକୁ କେହି ଏଯାଏ ଧରିନାହାନ୍ତି ଲାଗୁଛି ।
ତେବେ ରାଜ୍ୟର ସାମାଜିକ ଓ ଆର୍ଥିକ ବିକାଶକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଗତ ୨୦୦୫ ମସିହାରେ ଖଣିଜ ଉତ୍ତୋଳନ ଉପରେ ସ୍ୱତନ୍ତ୍ର ରାଜ୍ୟ ଟିକସ ଆଦାୟ ପାଇଁ ‘ଓଡ଼ିଶା ରୁରାଲ ଇନଫ୍ରାଷ୍ଟ୍ରକଚର ଆଣ୍ଡ ସୋସିଆଲ ଇକୋନୋମିକ୍ ଡେଭଲପ୍ମେଣ୍ଟ ଆଇନ-୨୦୦୪’ (ଓରିସେଡ୍ ଆକ୍ଟ)ଆଣିଥିଲେ । ମାତ୍ର ଏହାର ବୈଧତାକୁ ଚାଲେଞ୍ଜ କରି ନାଲକୋ ଓ ଅନ୍ୟ ଖଣି ପଟ୍ଟାଦାରମାନେ ହାଇକୋର୍ଟ ଯାଇଥିଲେ । ରାଜ୍ୟ ସରକାରଙ୍କ ପ୍ରଣୀତ ଆଇନ କ୍ଷମତା ବହିର୍ଭୂତ ବୋଲି ଦର୍ଶାଇ ହାଇକୋର୍ଟ ଏହାକୁ ରଦ୍ଦ କରି ଦେଇଥିଲେ । ଏ ସଂପର୍କରେ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଇଥିଲେ । ସର୍ବୋଚ୍ଚ ଅଦାଲତ ପିଛିଲା ଭାବେ ରାଜ୍ୟ ଟିକସ ଆଦାୟ କରିପାରିବ ବୋଲି ରାୟ ଶୁଣାଇଛନ୍ତି । ଏ ସଂପର୍କିତ ଏକ ପ୍ରଶ୍ନର ଜବାବ ରଖି ମନ୍ତ୍ରୀ ଗତ ସପ୍ତାହରେ ଗୃହକୁ ଅବଗତ କରିଥିଲେ,ଖଣି ସେସ୍ ଆଦାୟ ସଂପର୍କିତ ସୁପ୍ରିମକୋର୍ଟ ରାୟର ନ୍ୟାୟିକ ତର୍ଜମା କରି ସରକାର କ୍ରିୟାବିଧି ଧାର୍ଯ୍ୟ କରିବେ । ଖଣି ମାଲିକମାନଙ୍କ ଉପରେ ଦେୟ ଧାର୍ଯ୍ୟ ଆକଳନ କରାଯିବା ସହ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଧାରିତ ରାୟ ଅନୁସାରେ ଅସୁଲ କରିବାର ବ୍ୟବସ୍ଥା କରିବେ ସରକାର ।
ଏପରିକି ରାଜ୍ୟର ସ୍ୱାର୍ଥକୁ ଧ୍ୟାନରେ ରଖି ସୁପ୍ରିମକୋର୍ଟରେ ରାଜ୍ୟ ଦ୍ୱାରା ପ୍ରଣୀତ ଆଇନର ବୈଧତା ସହ ପିଛିଲା ଦିନରୁ ଟିକସ ଆଦାୟ କରିବାକୁ ଯୁକ୍ତି ଦର୍ଶାଯାଇଥିଲା । ମଙ୍ଗଳବାର ଖର୍ଚ୍ଚଦାବି ଆଲୋଚନାରେ ମନ୍ତ୍ରୀ ଶ୍ରୀ ଜେନା କହିଲେ, ମୋଦି ସରକାରଙ୍କ ପ୍ରଧାନମନ୍ତ୍ରୀ ଖଣିଜ ଖନନ ଯୋଜନାରୁ ସୁଫଳ ଓଡ଼ିଶା ପାଇଛି । ଏହାର ମାର୍ଗଦର୍ଶିକା ଆଧାରରେ ଜିଲ୍ଲାଗୁଡିକରେ (ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ) ଟ୍ରଷ୍ଟ ଗଠନ କରାଗଲା । ନିଲାମ ହେଉଥିବା ଖଣି ରୟାଲଟିର ୧୫ ଶତାଂଶ ଓ ପ୍ରଚଳିତ ଥିବା ଲିଜ୍ ଖଣି ରୟାଲଟିର ୩୦ ପ୍ରତିଶତ ଅର୍ଥ ଟ୍ରଷ୍ଟରେ ଦାଖଲ କରାଯାଉଛି । ଏହି ଅର୍ଥରେ ଖଣି ଅଞ୍ଚଳର ଅଧିବାସୀମାନଙ୍କ ପାଇଁ କଲ୍ୟାଣମୂଳକ କାମ କରାଯାଉଛି । ଚଳିତ ଆର୍ଥିକ ବର୍ଷରେ ସରକାର ୫୦ ହଜାର କୋଟି ଟଙ୍କାର ଖଣି ରାଜସ୍ୱ ପାଇବେ ବୋଲି ଲକ୍ଷ୍ୟ ରଖିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା କହିଲେ, ରାଜ୍ୟରେ ୩୮୫ ଖଣି ବ୍ଲକ ମଧ୍ୟରୁ ୨୦୫ ଖଣି କାର୍ଯ୍ୟକ୍ଷମ ଅଛି । କାର୍ଯ୍ୟକ୍ଷମ ନଥିବା ୧୮୦ଟି ଖଣିର ବୈଧାନିକ ଆବଶ୍ୟକତାକୁ ଅନୁଧ୍ୟାନ କରି ଖଣିଗୁଡିକୁ କାର୍ଯ୍ୟକ୍ଷମ କରିବାକୁ ଉଦ୍ୟମ କରାଯିବ ।
ରାଜ୍ୟରେ ୨୦୦୧ରୁ ୨୦୧୧ ମଧ୍ୟରେ ଖଣିଜ ଉତ୍ପାଦନରେ ଅନିୟମିତତା ପରିଲକ୍ଷିତ ହୋଇଥିଲା । କେନ୍ଦ୍ର ସରକାର ଶାହା କମିଶନକୁ ନିଯୁକ୍ତ କରିଥିଲେ । କେନ୍ଦ୍ରୀୟ କ୍ଷମତାସଂପନ୍ନ କମିଟିଙ୍କ ରିପୋର୍ଟ ଆଧାରରେ ବୈଧାନିକ ଅନୁମତି ନଥାଇ ଜଙ୍ଗଲ ଓ ପରିବେଶ ଅନୁମତିର ଉଲ୍ଲଂଘନ କରି ଯେଉଁ ଖଣି ପଟ୍ଟାଦାର ଖଣି ଖୋଳିଥିଲେ ଜରିମାନା ବାବଦକୁ ୧୬ ହଜାର ୧୦୩ କୋଟି ଟଙ୍କା ଆଦାୟ କରାଯାଇଛି । ଖଣି ଚୋରିକୁ ରୋକିବାକୁ ସରକାରଙ୍କ ପକ୍ଷରୁ ଆଇ୩ଏମଏସ୍ରେ ନୂଆ ପ୍ରଯୁକ୍ତି କୌଶଳକୁ ବ୍ୟବହାର କରାଯିବ । ରାଜ୍ୟରେ ଖଣିଜ ଉତ୍ପାଦନକୁ ତ୍ୱରାନ୍ୱିତ କରାଯିବ । ଅଧିକ ନିଲାମ ଉପଯୋଗୀ ଖଣିଜ ବ୍ଲକ୍ ସୃଷ୍ଟି ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ୧୩ଟି ବିଭିନ୍ନ ଖଣିଜ ଅନୁସନ୍ଧାନ କାର୍ଯ୍ୟକ୍ରମ କରାଯାଇଛି । ୮୦ଟି ଖଣିଜ ବ୍ଲକରେ ଗୁରୁ ଖଣିଜର ଅନ୍ୱେଷଣ କରାଯାଉଛି । ଲଘୁ ଖଣିଜ ପଦାର୍ଥର ବିକାଶ ଓ ନିୟନ୍ତ୍ରଣ ପାଇଁ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯାଇଛି । ଖଣି ମନ୍ତ୍ରୀ କହିଲେ, ରାଜ୍ୟରେ ୫୩ ଇସ୍ପାତ କାରଖାନାରୁ ବାର୍ଷିକ ୩୫.୭୧ ନିୟୁତ ଟନ୍ ଖଣିଜ ଉତ୍ପାଦନ କ୍ଷମତା ରହିଛି । ଖଣିଗୁଡ଼ିକୁ ସପୂଂର୍ଣ୍ଣ ସ୍ୱଚ୍ଛତା ସହକାରେ ପରିଚାଳନା କରିବାକୁ ସରକାର ସଂକଳ୍ପବଦ୍ଧ । ଓଡ଼ିଶାକୁ ୧.୫ ଟ୍ରିଲିୟନ ଅର୍ଥନୀତି କରିବା ସହ ବିକଶିତ ଓଡ଼ିଶା ଗଠନରେ ରାଜ୍ୟ ଖଣି ଓ ଇସ୍ପାତ ବିଭାଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ ବୋଲି ମନ୍ତ୍ରୀ ଗୃହକୁ ପ୍ରତିଶ୍ରୁତି ଦେଇଛନ୍ତି ।